Breaking News
ନୟାଗଡ଼ ଚିନିକଳକୁ ପିମ୍ପୁଡ଼ି ଖାଇଗଲେ!

ନୟାଗଡ଼ ଚିନିକଳକୁ ପିମ୍ପୁଡ଼ି ଖାଇଗଲେ!

ଭରଦ୍ବାଜ ମିଶ୍ର ଅଶୀ ଦଶକ ଶେଷଭାଗର କଥା କହୁଛି। ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଗୋଟିଏ ସ୍ବପ୍ନ ଆସିଥିଲା। ଅଧିକାଂଶ ସମୟରେ ତାଙ୍କୁ ପରେ ଲୋକେ ମନେରଖନ୍ତୁ, ତାହା ଭାବି କିମ୍ବା ଜନମତ ନିଜ ସପକ୍ଷକୁ ଆଣିବା ପାଇଁ ଆତୁର ହୋଇ ନେତାମାନେ ଅନେକ ସମୟରେ ଏମିତି ଗୋଟିଏ ଗୋଟିଏ ସ୍ବପ୍ନ ଦେଖନ୍ତି। ଜାନକୀ ବାବୁଙ୍କର ଏହି ସ୍ବପ୍ନଟି ଆଂଶିକ ଭାବେ ସମ୍ଭବ ହୋଇଥିଲା। ତାଙ୍କ ସ୍ବପ୍ନଟି ଥିଲା ହଜାରେ ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା କରିବା। ଏଥିପାଇଁ ସେତେବେଳର ଅମଲାମାନଙ୍କୁ କମ୍ ନାକେଦମ୍ ହେବାକୁ ପଡ଼ି ନଥିଲା। ତେବେ ଅଧିକାଂଶ ଅମଲା ଏଥିରେ ସହଯୋଗ କରିଥିଲେ। ଏହି ହଜାରେ ଦିନରେ ହଜାରେ ଶିଳ୍ପ କଥାଟିକୁ ସାଧାରଣ ଲୋକେ ଠିକ୍ ଭାବରେ ବୁଝନ୍ତୁ କି ନବୁଝନ୍ତୁ, ସେମାନେ କିନ୍ତୁ କିଛି ଗୋଟାଏ ହେଉଛି ବୋଲି ଆଶା କରି ଏହି କଥାକୁ ସମର୍ଥନ ଜଣାଇଥିଲେ। ଅବଶ୍ୟ ଏହି ଯୋଜନା ଅନ୍ତର୍ଗତ କିଛିଟା ଶିଳ୍ପ ମଧ୍ୟ ସ୍ଥାପନ ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା ନୟାଗଡ଼ର ଚିନି କଳ। ଦିନ ଥିଲା, ନୟାଗଡ଼ରେ ଶକ୍ତିଶାଳୀ ରାଜାମାନେ ଶାସନ କରୁଥିଲେ। କିନ୍ତୁ ସ୍ବାଧୀନତା ପ୍ରାପ୍ତି ପରେ ଏହା ଏକ ବିସ୍ମୃତ ଓ ଅବହେଳିତ ଜିଲ୍ଲାରେ ପରିଣତ ହୋଇଗଲା। ଏହି ଚିନି କଳଟି ନୟାଗଡ଼ର ପ୍ରଥମ ଶିଳ୍ପ ଭାବରେ ଠିଆ ହୋଇଥିଲା। ନୟାଗଡ଼ ଭଳି ଗୋଟିଏ ଜିଲ୍ଲା ଯେଉଁଠାରେ ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରି