ଶିଳ୍ପ ଜଗତ ସନ୍ତୁଷ୍ଟ କି?

ଶିଳ୍ପ ଜଗତ ସନ୍ତୁଷ୍ଟ କି?

Share :

ରାଜ୍ୟ ସରକାରଙ୍କର ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଭାଗିଦାରୀରୁ ଭାରତୀୟ ଶିଳ୍ପ ମହାସଂଘ ଓହରିଯିବା ପ୍ରସଙ୍ଗରେ ଓଡ଼ିଶାର ଶିଳ୍ପମନ୍ତ୍ରୀ୍ୱି ଶିଳ୍ପ ସଚିବ ଏଯାଏଁ କିଛି କହି ନାହାନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛି ମନ୍ତବ୍ୟ ଦେଇ ନାହାନ୍ତି । କିନ୍ତୁ ବିଜୁ ଜନତା ଦଳର ଦୁଇ ଜଣ ମୁଖପାତ୍ର ଏନେଇ ଦି’ ଦି’ ଥର ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଜଣେ ଶିଳ୍ପପତି ଜାଗି ମଙ୍ଗତ ପଣ୍ଡାଙ୍କ ଷଡ଼ଯନ୍ତ୍ର ଥିବା ଇଙ୍ଗିତ କରିଛନ୍ତି । ବିଜେଡି ମୁଖାପାତ୍ରମାନଙ୍କ ଦାବି ଅନୁସାରେ ଓଟିଭି ମୁଖ୍ୟ ଜାଙ୍ଗି ମଙ୍ଗତ ପଣ୍ଡା ହେଉଛନ୍ତି ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ । ସେ ମଧ୍ୟ ଭାରତୀୟ ଶିଳ୍ପ ମହାସଙ୍ଘ ବା ସିଆଇଆଇର ପୂର୍ବାଂଚଳ ସଭାପତି । ସେ ନିଜ ସ୍ୱାମୀଙ୍କ ପାଇଁ ପ୍ରତିଶୋଧ ନେବାକୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇକୁ ଓହରାଇ ନେଇଥିବା ସନେ୍ଦହ କରାଯାଏ । ଏହାର ପ୍ରତିବାଦରେ ଜାଗି ମଙ୍ଗତ ପଣ୍ଡା କହିଛନ୍ତି ସେ ହେଉଛନ୍ତି ପୂର୍ବାଂଚଳ ସଭାପତି, ଓଡ଼ିଶା ସିଆଇଆଇର ସଭାପତି ନୁହନ୍ତି । ଓଡ଼ିଶା ସିଆଇଆଇ କାହିଁକି ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ଓହରିଲା ତାହା ସେ ଜାଣିନାହାନ୍ତି । ସେନେଇ ଓଡ଼ିଶା ସରକାର ସିଆଇଆଇର ଓଡ଼ିଶା କର୍ମକର୍ତ୍ତା କିମ୍ବା ଜାତୀୟ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିବା କଥା । ତା’ ନକରି ସେମାନେ ମୋତେ କାହିଁକି ସେମାନଙ୍କ ରାଜନୀତି ଭିତରକୁ ଟାଣୁଛନ୍ତି? ଏହା ସହିତ ସେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ପାଇଁ କାମ କରିବେ ବୋଲି କହିଛନ୍ତି । ବିଜେଡିର ମୁଖପାତ୍ର ଓ ଜାଗି ମଙ୍ଗତ ପଣ୍ଡାଙ୍କ କଥାରୁ ଗୋଟିଏ ବିଷୟ ସ୍ପଷ୍ଟ ଯେ ଓଡ଼ିଶା ସିଆଇଆଇ ଏବର୍ଷ ମେକ୍ ଇନ୍ ଓଡ଼ିଶାର ଭାଗିଦାର ହେଉନାହିଁ । ଇତିମଧ୍ୟରେ ଓଡ଼ିଶା ସିଆଇଆଇ ଦୁଇ ଜଣ କର୍ମକର୍ତ୍ତା ଅରୁଣ ମିଶ୍ର ଓ ସୁବ୍ରତ ତ୍ରିପାଠୀଙ୍କ ଇସ୍ତଫାରୁ ମଧ୍ୟ ଏକଥା ସ୍ପଷ୍ଟ ହୋଇଯାଇଛି । ଅରୁଣ ମିଶ୍ର