ଚିଟ୍‍ ଫଣ୍ଡ ମହୁ ଖାଇଛି କିଏ?

ଚିଟ୍‍ ଫଣ୍ଡ ମହୁ ଖାଇଛି କିଏ?

Share :

ସ୍ୱତନ୍ତ୍ର ପ୍ରତିନିଧି ଚିଟ୍‍ ଫଣ୍ଡ ଠକେଇ ଘଟଣା ପଦାକୁ ଆସିବା ପରେ ଅନେକ ଗୁଜବ ଉଡ଼ି ଉଡ଼ି ଉଡ଼ିଗଲାଣି । ପ୍ରମାଣ ବିନା ଶୁଣା କଥା ଆଧାରରେ ପ୍ରକାଶ ପାଇସାରିଛି ଅନେକ ଖବର । ରାଜନୀତିକ ମହଲରେ ବି ଏଥିନେଇ ଅନେକ ଚର୍ଚ୍ଚା । ଦୁଇ ଜଣ ମନ୍ତ୍ରୀ, ଜଣେ ମନ୍ତ୍ରୀ ପୁଅ, କେଇ ଜଣ ବିଧାୟକ, କେଇ ଜଣ ପ୍ରଶାସକ, ୩୦ ଜଣ ସାମ୍ବାଦିକ, କେତେ ଜଣ ଗଣମାଧ୍ୟମ ମାଲିକଙ୍କୁ ନେଇ ଏ ଚର୍ଚ୍ଚା । ଏମାନେ କାଳେ ଅର୍ଥତତ୍ତ୍ୱ ଗୋଷ୍ଠୀର ମାଲିକ ପ୍ରଦୀପ ସେଠୀଙ୍କଠାରୁ କୋଟିକୋଟି ଟଙ୍କା ନେଇଛନ୍ତି! ଗୁଜବ ଭିତ୍ତିରେ ହେଉଥିବା ଚର୍ଚ୍ଚା ଅନୁସାରେ ଏକ ପ୍ରତିଷ୍ଠିତ ଦୈନିକ ଖବରକାଗଜର ସଂପାଦକ ଏଟି ଗ୍ରୁପ୍‍ରୁ ୨ କୋଟି ଟଙ୍କା ନେଇଛନ୍ତି । ଭୁବନେଶ୍ୱରରୁ ପ୍ରକାଶିତ ଏକ ଦୈନିକ ଖବରକାଗଜର ଜଣେ ରାଜ୍ୟ ସ୍ତରୀୟ ପ୍ରତିନିଧି ୧ କୋଟି ଟଙ୍କା ନେଇଛନ୍ତି । ଭୁବନେଶ୍ୱରର ଅନ୍ୟ ଏକ ବହୁଳ ପ୍ରସାରିତ ଦୈନିକ ଖବରକାଗଜର ମାଲିକ ଏହି ଗୋଷ୍ଠୀରୁ ପ୍ରାୟ ୫ କୋଟି ଟଙ୍କା ବିଭିନ୍ନ ବାଟରେ ନେଇଛନ୍ତି । ସେହିପରି ଜଣେ ବରିଷ୍ଠ ମନ୍ତ୍ରୀ ୬ କୋଟି, ଅନ୍ୟ ଜଣେ ମନ୍ତ୍ରୀ ୩ କୋଟି, ଜଣେ ବିଧାୟକ ୩ କୋଟି... ଗୁଜବର ଏ ତାଲିକା ଖୁବ୍‍ ଲମ୍ବା । ଆଉ ଏସବୁ ତାଲିକା କାଳେ ଖୋଦ୍‍ ପ୍ରଦୀପ ସେଠୀ ପୁଲିସକୁ ଦେଇଛନ୍ତି । ଏମିତିକି ଗୋଟେ ପାକ୍ଷିକ ପତ୍ରିକା ଲେଖିଛି ଯେ ଏହାର ପ୍ରତିନିଧି କାଳେ ଜେଲ୍‍ ଯାଇ ପ୍ରଦୀପ ସେଠୀଙ୍କଠାରୁ ତଥ୍ୟ ଆଣିଛି । କେତେକ ଖବରକାଗଜରେ ଏସବୁ କଥା ପ୍ରକାଶ ପାଇବା ପରେ ପୁଲିସ, ପ୍ରଶାସକ, ରାଜନେତା ଓ ଗଣମାଧ୍ୟମ ଜଗତରେ ଏହାକୁ ନେଇ କୁଆ ଉଡ଼ିଗଲେ ଛୁଆ ଉଡ଼ିଗଲା ପରି ଆଲୋଚନା ଚାଲିଛି । କିନ୍ତୁ କେହି ହେଲେ ଏସବୁ କଥାର ସତ୍ୟତା ଓ ପ୍ରମାଣ ପରୀକ୍ଷା କରି ଦେଖିନାହାନ୍ତି । ସତରେ ପ୍ରଦୀପ ସେଠୀ କାହାକୁ କାହା ନାଁ କହିଛି, ସିଏ କହୁଥିବା କଥା ସତ କି ଡାହା ମିଛ, ସେସବୁ ସଂପର୍କରେ କେହି ହେଲେ ଖୋଳତାଡ଼ କରୁ ନାହାନ୍ତି । ଚୋର ଡକାୟତମାନେ ଧରା ପଡ଼ିବା ପରେ ଆତ୍ମସୁରକ୍ଷା ପାଇଁ ବି ଅନେକ ଲୋକଙ୍କ ନାଁ ନେଇଥାନ୍ତି । ପ୍ରଦୀପର ଜେରା ସଂପର୍କରେ ପୁଲିସ ପ୍ରଶାସନ ତରଫରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଗଣମାଧ୍ୟମକୁ ଦିଆଯାଇ ନାହିଁ । ସେହିପରି ତଦନ୍ତକାରୀ ଅଧିକାରୀମାନେ ମଧ୍ୟ ଏ ନେଇ ଗଣମାଧ୍ୟମରେ କୌଣସି ବୟାନ ଦେଇ ନାହାନ୍ତି । ତଥାପି ଏସବୁ କଥା ଗଣମାଧ୍ୟମରେ ପ୍ରକାଶ ପାଉଛି କିପରି? ଦୀପକ ପାରିଖ କିଏ? ତାଙ୍କ ସହ ଏଟି ଗୋଷ୍ଠୀର ସଂପର୍କ କ’ଣ? ସେହିପରି, ସମାନ ନାମଧାରିଣୀ ଦୁଇ ଜଣ ମହିଳାଙ୍କ ସହ ଏ ଗୋଷ୍ଠୀର ସଂପର୍କ କ’ଣ? ସେମାନଙ୍କ ଭିତରୁ ଜଣେ ଓଡ଼ିଆ ଓ ଅନ୍ୟ ଜଣେ ଅଣଓଡ଼ିଆ । ଏମାନେ ଏ ଗୋଷ୍ଠୀର କି କାରବାରରେ ଜଡ଼ିତ? ଏସବୁ ବିଷୟରେ ମଧ୍ୟ ତଦନ୍ତ ହୋଇନାହିଁ । ସେହିପରି ଅନ୍ୟ ଜଣେ ମହିଳାଙ୍କ ସହ ଏଟି ଗ୍ରୁପ ମାଲିକ କି ପ୍ରକାର ବ୍ୟବହାର କରିଥିଲେ ସେ ସଂପର୍କରେ ମଧ୍ୟ ଶୁଣିବାକୁ ମିଳୁଛି । ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହି ମହିଳା କହିଛନ୍ତି ଯେ ଠିକଣା ସମୟରେ ସେ ଏ ସଂପର୍କୀତ ପ୍ରମାଣ ଦାଖଲ କରିବେ । ଏକଥା ସତ ଯେ ଗତ କିଛି ବର୍ଷ ଧରି ରାଜ୍ୟରେ ଅର୍ଥତତ୍ତ୍ୱ, ସିସୋର୍‍, ସାଇ ପ୍ରଗତି, ସେଫେକ୍ସ ଇନ୍‍ଫ୍ରା, ମାଇକ୍ରୋ ଫାଇନାନ୍ସ, ଫାଇନ୍‍ ଇଣ୍ଡିସେଲ୍‍ସ, ସ୍ୱସ୍ତିକ ଆଦି ଅନେକ ସଂସ୍ଥା ଖୋଲି ଲୋକମାନଙ୍କଠାରୁ ହଜାର ହଜାର କୋଟି ଟଙ୍କା ଜମା ଆକାରରେ ସଂଗ୍ରହ କରିଛନ୍ତି । ସେହିପରି ରାଜ୍ୟ ବାହାରୁ ଆସି ରୋଜ୍‍ ଭ୍ୟାଲି, ସାରଧା, ପ୍ରୟାଗ, ୟୁରୋ, ବିଶାଲ ଓ କୋଲକାତା ୱେଆର୍‍ ଇଣ୍ଡଷ୍ଟ୍ରି ପରି ଅନେକ ଚିଟ୍‍ ଫଣ୍ଡ ସଂସ୍ଥା ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କୋଟି ଟଙ୍କାର ଜମା ସଂଗ୍ରହ କରି ଧରାପଡ଼ିଛନ୍ତି । ତେବେ ଏବେ ଚାଲିଥିବା ତଦନ୍ତ ପ୍ରକ୍ରିୟାରେ ସମସ୍ତଙ୍କ ପ୍ରତି ସମାନ ଦୃଷ୍ଟି ଦିଆଯାଇ ନାହିଁ । ଏବେ ବି ରୋଜ୍‍ ଭ୍ୟାଲି, ସାରଧା, କୋଲକାତା ୱେଆର୍‍ ଇଣ୍ଡଷ୍ଟ୍ରିଜ୍‍, ୟୁରୋ, ମାଇକ୍ରୋ ଫାଇନାନ୍ସ, ସ୍ୱସ୍ତିକ ପରି ସଂସ୍ଥାଙ୍କ ଉପରେ ଚଢ଼ାଉ ହୋଇନାହିଁ । ଏସବୁ ସଂସ୍ଥାର ନିର୍ଦ୍ଦେଶକମାନଙ୍କ ତାଲିକା ସର୍ବ ସାଧାରଣରେ ପ୍ରକାଶ ପାଇନାହିଁ । କେଉଁ ଲୋକମାନେ ଏସବୁ ସଂସ୍ଥାର ଗଠନ, ପଞ୍ଜୀକରଣ ଓ ବ୍ୟବସାୟ ପ୍ରସାରଣ ପାଇଁ ପ୍ରୋତ୍ସାହନ ଯୋଗାଇଛନ୍ତି ସେ ବିଷୟରେ ମଧ୍ୟ ତଦନ୍ତ ହୋଇନାହିଁ । ରାଜ୍ୟର କୌଣସି ପ୍ରମୁଖ ଗଣମାଧ୍ୟମରେ ମଧ୍ୟ ଏନେଇ ନିଜସ୍ୱ ଖୋଳତାଡ଼ ହୋଇନାହିଁ । ସେହିପରି, ଏସବୁ ସଂସ୍ଥାରୁ ରାଜ୍ୟର କେଉଁ କେଉଁ ଗଣମାଧ୍ୟମ କେତେ କେତେ କୋଟି ଟଙ୍କାର ଆଥିର୍କ ଲାଭ ଉଠାଇଛନ୍ତି ତାହାର ହିସାବ ବି କରାଯାଇ ନାହିଁ । ଏପରି ସଂସ୍ଥାଗୁଡ଼ିକ ସର୍ବାଧିକ ପ୍ରସାରିତ ଖବରକାଗଜ ଓ ଲୋକପ୍ରିୟ ଟିଭି ଚାନେଲ୍‍କୁ ବାର୍ଷିକ କୋଟିକୋଟି ଟଙ୍କାର ବିଜ୍ଞାପନ ଓ ପ୍ରାୟୋଜନ ଅର୍ଥ ଦେଇଛନ୍ତି । ଏପରି କୌଣସି ସଂସ୍ଥା କେଉଁ ଟିଭି