ଚଳୁଥିଲେ, ସେତେବେଳେ ଏହି ସବୁଜ ଶିଳ୍ପ ସ୍ଥାପନ ହେବାର ଦେଖି ସମସ୍ତେ ତାହାକୁ ସ୍ବାଗତ କଲେ। ଏଥିପାଇଁ ସରକାର ୧୩ ଏକର ଜମି ଦେଲେ। ୧୯୮୭ ମସିହା ଡିସେମ୍ବର ୨୨ ତାରିଖରେ ଚିନି କଳ ଉଦଘାଟନ ହେଲା। ସରକାରଙ୍କଋର ସମବାୟ ବିଭାଗକୁ ଦାୟିତ୍ବ ଦିଆଗଲା। ସେମାନେ ଚିନିକଳଟିକୁ ପରିଚାଳନା କରିବେ। ସବୁ ଭଲ ପରିକଳ୍ପନା ଭଳି ଏହି ଚିନିକଳର ମଧ୍ୟ ନିଜକୁ ନିଜେ ସମ୍ଭାଳି ପାରିବାର ଗୋଟିଏ ଭବିଷ୍ୟତ ଥିଲା। ଆଜି କିନ୍ତୁ ଏହି ଚିନି କଳଟି ବନ୍ଦ ହୋଇ ଧ୍ବଂସ ଅବସ୍ଥାରେ ପଡ଼ିଛି। ଏହାର ଦାମୀ ଯନ୍ତ୍ରପାତିର ଲୁଟ୍ ହୋଇସାରିଛି। ଏଣେ ହଜାର ହଜାର ଚାଷୀ ଓ ଶ୍ରମିକମାନଙ୍କର ପାଇବାକୁ ଥିବା ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବାକିଆ ପଡ଼ିଛି। ତେବେ ଏସବୁ ହେଲା କେମିତି? ସାଧାରଣତଃ ଚିନି କଳ ସବୁ ଲାଭରେ ଚାଲିବା କଥା। ଏ ଚିନି କଳର ଏମିତି ଅବସ୍ଥା କେମିତି ହେଲା? ନୟାଗଡ଼ରେ ଏମିତି କ’ଣ ସବୁ ଘଟଣା ହେଲା? ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ହୋଇଥିବା ଏକମାତ୍ର ଶିଳ୍ପର କିଏ ଏମିତି ଅବସ୍ଥା କଲା? ବନ୍ଦ ନହେବା ପାଇଁ ଠିକ୍ ସମୟରେ ପ୍ରତିଷେଧକ ପଦକ୍ଷେପ ସବୁ କାହିଁକି ନିଆଗଲା ନାହିଁ? କଳର ମୁଖ୍ୟଫାଟକ ପାଖରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଗାର୍ଡ଼କୁ ପଚାରନ୍ତୁ। ସେ ଅନେକ କଥା କହିବ। ଯେତେ ଲୋକେ ସେଠାରେ ଚାକିରି କରୁଥିଲେ, ସେମାନଙ୍କ ମଧ୍ୟରେ ସେ ହେଉଛି ଶେଷ ବ୍ୟକ୍ତି, ଯାହାର ଚାକିରି ଏପର୍ଯ୍ୟନ୍ତ ଅଛି। ଆଜି ବି ସେ ସବୁଦିନ ସାଙ୍ଗରେ ଖରାବେଳ ଖାଇବା ଟିଫିନ୍, ପାଣି ବୋତଲ ଧରିଆସୁଛି ଓ ନିଜର ଡ୍ୟୁଟି କରୁଛି। ତା’ର ଦାୟିତ୍ବ ହେଉଛି ୧୪୩ ଏକରକୁ ବ୍ୟାପିଥିବା ସମ୍ପତ୍ତିକୁ ଜଗିବା, ଯାହା କଦାପି ଏକୁଟିଆ ଲୋକଟିଏ ପକ୍ଷେ ସମ୍ଭବ ନୁହେଁ। ସେହି ପରିତ୍ୟକ୍ତ କାରଖାନାରେ ପାଣି ନାହିଁ ଓ ବିଦ୍ୟୁତ୍ ସଂଯୋଗ ନାହିଁ। କେଉଁ କେଉଁ ମାସରେ ତାକୁ ଦରମା ମିଳୁଛି ତ ଆଉ କେଉଁ ମାସରେ ନାହିଁ। ଚିନିକଳ ସହିତ ସେ ବି ବୁଢ଼ା ହୋଇଗଲାଣି। ସେ ଜାଗା ଛାଡ଼ି ସେ ଯିବ ବି ଆଉ କୁଆଡ଼େ? ଆପଣ ଯଦି ଅତି ଗୁରୁତ୍ବର ସହିତ ଏ ମିଲ୍ କାହିଁକି ବନ୍ଦ ହେଲା ଅନୁଧ୍ୟାନ କରିବେ ତେବେ ଦେଖିବେ ଯେ ଯୋଜନାବଦ୍ଧ ଭାବେ ଏହାକୁ ଲୁଣ୍ଠନ କରାଯାଇ ଏହାକୁ ବନ୍ଦ କରାଯାଇଛି। କଥାରେ ଅଛି, ଯେଉଁଠାରେ ଟଙ୍କା ପଡ଼ିଥିବ ସେଠାରେ ବହୁତ ସଫେଇବାଲା ଝାଡ଼ୁଧରି ଆସି ପହଞ୍ଚିବେ। ଏଠାରେ ମଧ୍ୟ ସେମିତି ହୋଇଥିଲା। ସରକାର, ଘରୋଇ ମାଲିକ, ଅଫିସର ଆଦି ସମସ୍ତେ ଦେଖିଲେ ଏହିଠାରେ ମଇଳା ଟଙ୍କା ପକେଟସ୍ଥ କରିବାର ମଉକା ଅଛି। ଚିନିକଳ ପଛେ ଚୁଲିକି ଯାଉ! ପ୍ରଥମେ ସେମାନଙ୍କ କାରସାଦି ଥିଲା ଚିନିକଳଟିକୁ ଏମିତି କଦର୍ଯ୍ୟ ଭାବେ ଚଳେଇବା, ଯାହା ଫଳରେ ତାକୁ ଘରୋଇ ମାଲିକ ହାତକୁ ଦେଇଦେବା ପାଇଁ ଏକ ସୁଯୋଗ ସୃଷ୍ଟି ହେବ। ସେଇଆ ହେଲା ମଧ୍ୟ। ହାଇଦ୍ରାବାଦରୁ ଆସିଥିବା ଗୋଟିଏ ଘରୋଇ ପାର୍ଟି ହାତରେ ଚିନିକଳକୁ ଟେକିଦିଆଗଲା। ଏହିଠାରେ ଗୋଟିଏ ପ୍ରଶ୍ନ ଉଠିପାରେ, ଓଡ଼ିଶାରେ କ’ଣ ଆଉ କେହି ଶିଳ୍ପୋଦ୍ୟୋଗୀ ନଥିଲେ ଚିନିକଳଟିକୁ କିଣିବା ପାଇଁ? ତେବେ ସେକଥା ଛାଡ଼ନ୍ତୁ। ସେଇଟା ଆଉ ଗୋଟିଏ କାହାଣୀ। ଠିକ୍ ଅଛି। ସାଧାରଣତଃ କୁହାଯାଏ ଯେ ସରକାର କୌଣସି ସଂସ୍ଥାକୁ କୁଆଡ଼େ ଲାଭଜନକ ଭାବେ ଚଳାଇପାରନ୍ତି ନାହିଁ। ଚାଲନ୍ତୁ ଧରିନେବା ଯେ ଭଲ ଉଦ୍ଦେଶ୍ୟ ରଖି ଚିନିକଳକୁ ଘରୋଇ କମ୍ପାନୀ ହାତରେ ଟେକି ଦିଆଯାଇଥିଲା। କାଳେ ସେମାନେ ହୁଏତ ଏହାକୁ ଲାଭଜନକ ଭାବେ ଚଳେଇଦେବେ! କିନ୍ତୁ ସେପରି ଉଦ୍ଦେଶ୍ୟକୁ ଆମେ ସେତିକିବେଳେ ବିଶ୍ବାସ କରିବା ଯେତେବେଳେ ସେ ଘରୋଇମାଲିକ ପାଖରେ ସେମିତି ଠୋସ୍ ନକ୍ସା ବା ଯୋଜନା ଥିବ। ମାତ୍ର କେବଳ ଏକ ତୁଚ୍ଛ ଆଶା ଉପରେ ଭରସା କରି ଏପରି କରାଗଲା। ଶେଷରେ ହାଇଦ୍ରାବାଦ କମ୍ପାନୀଟି ଚିନିକଳକୁ ଦେବାଳିଆ ଅବସ୍ଥାକୁ ନେଇଗଲା। ଅବଶ୍ୟ ଏହା ପରେ ଲୋକେ ବିରୋଧ କରିଥିଲେ। ତେଣୁ ଚିନ୍ତା କରାଗଲା ଆଉ କିଛି ଗୋଟିଏ କ’ଣ କରିବାକୁ ହେବ। ତା’ପରେ ସେମାନେ ପୁଣି ଗୋଟିଏ ବିଚକ୍ଷଣ ଯୋଜନା ଆଣିଲେ। ସେହି ଯୋଜନାଟି ଥିଲା, ପୁଣିଥରେ ଏହାର ଘରୋଇକରଣ କରାଯାଉ। ଅର୍ଥାତ୍ ଆଉ ଗୋଟିଏ ଘରୋଇ ପାର୍ଟି ଯୋଗାଡ଼ କରି ତା’ ହାତରେ ଚିନିକଳ ଦେଇଦିଅ। ୨୦୦୪ ମସିହାରେ ଏହିପରି ଭାବେ ପୁଣିଥରେ ଜଣେ ଓଡ଼ିଆ ଶିଳ୍ପୋଦ୍ୟୋଗୀଙ୍କୁ ନୟାଗଡ଼ ଚିନିକଳ ଦିଆଗଲା। ଶାଗମାଛ ଦରରେ ସମୁଦାୟ ମିଲଟିକୁ ଏ ମହାଶୟ କିଣିନେଲେ। ସେ ସମୟରେ ଯଦି ହିସାବ କରିବା, ତେବେ କାରଖାନାର ଯନ୍ତ୍ରପାତି, ଯାନବାହାନ, ଜମି, କୋଠା ଇତ୍ୟାଦିର ଦାମ୍ ୧୦୦ କୋଟି ଟଙ୍କା ହୋଇଥାନ୍ତା। କିନ୍ତୁ ଶାଗମାଛ ଦରରେ ମାତ୍ର ୫.୨ କୋଟି ଟଙ୍କାରେ ଏହା ବିକ୍ରି ହୋଇଗଲା। ଏଥିପାଇଁ ଚୁକ୍ତି ଏପରି ଢଙ୍ଗରେ ଲେଖାଯାଇଥିଲା ଯେ ଏ ନୂଆ ମାଲିକ କାରଖାନା ସହିତ ଜମିର ବି ମାଲିକ ବନିଗଲେ। କାରଣ ସେତେବେଳେ ରାଜ୍ୟର ଦ୍ବିତୀୟ କ୍ଷମତାକେନ୍ଦ୍ର ଭାବେ ଖ୍ୟାତ ପ୍ୟାରୀବାବୁଙ୍କର ସେ ଥିଲେ ପାଖଲୋକ। ସ୍ଥାନୀୟ ଲୋକେ କୁହନ୍ତି ଯେ ଏ ନୂଆ ମାଲିକ ଆସିବା ମାତ୍ରେ ସେଠାରେ ଥିବା ମୂଲ୍ୟବାନ ଗଛ କାଟି ବିକିବା ଆରମ୍ଭ କରିଦେଲେ। ତେଣୁ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ଆସୁ ଆସୁ ଜଣାପଡ଼ିଯାଇଥିଲା। ତାଙ୍କୁ ସେମିତି କରିବାକୁ ବି ଦିଆଯାଇଥିଲା। ଶେଷରେ ଆଜିଠାରୁ ତିନିବର୍ଷ ପୂର୍ବେ ସେ ବେଆଇନ ଭାବେ କାରଖାନାରେ ତାଲା ଲଗାଇ ଲୁଣ୍ଠିତ ଜିନିଷ ଧରି ଚାଲିଗଲେ। ଏଥିସହିତ ପ୍ରାୟ ୫୦୦୦ ଚାଷୀ ଓ ଶହ ଶହ କାରଖାନା ଶ୍ରମିକ ଅନିଶ୍ଚିତ ଭବିଷ୍ୟତ ଭିତରକୁ ନିକ୍ଷେପିତ ହେଲେ, ଯାହାଙ୍କର କାରଖାନାଠାରୁ ପ୍ରାୟ ୫ କୋଟି ଟଙ୍କାର ବକେୟା ରାଶି ପାଇବାକୁ ଅଛି। ଗୋଟିଏ ଚିନିକଳ ଲାଭରେ ଚାଲିବାକୁ ହେଲେ କେତୋଟି ଜିନିଷ ଉପରେ ଦୃଷ୍ଟି ଦେବାକୁ ହେବ। ଆର୍ଥିକ ବର୍ଷ ୨୦୧୬-୧୭ ବର୍ଷରେ ଅନେକଗୁିଏ ଚିନିକଳ ଭଲ ଲାଭରେ ଚାଲିଥିବାର ଦୃଷ୍ଟାନ୍ତ ରହିଛି। ତ୍ରିବେଣୀ ଇଞ୍ଜିନିୟରିଂ ଗୋଟିଏ ପ୍ରମୁଖ ଚିନି ଉତ୍ପାଦନ କମ୍ପାନୀ, ଯାହାର ଗତବର୍ଷ ୧୯% ଲାଭ ହୋଇଛି। ବଳରାମପୁର ମିଲ୍ସ, ଶକ୍ତି ସୁଗାର୍ସ, ଧାମପୁର ମିଲ୍ସ ଆଦି ୨୦ଟି ପ୍ରମୁଖ ଚିନିକଳ ମଧ୍ୟରେ ଆସୁଛି, ଯେଉଁମାନେ ଗତବର୍ଷ ଯଥାକ୍ରମେ ୨୭%, ୧୫% ଓ ୨୧% ଲାଭ ଅର୍ଜନ କରିଛନ୍ତି। ହାଇଦ୍ରାବାଦସ୍ଥିତ ଗାୟତ୍ରୀ ସୁଗାର୍ସ ମଧ୍ୟ ଗତବର୍ଷ ୧୦ କୋଟି ଟଙ୍କା ଲାଭ କରିଛି। ଆଉ କେତେକ ରାଜ୍ୟ ଓ ସେସବୁର ସରକାରମାନେ ନିଜ ରାଜ୍ୟର ଚାଷୀ ଓ କୃଷିଭିତ୍ତିକ ଶିଳ୍ପ ପ୍ରତି ଏତେ ନିର୍ଦ୍ଦୟ ହୋଇନାହାନ୍ତି। ୨୦୧୮ ମସିହାରେ ପଞ୍ଜାବ ସରକାର ସେଠାରେ ଥିବା ଚିନିକଳଗୁଡ଼ିକୁ ସୁଗାର କମ୍ପ୍ଲେକ୍ସରେ ପରିଣତ କରିବାକୁ ଯାଉଛନ୍ତି। ଏଣିକି ସେସବୁ କମ୍ପ୍ଲେକ୍ସରେ ଚିନିକୁ ବାଦ୍ ଦେଲେ, ଇଥେନଲ୍, ବିଜୁଳି ଶକ୍ତି ଓ ମଦ ମଧ୍ୟ ଉତ୍ପାଦନ ହେବ। ମହାରାଷ୍ଟ୍ର ଗୋଟିଏ ରାଜ୍ୟ ଯେଉଁଠାରେ ଚିନିଶିଳ୍ପ ଯୋଗୁଁ ଗ୍ରାମାଞ୍ଚଳରେ ଅର୍ଥନୈତିକ ବିପ୍ଳବ ହୋଇଥିବାର ଦେଖିବାକୁ ମିଳିଛି। ସେଠାରେ ଚିନିଶିଳ୍ପ କୃଷି ଓ ଶିଳ୍ପ ମଧ୍ୟରେ ଗୋଟିଏ ସେତୁ ଭଳି କାମ କରୁଛି ଏବଂ ଗ୍ରାମ୍ୟ କ୍ଷେତ୍ରରେ ଦ୍ରୁତବିକାଶ ଆଣିଦେଇଛି। ଏହି ବହୁମୁଖୀ ଶିଳ୍ପ ଯୋଗୁଁ ସେଠାରେ ଗ୍ରାମ୍ୟ ଭିତ୍ତିଭୂମି, ଗୁଡ଼ ଓ ଖଣ୍ଡସାରି ଭଳି ଆନୁଷ୍ଠାନିକ କୁଟୀରଶିଳ୍ପ ଛିଡ଼ା ହୋଇଛି। ଏଥିଯୋଗୁଁ ସେଠାରେ ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷିର ଯାନ୍ତ୍ରିକରଣ ହେବା ସଙ୍ଗେ ସଙ୍ଗେ ଦୁଗ୍ଧ, ଇଥେନଲ୍ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଓ ବିଜୁଳି ଉତ୍ପାଦନକୁ ବି ସୁବିଧା ମିଳିଛି। ଫଳସ୍ବରୂପ ସେଠାରେ ସାଧାରଣ ଜୀବନଯାପନର ସ୍ତରରେ ଅନେକ ଅଗ୍ରଗତି ହୋଇଛି। ସେଠାରେ ସରକାର ଏହି ଶିଳ୍ପକୁ ବଂଚେଇ ରଖିବା ପାଇଁ ଏବଂ ଏହାର ଆହୁରି ଉନ୍ନତି ପାଇଁ ଅନେକ କିଛି କାମ କରୁଛନ୍ତି। କିନ୍ତୁ ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଉଦାହରଣ ଯଦି ଆମେ ଦେଖିବା, ତା’ହେଲେ ସେଠାରେ ଖରାପ ରାଜନୀତି ଓ ରାଜ୍ୟ ମୂଲ୍ୟ ନିର୍ଦ୍ଧାରଣ ଉପଦେଷ୍ଟା କମିଟି ଯୋଗୁଁ ଅନ୍ତତଃପକ୍ଷେ କାଗଜପତ୍ର ହିସାବରୁ ଜଣପାଡୁଛି ଯେ ଚିନିକଳ ସବୁ କ୍ଷତିରେ ଚାଲୁଛି। ସେମାନେ ପୁର୍ବାନୁମାନ କରିସାରିଲେଣି ଯେ ସେଠାରେ ଚିନିକଳଗୁଡ଼ିକ ବଞ୍ଚି ରହିବାର ସମ୍ଭାବନା ବହୁତ କମିଗଲାଣି। ଠିକ୍ ଯେମିତି ଓଡ଼ିଶାରେ ସେ ଅବସ୍ଥା ଆସି ଉପନୀତ ହୋଇସାରିଛି। ଆଖୁ ଚାଷୀମାନଙ୍କର ପାଇବାକୁ ଥିବା ବକେୟା ରାଶି ଏବଂ ବ୍ୟାଙ୍କକୁ ସୁଝିବାକୁ ଥିବା ଅତ୍ୟଧିକ ସୁଧକୁ ସେମାନେ ଏଥିପାଇଁ କାରଣ ବୋଲି ଦର୍ଶାଉଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ଏହି ସମୟରେ ଆଖୁ ଉତ୍ପାଦନ କିନ୍ତୁ ବଢ଼ିଚାଲିଛି। ଏହା ଏକ ଅବିଶ୍ବସନୀୟ ପରିସ୍ଥିତିରେ ପରିଣତ ହୋଇସାରିଛି। ଓଡ଼ିଶାର ପରିସ୍ଥିତି ତାହାଠାରୁ ଆହୁରି ଖରାପ। ଏଠାରେ ଆଖୁଚାଷର ଭବିଷ୍ୟତକୁ ହତ୍ୟା କରାଯାଉଛି। ଚିନିକଳରୁ ଚାଷୀମାନେ ଯେତିକି ପାଆନ୍ତେ, କେବଳ ଗୁଡ଼ ତିଆରି କରି ତା’ଠାରୁ ବହୁତ କମ୍ ପାଉଛନ୍ତି। କେବଳ ଗୁଡ଼ ତିଆରି ଉପରେ ନିର୍ଭର କରି ଆଖୁଚାଷ ବେଶିଦିନ ତିଷ୍ଠିପାରିବ ନାହିଁ। ତେଣୁ ସକାରାତ୍ମକ ଚିନ୍ତାଧାରା ସହ ଉପଯୁକ୍ତ ଯୋଜନା ଅନୁସାରେ ଯଦି କାର୍ଯ୍ୟ କରାଯାଏ, ତେବେ ସରକାରଙ୍କ ଦ୍ବାରା ହେଉ କିମ୍ବା ଘରୋଇ ପ୍ରତିଷ୍ଠାନ ଦ୍ବାରା ହେଉ, ନୟାଗଡ଼ ଚିନିକଳ ମଧ୍ୟ ଲାଭରେ ଚାଲିପାରିବ। ଏହାଫଳରେ ସମଗ୍ର ଜିଲ୍ଲାର ଅର୍ଥନୀତିରେ ଉନ୍ନତି ଆଣିହେବ। ଆମ୍ ଆଦମୀ ପାର୍ଟି ଏହି ପ୍ରସଙ୍ଗକୁ ପୁଣିଥରେ ଉଠାଇବା ପାଇଁ ମୋତେ ନୟାଗଡ଼ ଯିବାକୁ କହିଥିଲା। ୨୦୧୭ ଅକ୍ଟୋବରରେ ଆମେ ସେଠାରେ ଗୋଟିଏ ଶୋଭାଯାତ୍ରା ଓ ସଭା ଆୟୋଜନ କରି ତାହାକୁ ଜିଲ୍ଲାପାଳଙ୍କ ଦ୍ବାରଦେଶରେ ପହଞ୍ଚାଇଥିଲୁ। ଆମର ଦାବି ଥିଲା, ଚିନିକଳକୁ ପୁଣି ଖୋଲିବା ପାଇଁ ତୁରନ୍ତ ଯୋଜନା ପ୍ରସ୍ତୁତି ଆରମ୍ଭ ହେଉ। ୧୫୦୦ରୁ ଊର୍ଦ୍ଧ୍ବ ଚାଷୀ ଓ ପୁରାତନ ଶ୍ରମିକ ଏହି ଶୋଭାଯାତ୍ରାରେ ଯୋଗଦେଇ ଶପଥ ନେଇଥିଲେ, ଯେପର୍ଯ୍ୟନ୍ତ ଏହି ଚିନିକଳ ପୁଣିଥରେ ଚାଲୁ ନହୋଇଛି, ସେପର୍ଯ୍ୟନ୍ତ ଏକତାବଦ୍ଧ ଭାବେ ଏହି ଆନ୍ଦୋଳନକୁ ଚାଲୁ ରଖିବେ। ବର୍ତ୍ତମାନ ଆମେ ଏଥିପାଇଁ ଗାଁ ଗାଁ ବୁଲି ସଭା, ଶୋଭାଯାତ୍ରା କରୁଛୁ। ମୁଁ ନିଜେ ପ୍ରତିଟି କୃଷକକୁ ଭେଟୁଛି ଏବଂ ସେମାନଙ୍କୁ ସଂଗଠିତ କରିବାରେ ଲାଗିଛି। ଆମ ପାର୍ଟିର ଦୃଢ଼ ବିଶ୍ବାସ ଯେ ସଂଗଠିତ ଆନ୍ଦୋଳନର ସ୍ବର ନିଶ୍ଚୟ କୁମ୍ଭକର୍ଣ୍ଣର ନିଦ ଶୋଇଥିବା ଓଡ଼ିଶା ସରକାରକୁ ନିଦରୁ ଉଠାଇବ।

Share :