ବ୍ୟବସାୟୀଙ୍କ ସରକାର!

ବ୍ୟବସାୟୀଙ୍କ ସରକାର!

Share :

The best minds are not in government. If any were, business would steal them away. -Ronald Reagan ଶ୍ରେଷ୍ଠ ଲୋକମାନେ ସରକାରରେ ନଥାନ୍ତି । ଯଦି କେହି ଥାଆନ୍ତି, ସେମାନଙ୍କୁ ବ୍ୟବସାୟୀମାନେ ଚୋରିକରି ନେଇଯାଆନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍‍ଡ ରିଗାନ୍‍ ଏହି ଅନୁଭବ ଅର୍ଜନ କରିଥିଲେ । ରିଗାନଙ୍କର ଏଇ ଅନୁଭବ ଓଡ଼ିଶାରେ ଶତକଡ଼ା ଶହେ ଭାଗ ସତ ହୋଇଯାଇଛି । ଏଠାକା ସରକାରରେ ତ’ ବାସ୍ତବରେ ଦକ୍ଷ ଓ ଭଲ ଲୋକମାନେ ନାହାନ୍ତି । ଯେଉଁ କେତେ ଜଣ ଅଛନ୍ତି ସେମାନଙ୍କୁ ବ୍ୟବସାୟୀମାନେ ନିଜ ବାଟରେ ନିଜର କରିସାରିଛନ୍ତି । ସେଥିପାଇଁ ଓଡ଼ିଶା ସରକାର ଶିଳ୍ପପତି ଓ ବ୍ୟବସାୟୀମାନଙ୍କର ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଲୋକମାନଙ୍କୁ ଭଣ୍ଡେଇ ସେମାନଙ୍କ ଭୋଟ ହାତେଇବାକୁ ସେମାନଙ୍କୁ ଭିକାରୀ କରିଦେଇଛନ୍ତି । ମାନସିକ ଭାବେ ହେଉ ତ ଅର୍ଥନୈତିକ ଭାବେ, ଚିରଦରିଦ୍ର ଲୋକମାନେ ଦି’ ଟଙ୍କିଆ ଚାଉଳ, ଦି’ ଶ’ ଟଙ୍କିଆ କମ୍ବଳ, ବାରଶ’ ଟଙ୍କିଆ ସାଇକେଲ୍‍ ଇତ୍ୟାଦି ପାଇ ନିଜକୁ ଧନ୍ୟ ମନେ କରୁଥିବାବେଳେ ଓଡ଼ିଶା ସରକାର ସେମାନଙ୍କ ବାଡ଼ିତଳେ ଥିବା ସମସ୍ତ ସଂପଦ ଲୁଣ୍ଠନ କରିବାରେ ବ୍ୟସ୍ତ । ଲୋକମାନଙ୍କର ବିଦ୍ୟାବୁଦ୍ଧି ନଥିବାରୁ ସେମାନେ ଏହା ବୁଝିପାରୁ ନାହାନ୍ତି । ଓଡ଼ିଶା ସରକାରଙ୍କର ଏପରି ବ୍ୟାବସାୟିକ ବୁଦ୍ଧି ବା ଶିଳ୍ପ-ସଂପର୍କ ବିଷୟରେ ଏବେ କିଛିଟା ଆଭାସ ଦେଇଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) । ଓଡ଼ିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଏବଂ ପ୍ୟାରୀ ମୋହନ ମହାପାତ୍ର ତାଙ୍କର ମୁଖ୍ୟ ପରାମର୍ଶଦାତା ହେବା ପରେ ଯେଉଁ ଏମଓୟୁ ବା ମୋଉ ଯୁଗ ଆରମ୍ଭ ହୋଇଛି ତାହାର ଅନେକ ଦୁର୍ବଳ ଦିଗ ଉପରେ ସିଏଜି ଆଲୋକପାତ କରିଛନ୍ତି । ଭାବମୂର୍ତ୍ତିର ପ୍ରଚାର ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ପ୍ରାୟ ଦେଢ଼ ଶହ ଉପରେ କମ୍ପାନୀଙ୍କ ସହିତ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଲୋକଙ୍କ ବୁଝିବା ପାଇଁ ସରକାର କହୁଛନ୍ତି ଦ୍ରୁତ ଶିଳ୍ପାୟନ ନହେଲେ ଲକ୍ଷଲକ୍ଷ ସଂଖ୍ୟକ ନିଯୁକ୍ତି ସୁଯୋଗ ସମ୍ଭବ ନୁହେଁ । ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ନମିଳିଲେ ଦ୍ରୁତ ପ୍ରଗତି ସମ୍ଭବ ନୁହେଁ । ଏଥିପାଇଁ ଶହଶହ ଶିଳ୍ପସଂସ୍ଥାଙ୍କ ସହିତ ବୁଝାମଣା କରାଯାଉଛି । ଲୋକେ ଏଥିରେ ଖୁସ୍‍ । ସେମାନେ ଧରି ନେଇଛନ୍ତି ଯେ ସରକାର ସେମାନଙ୍କର ମଙ୍ଗଳ ପାଇଁ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି । କିନ୍ତୁ ଏହି ମୋଉ ଯୁଗରେ ସରକାରଙ୍କ କାଉ ନୀତି ସଂପର୍କରେ ଏବେ କିଛି ଆଭାସ ଦେଇଛନ୍ତି ସିଏଜି । ନବୀନ ପଟ୍ଟନାୟକଙ୍କ ଶାସନରେ ଯେତେ କଳକାରଖାନା ହୋଇଛି ସବୁ କମ୍ପାନୀ ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇନାହିଁ । ବାସ୍ତବରେ ଦେଖିଲେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ସରକାର କାହା ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବାର ଆବଶ୍ୟକତା ନାହିଁ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ବିଧାନସଭାରେ ଏହା ଘୋଷଣା କରିଛନ୍ତି । ତେବେ, ତାଙ୍କ ସରକାର କାହିଁକି ଅନେକ କମ୍ପାନୀଙ୍କ ସହିତ ଶିଳ୍ପ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି? ସନ୍ଦେହ ହେଉଛି ଏହି କମ୍ପାନୀଗୁଡ଼ିକୁ ରାଜ୍ୟର ଜମି, ଜଳ, ଜଙ୍ଗଲ, ଖଣିଖାଦାନ ଇତ୍ୟାଦି ପ୍ରାକୃତିକ ସମ୍ବଳ ଟେକି ଦେଇ ସରକାରରେ ଥିବା ନେତା ଓ ଅଫିସରମାନେ ଆପଣାର ସିନ୍ଧୁକ ଭର୍ତ୍ତି କରିବାକୁ ଏପରି କରିଛନ୍ତି । ରାଜ୍ୟର ଯେକୌଣସି ସାଧାରଣ ଓଡ଼ିଆ ଲୋକ ନିଜର ଗୋଟେ ଦୋକାନ ବା କୁଟୀର ଶିଳ୍ପ ଖୋଲିଲେ ସେଥିପାଇଁ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରୁଛନ୍ତି କି? ସେମାନଙ୍କୁ ଜମି, ଜଳ, ବିଦ୍ୟୁତ ଇତ୍ୟାଦି ଶସ୍ତାରେ ଯୋଗାଇ ଦେଉଛନ୍ତି କି? ସେମାନଙ୍କୁ ଟିକସ ଛାଡ଼ କରାଯାଉଛି କି? ଏସବୁ ପ୍ରଶ୍ନର ଉତ୍ତର ଏକ ବଡ଼ ନା । ତେବେ କାରଖାନା ଖୋଲୁଥିବା ବେଶୀଭାଗ ଅଣଓଡ଼ିଆ ଓ ଅଳ୍ପ କେତେକ ଓଡ଼ିଆ ଘରୋଇ ସଂସ୍ଥାକୁ ସରକାର କାହିଁକି ଜମି, ଜଳ, ଖଣିଜ ପଦାର୍ଥ ଓ ବିଦ୍ୟୁତ ଇତ୍ୟାଦି ଯୋଗାଇ ଦେବାକୁ ବୁଝାମଣାପତ୍ରରେ ପ୍ରତିଶ୍ରୁତି ଦେଇଛନ୍ତି? ଏହା ପଛରେ କି ଉଦ୍ଦେଶ୍ୟ ରହିଛି? ଖାଲି ସେତିକି ନୁହେଁ, ଏଥିରେ ବି ବାଛବିଚାର ଓ ଅନିୟମିତତା ରହିଥିବା ଅଡିଟ୍‍ରେ ଧରାପଡ଼ିଛି । ସରକାର ଦେଢ଼ଶହ ଉପରେ କମ୍ପାନୀଙ୍କ ସହିତ ଶିଳ୍ପ ନିମନ୍ତେ ବୁଝାମଣା କରିଥିବାବେଳେ ଅନ୍ୟ କେତେକ କମ୍ପାନୀ ସହିତ ଏପରି ବୁଝାମଣା କରି ନାହାନ୍ତି । ଆଶ୍ଚର୍ଯ୍ୟର କଥା, ସେମାନଙ୍କୁ ମଧ୍ୟ ସରକାର ଜମି, ଜଳ, ବିଦ୍ୟୁତ ଓ ଖଣିଜ ପଦାର୍ଥ ଆଦି ଯୋଗାଇ ଦେଉଛନ୍ତି । ଯଦି ଏସବୁ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିବାର ଆବଶ୍ୟକତା ନାହିଁ, ତେବେ ଏପରି ଗୁଡ଼ାଏ ବୁଝାମଣାପତ୍ର ସ୍ୱାକ୍ଷର କରି ସରକାର ସଚିବାଳୟର ଦପ୍ତରୀମାନଙ୍କୁ ସେଦିଗରେ ବ୍ୟସ୍ତ ରଖିଛନ୍ତି କାହିଁକି? ଅଯଥାରେ ଫାଇଲ୍‍ ମୋଟା କରିଛନ୍ତି କାହିଁକି? ରାଜ୍ୟକୁ ଆଇନଗତ ସମସ୍ୟାରେ ଛନ୍ଦି ଦେଇଛନ୍ତି କାହିଁକି? ଏସବୁ କାହିଁକିର ଉତ୍ତର ସରକାରଙ୍କଠାରୁ ମିଳିବାର ସମ୍ଭାବନା ନାହିଁ । ଲୋକେ ହିଁ ଏହାର ଉତ୍ତର ଦେଇପାରନ୍ତେ । କିନ୍ତୁ ସେମାନେ ଅଚେତନ ବା ଅବଚେତନ ରହିଥିବାରୁ ସେମାନଙ୍କଠାରୁ ଏହାର ଯଥାର୍ଥ ଉତ୍ତର ନମିଳିପାରେ । ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଉଇନ୍‍ଷ୍ଟନ୍‍ ଚର୍ଚ୍ଚିଲ ଥରେ କହିଥିଲେ, ‘ଗଣତନ୍ତ୍ର ବିରୋଧରେ ଶ୍ରେଷ୍ଠ ଯୁକ୍ତିଟି ହେଉଛି ସାଧାରଣ ଭୋଟର ସହିତ ମାତ୍ର ପାଞ୍ଚ ମିନିଟ୍‍ର ବାର୍ତ୍ତାଳାପ!’ ଏମାନେ ଯେ ଦି’ ଟଙ୍କିଆ ଚାଉଳ ଓ ଦି’ ଶ’ ଟଙ୍କିଆ କମ୍ବଳ ପାଇ ସଚେତନ ହେବେ ନାହିଁ ତାହା ଧ୍ରୁବ ସତ୍ୟ!

Share :