ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ୬ ମାସରେ ଜବତ ହେଲାଣି ୧୨ କିଲୋ ସୁନା

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ୬ ମାସରେ ଜବତ ହେଲାଣି ୧୨ କିଲୋ ସୁନା

Share :

ପାଦ ତଳେ ସେଲୋ ଟେପ୍‍ ଗୁଡ଼ାଇ ୫ କେଜିରୁ ଉର୍ଦ୍ଧ ସୁନା ବିସ୍କୁଟ ଆଣୁଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ଓ ରାଜସ୍ୱ ଗୁଇନ୍ଦା ବିଭାଗ ୩ ଜଣ ଯାତ୍ରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ଜବତ କରିଛନ୍ତି । ଏହି ଯାତ୍ରୀମାନେ କୁଆଲାଲୁଂପୁରରୁ ଚୋରା ସୁନା ନେଇ ଏୟାର ଏସିଆ ବିମାନ ନମ୍ବର ଏକେ ୩୧ରେ ଭୁବନେଶ୍ୱରରେ ଅବତରଣ କରିଥିଲେ । ଏମାନେ ଏହି ଚୋରା ସୁନାକୁ କଟକ ଓ ଭୁବନେଶ୍ୱରର କେତେକ ସୁନା ବ୍ୟାବସାୟୀଙ୍କୁ ବିକ୍ରି କରିବାର ଯୋଜନାରେ ଥିବା ଜଣାପଡ଼ିଛି । ଗତ ୬ ମାସ ଭିତରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରାଜସ୍ୱ ଗୁଇନ୍ଦା ଗୁଇନ୍ଦା ଓ ଭାରତୀୟ କଷ୍ଟମ୍ସ ଭୁବନେଶ୍ୱର ଶାଖା ପକ୍ଷରୁ ଚଢଉ କରାଯାଇ ପ୍ରାୟ ୧୨ କେଜିର ସୁନା ଜବତ ହୋଇସାରିଲାଣି । ଏହାର ମୂଲ୍ୟ ୮ କୋଟି ଟଙ୍କାରୁ ଅଧିକ ହେବ । ଗତ ମେ ୪ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କଷ୍ଟମ୍ସ ବିଭାଗ ଦ୍ୱାରା ଜଣେ ଯାତ୍ରୀ ଟ୍ରଲି ବ୍ୟାଗର ହୁଇଲରେ ୯ ଲକ୍ଷ ୬୪ ହଜାର ଟଙ୍କାର ଚୋରା ସୁନା ଆଣୁଥିବାବେଳେ ଧରାପଡ଼ିଥିଲେ । ସେ ବି ଏୟାର ଏସିଆ (ଏଫଡି-୩୧୫ ଓ ଏକେ-୩୧) ବିମାନ ଯୋଗେ କୁଆଲାଲୁଂପୁରରୁ ଭୁବନେଶ୍ୱର ଆସିଥିଲେ । ଆଗରୁ ମଧ୍ୟ କଷ୍ଟମ ବିଭାଗ ୩୧.୩.୨୦୧୮ ବୁଧବାର ସନ୍ଧ୍ୟାରେ ୨ ଜଣ ଯାତ୍ରୀଙ୍କୁ ଯାଞ୍ଚ ବେଳେ ସେମାନଙ୍କ ଠାରୁ ୧୪୩ ଗ୍ରାମ ଓଜନର ୩ ଖଣ୍ଡ ସୁନା ଖାଡି ଜବତ ହୋଇଥିଲା । ସେହିପରି କିଛି ସୁନାରିଙ୍ଗ ମଧ୍ୟ ଜବତ ହୋଇଥିଲା । ଯାହାର ମୂଲ୍ୟ ପାଖାପାଖି ୧୨ ଲକ୍ଷ ୧ ହଜାର ୩୨୩ ଟଙ୍କା ହେବ । ସୀମାଶୁଳ୍କ ଅଧିକାରୀ ଓ ରାଜସ୍ୱ ଗୁଇନ୍ଦା ବିଭାଗ ସଂପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ଏମାନେ ଚୋରା ଚାଲଣକାରି ବୋଲି ସନେ୍ଦହ କରାଯାଉଛି । ସୀମାଶୁଳ୍କ ଅଧିକାରୀଙ୍କ ହେପାଜତରେ ଥିବା ଯାତ୍ରୀମାନେ ନୂଆଦିଲ୍ଲୀ, କୋଲକାତା ଓ କଟକର ବୋଲି ଜଣାପଡିଥିଲା । ସେହିପରି ୩୦. ୩.୧୮ ଦିନ ଭୁବନେଶ୍ୱର ବିମାନବନ୍ଦରରେ ଦୁଇ ଯାତ୍ରୀଙ୍କୁ କଷ୍ଟମ୍ସ ବିଭାଗ ଯାଂଚ କରିବାବେଳେ ସେମାନଙ୍କ ମଳଦ୍ୱାର ସ୍ଥାନରୁ ୧୫ଟି ଚୋରା ସୁନା ବିସ୍କୁଟ ମିଳିଥିଲା । ତା ସହ ୪ଟି ବ୍ଲାକ୍‍ ମେଟାଲ ଜବତ କରାଯାଇଥିଲା । ଏହାର ଓଜୋନ ୧୧୪୩.୩୮ ଗ୍ରାମ । ଏହାର ମୂଲ୍ୟ ୩୪ ଲକ୍ଷ ୯୦ ହଜାର ୮୧୬ ଟଙ୍କା । ସେହିପରି ତା’ର କିଛି ଦିନ ପୂର୍ବରୁ ଦୁଇ ଜଣ ଯାତ୍ରୀଙ୍କ ଠାରୁ ୪୦୦ ଗ୍ରାମର ଚୋରା ସୁନା ଜବତ ହୋଇଥିଲା । ଏହାର ମୂଲ୍ୟ ୧୮ ଲକ୍ଷ ଟଙ୍କା । ଗତ ୬ ମାସ ଭିତରେ ଏହିପରି ଭାବେ ଭୁବନେଶ୍ୱର ବିମାନ ବନ୍ଦରରୁ ୧୫ ଥର ସୁନା ଚୋରା ଚାଲାଣକାରୀଙ୍କୁ ଧରା ହେଲାଣି । ସେମାନଙ୍କଠାରୁ ୧୨ କେଜି ସୁନା ଜବତ ହୋଇସାରିଲାଣି । ଏହାର ମୂଲ୍ୟ ୮ କୋଟି ଟଙ୍କାରୁ ଅଧିକ ହେବ ।

Share :