ଚାନେଲ୍‍ରେ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣର ପ୍ରାୟୋଜକ ହୋଇଛି ତ କେଉଁ ସଂସ୍ଥା କାହାର ନୃତ୍ୟସଂଗୀତ କାର୍ଯ୍ୟକ୍ରମକୁ ପ୍ରାୟୋଜିତ କରିଛନ୍ତି । ଗୋଟେ ଗୋଟେ ସଂସ୍ଥା ବହୁଳ ପ୍ରସାରିତ ଦୈନିକଗୁଡ଼ିକରେ ବର୍ଷ ବ୍ୟାପି ପୃଷ୍ଠା ପୃଷ୍ଠା ବିଜ୍ଞାପନ ପ୍ରକାଶ କରିଛନ୍ତି । ଏସବୁ କାଗଜରେ ଏସବୁ ସଂସ୍ଥା ସପକ୍ଷରେ ଶହଶହ ଖବର ପ୍ରକାଶ ପାଇଛି । ଅମୁକ ସଂସ୍ଥା ପୁରସ୍କାର ପାଇଲା, ସମୁକ ସଂସ୍ଥାର ଏମହି ଡକ୍ଟରେଟ୍‍ ପାଇଲେ, ଏ ସଂସ୍ଥାର ବ୍ୟବସାୟ ବଢ଼ିଲା, ସେ ସଂସ୍ଥାରୁ ଜମାକାରୀମାନେ ଅଧିକ ଫାଇଦା ପାଇଲେ, ସମୁକ ସଂସ୍ଥା ସରକାରଙ୍କ ସହିତ ଚୁକ୍ତି କଲା ପରି ଅନେକ ଖବର ପଢ଼ିପଢ଼ି ଓ ଦେଖିଦେଖି ଲୋକଙ୍କ ମନରେ ଏଭଳି ଠକ ସଂସ୍ଥାଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ସୃଷ୍ଟି ହୋଇଥିଲା । ଏପରିକି ଅନେକ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ସରକାରୀ କର୍ମଚାରୀ ମଧ୍ୟ ଏପରି ସଂସ୍ଥାରେ ଲକ୍ଷଲକ୍ଷ ଟଙ୍କ ଜମା କରିଛନ୍ତି । ଏହି ଅବସରପ୍ରାପ୍ତ ପୁଲିସ ଅଧିକାରୀ ବା ସରକାରୀ କର୍ମଚାରୀମାନେ ଟଙ୍କା ଜମାଦେବା ପୂର୍ବରୁ ଏସବୁ ସଂସ୍ଥା ବିଷୟରେ ଖୋଳତାଡ଼ କାହିଁକି କଲେ ନାହିଁ? ଏବେ ଯେତେବେଳେ ଏସବୁ ସଂସ୍ଥାଙ୍କ ଠକେଇ କାରବାର ଧରାପଡ଼ିଲା ଓ ଲୋକମାନଙ୍କର ହଜାର ହଜାର କୋଟି ଟଙ୍କା ବୁଡ଼ିଗଲା, ସେତେବେଳେ ସେମାନଙ୍କୁ ବିଭିନ୍ନ ବାଟରେ ପ୍ରୋତ୍ସାହିତ କରିଥିବା ଏହିସବୁ ଗଣମାଧ୍ୟମ ଓ ସରକାରୀ କର୍ମଚାରୀଙ୍କ ଭୂମିକା ଉପରେ ମଧ୍ୟ ତଦନ୍ତ ହେବା ଉଚିତ ନୁହେଁ କି? ସେହିପରି ଯେଉଁ ଭଦ୍ରବ୍ୟକ୍ତିମାନେ ଏବେ ନିଜକୁ ସଂସ୍ଥାର ଏଜେଣ୍ଟ ଭାବରେ ପରିଚୟ ଦେଇ ଆନ୍ଦୋଳନକୁ ବାହାରିଛନ୍ତି ସେମାନଙ୍କ ଉପରେ ମଧ୍ୟ ଆଇନର ଅଙ୍କୁଶ ଲାଗିବା ଉଚିତ ନୁହେଁ କି? ସେମାନେ ଯେତେବେଳେ ସଂପୃକ୍ତ ସଂସ୍ଥାଗୁଡ଼ିକ ପାଇଁ ଜମା ସଂଗ୍ରହ ବାବଦରେ ୩୦-୪୦ ପ୍ରତିଶତ କମିଶନ୍‍ ନେଉଥିଲେ, କାହିଁକି ଭାବୁ ନଥିଲେ ଏତେ ଟଙ୍କା କାହିଁକି ଦିଆଯାଉଛି? ଜମା ଟଙ୍କାର ଅଧେ ସେମାନେ ନେଇଗଲା ପରେ ବାକି ଅଧାକ ପୂରା ହେବ କେମିତି? ଦୁଇ ଗୁଣ ହେବ କେମିତି? ବାର୍ଷିକ ୨୪-୩୬ ପ୍ରତିଶତ ସୁଧ ଅର୍ଜନ ହେବ କୁଆଡ଼ୁ? କେଉଁ ବ୍ୟବସାୟରେ ଟଙ୍କା ଖଟାଇଲେ ୧୦୦ ଟଙ୍କା ତିନି ବର୍ଷ ଭିତରେ ୪୦୦ ଟଙ୍କା ହେବ? ରାଜ୍ୟର ବଡ଼ବଡ଼ ଗଣମାଧ୍ୟମରେ ଏ ସଂପର୍କରେ ପୂର୍ବରୁ କାହିଁକି ଅନୁଶୀଳନ ହେଲା ନାହିଁ? ବାସ୍ତବରେ ଦେଖିଲେ, ଏହିସବୁ ଭଦ୍ର ମୁଖାଧାରୀ ଲୋକମାନେ ହିଁ ଚିଟ୍‍ ଫଣ୍ଡ କାରବାରର ମହୁଫେଣାରୁ ସର୍ବାଧିକ ମହୁ ଚୋଷି ନେଇଛନ୍ତି । କିଏ ବିଜ୍ଞାପନ ଆକାରରେ, କିଏ ଚାନ୍ଦା ଆକାରରେ, କିଏ କମିଶନ ଆକାରରେ, କିଏ ପ୍ରୋଟେକ୍ସନ ମନି ବା ସୁରକ୍ଷା ବାବଦ ଚାନ୍ଦା ଆକାରରେ, କିଏ ଲାଞ୍ଚ ଓ ଉପହାର ଆକାରରେ ଚିଟ୍‍ ଫଣ୍ଡ ସଂସ୍ଥାଗୁଡ଼ିକରୁ କୋଟିକୋଟି ଟଙ୍କା ଆଦାୟ କରିଛନ୍ତି । ପୁଲିସ ତଦନ୍ତରୁ ସେମାନଙ୍କ ନାମ ଓ ସେମାନେ ନେଇଥିବା ଟଙ୍କାର ପରିମାଣ ଜଣାପଡ଼ିବ କି? ଯଦି ତାହା ନହୁଏ ତେବେ ଜମାକାରୀମାନେ ଟଙ୍କା ତ ଫେରସ୍ତ ପାଇବେ ନାହିଁ, ଏ ଭଦ୍ରମୁଖାଧାରୀ ଲୋକମାନଙ୍କୁ ଚିହ୍ନି ବି ପାରିବେ ନାହିଁ । ସେମାନେ ଚୋଷି ନେବା ପରେ ମହୁଫେଣାରେ ଲାଖି ରହିଥିବା କେବଳ ସିଠା ଏମାନଙ୍କ ପାଇଁ ବାକି ରହିବ । ଯାହାକୁ ଚିପୁଡ଼ିଲେ ହାତରେ ଅଠା ଲାଗିବ ସିନା ଟଙ୍କା ମିଳିବାର ସମ୍ଭାବନା ନାହିଁ ।

Share :