Breaking News
ମୁଣ୍ଡ ପିଛା ୨୨ ହଜାର ଋଣ!

ମୁଣ୍ଡ ପିଛା ୨୨ ହଜାର ଋଣ!

ଏ ଋଣ କେଉଁ ମୁଖ୍ୟମନ୍ତ୍ରୀ ତାଙ୍କ ଜମିବାଡ଼ି ବିକି ଶୁଝିବେ ନାହିଁ । କେଉଁ ଅଫିସର ମଧ୍ୟ ଏହାକୁ ନିଜ ପେନସନ ଟଙ୍କାରୁ ପରିଶୋଧ କରିବେ ନାହିଁ । ଏ ବୋଝ ବୋହିବାକୁ ପଡ଼ିବ ଓଡ଼ିଶାର ଲୋକମାନଙ୍କୁ । ସେମାନେ ହିଁ କଡ଼ାଗଣ୍ଡା ହିସାବରେ ଏହା ପରିଶୋଧ କରିବେ, ଟିକସ ମାଧ୍ୟମରେ । ଏ ଋଣ ହେଉଛି ସରକାରୀ ଋଣ । ୨୦୦୦ ମସିହା ନିର୍ବାଚନବେଳେ ଓଡ଼ିଶାର ଋଣଭାର ଥିଲା ୧୮,୧୦୦ କୋଟି ଟଙ୍କା । ସେତେବେଳେ ନବୀନ ପଟ୍ଟନାୟକ ଓ ତାଙ୍କର ବିଜୁ ଜନତା ଦଳର ନେତାମାନେ ଗଳା ଫଟେଇ ଚିକ୍ରାର କରୁଥିଲେ କଂଗ୍ରେସ ସରକାର ଓଡ଼ିଆଙ୍କୁ ମଝି ଦରିଆରେ ଭସେଇଦେଲେ, ଋଣ ବୋଝରେ ବୁଡେ଼ଇ ଦେଲେ । ଏବେ ଏଇ ନବୀନ ପଟ୍ଟନାୟକଙ୍କ ଅମଳରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଋଣଭାର ୯୧,୯୪୩ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି । ଅର୍ଥାତ ୪.୨ କୋଟି ଲୋକଙ୍କ ମୁଣ୍ଡରେ ୯୨ ହଜାର କୋଟି ଟଙ୍କାର ଋଣବୋଝ । ମୁଣ୍ଡ ପିଛା ପଡ଼ୁଛି ପ୍ରାୟ ୨୧,୯୦୪ ଟଙ୍କା ବା ୨୨ ହଜାର ଟଙ୍କା । ଓଡ଼ିଶାର ଅଧିକାଂଶ ଲୋକଙ୍କର ବାର୍ଷିକ ଆୟ ବି ଏତେ ନୁହେଁ । ସରକାରୀ ହିସାବରେ ଓଡ଼ିଶାର ଚାଷୀଙ୍କ ମାସିକ ମୁଣ୍ଡ ପିଛା ଆୟ ହେଉଛି ୧୪୦୭ ଟଙ୍କା । ୨୦୦୦ ମସିହାରୁ ଏଇ ୧୮ ବର୍ଷ ଭିତରେ ଓଡ଼ିଶାର ଋଣ ବୋଝ ୫ ଗୁଣ ବୃଦ୍ଧି ପାଇଲାଣି । କିନ୍ତୁ ଏଇ ସମୟ ମଧ୍ୟରେ ଓଡ଼ିଆ ଚାଷୀଙ୍କ ଆୟ ୫ ଗୁଣ ବୃଦ୍ଧି ପାଇଛି କି? ଓଡ଼ିଆ କାରିଗରଙ୍କ ଆୟ ୫ ଗୁଣ ବୃଦ୍ଧି ପାଇଛି କି? ବେସରକାରୀ ଉଦ୍ୟୋଗରେ କାମ କରୁଥିବା ଓଡ଼ିଆଙ୍କ ଦରମା ୫ ଗୁଣ ବୃଦ୍ଧି ପାଇଛି କି? ଦିନ ମଜୁରିଆଙ୍କ ରୋଜଗାର ୫ ଗୁଣ ବୃଦ୍ଧି ପାଇଛି କି? ସମସ୍ତେ ଜାଣନ୍ତି ଏସବୁ ପ୍ରଶ୍ନର ଉତ୍ତର ନା । ଏମିତି କି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ସ୍ୱୀକାର କରିବେ । ତେବେ ଏହି ସମୟ ମଧ୍ୟରେ କାହାର ରୋଜଗାର ୫ ଗୁଣ ବୃଦ୍ଧି ପାଇଛି? ଗୋଟିଏ ଉତ୍ତର ସମସ୍ତେ ଦେବେ- ସରକାରୀ କର୍ମଚାରୀ । ଏହି ସମୟ ମଧ୍ୟରେ ଏକାଧିକ ବେତନ କମିଶନର ସୁପାରିଶ ଲାଗୁ ହୋଇଛି । ସରକାରୀ କର୍ମଚାରୀମାନଙ୍କର ଦରମା ଓ ଭତ୍ତା ୫ ଗୁଣ ବୃଦ୍ଧି ପାଇଛି । ଅଭିଯୋଗ ହୁଏ, ନବୀନବାବୁଙ୍କ ସରକାର ଏକ ଅମଲାତାନ୍ତ୍ରିକ ସରକାର । ଏ ସରକାର ପଛରେ ସରକାରୀ କର୍ମଚାରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲାପାଳ ଓ ଏସପିମାନେ କାଳେ ବିଜେଡିର ଜିଲ୍ଲା ମୁଖିଆ ଭାବେ କାମ କରନ୍ତି । ଏମିତିକି ତୃତୀୟ ମହଲା ଅଫିସର ମଧ୍ୟ ଦଳ ଓ ସରକାରକୁ ନିୟନ୍ତ୍ରଣ କରନ୍ତି । ଏଇ ବର୍ଗର ଲୋକମାନେ ହିଁ ଏ ଋଣର ସର୍ବାଧିକ ସୁଫଳ ପାଇଛନ୍ତି । ରାଜ୍ୟର ନିଜସ୍ୱ ଆୟ ୪୦ ହଜାର କୋଟି ଟଙ୍କାରୁ କମ । ଦରମା ଓ ଭତ୍ତା ବାବଦ ଖର୍ଚ୍ଚ ଏହାଠାରୁ ପ୍ରାୟ ୨ ହଜାର କୋଟି ଟଙ୍କା ଅଧିକ । କେନ୍ଦ୍ରୀୟ ଟିକସ ଅଂଶ ଓ ଅନୁଦାନ ନମିଳିଲେ ବିକାଶ କାର୍ଯ୍ୟ ଠପ । ଏମିତିକୁ ଆହାର ଓ ଟଙ୍କିକିଆ ଚାଉଳ ବି ମିଳିବା ମୁସ୍କିଲ । ଏହି କାରଣରୁ ଛତା, ଜୋତା, କମ୍ବଳ ଓ କାଠ ବଣ୍ଟା କାର୍ଯ୍ୟକ୍ରମ ପ୍ରାୟ ଏବେ ବନ୍ଦ । ହରିଶ୍ଚନ୍ଦ୍ର ହେବାକୁ ହେଲେ ନିଜକୁ ବିକିବାକୁ ପଡେ଼ । ଆମ ମୁଖ୍ୟମନ୍ତ୍ରୀ କେତେ ଥର ବିକ୍ରି ହେଲେଣି ତାହା ଲୋକେ ଜାଣିନାହାନ୍ତି । ଅବଶ୍ୟ ତାଙ୍କ ବାପା ବିଜୁବାବୁ କିଛି କିଛି ସଂପତ୍ତିି ବିକି ରାଜନୀତି କରିଥିଲେ । ୟାଙ୍କ ସଂପତ୍ତି ପରିମାଣ ବଢ଼ିବଢ଼ି ଚାଲିଛି । ୟାଙ୍କ ମନ୍ତ୍ରୀ ଓ ଅଫିସରମାନଙ୍କ ସଂପତ୍ତି ପରିମାଣ ମଧ୍ୟ ବଢ଼ିବଢ଼ି ଚାଲିଛି । ଯେମିତି ବଢ଼ି ଚାଲିଛି ରାଜ୍ୟର ଋଣବୋଝ । ୧୯୯୯-୨୦୦୦ ବର୍ଷରେ ରାଜ୍ୟର ଋଣ ଭାର ଥିଲା ୧୮,୧୦୦ କୋଟି ଟଙ୍କା । ୨୦୦୯-୧୦ ବେଳକୁ ଏହା ୩୭,୭୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୧୪-୧୫ ବର୍ଷରେ ଋଣ ପରିମାଣ ୪୩,୨୭୩ କୋଟି ଛୁଇଁଲା । ୨୦୧୭-୧୮ ଆର୍ଥିକ ବର୍ଷ ଶେଷରେ ଋଣ ପରିମାଣ ୭୬,୪୮୩ କୋଟି ଟଙ୍କାକୁ ଟପି ଯାଇଥିଲା । ୨୦୧୮-୧୯ ବର୍ଷର ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣ ଜିଏସଡିପି ବା ରାଜ୍ୟର ମୋଟ ଘରୋଇ ଉପôାଦର ୩.୪ ପ୍ରତିଶତ ହେବ ବୋଲି ହିସାବ ହୋଇଛି । ସେଥିପାଇଁ ସରକାରଙ୍କୁ ବିଭିନ୍ନ ସୂତ୍ରରୁ ପ୍ରାୟ ୧୬ ହଜାର କୋଟି ଟଙ୍କା ଋଣ କରିବାକୁ ପଡ଼ିବ । ଏହି ଋଣ ଏବେ ରାଜ୍ୟର ମୋଟ ଘରୋଇ ଉପôାଦର ୨୦.୭୩ ପ୍ରତିଶତ ବୋଲି ହିସାବ ହେଉଛି । ଅର୍ଥାତ ଓଡ଼ିଶାର ମୋଟ ସଂପତ୍ତିର ୫ ଭାଗରୁ ଭାଗେ ହେଉଛି ଋଣ । ଏ ଋଣ ସରକାରୀ ଦାୟିତ୍ୱରେ ଥିôବା ଲୋକମାନେ ଘରବାଡ଼ି ବିକି ପରିଶୋଧ କରନ୍ତି ନାହିଁ । ଏହା ଲୋକଙ୍କ ଟିକସ ଟଙ୍କାରୁ ପରିଶୋଧ ହୋଇଥାଏ । ଲୋକଙ୍କ ରୋଜଗାର ବଢ଼ିଲେ ସେମାନଙ୍କ ଉପରେ ଟିକସ ବୋଝ ବଢ଼ିଲେ ବି ବାଧେ ନାହିଁ । କିନ୍ତୁ ବିନା ରୋଜଗାରରେ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ଏତେ ଟିକସ ଦେବେ କୁଆଡ଼ୁ? ଅଧିକ ଟିକସ ଦେବା କେତେ ନ୍ୟାୟସଙ୍ଗତ?

Share :