ଏମିତି ବି ହୋଇପାରେ!

ଏମିତି ବି ହୋଇପାରେ!

Share :

ଦେବେନ୍ଦ୍ର ପୃଷ୍ଟି ଏମିତି ବି ହୋଇପାରେ । କାରଣ ଏମିତି ବି ହୋଇଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ଯେଉଁ କାରଣରୁ ପିସିସି ସଭାପତି ପଦ ହରେଇଥିଲେ ନିରଂଜନ ୨୦୧୯ ନିର୍ବାଚନ ପୂର୍ବରୁ ଠିକ ସେହି କାରଣରୁ ସେହି ପଦ ଫେରି ପାଇଛନ୍ତି ସେ । କାରଣ ହେଉଛି ବିଜେଡି । ବିଜେଡିର ସ୍ୱାର୍ଥ ପାଇଁ ଏପରି ହୋଇଥାଇପାରେ । ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିରଂଜନ ପଟ୍ଟନାୟକ ଦଳକୁ ଶକ୍ତିଶାଳୀ କରିଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିଲା । ନବୀନଙ୍କ ବିଜେଡିକୁ ୨୦୧୪ ନିର୍ବାଚନରେ ପାଣି ପିଆଇବା ଶକ୍ତି ଓ ସଂଗଠନ ଏକଜୁଟ କରିଥିଲେ ନିରଂଜନ । ତାଙ୍କ ରଣକୌଶଳ ଯୋଗୁଁ ତଳୁ ଉପର ଯାଏଁ କଂଗ୍ରେସ କର୍ମୀ ଓ ନେତାଙ୍କ ମହଲରେ ଗୋଟେ ପ୍ରକାର ନୂଆ ଉତ୍ସାହ ଓ ଉଦ୍ଧିପନା ଆସିଯାଇଥିଲା । ପରିବର୍ତ୍ତନର ସ୍ଲୋଗାନ ଦେଇ ସେ ବିଜେଡିକୁ ମୁକାବିଲା କରିବା ନିମନ୍ତେ ଶକ୍ତି, ସାମର୍ଥ୍ୟ ଓ ସୈନ୍ୟସାମନ୍ତ ଯୋଗାଡ଼ କରିସାରିଥିଲେ । ଠିକ ସେତିକି ବେଳେ ତାଙ୍କୁ ବହିଷ୍କାର କରାଗଲା, କୌଣସି କାରଣ ନଥାଇ । ତାଙ୍କ ପରେ ଦାୟିତ୍ୱ ନେଲେ ଜୟଦେବ ଜେନା । ଦାୟିତ୍ୱ ନେବା ସମୟରେ ଜୟଦେବ କହୁ କହୁ କହିପକାଇଲେ, ମୋତେ ନବୀନ ପଟ୍ଟନାୟକ କାଢ଼ିଥିଲେ । ସେହି ସଭାରେ ନିରଂଜନଙ୍କ ଉତ୍ତର ଥିଲା, ତେବେ ମୋତେ କିଏ କାଢ଼ିଲେ? ଏ ବିଷୟ ସେତେବେଳେ ଗଣମାଧ୍ୟମ ଓ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । କଂଗ୍ରେସ କର୍ମୀ ଓ ଲୋକଙ୍କ ମନରେ ଗୋଟେ ଧାରଣା ସୃଷ୍ଟି ହୋଇଥିଲା ଯେ ଜାତୀୟ କଂଗ୍ରେସରେ ଥିôବା ନିଜ ବନ୍ଧୁମାନଙ୍କ ଜରିଆରେ ନବୀନବାବୁ ପ୍ରଦେଶ କଂଗ୍ରେସକୁ ନିୟନ୍ତ୍ରଣରେ ରଖିଛନ୍ତି । ୨୦୦୪-୨୦୧୪ ଉପା ସରକାରଙ୍କ କଂଗ୍ରେସ ମନ୍ତ୍ରୀମାନେ ଓଡ଼ିଶାରେ ଗସ୍ତରେ ଆସିଥିବାବେଳେ ନବୀନଙ୍କ ଭୂରି ଭୂରି ପ୍ରଶଂସା କରିବା ଏହି ଧାରଣାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲା । ୨୦୦୯ ମସିହାରେ କନ୍ଧମାଳ ଦଙ୍ଗା ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ରାଜନୀତିକ ପରିସ୍ଥିତି ରାଷ୍ଟ୍ରପତି ଶାସନ ପାଇଁ ଅନୁକୂଳ ଥିଲେ ମଧ୍ୟ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ତାହା ନକରି ନବୀନବାବୁଙ୍କ ବିଜୟ ପାଇଁ ପଥ ପରିଷ୍କାର କରିଦେଇଥିଲେ । ୨୦୧୩ ମସିହାରେ ଶାହା କମିଶନ ଓଡ଼ିଶା ଖଣି ଦୁର୍ନୀତି ନେଇ ସିବିଆଇ ତଦନ୍ତ ସୁପାରିଶ କରିଥିଲେ ମଧ୍ୟ ମନମୋହନ ସିଂହଙ୍କ ସରକାର ସେହି ନିଦେ୍ର୍ଧଶ ଦେଇ ନଥିଲେ । ୨୦୧୪ ନିର୍ବାଚନ ପରେ ଯଦି ଦରକାର ପଡେ଼ ଉପା-୩ ପାଇଁ ବିଜେଡିର ସମର୍ଥନ ଆବଶ୍ୟକ ପଡ଼ିପାରେ ଏବଂ ନବୀନବାବୁ ତାହା ଯୋଗେଇଦେବେ ଆଶାରେ ହୁଏତ କଂଗ୍ରେସ ହାଇକମାଣ୍ଡ ତାଙ୍କ ବିରୋଧରେ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ । କେହି ଦାବି କରି ନଥିଲେ ମଧ୍ୟ ନିରଂଜନକୁ ସଭାପତି ପଦରୁ ହଟାଇ ଦିଆଯାଇଥିଲା । ଏହିପରି ଭାବେ ଉପା ସରକାରର ଅନେକ ରାଜନୀତିକ ନିଷ୍ପତ୍ତି ଓ ଉଚ୍ଚାରଣ ଓଡ଼ିଶାରେ ନବୀନ ସରକାରଙ୍କ ସପକ୍ଷରେ ଯାଇଥିଲା । ଏହା ସହିତ ନିରଂଜନ ପଟ୍ଟନାୟକଙ୍କ ପ୍ରଥମ ଦଫା ବ୍ୟତିତ ଅନ୍ୟ ସଭାପତିମାନଙ୍କ ସମୟରେ ବିଜେଡି ସରକାର ବିରୋଧରେ କଂଗ୍ରେସ ଦଳ ଶକ୍ତିଶାଳୀ ଆକ୍ରମଣ ନକରିବା ମଧ୍ୟ ଏହି ଧାରଣାକୁ ଦୃଢ଼ୀଭୂତ କରିଥିଲା । ଏବେ ବର୍ଷାଧିକ କାଳ ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ପାଇଁ କଂଗ୍ରେସର ତଳୁ ଉପର ଯାଏଁ ସମସ୍ତେ ଦାବି କରି ଆସୁଥିଲେ ମଧ୍ୟ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ହଟାଉ ନଥିଲେ କି ଦାବି ଅନୁସାରେ ନିରଂଜନଙ୍କୁ ସଭାପତି କରୁ ନଥିଲେ । ଶେଷରେ ଜଣକ ପରେ ଜଣେ ଅନେକ କଂଗ୍ରେସ ନେତା ଦଳ ଛାଡ଼ି ବିଜେଡିରେ ଯୋଗଦେବା ପରେ କଂଗ୍ରେସ ହାଇକମାଣ୍ଡ ନିରଂଜନଙ୍କୁ ସଭାପତି ପଦରେ ନିଯୁକ୍ତ କରିଛନ୍ତି । ତେବେ ଏହା ପଛରେ ନବୀନଙ୍କ ପରାସ୍ତ କରିବା ଉଦେ୍ଧଶ୍ୟ ଅପେକ୍ଷା ବିଜେପିକୁ ଅଟକାଇବା ଉଦେ୍ଧଶ୍ୟ ଅଧିକ ଥାଇପାରେ ବୋଲି ରାଜନୀତିକ ମହଲର ଆକଳନ କରୁଛନ୍ତି । ଜାତୀୟ ରାଜନୀତିରେ କଂଗ୍ରେସ ଓ ବିଜେପି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ । ୨୦୧୪ ନିର୍ବାଚନରେ କଂଗ୍ରେସମୁକ୍ତ ଭାରତର ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେକୌଣସି ପ୍ରକାରେ ଅଟକାଇବାକୁ ଚାହୁଁଛି କଂଗ୍ରେସ । ସେହିପରି ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ଯେପରି କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦୁଇ ନମ୍ବର ଦଳ ହୋଇଯାଇଛି ତାହା ମଧ୍ୟ କଂଗ୍ରେସ ପାଇଁ ଅପମାନଜନକ ବୋଧ ହୋଇଛି । ଏହି ପରିବର୍ତ୍ତିତ ରାଜନୀତିକ ସ୍ଥିତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଆତଙ୍କିତ କରିଥାଇପାରେ । ତେଣୁ ସେ ନିଜର ଶକ୍ତିବୃଦ୍ଧି କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ନେତାମାନଙ୍କୁ ବିଜେଡିକୁ ସ୍ୱାଗତ କରିବାରେ ଲାଗିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିଜେଡି ସରକାର ବିରୋଧରେ ଯେପରି ଆକ୍ରମଣାତ୍ମକ ଅଭିଯାନ ଚଳେଇଛନ୍ତି ସେଥିରେ ବିଜେଡି ନେତୃତ୍ୱ ବିଚଳିତ ହେବା ସ୍ୱାଭାବିକ । ସେହିପରି ମୋଦିଙ୍କ କଂଗ୍ରେସମୁକ୍ତ ଭାରତ ଡାକରାକୁ ଓଡ଼ିଶାରେ ସାକାର କରିବାରେ ଲାଗିଥିବା ବିଜେଡି ନେତୃତ୍ୱ ବିଜେପିର ଉତ୍ଥାନରେ କୌଶଳ ପରିବର୍ତ୍ତନ କରିବାର ଆବଶ୍ୟକତା ଅନୁଭବ କରିବା ମଧ୍ୟ ସ୍ୱାଭାବିକ । କାରଣ କଂଗ୍ରେସ ସଂପୂର୍ଣ୍ଣ ଦୁର୍ବଳ ହୋଇଗଲେ ରାଜ୍ୟର ଅଧିକାଂଶ ଆସନରେ ବିଜେଡି ବନାମ ବିଜେପି ଲଢେ଼ଇ ହେବା ନିଶ୍ଚିତ । ରାଜ୍ୟରେ ଦ୍ୱିମୁଖୀ ଲଢେ଼ଇ ହେଲେ ବିଜେଡିର ଅଧିକ କ୍ଷତିଗ୍ରସ୍ତ ହେବ । ଏହି ଆକଳନରେ ଅଣବିଜେଡି ଭୋଟ ଭାଗ ଭାଗ କରିବା ଉଦେ୍ଧଶ୍ୟରେ ଏଠାରେ ତ୍ରିମୁଖୀ ଲଢେ଼ଇ ବିଜେଡି ପାଇଁ ଲାଭଜନକ ହେବ ବୋଲି ଦଳୀୟ ନେତୃତ୍ୱ ବିଚାର କରିଥାଇ ପାରନ୍ତି । ତେଣୁ ଏକ ଶକ୍ତିଶାଳୀ କଂଗ୍ରେସ ପରୋକ୍ଷରେ ବିଜେଡି ପାଇଁ ବରଦାନ ହୋଇପାରେ । କଂଗ୍ରେସ ଓ ବିଜେପି ଯଦି ସତ୍ତା ବିରୋଧୀ ଏବଂ ଅଣବିଜେଡି ଭୋଟକୁ ନିଜନିଜ ମଧ୍ୟରେ ବାଣ୍ଟି ନିଅନ୍ତି ତେବେ ଦ୍ୱୟଂ ବିବାଦେନ ତୃତୀୟସ୍ୟ ଲାଭ ନୀତିରେ ବିଜେଡି ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରିବା ସହଜ ହେବ । ଏହି ଆକଳନରେ ହୁଏତ କଂଗ୍ରେସ ଶକ୍ତିଶାଳୀ ହେଉ ବୋଲି ଚାହିଁଥାଇ ପାରନ୍ତି ନବୀନ ପଟ୍ଟନାୟକ । ତେଣେ ନିଜକୁ ନିଷ୍କଣ୍ଟକ କରିବା ପାଇଁ ମଧ୍ୟ ପୂର୍ବରୁ ସେ କଂଗ୍ରେସ ଅନେକ ନେତାଙ୍କୁ ନବୀନ ନିବାସରେ ସ୍ୱାଗତ କରିସାରିଛନ୍ତି । ତାଙ୍କର ଏହି ରାଜନୀତିକ କୌଶଳକୁ ନିରଂଜନ ଓ ତାଙ୍କର ନୂଆ ଟିମ୍ ବୁଝିଛି କି ନାହିଁ ତାହା ସମୟ କହିବ ।

Share :