ଦୁଃଖକଥାର ନାଁ ଆସିଫା

ଦୁଃଖକଥାର ନାଁ ଆସିଫା

Share :

ଜ୍ୟୋତି ନନ୍ଦ (ଏହି ତଥ୍ୟଟି ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରାହୁଲ ପଣ୍ଡିତଙ୍କ ଏକ ଲେଖାରୁ ଗୃହୀତ। ତେଣୁ ଏଇ ଲେଖାଟିରେ ମୋର ମୌଳିକତା ନାହିଁ। ଶ୍ରୀଯୁକ୍ତ ପଣ୍ଡିତଙ୍କ ଏଇ ଲେଖାଟି ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମନେ ହେଲା। ତେଣୁ ଅନୁସରଣ କରିବାକୁ ଆଗ୍ରହ ପ୍ରକାଶ କରିଛି।) ଏଇ କିଛିଦିନ ହେଲା ଆଠ ବର୍ଷ ବୟସର ଜାମ୍ମୁରେ ରହୁଥିବା ଆସିଫା ବାନୁ ବୋଲି ଝିଅଟିକୁ କିଛି ନରରାକ୍ଷସ ପ୍ରାୟ ସାତ ଦିନ କାଳ ଗୋଟିଏ ମଂଦିରରେ ଅବରୁଦ୍ଧ କରି ରଖି ବଳାତ୍କାର କଲେ ଓ ଶେଷରେ ତାହାକୁ ତଣ୍ଟିଚିପି ହତ୍ୟା କରିଥିଲେ। ଆସିଫା ହେଉଛି ଗୁଜର-ବାକରାଲା ବୋଲି ଗୋଟିଏ ମୁସଲମାନ ଯାଯାବର ସଂପ୍ରଦାୟର ଝିଅ। ସେହି ଯାଯାବର ସଂପ୍ରଦାୟ ସାଧାରଣତଃ ଘୋଡା ଆଉ ଛେଳି ପାଳନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ପଶୁପାଳନ ନିମନ୍ତେ ଚାରଣଭୂମି ଆଉ ଜଂଗଲର ଅଧିକାର କାରଣରୁ ଏଇ ଯାଯାବର ମୁସଲମାନ ସଂପ୍ରଦାୟକୁ ଜାମ୍ମୁ ଭଳି ଏକ ହିନ୍ଦୁ ବହୁଳ ଅଂଚଳରେ ପ୍ରାୟ ବିରୋଧ କରାଯାଉଥିଲା ଏବଂ ଏହି ବିରୋଧଟିକୁ ହିନ୍ଦୁ-ମୁସଲମାନ ବିଦ୍ବେଷରେ ପରିଣତ କରାଯାଇ ଗୋଟିଏ ଦଳର ରାଜନୈତିକ ସ୍ବାର୍ଥ ସାଧନରେ ବ୍ୟବହାର କରାଯାଉଥିଲା। ମହମଦ ୟୁସୁଫ୍ ପୂଜାଲା ବୋଲି ସେହି ଯାଯାବର ଗୁଜର-ବାକରାଲା ସଂପ୍ରଦାୟର ଜଣେ ସଦସ୍ୟଙ୍କର ଆଗରୁ ଦୁଇଟି ଝିଅ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିଥିବାରୁ ସେ ନିଜର ଜଣେ ଆତ୍ମୀୟଙ୍କ ଝିଅ ଆସିଫାକୁ ପାଳିତା ଝିଅ କରିନେଇଥିଲେ। ଆସିଫା ସେଇ ପରିବାରର ଆଖିର ମଣି ଥିଲା। ଷାଠିଏ ବର୍ଷ ବୟସର ଅବସରପ୍ରାପ୍ତ ଅଫିସର ଜଣେ ନିଜର ପୁଅ ସହ ଆଉ ଚାରିଜଣଙ୍କ ସହାୟତାରେ ଆସିଫାକୁ ଅପହରଣ କରି ଗୋଟିଏ ମଂଦିରରେ ଅବରୁଦ୍ଧ କରି ରଖିଥିଲା। ସେଇ ମଂଦିରରେ ସେହି ନରରାକ୍ଷସ ସହ ଆଉ ସମସ୍ତେ ସାତଦିନ ଧରି ନିୟମିତ ସେଇ କୋମଳମତୀ ନିଷ୍ପାପ ବାଳିକାଟିକୁ ଗଣଧର୍ଷଣ କରି ଚାଲିଲେ। ସେ ଯେମିତି ଚିତକାର କରିପାରିବ ନାହିଁ ସେଇଥିପାଇଁ ତାହାକୁ ନିଶାଗ୍ରସ୍ତ କରି ରଖୁଥିଲେ। ଗତ ଜାନୁଆରୀ ମାସର ଦଶରୁ ସତର ତାରିଖ ଭିତରେ ଏଇ ପୈଶାଚିକ କାଣ୍ଡ ଚାଲିଥିଲା। ଶେଷରେ ସେମାନେ ଆସିଫାକୁ ତଣ୍ଟିଚିପି ହତ୍ୟା କରିଦେଲେ। ଏଇ ଘଟଣା ପଛରେ ଯେଉଁ ନାରକୀୟ ବର୍ବରତା ରହିଛି ତାହାର ଉଦ୍ଦେଶ୍ୟ ହେଉଛି ଏହି ପ୍ରକାରର ସଂତ୍ରାସ ଦେଖାଇ ଏଇ ଯାଯାବର ଦଳକୁ ଜାମ୍ମୁରୁ ବିତାଡିତ କରିବା। ଜାମ୍ମୁରେ ଏଇ ଘଟଣାଟି କୌଣସି ସଂବାଦପତ୍ରରେ ବାହାରିଲା ନାହିଁ। ଏହା ଏକ ସାମାନ୍ୟ ଜମିବିବାଦ ବୋଲି କହି ଚାପି ଦିଆଗଲା। ଆସିଫାର ଧର୍ଷିତା ଶରୀର ସହ ଯେତେବେଳେ ତାହାର ହତଭାଗ୍ୟ ପିତା ନିଜର କିଣା ଏକ ଜମିରେ କବରଦେବା ପାଇଁ ପହଂଚିଥିଲେ ହଠାତ୍ ଦଳେ ହିନ୍ଦୁ ଦକ୍ଷିଣପନ୍ଥୀ ସେଠାରେ ତାହାର ବିରୋଧ କଲେ। ଫଳରେ ଆସିଫାର ବାପା ଓ ତାହାର ଆତ୍ମୀୟମାନେ ଶବ ସହ ପ୍ରାୟ ସାତ କିଲୋମିଟର ଚାଲି ଚାଲି ଶେଷରେ ତାହାକୁ ସୁପର୍ଦ୍ଦ-ଏ-ଖାକ୍ କରିଥିଲେ। ମାନବର ଇତିହାସରେ ଏହା ଏକ ବିରଳ ବର୍ବରତମ ଘଟଣା। ତଥାପି ଜାମ୍ମୁରେ କୌଣସି ପ୍ରତିକ୍ରୀୟା ନାହିଁ। ଘଟଣାଟି କାଶ୍ମୀରରୁ ପ୍ରସାରିତ ହୋଇ ଆମପାଖରେ ପହଂଚିଲା। ଆଉ ଘଟଣାଟି ଦେଶବ୍ୟାପୀ, କିଛି ଗୈରୀକପନ୍ଥୀଙ୍କୁ ବାଦଦେଇ, ସମସ୍ତଙ୍କୁ ଆଲୋଡିତ କରୁଛି। ଗୁଜର-ବାକରାଲା ବୋଲି ସେହି ଯାଯାବର ସଂପ୍ରଦାୟଟି ଅହିଂସକ ଓ ଭାରତବାଦୀ ବୋଲି ଖ୍ୟାତ। ୧୯୬୫ର କଥା। ମହମ୍ମଦ ଦିନ୍ ଜିଗର୍ ବୋଲି ଗୁଜର-ବାକରାଲା ସଂପ୍ରଦାୟର ଜଣେ ସମ୍ମାନୀତ ସଦସ୍ୟଙ୍କୁ ଦଳେ ଅଚିହ୍ନା ଲୋକ କାଶ୍ମୀରୀ ପୋଷାକ ଯୋଗାଇ ଦେବାକୁ କହିଥିଲେ। ଜିଗର