Breaking News
ଅଧିକ ଶିଳ୍ପ, ଅଧିକ ବେକାର!

ଅଧିକ ଶିଳ୍ପ, ଅଧିକ ବେକାର!

You take my life when you do take the means whereby I live. -William Shakespeare ଜଣକର ଜୀବିକା ନେଇଯିବା ଅର୍ଥ ତା’ର ଜୀବନ ନେଇଯିବା । ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳେ ଇଂଲିଶ ସାହିତ୍ୟର ବିଖ୍ୟାତ ପୁରୁଷ ଉଇଲିୟମ ସେକ୍ସପିଅର୍‍ଙ୍କର ଏହି ଅନୁଭବ ହୋଇଥିଲା । କିନ୍ତୁ ଆଜି, ନା ଇଂରେଜ ଜାତିର ଅନ୍ୟ କୌଣସି ଦାୟାଦ ଏକଥା ଚିନ୍ତା କରୁଛି ନା ବିଶ୍ୱର ଅନ୍ୟ କୌଣସି ଜାତିର ଲୋକେ ଏହା ଭାବି ପାରୁଛନ୍ତି! ସମସ୍ତେ ଭାବୁଛନ୍ତି, ବେକାରୀ ଏକ ସରକାରୀ ସମସ୍ୟା । ଏହାକୁ ସମାଧାନ କରିବାର ଦାୟିତ୍ୱ ହେଉଛି ସରକାରଙ୍କର । ଏହା ଯେ ଏକ ଶିଳ୍ପ ସମସ୍ୟା, ତାହା କେହି ବିଶ୍ୱାସ କରନ୍ତି ନାହିଁ । ବରଂ ସମସ୍ତେ ଭାବନ୍ତି ଯେ ଶିଳ୍ପ ହିଁ ବେକାରୀ ସମସ୍ୟାର ଏକମାତ୍ର ନିର୍ଭରଯୋଗ୍ୟ ସମାଧାନ । ଜାତିସଂଘ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ଶ୍ରମ ସଂଗଠନ ବା ଆଇଏଲଓ ୨୦୧୫ରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ ବର୍ଷ ଶେଷ ସୁଦ୍ଧା ବିଶ୍ୱର ୨୦.୨୦ କୋଟି ଲୋକ ଚାକିରୀ ହରାଇବାର ଆଶଙ୍କା ଥିଲା । ୨୦୨୦ ମସିହା ଶେଷ ସୁଦ୍ଧା ବିଶ୍ୱ ଯୁବାବର୍ଗ ମଧ୍ୟରୁ ୧୫ ପ୍ରତିଶତ ବେକାର ହୋଇଯାଇଥିବେ । ଏହି ରିପୋର୍ଟ ଅନୁସାରେ ବିଶ୍ୱରେ ୧୫-୨୪ ବର୍ଷ ବୟସ ମଧ୍ୟରେ ହୋଇଥିବା ପ୍ରାୟ ୮ କୋଟି ଯୁବକ ବେକାର ଅଛନ୍ତି । ଏମାନଙ୍କ ପାଇଁ ଉପଯୁକ୍ତ କର୍ମସଂସ୍ଥାନ ସୃଷ୍ଟି କରାଯାଇ ପାରିନାହିଁ । ଜାତିସଂଘ, ଜଗତୀକରଣ, ଆର୍ଥିକ ଉଦାରବାଦ, ମୁକ୍ତ ବଜାର ଅର୍ଥନୀତି ସତ୍ତେ୍ୱ କାହିଁକି ବଢ଼ି ଚାଲିଛି ବେକାରୀ? ଆମେରିକା, ଇଂଲଣ୍ଡ, ଚୀନ, ଜାପାନ, ଫ୍ରାନ୍ସ ଓ ଜର୍ମାନୀ ଆଦି ରାଷ୍ଟ୍ରଙ୍କ ନେତୃତ୍ୱରେ ଚାଲିଥିବା ବିଶ୍ୱ ଅର୍ଥନୀତି କାହିଁକି ବିଶ୍ୱର ସମସ୍ତ ସକ୍ଷମ ନାଗରିକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ପାରୁ ନାହିଁ? କାହିଁକି ନିଯୁକ୍ତି ପାଉଥିବା ଲୋକଙ୍କ ତୁଳନାରେ ନିଯୁକ୍ତି