ତ୍ରିବେଣୀ ଆର୍ଥ ମୁଭର୍ସ ସହ ଓଡ଼ିଶା ସରକାରଙ୍କ ସଂପର୍କ କ’ଣ?

ତ୍ରିବେଣୀ ଆର୍ଥ ମୁଭର୍ସ ସହ ଓଡ଼ିଶା ସରକାରଙ୍କ ସଂପର୍କ କ’ଣ?

Share :

ସ୍ୱତନ୍ତ୍ର ପ୍ରତିନିଧି ତ୍ରିବେଣୀ ଆର୍ଥ ମୁଭର୍ସ ନାମକ ଏକ ଅଣଓଡ଼ିଆ କମ୍ପାନୀ ଦୀର୍ଘ ବର୍ଷରୁ ଜିଲା ତଥା ରାଜ୍ୟ ସ୍ତରରେ ଥିବା ଦୁର୍ନୀତିଖୋର ରାଜନେତା, ପ୍ରାଶାସନିକ ଅଧିକାରୀ ଓ ଖଣିମାଲିକଙ୍କୁ ହାତ କରି କେନ୍ଦୁଝରରେ ବେଆଇନ ଖଣି ବ୍ୟବସାୟର ସାମ୍ରାଜ୍ୟ ବିସ୍ତାର କରିଚାଲିଛି । ଏହି କାରବାରୁ କମ୍ପାନି ହଜାର ହଜାର କୋଟି ଟଙ୍କାର ଲାଭ ଉଠାଇଛି । ହେଲେ ବେଆଇନ ଖଣି ବ୍ୟବସାୟର ଏହି ଅପ୍ରତିଦ୍ୱନ୍ଦ୍ୱୀ କମ୍ପାନିକୁ ରୋକିବା ପାଇଁ ସତେ ଯେପରି ଆଇନ ଡରିଯାଇଛି, ସେହିଭଳି ପ୍ରତୀୟମାନ ହୋଇଛି । ରାଜ୍ୟରେ ହୋଇଥିବା ଖଣି ଦୁର୍ନୀତିର ଖୋଳତାଡ଼ ଚଳାଇଥିବା ଶାହା କମିଶନ ଏ କମ୍ପାନିର କାରବାର ସଂପର୍କରେ ଅନୁଧ୍ୟାନ କଲେ ରାଜ୍ୟର ଶାସନ ଓ ପ୍ରଶାସନ ସ୍ତରରେ ରହିଥିବା ଏକ ବଡ଼ ଧରଣର ଖଣି ର୍ୟାକେଟ୍‍ର ପର୍ଦ୍ଦାଫାସ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତ୍ରିବେଣୀ ଆର୍ଥ ମୁଭର୍ସ ସଂସ୍ଥା ୨୦୦୬-୦୭ରୁ ୨୦୧୦-୧୨ ବର୍ଷ ମଧ୍ୟରେ ପ୍ରାୟ ୪,୦୦,୫୦.୪୦୩ ମେଟ୍ରିକ ଟନ୍ ଲୁହାପଥର ଖୋଳି ନେଇଥିବା କଥା ସରକାର ପୂର୍ବରୁ ସ୍ୱୀକାର କରିଛନ୍ତି । ଏହି କମ୍ପାନୀ ସର୍ବାଧିକ ୧,୮୭,୧୫,୧୯୭ ଟନ୍‍ ଖଣିଜ ଦ୍ରବ୍ୟ ଗୁଆଲି ସ୍ଥିତ ଆର୍ପି ସାଓ ଖଣିରୁ ଖୋଳି ନେଇଛି । ତା’ପଛକୁ ଆଳି ନୂଆଗାଁ ସ୍ଥିତ କେଜେଏସ୍ ଆଲୁୱାଲିଆ ଖଣିରୁ ୧,୮୪,୭୦,୪୨୨ ଟନ୍, ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ଉଞ୍ଚାବାଲୀ ଆଇରନ୍ ମାଇନ୍ସରୁ ୬୪,୪୮,୫୯୪ ଟନ୍ ଲୁହା ପଥର ଖୋଳିଥିବାବେଳେ ଡିଆର୍ ପଟ୍ଟନାୟକଙ୍କ ମୁର୍ଗାବେଡା ଖଣିରୁ ୪,୭୦,୦୩୯ ଟନ୍, ଜୁରୁଡିସ୍ଥିତ ଡିଆର୍ ପଟ୍ଟନାୟକଙ୍କ ଖଣିରୁ ୨୪,୮୦,୭୩୯ ଟନ୍, ଦେଓଝରସ୍ଥିତ ତାରିଣୀ ମିନେରାଲ୍ସ ଖଣିରୁ ୧୭,୫୪,୫୯୬ ଟନ୍ ଓ ସିରାଜୁଦ୍ଦିନ ଆଣ୍ଡ କୋ ଖଣିରୁ ୧୭,୧୦,୮୧୬ ଟନ୍ ଲୁହା ପଥର ଉତ୍ତୋଳନ କରିଛି । ଏଥିମଧ୍ୟରେ ବିପୁଳ ପରିମାଣର ୬୫% + ଏଫଇ ଗ୍ରେଡର ଲୁହା ପଥର ଅନ୍ତର୍ଭୁକ୍ତ । ଏତେ ଖଣି ଖୋଳିବା ବେଳେ ମାତ୍ର ୧,୮୪,୪୭୯ ମେଟ୍ରିକ୍ ଟନ୍ ଡମ୍ପ ସୃଷ୍ଟି ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି କମ୍ପାନିର ବେଆଇନ କାରବାର ସଂପର୍କରେ କମିଶନର ସଦସ୍ୟଙ୍କ ପାଖରେ ବହୁ ତଥ୍ୟ ରହିଥିବାବେଳେ ଆଉ କିଛି ତଥ୍ୟ ସରକାରଙ୍କ ପକ୍ଷରୁ ଲୁଚାଇବାର ଉଦ୍ୟମ ଚାଲିଥିବା କଥା ଆଲୋଚନା ଜୋର ଧରିଛି । ଖଣି ଦୁର୍ନୀତି ପଦାକୁ ଆସିବା ପରେ ରାଜ୍ୟ ସରକାର ଭିଜିଲାନ୍ସ ତଦନ୍ତ ଭେଳିକି ଦେଖାଇ ରାଜ୍ୟବାସୀଙ୍କୁ ଭକୁଆ କରିଥିବାବେଳେ ଏବେ ବି ପୂର୍ବପରି ଖଣିଜ ପଦାର୍ଥର ହରିଲୁଟ୍‍ ଚାଲିଛି । ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ କାଗଜପତ୍ରରେ ସୀମିତ ରହିଯାଇଛି । ହେଲେ ବାହାର ରାଜ୍ୟରୁ ଆସି ଲୁଟତରାଜ ଚଳାଇଥିବା ଏହି ଖଣିଜ ଉତ୍ତୋଳନକାରୀ ଠିକାଦାରଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତ୍ରିବେଣୀର କାରବାର ଏମ୍‍ସିଆର୍‍ ୩୭ ଉଲ୍ଲଙ୍ଘନ କରୁଥିବା ଯାଞ୍ଚ କମିଟି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ମଧ୍ୟ ଏଯାଏଁ କାହିଁକି ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହା ତାଙ୍କୁ ଜଣା । ଏପରିକି ଭିଜିଲାନ୍ସ ଚାର୍ଜସିଟରେ ମଧ୍ୟ ପ୍ରଭାକରନଙ୍କ ନାମ ଥିବାବେଳେ ସରକାର ନିଷ୍କ୍ରିୟ ରହିଛନ୍ତି । ପାଞ୍ଚବର୍ଷ ମଧ୍ୟରେ ୪ କୋଟି ଟନ୍ରୁ ଉଦ୍ଧ୍ୱର୍ ଖଣିଜ ସଂପଦ ବେଆଇନ ଭାବେ ଖୋଳିଥିବା ତ୍ରିବେଣୀ ପରି ଏକ ବଡ଼ ଅପରାଧୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ରାଜ୍ୟ ସରକାର ଛୋଟଛୋଟ ଖଣିଜ ଚୋରଙ୍କ ଧରି ନିଜ ନିର୍ଦୋଷତାର ପ୍ରମାଣ ଦେବାକୁ ଚେଷ୍ଟା କରୁଛନ୍ତି । ବିଗତ ୫ ବର୍ଷରେ ତ୍ରିବେଣୀ ଆର୍ଥ ମୁଭର୍ସ ଖଣିଜ ଉତ୍ତୋଳନ କରିଥିବା ଖଣି ଓ ତାହାର ପଟ୍ଟାଦାରଙ୍କ ନାମ, ଖଣିଜ ପଦାର୍ଥର ମାନ ଅନୁଯାୟୀ ଉତ୍ତୋଳନର ପରିମାଣ, ଟନ୍‍ ପିଛା ଉତ୍ତୋଳନ ଖର୍ଚ୍ଚ, ସେହି ସମୟରେ ବିକ୍ରୟ ହୋଇଥିବା ଖଣିଜ ପଦାର୍ଥର ଟନ୍ ପ୍ରତି ବିକ୍ରୟ ମୂଲ୍ୟ ଏବଂ ରୟାଲିଟି ବାବଦକୁ ରାଜ୍ୟ ସରକାର ପାଇଥିବା ଅର୍ଥର ପରିମାଣ ଇତ୍ୟାଦି ବିଧାନସଭାରେ ସରକାର ଉପସ୍ଥାପନ କରିସାରିଛନ୍ତି । ସରକାର ଯାହା ତଥ୍ୟ ଦେଉଛନ୍ତି ସେଥିରୁ ଜଣାପଡ଼ିିଛି ଯେ ରାଜ୍ୟ ସରକାର ନିଜେ ମାନୁଛନ୍ତି ତ୍ରିବେଣୀ ଗତ ପାଞ୍ଚବର୍ଷରେ ପ୍ରାୟ ଚାରିକୋଟି ଟନ୍ ଖଣିଜ ସଂପଦ ଖୋଳି ନେଇ ବିକ୍ରି କରିଛି । ଖଣି ପଟ୍ଟାଦାର କମ୍ପାନିଗୁଡ଼ିକୁ ଖଣିଲିଜ୍‍ ଦିଆଯାଇଥିବା ବେଳେ ଏସବୁ ଖୋଲିବା ଓ ବିକ୍ରି କରିବା କ୍ଷେତ୍ରରେ ତ୍ରିବେଣୀର କମ୍ପାନି କେଉଁଠୁ ଅଧିକାର ପାଇଲା ବୋଲି ଏଯାଏଁ ବି ରାଜ୍ୟ ସରକାର ପ୍ରଶ୍ନ କରିନାହାନ୍ତି । ସେ ସଂପର୍କରେ ସରକାର ବା ବିଭାଗୀୟ କର୍ତ୍ତୃପକ୍ଷ କେବେ ତଦାରଖ କରି ଏହି କମ୍ପାନୀ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନନେବା ମୂଳରେ ରହସ୍ୟଟି କ’ଣ? ରୁଲ୍ ୩୭ ଅନୁସାରେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ କୌଣସି ଖଣି ଲିଜ୍ଧାରୀ ତାଙ୍କ ଲିଜ୍ ଖଣି ଅନ୍ୟ ହାତକୁ ଭାଗିଦାରୀ ସୂତ୍ରରେ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଆଇନକୁ ଅମାନ୍ୟ କରି ଏହି କମ୍ପାନୀ ରାଜ୍ୟର ତଥାକଥିତ ଦୁର୍ନୀତିଖୋର କିଛି ରାଜନେତା, ପ୍ରଶାସନିକ ଅଧିକାରୀ ଓ ବେଆଇନ ଖଣି କାରବାରରେ ସଂପୃକ୍ତ ଥିବା ଖଣି ମାଲିକଙ୍କୁ ହାତ କରି କେନ୍ଦୁଝର ଜିଲାରୁ ହଜାର ହଜାର କୋଟି ଟଙ୍କା ବେଆଇନ ଖଣି ବ୍ୟବସାୟରୁ ହାତେଇ ଥିବାବେଳେ ଓଡ଼ିଶା ସରକାର ଏହି କମ୍ପାନୀ ପାଇଁ କାମ କରୁଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ଉଠିବା ବନ୍ଦ ହୋଇନାହିଁ ।

Share :