ପ୍ରଶ୍ନ କରୁନାହାନ୍ତି ବିଧାୟକ

ପ୍ରଶ୍ନ କରୁନାହାନ୍ତି ବିଧାୟକ

Share :

ବୈଷ୍ଣବ ଜେନା ଆମ ବିଧାନସଭା କାର୍ଯ୍ୟ ନିର୍ଘଣ୍ଟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାରମ୍ଭିକ କାର୍ଯ୍ୟକ୍ରମ । ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ଏହା ଚାଲେ । ଏହି କାର୍ଯ୍ୟକ୍ରମରେ ସାଧାରଣତଃ ବିଧାୟକମାନେ ଅଂଶଗ୍ରହଣ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାଆନ୍ତି । କାରଣ ସେମାନେ ରାଜ୍ୟର ବିଭିନ୍ନ ସମସ୍ୟା ତଥା ନିଜ ନିର୍ବାଚନ ମଣ୍ଡଳୀର ବିଭନ୍ନ ସମସ୍ୟା ପାଇଁ ପଚାରୁଥିବା ପ୍ରଶ୍ନର ଉତ୍ତର ସିଧାସଳଖ ମନ୍ତ୍ରୀମାନଙ୍କ ମୁହଁରୁ ଶୁଣିଥାଆନ୍ତି । ଅନାଲୋଚିତ ପ୍ରଶ୍ନର ଉତ୍ତର ଲିଖିତ ଭାବେ ସେମାନଙ୍କ ପାଖକୁ ଆସେ । ଏହାଛଡ଼ା ଏକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ପ୍ରଶ୍ନକର୍ତ୍ତା ବିଧାୟକଙ୍କ ସହିତ ଦଳମତ ନିର୍ବିଶେଷରେ ଅନ୍ୟ ବିଧାୟକମାନେ ଅତିରିକ୍ତ ପ୍ରଶ୍ନ ପଚାରିଥାଆନ୍ତି । ବିଶେଷକରି ବିରୋଧି ଦଳର ସଦସ୍ୟମାନେ ମନ୍ତ୍ରୀମାନଙ୍କୁ ଅଡୁଆରେ ପକାଇବା ପାଇଁ ଗୁଡେ଼ଇ ତୁଡେ଼ଇ ପ୍ରଶ୍ନ କରିଥାଆନ୍ତି । ଏହାଦ୍ୱାରା ବିଧାୟକମାନଙ୍କର ବିଧାନସଭାରେ ଗୁରୁତ୍ୱ ବଢେ଼ ଏବଂ ନିର୍ବାଚନ ମଣ୍ଡଳୀରେ ଭାବମୂର୍ତ୍ତି ବଢେ଼ । ତେବେ କିଛି କିଛି ବର୍ଷ ହେଲା ଏଥିରେ ବ୍ୟତିକ୍ରମ ଘଟୁଛି । ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ପ୍ରଶ୍ନ ମାଧ୍ୟମରେ ଉତ୍ଥାପନ କରିବାକୁ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । ୨୦୧୮-୧୯ ବର୍ଷରେ ଓଡ଼ିଶା ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ ତାହାର ଜ୍ୱଳନ୍ତ ନିଦର୍ଶନ । ଏହି ଅଧିବେଶନଟି ଗତ ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇ ମଇ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ମୋଟ୍ ୨୬ଟି କାର୍ଯ୍ୟ ଦିବସ ଅନ୍ତର୍ଭୁକ୍ତ ହୋଇଥିଲା । ଏହି ଅଧିବେଶରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅଦେ୍ର୍ଧକ ଦିନ ଚାଲିନଥିଲା । ଶାସକ ହେଉ କିମ୍ବା ବିରୋଧି ଦଳ ସଭ୍ୟଙ୍କ ହଟ୍ଟଗୋଳ କାରଣରୁ ବହୁଦିନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ ହୋଇଛି, ଯାହାକି ଆଉ ଏକ ତାପôର୍ଯ୍ୟପୂର୍ଣ୍ଣ ଘଟଣା । ପ୍ରଚଳିତ ବିଧିବ୍ୟବସ୍ଥା ଅନୁସାରେ ମନ୍ତ୍ରୀମାନଙ୍କ ବ୍ୟତୀତ ବାଚସ୍ପତି ପ୍ରଶ୍ନ କରନ୍ତିନାହାଁନ୍ତି । କେବଳ ବିଧାୟକମାନେ ପ୍ରଶ୍ନ କରନ୍ତି । ଓଡ଼ିଶା ବିଧାନସଭାର ୧୪୭ ଜଣ ବିଧାୟକଙ୍କୁ ମଧ୍ୟରୁ ୧୨୪ ବିଧାୟକଙ୍କର ପ୍ରଶ୍ନ ପଚାରି ପାରିବାର ବ୍ୟବସ୍ଥା ରହିଛି । ଜଣେ ଜଣେ ବିଧାୟକ ଗୋଟିଏ ଗୋଟିଏ ଦିନ ତିନୋଟି ତାରକା ଚିହ୍ନିତ ପ୍ରଶ୍ନ ଏବଂ ୫ ଗୋଟି ଅଣତାରକା ଚିହ୍ନିତ ପ୍ରଶ୍ନ ପଚାରିଥାଆନ୍ତି । ସାମଗ୍ରିକ ଭାବେ ବିଧାୟକମାନଙ୍କର ତାରକା ଚିହ୍ନିତ ପ୍ରଶ୍ନ ମଧ୍ୟରୁ ୩୦ ଗୋଟି ପ୍ରଶ୍ନ ଆଲୋଚନା ପାଇଁ ଉଦ୍ଧିଷ୍ଟ ହୋଇଥାଏ । ଅନ୍ୟଗୁଡ଼ିକ ଅଣତାରକା ଉତ୍ତର ମଧ୍ୟରେ ସାମିଲ୍ ହୋଇଥାଏ । ଏହା ଏକ ଉତ୍ତମ ବ୍ୟବସ୍ଥା । ଅନ୍ୟପକ୍ଷରେ କହିବାକୁ ଗଲେ ସେହି ୧୨୪ ଜଣ ବିଧାୟକ ଚାହିଁଲେ ଦିନକୁ ୩ଟି କରି ୩୭୨ଟି ତାରକା ପ୍ରଶ୍ନ କରିପାରିବେ ଏବଂ ୬୨୦ ଅଣତାରକା ପ୍ରଶ୍ନ କରିପାରିବେ । ତାରକା ଚିହ୍ନି ପ୍ରଶ୍ନ ମଧ୍ୟରୁ ୩୦ଟି ବାଦ ଦେଲେ ବାକି ୩୪୨ଟି ପ୍ରଶ୍ନ ଅଣତାରକା ପ୍ରଶ୍ନରେ ରୂପାନ୍ତରିତ ହୋଇଯିବ । ଅର୍ଥାତ୍ ପ୍ରତ୍ୟେକ ଦିନ ୩୦ଟି ତାରକା ଏବଂ ୯୬୨ଟି ଅଣତାରକା ପ୍ରଶ୍ନ ଆସିପାରିବ । ସେହି ଦୃଷ୍ଟିରୁ ଏହି ଅଧିବେଶରେ ୭୮୦ଟି ତାରକା ପ୍ରଶ୍ନ ଏବଂ ୨୫ ହଜାର ୧୨ଟି ଅଣତାରକା ପ୍ରଶ୍ନ ଆସିବାର ଥିଲା । ଅଥଚ ଅଣତାରକା ପ୍ରଶ୍ନ ଥିଲା ମାତ୍ର ୩ ହଜାର ୬୫୩ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଅଧିବେଶନରେ ସର୍ବନିମ୍ନ ୩୦ ଜଣ ବିଧାୟକ ତାରକା ଚିହ୍ନିତ ପ୍ରଶ୍ନ ପଚାରିଲେ ନାହିଁ । ସାଧାରଣତଃ ଆଲୋଚନା ପାଇଁ ଉଦ୍ଧିଷ୍ଟ ୩୦ ଜଣ ବିଧାୟକଙ୍କର ଗୋଟିଏ ଗୋଟିଏ ପ୍ରଶ୍ନ ଆସିଥାଏ । ତେଣୁ ପ୍ରଶ୍ନ ଅଭାବରୁ କେତେକ ବିଧାୟକଙ୍କର ଦୁଇଟି ଲେଖା ପ୍ରଶ୍ନ ଆସିବାକୁ ଏକରକମ ଜରୁରୀ ହେଲା । କାରଣ ଅଧିକାଂଶ ଦିନ ୩୦ରୁ କମ୍ ବିଧାୟକ ପ୍ରଶ୍ନ କରିଥିଲେ । ମାର୍ଚ୍ଚ ୨୧ ତାରିଖ ଦିନ ମାତ୍ର ୨୩ ଜଣ ବିଧାୟକ ପ୍ରଶ୍ନ କରିଥିଲାବେଳେ ମାର୍ଚ୍ଚ ୨୨ ତାରିଖରେ ୨୩ ଜଣ, ମାର୍ଚ୍ଚ ୨୪ରେ ୨୩ ଜଣ, ମାର୍ଚ୍ଚ ୨୬ରେ ୨୬ ଜଣ, ମାର୍ଚ୍ଚ ୨୮ରେ ୨୯ ଜଣ ଏବଂ ମାର୍ଚ୍ଚ ୩୧ରେ ୨୪ ଜଣ ପ୍ରଶ୍ନ କରିଥିଲେ । ସେହିପରି ଭାବେ ଅପ୍ରେଲ ୧୧ରେ ୨୯ ଜଣ, ୨୧ରେ ୨୮ ଜଣ, ୨୪ରେ ୨୮ ଜଣ, ୨୫ ତାରିଖରେ ୨୬ ଜଣ, ୨୭ ତାରିଖରେ ୨୬ ଜଣ, ୨୮ ତାରିଖରେ ୨୪ ଜଣ ଏବଂ ମଇ ୧ ତାରିଖରେ ମାତ୍ର ୨୧ ଜଣ ପ୍ରଶ୍ନ କରିଥିଲେ । ଏତଦ୍ ବ୍ୟତୀତ ହିସାବ ଅନୁସାରେ ପ୍ରତ୍ୟେକ ଦିନ ୯୬୨ ଅଣତାରକା ପ୍ରଶ୍ନ ଆସିବା କଥା, ମାତ୍ର ତାହା ସମ୍ଭବ ହେଲାନାହିଁ । କେବଳ ଅପ୍ରେଲ୍ ୧୬ ତାରିଖକୁ ବାଦ ଦେଲେ (୨୪୧) ଅନ୍ୟ ଦିନମାନଙ୍କରେ ୨୦୦ ଅଣତାରକା ପ୍ରଶ୍ନ ଆସିପାରିଲା ନାହିଁ । ତଦନୁଯାୟୀ ମାର୍ଚ୍ଚ ୨୧ରେ ୧୦୬ଟି ଅଣତାରକା ପ୍ରଶ୍ନ, ମାର୍ଚ୍ଚ ୨୨ରେ ୧୧୪, ମାର୍ଚ୍ଚ ୨୩ରେ ୧୨୬, ମାର୍ଚ୍ଚ ୨୪ରେ ୧୧୭, ମାର୍ଚ୍ଚ ୨୬ରେ ୧୨୪, ମାର୍ଚ୍ଚ ୨୭ରେ ୧୫୧, ମାର୍ଚ୍ଚ ୨୮ରେ ୧୪୬ଟି ଅଣତାରକା ପ୍ରଶ୍ନ ଆସିଥିଲା । ଅପ୍ରେଲ୍ ୧୧ ତାରିଖରେ ୧୨୨, ୧୨ ତାରିଖରେ ୧୯୮, ୧୩ ତାରିଖରେ ୧୭୮, ୧୬ ତାରିଖରେ ୨୪୧, ୧୭ ତାରିଖରେ ୧୭୦, ୧୮ ତାରିଖରେ ୧୬୦, ୧୯ ତାରିଖରେ ୧୭୬, ୨୦ ତାରିଖରେ ୧୬୦, ୨୧ ତାରିଖରେ ୧୪୬, ୨୩ ତାରିଖରେ ୧୫୮, ୨୪ ତାରିଖରେ ୧୪୭, ୨୫ ତାରିଖରେ ୧୩୪, ୨୬ ତାରିଖରେ ୧୫୭, ୨୭ ତାରିଖରେ ୧୨୦, ୨୮ ତାରିଖରେ ୧୧୧, ୩୦ ତାରିଖରେ ୧୩୬ ଏବଂ ମଇ ୧ ତାରିଖରେ ମାତ୍ର ୯୩ଟି ଅଣତାରକା ପ୍ରଶ୍ନ ଆସିଥିଲା । ଏ ସମ୍ପର୍କରେ ଆମ୍ଭେ କେତେଜଣ ବିଧାୟକଙ୍କ ସହିତ କଥାବାର୍ତ୍ତା କରିଥିଲୁ । କେତେଜଣ ନବ ନିର୍ବାଚିତ ବିଧାୟକ ଟିକେ ଅଶାନ୍ତି ପ୍ରକାଶ କରିଥିଲେ । ବିଶେଷକରି ହଟ୍ଟଗୋଳ କାରଣରୁ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ୍ ହେଉଥିବା କାରଣରୁ ସେମାନେ ପ୍ରଶ୍ନ ପଚାରୁ ନାହାନ୍ତି ବୋଲି କହିଥିଲେ । ଏହାର ଉଦାହରଣ ସ୍ୱରୂପ ଏହି ଅଧିବେଶନରେ ମୋଟ୍ ୭୮୦ଟି ତାରକା ଚିହ୍ନିତ ପ୍ରଶ୍ନ ଆସିଥଲା, ମାତ୍ର ତାହାର ୧୦ ଭାଗରୁ ଏକ ଭାଗ ମଧ୍ୟ ଆଲୋଚିତ ହେଲାନାହିଁ । କେବଳ ୪୧ଟି ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା । ସେହିପରି ଭାବେ ଶାସକ ଦଳର ଜଣେ ଯୁବ ବିଧାୟକ ପ୍ରଶ୍ନ ପଚାରିବା କ୍ଷେତ୍ରରେ ଦଳୀୟ କଟକଣା କଥା ରୋକଠୋକ କହିଥିଲେ । ବିଗତ ୪ଟି ଅଧିବେଶନରେ ଆଦୌ ପ୍ରଶ୍ନ କରିନଥିବା ଜଣେ ବିଧାୟକ କହିଥିଲେ ଯେ, ମନ୍ତ୍ରୀମାନେ ଠିକ୍ ଉତ୍ତର ଦେଉନାହାଁନ୍ତି - ବହୁତ ପ୍ରଶ୍ନର ଉତ୍ତରରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଆସୁଛିି, ତେଣୁ ପ୍ରଶ୍ନ ପଚାରିବାକୁ ଆଗ୍ରହ ନାହିଁ । ସାମ୍ବାଦିକ ମୋ- ୯୪୩୭୦୦୭୨୦୦

Share :