ଚିିଲିକାକୁ ବିକଶିତ କରିବ କେନ୍ଦ୍ର: ଧର୍ମେନ୍ଦ୍ର

ଚିିଲିକାକୁ ବିକଶିତ କରିବ କେନ୍ଦ୍ର: ଧର୍ମେନ୍ଦ୍ର

Share :

ଚିିଲିକାକୁ ବିକଶିତ କରିବା ସହ ଚିଲିକା ଆଧାରିତ ଗାଁ ଗୁଡିକର ଜୀବନ ଜୀବିକା ବିଷୟ ଚିନ୍ତା କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ଓ ମଙ୍ଗଳାଯୋଡି ଗାଁ ଚିଲିକା ବିକାଶର ପ୍ରୟୋଗଶାଳା ହେଉ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଏନଜିସି ୟୁନେସ୍କୋ ସହ ମିଶି କାମ କରୁଛି । ମଙ୍ଗଳାଯୋଡିଠାରେ ଗ୍ରାମ ସ୍ୱରାଜ ଅଭିଯାନର ଅଙ୍ଗ ଭାବେ ଏକ ଉଜ୍ୱଳା ପଂଚାୟତରେ ଯୋଗ ଦେଇ ଶ୍ରୀ ପ୍ରଧାନ ଉଜ୍ୱଳା ଯୋଜନାରେ ଗରୀବ ମହିଳାମାନଙ୍କୁ ଉଜ୍ୱଳା ଗ୍ୟାସ ବାଂଟିବା ସହ ମୋଦି ସରକାରର ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିଥିଲେ । ମଙ୍ଗଳାଯୋଡି ଗାଁର ୭୮୦ ପରିବାର ମଧ୍ୟରୁ ୪୬୩ ପରିବାରରେ ପୂର୍ବରୁ ଏଲପିଜି ପହଂଚି ସାରିଥିବା ବେଳେ ନୂଆ ୧୨୫ ଜଣଙ୍କୁ ଉଜ୍ୱଳା ଯୋଜନାରେ ଶ୍ରୀ ପ୍ରଧାନ ଗ୍ୟାସ ବଂଟନ କରିଥିଲେ । ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜ ଯୋଗାଡ଼ ହେବା ମାତ୍ରେ ସେମାନଙ୍କୁ ଏଲପିଜି ସଂଯୋଗ ଯୋଗାଇ ଦିଆ ଯିବାକୁ ପଦକ୍ଷେପ ନିଆ ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ମଙ୍ଗଳାଯୋଡି ଗାଁର ୧୪୩ ଜଣଙ୍କ ଘରେ ବିଜୁଳି ସଂଯୋଗ କରା ଯାଇଥିଲା । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୫୦ ଲେଖା ପରିବାର ସାମିଲ ହୋଇଥିଲେ । ୭୧ ପରିବାରକୁ ସ୍ୱଳ୍ପ ମୂଲ୍ୟରେ ୨୦୦ ଏଲଇଡି ବଲ୍ବ ଯୋଗାଇ ଦିଆ ଯାଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଦିଲ୍ଲୀରେ ଓ ଭୁବନେଶ୍ୱରରେ ସରକାରମାନେ ଥିଲେ । ମାତ୍ର ମୋଦି ସରକାର ପରି ଗାଁର ଗରୀବ ଲୋକମାନଙ୍କ କଥା କିଏ ଚିନ୍ତା କରୁ ନ ଥିଲେ । ଘରେ ପାଇଖାନା ପହଂଚିବା, ବିଜୁଳି ପହଂଚିବା, ରୋଷେଇ ଗ୍ୟାସ ପହଂଚିବା, ଶସ୍ୟ ବୀମା ମିଳିବା, ସବୁ ରୋଗ ପାଇଁ ଟୀକା ବ୍ୟବସ୍ଥା କରିବା, ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ବୀମା ମୋଦି ସରକାର ହିଁ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଦେଶର ପ୍ରଧାନ ସେବକ । ଓଡିଆ ଭାଷାରେ ପ୍ରଧାନ ହଳିଆ । ପ୍ରଧାନମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ହଳିଆ ଭାବେ ପ୍ରଜାତନ୍ତ୍ରରେ ମାଲିକ ଜନସାଧାରଣଙ୍କୁ ହିସାବ ଦେବାକୁ ଆସିଛନ୍ତି । ଯଦି କେଉଁ କାମ ଘରେ ପହଂଚି ନାହିଁ ତାକୁ ପହଂଚାଯିବା ପାଇଁ ବ୍ୟବସ୍ଥା କରା ଯିିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share :