ହରାଉଥିବା ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି? ଶିଳ୍ପାୟନ ଓ ସହରାୟନ ଯଦି ବେକାରୀ ସମସ୍ୟାର ସମାଧାନ ତେବେ କଦାପି ଏପରି ହେବା କଥା ନୁହେଁ । ନିଜ ବୁଦ୍ଧିରେ ନୁହେଁ, ଅନ୍ୟଠାରୁ ଉଧାର ଆଣିଥିବା ବୁଦ୍ଧିରେ ଓଡ଼ିଶା ସରକାର ଯେପରି ଜପ କରିଚାଲିଛନ୍ତି ଯେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେଲେ ଅଧିକ ଶିଳ୍ପ ଦରକାର ସେହିପରି ନୀତି ସବୁ ପୁଞ୍ଜିବାଦୀ ଦେଶରେ । ଏହା ଯଦି ଠିକ୍‍ ହୋଇଥାନ୍ତା ତେବେ, ଷୋଡ଼ଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତି ବିଶ୍ୱର ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟି ଚାଲିଥିଲେ ବି ନିଯୁକ୍ତି କ୍ଷେତ୍ରରେ ସଂକଟ ଘନେଇ ଚାଲିଛି କାହିଁକି? ଓଡ଼ିଶା ସରକାରଙ୍କ ପରି ଅନେକ ରାଜ୍ୟ ଓ ଦେଶ ବିଭିନ୍ନ କ୍ଷେତ୍ରରେ ଶିଳ୍ପସଂସ୍ଥାଗୁଡ଼ିକୁ ନାନାଦି ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି । ତଥାପି ବେକାରୀ ସମସ୍ୟା କମୁନାହିଁ । ଏହାର କାରଣ କ’ଣ କେବଳ ଜନସଂଖ୍ୟା ବିସ୍ଫୋରଣ? ପୁଞ୍ଜିବାଦୀ ଅର୍ଥନୀତିଜ୍ଞମାନ ବିଶ୍ୱର ନାନାଦି ସମସ୍ୟା ପାଇଁ ସବୁବେଳେ ଜନସଂଖ୍ୟାକୁ ଦାୟୀ କରନ୍ତି । ସେମାନଙ୍କ ମତରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତଙ୍କୁ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେଇ ହେବ ନାହିଁ । ଯଦି ବାସ୍ତବରେ ଶିଳ୍ପରେ ସବୁ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ, ତେବେ କାହିଁକି ଲୋକମାନଙ୍କୁ ସେମାନଙ୍କର ପାରମ୍ପାରିକ ବୃତ୍ତି ଓ ବ୍ୟବସାୟରୁ ଉଚ୍ଛେଦ କରାଯାଉଛି? ଶିଳ୍ପାୟନ ଓ ସହରାୟନ ପ୍ରଭାବରେ ଚାଷୀ, କାରିଗର ଓ ଛୋଟ ବ୍ୟବସାୟୀମାନଙ୍କର ବୃତ୍ତି ଓ ବେଉସା ବୁଡ଼ି ଚାଲିଛି । ଏମାନଙ୍କୁ ଶିଳ୍ପରେ ବିକଳ୍ପ ନିଯୁକ୍ତି ସୁଯୋଗ ମିଳୁ ନାହିଁ । ଶିଳ୍ପ ସବୁବେଳେ ଯନ୍ତ୍ର ଓ ନୂତନ ପ୍ରଯୁକ୍ତି ଉପରେ ଉନ୍ନତି କରେ । ଯନ୍ତ୍ର ଓ ପ୍ରଯୁକ୍ତି ମଣିଷର ପ୍ରକୃତ ବିକଳ୍ପ ନହେଲେ ବି ମଣିଷକୁ ବେକାର କରିବା ପାଇଁ ଯଥେଷ୍ଟ ଅଧିକ ଶକ୍ତିଶାଳୀ । ସ୍ୱୟଂଚାଳିତ ଯନ୍ତ୍ର ଅଳ୍ପ ସମୟରେ ଅଧିକ ଲୋକଙ୍କୁ ବେକାର କରିପାରେ । ଜନଗଣଙ୍କର ଆବଶ୍ୟକତା ଓ ଚାହିଦା ପୂରଣ ପାଇଁ ଯନ୍ତ୍ର ଦ୍ୱାରା ଅଧିକ ଉତ୍ପାଦନ ନକରି ଅଧିକ ଲୋକଙ୍କ ଦ୍ୱାରା ଅଧିକ ଉତ୍ପାଦନ କରାଯାଇ ପାରିଲେ ସେହି ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇ ହୁଅନ୍ତା । ମାତ୍ର, ପୁଞ୍ଜିବାଦୀ ବିଶ୍ୱର ବଡ଼ପଣ୍ଡାମାନେ ଏହା ଚାହାନ୍ତି ନାହିଁ । ସେମାନଙ୍କ ପାଇଁ ସବୁ ବର୍ଗର ଲୋକଙ୍କ ନିଯୁକ୍ତି ଅପେକ୍ଷା କେବଳ ଶିକ୍ଷିତ ଓ ଶିଳ୍ପ କ୍ଷେତ୍ରରେ ତାଲିମପ୍ରାପ୍ତ ଲୋକମାନଙ୍କର ଥଇଥାନ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସେମାନେ ଆଦିବାସୀମାନଙ୍କୁ ଜୀବିକା ହୀନ କରି ଜଙ୍ଗଲ ଠିକାଦାର ଗୋଷ୍ଠୀ ସୃଷ୍ଟି କରିଛନ୍ତି । ଚାଷୀଙ୍କ ବୃତ୍ତିକୁ ୱାଲ୍‍ମାର୍ଟ ଓ ରିଲାଏନ୍ସ ଫ୍ରେଶ୍‍ ପରି ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ହାତରେ ସମର୍ପଣ କରିଛନ୍ତି । କାରିଗରୀ ବୃତ୍ତିକୁ ଟାଟା-କୋରସ୍‍ ଓ ଆର୍ସେଲର-ମିତ୍ତଲ ପରି ସଂସ୍ଥାଙ୍କୁ ଟେକି ଦେଇଛନ୍ତି । ନୂତନ ବିଶ୍ୱରେ ତେଲି, ତନ୍ତୀ, ପାଟରା, କାଚରା, କମ୍ମାର, କୁମ୍ଭାର, ବଢ଼େଇ, ବାରିକ ଆଦି ଅନେକ ଜାତି ବା କୌଳିକ ବୃତ୍ତିର ଉତ୍ତରାଧିକାରୀମାନେ ନିଯୁକ୍ତି ସୁଯୋଗ ହରାଇଛନ୍ତି । କିନ୍ତୁ ସେମାନଙ୍କ ପାଇଁ ବିକଳ୍ପ ବୃତ୍ତିର ବ୍ୟବସ୍ଥା କରାଯାଇ ପାରିନାହିଁ । ଯଦି ବି ସେମାନେ ବୃତ୍ତି ହରାଇ ଛୋଟମୋଟ ଚାଷ କିମ୍ବା ବ୍ୟବସାୟରେ ତିଷ୍ଠି ରହିବାକୁ ସଂଗ୍ରାମ କରି କିଛିଟା ସଫଳ ହୋଇଛନ୍ତି, ପୁଞ୍ଜିବାଦୀମାନେ ତାହା ସହ୍ୟ କରିପାରି ନାହାନ୍ତି-ସେମାନଙ୍କୁ ପୁଣି ଥରେ ବୃତ୍ତିହୀନ କରିବା ନିମନ୍ତେ ବଡ଼ବଡ଼ ବ୍ୟାବସାୟିକ କମ୍ପାନୀଙ୍କ ସାମ୍ରାଜ୍ୟ ବିସ୍ତାର ପାଇଁ ଭିତ୍ତିଭୂମି ପ୍ରତିଷ୍ଠା କରାଯାଉଛି । ଯେଯାଏଁ ବିଶ୍ୱ ସ୍ତରରେ ଏପ୍ରକାର ଆର୍ଥିକ ପ୍ରଗତି ଉପରେ ରାଷ୍ଟ୍ରନେତାମାନେ ଗୁରୁତ୍ୱ ଦେଉଥିବେ ସେଯାଏଁ ବିଶ୍ୱରୁ ବେକାରୀ ଦୂର ହେବାର ସମ୍ଭାବନା ନାହିଁ । ଅଧିକ ଶିଳ୍ପ, ଅଧିକ ବେକାର । ଏଥିରୁ ନିସ୍ତାର ନାହିଁ ।

Share :