ତାଙ୍କୁ ପ୍ରତିଶୃତି ଦେବାର ବାହାନା କରି କଥାଟିକୁ ଜାମ୍ମୁ ପୁଲିସ ଆଗରେ କହିଲେ। ଫଳରେ ଜାମ୍ମୁ ପୁଲିସ ଚଢାଉ କରି ସେହି ପାକିସ୍ଥାନ ଅନୁପ୍ରବେଶକାରୀ ଦଳକୁ ଧରି ସଂଭାବିତ ସଂତ୍ରାସକୁ ପଣ୍ଡ କରିଦେଇଥିଲା। ଏଇ କଥାରେ ଖୁସି ହୋଇ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇଂଦିରା ଗାନ୍ଧୀ ଜିଗରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବ୍ୟକ୍ତିଗତ ନିମନ୍ତ୍ରଣ ପାଇ ମହମ୍ମଦ ଦିନ୍ ଜିଗର୍ ତା’ଙ୍କୁ ସାକ୍ଷାତ କରିଥିଲେ। ସେହି ସାକ୍ଷାତକାର ବେଳେ ଜିଗରଙ୍କର କ’ଣ ଆବଶ୍ୟକ ବୋଲି ପଚରା ଯିବାରୁ ସେ ଦୁଇଟି କଥାର ଉଲ୍ଲେଖ କରିଥିଲେ। ପ୍ରଥମଟି ହେଉଛି ଗୋଟିଏ ଫିଲିପ୍ସ ଟ୍ରାଞ୍ଜିଷ୍ଟର ଆଉ ଦ୍ବିିତୀୟ କଥାଟି ଟିକିଏ ଜଟିଳ। ବିବାହ ପାଇଁ ନିଜର ପ୍ରେମିକାର ପିତାଙ୍କଠାରୁ ସମ୍ମତି। ପଦ୍ମଶ୍ରୀ ପାଇବାଦିନ ଜିଗରଙ୍କୁ ଗୋଟିଏ ଫିଲିପ୍ସ ଟ୍ରାଞ୍ଜିଷ୍ଟର ମିଳିଥିଲା ଆଉ କିଛି ଉଚ୍ଚପଦସ୍ଥ ଅଫିସର ଯାଇ ଜିଗରଙ୍କ ପ୍ରେମିକାର ବାପାଙ୍କୁ ବିବାହ ପାଇଁ ରାଜି କରାଇଥିଲେ। ପରେ ପ୍ରେମିକା ସହ ବିବାହ ହୋଇଥିଲା ଜିଗରଙ୍କର। ସବୁ କାହାଣୀରେ ରୂପକଥାର ସମାପ୍ତି ନଥାଏ। ୧୯୯୦ରେ ପାକିସ୍ଥାନୀ ସଂତ୍ରାସବାଦୀମାନେ ଜିଗରଙ୍କୁ ହତ୍ୟା କରିଥିଲେ। ଆଜି ଯଦି ୨୦୧୮ରେ ମହମ୍ମଦ ଦିନ୍ ଜିଗର ବଂଚିଥାନ୍ତେ ତେବେ ଆସିଫା ବାନୁର ନିର୍ମମ ଘଟଣା ପରେ ନିଶ୍ଚୟ ଅବଶୋଷ ପ୍ରକାଶ କରିଥାନ୍ତେ। ୧୯୬୫ରେ ସେ ଭୁଲ କରିଛନ୍ତି ବୋଲି ହୁଏତ ଭାବିଥାନ୍ତେ ଘଡିଏ। ସଂଲଗ୍ନ ଛବିଟି ଆଠବର୍ଷର ଝିଅ ଆସିଫା ବାନୁର। ତାହାର ନିଷ୍ପାପ ସୁନ୍ଦରପଣଟି ଏବେ ଆପଣଙ୍କୁ ବିଚଳିତ କରିପାରେ। ଆପଣମାନଙ୍କର ବିଚଳିତ ହେବାରେ ହୁଏତ ସୁରକ୍ଷିତ ହୋଇ ରହିପାରନ୍ତି ଭବିଷ୍ୟତର ଅସୁମାରୀ ଆସିଫା ବାନୁ। ନିଷ୍ପାପର ଜାତି ନାହିଁ। ରାକ୍ଷସର ଧର୍ମ ନାହିଁ।

Share :