ଟାଟାର ଗୋପାଳପୁର ପ୍ରକଳ୍ପ ଦାୟିତ୍ୱରେ ଅଛନ୍ତି ଓ ସୁବ୍ରତ ତ୍ରିପାଠୀ ଆଦାନୀ ଗୋଷ୍ଠୀ ଧାମରା ବନ୍ଦର ଦାୟିତ୍ୱରେ । ସେମାନେ କିନ୍ତୁ କହି ନାହାନ୍ତି ଯେ ଜାଗି ମଙ୍ଗତ ପଣ୍ଡା ବା ପୂର୍ବାଂଚଳ ସିଆଇଆଇ କର୍ମକର୍ତ୍ତାଙ୍କ ପାଇଁ ଓଡ଼ିଶା ସିଆଇଆଇ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ଓହରିଗଲା ବୋଲି । ତେବେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ କାହିଁକି ଓହରିଲା ସିଆଇଆଇ? ଏହାର ସ୍ପଷ୍ଟ କାରଣ ସିଆଇଆଇ ପକ୍ଷରୁ ପ୍ରେସ ବିବୃତି ଜରିଆରେ ପ୍ରକାଶ କରାଯାଇ ନାହିଁ କିମ୍ବା ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ କିଛି ପ୍ରଘଟ କରାଯାଇ ନାହିଁ । ବାସ୍ତବରେ ଅନୁଶୀଳନ କଲେ ଓଡ଼ିଶାରେ ଗତ ୧୮ ବର୍ଷ ଧରି ଚାଲିଥିବା ଦ୍ରୁତ ଶିଳ୍ପାୟନ ନେଇ ସାମୂହିକ ଭାବେ ଶିଳ୍ପ ଜଗତ ଅସନ୍ତୁଷ୍ଟ । ରାଜ୍ୟ ସରକାରଙ୍କ ସହଯୋଗ ନପାଇ ଆର୍ସେଲର ମିତ୍ତଲ କେନ୍ଦୁଝର ପାଟଣାରେ ପ୍ରତିଷ୍ଠା କରିବାକୁ ଥିବା ରାଜ୍ୟର ସର୍ବବୃହତ ଇସ୍ପାତ କାରଖାନା ପ୍ରକଳ୍ପରୁ ଓହରି ଯାଇଛି । ସମାନ ପ୍ରକାର ଅଭିଯୋଗରେ ବିଶ୍ୱର ଅନ୍ୟତମ ବୃହତ ଇସ୍ପାତ କମ୍ପାନୀ ପୋସ୍କୋ ମଧ୍ୟ ତାହାର ପାରାଦୀପ ପ୍ରକଳ୍ପ ବନ୍ଦ କରିସାରିଛି । ଖୋଦ ରାଜ୍ୟ ସରକାରଙ୍କ ଆଇନ ବିରୋଧୀ ଓ ଅଡ଼ୁଆ ନିଷ୍ପତ୍ତି ଯୋଗୁଁ ବେଦାନ୍ତ ଗୋଷ୍ଠୀକୁ ବକ୍ସାଇଟ ମିଳୁନାହିଁ । ତେଣୁ ସେହି କମ୍ପାନୀକୁ ବିଭିନ୍ନ ପ୍ରକାରେ ସନ୍ତୁଷ୍ଟ କରିବାକୁ ସରକାର ଚେଷ୍ଟା ଚଳେଇଛନ୍ତି । ଯାଜପୁର କଳିଙ୍ଗନଗରରେ ଖୋଲିଥିବା ୧୩ ଇସ୍ପାତ କାରଖାନାରୁ ପ୍ରାୟ ୯ଟି ବନ୍ଦ ହେବା ଅବସ୍ଥାରେ । ଅନେକ ଲୋକଙ୍କ ମୃତୁ୍ୟର କାରଣ ହେବା ଏବଂ ଅନେକ ଖଣିଜ ହଡ଼ପ କରିବା ପରେ କ୍ଷତି ଦର୍ଶାଇ ଭୂଷଣ କାରଖାନା ବିକ୍ରି ହେବା ଉପରେ । ଟାଟା ଗୋଷ୍ଠୀ ଏହାକୁ କିଣିବା ପାଇଁ ମୂଲଚାଲ ଛିଡ଼ାଇଛି । କଳିଙ୍ଗନଗରର ବିଆରପିଏଲ ମଧ୍ୟ ବିକ୍ରି ହେଉଛି । ଅସ୍ତରଙ୍ଗ ନବଜ୍ୟୋତି ବନ୍ଦର କାମ ଆରମ୍ଭ ହୋଇପାରି ନାହିଁ । ଚୌଦ୍ୱାରରେ ସାଇକେଲ କାରଖାନାର ନାଁ ଗନ୍ଧ ନାହିଁ । ବିଜୁବାବୁଙ୍କ ସ୍ୱପ୍ନର ଓଟିଏମ ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ପରଠୁଁ ବନ୍ଦ । ଓଡ଼ିଆ ଶିଳ୍ପ ଗୋଷ୍ଠୀ ଆରଏସବିର ଆଲୁମିନା କାରଖାନାକୁ ଜମି କି ଖଣି ନମିଳିବାରୁ ସେ ପ୍ରକଳ୍ପ ଇଞ୍ଚେ ବି ଆଗେଇନାହିଁ । ଏହିପରି ଭାବେ ଦେଖିଲେ ନବୀନବାବୁଙ୍କ ସରକାର ଗଲା ୧୮ ବର୍ଷ ଭିତରେ ଯେତେ ଶିଳ୍ପଗୋଷ୍ଠୀ ସହିତ ବୁଝାମଣା କରିଛନ୍ତି ସେଥିରୁ ୫୦ ପ୍ରତିଶତ ବି କାର୍ଯ୍ୟକ୍ଷମ ହୋଇନାହିଁ । ବନ୍ଦର, ତାପଜ ବିଦୁ୍ୟତ, ଇସ୍ପାତ, ଆଲୁମିନିୟମ, ଟାଇଟାନିୟମ, ଜ୍ୱେଲାରି ପାର୍କ ଆଦି ଅନେକ କ୍ଷେତ୍ରରେ ଅନେକ ବିଫଳତା । ଖଣି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଓ ବେଆଇନ କାମ ଯୋଗୁଁ ସେହି କ୍ଷେତ୍ର ମଧ୍ୟ ଆଇନ ଅଦାଲତରେ ଛନ୍ଦି ହୋଇ ପ୍ରଭାବିତ । କପଡ଼ା, ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଔଷଧ- କେଉଁ ପ୍ରକାରର ଶିଳ୍ପ ଓଡ଼ିଶାରେ ସଫଳ ହୋଇଛି? ଯେଉଁମାନେ ସଫଳ ହୋଇଛନ୍ତି ବୋଲି ଦାବି କରୁଛନ୍ତି ସେମାନଙ୍କ ଲାଭର ସୂତ୍ର କ’ଣ? ଖଣିଜ ପଦାର୍ଥ ହେରାଫେରି ନା ଆଉ କିଛି? ରାଜ୍ୟ ସରକାର ପୂର୍ବରୁ ଯେତେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ କରିଛନ୍ତି ସେଥିରୁ କେତେ ଶିକ୍ଷିତ ବେକାର ନିଯୁକ୍ତି ସୁଯୋଗ ଲାଭ କରିଛନ୍ତି? କେତେ ପୁଂଜି ନିବେଶ ହୋଇଛି? କେତେ ଉପôାଦନ ହେଲାଣି? କେତେ ବିଦେଶୀ ମୁଦ୍ରା ଅର୍ଜନ କଲାଣି ଓଡ଼ିଶା? କେତେ ବିଦୁ୍ୟତ ବଳକା ହେଲାଣି ଓ କେତେ ଘରକୁ ବିଜୁଳି ଓ ପାଣି ସୁବିଧା ଦିଆଗଲାଣି? ଶିଳ୍ପାୟନରୁ ରାଜ୍ୟ ରାଜକୋଷ କେତେ ଭରିଛି? ଓଡ଼ିଶାର ଋଣବୋଝ କେତେ କମିଛି? ଏମିତି ଅନେକ ପ୍ରଶ୍ନ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ହୋଇଥିଲାବେଳେ ସିଆଇଆଇ କାହିଁକି ଚଳିତ ବର୍ଷର ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ଓହରି ଯାଇଛି ତାହାର ଗଭୀର ତର୍ଜମା ହେବା ଆବଶ୍ୟକ । ସେଥିରେ ଜାଗି ମଙ୍ଗତ ପଣ୍ଡା ବା ବୈଜୟନ୍ତ ପଣ୍ଡାଙ୍କ ଭୂମିକା କ’ଣ ତାହାର ତଦନ୍ତ ହେଉ । ସେଥିପାଇଁ କିଏ ମନା କରୁଛି? ଯଦି ବି ଜାଗି କି ବୈଜୟନ୍ତ ଏକଲା ଓଡ଼ିଶା ସରକାରଙ୍କର ଏପରି ଏକ ଉଦ୍ୟମକୁ ଭଣ୍ଡୁର କରିପାରୁଛନ୍ତି ତେବେ କ’ଣ ଏଇଆ ବୁଝିବା ନବୀନବାବୁଙ୍କ ତୁଳନାରେ ବୈଜୟନ୍ତଙ୍କ ପ୍ରଭାବ ଓ ପତିଆରା ଅଧିକ? ନବୀନବାବୁ ୧୮ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଥାଇ ଓଡ଼ିଶାର ନେତୃତ୍ୱ ନେବାକୁ କେତେ ଯୋଗ୍ୟ?

Share :