ମରୁଡ଼ି ମିଛ ନା କୃଷି କର୍ମଣ ପୁରସ୍କାର?

ମରୁଡ଼ି ମିଛ ନା କୃଷି କର୍ମଣ ପୁରସ୍କାର?

Share :

ପ୍ରଚାର ଜାଲରେ ପଡ଼ି ଅନେକ ସମୟରେ ମଣିଷ ଲୁଚାଇ ପକାଇଥିବା ଭୁଲକୁ ନିଜେ ପଦାରେ ପକାଇ ଦିଏ | ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରୁ ବାଦ ପଡ଼ନ୍ତେ କିପରି ? ଏବେ ସେ ନିଜର କୃଷକବନ୍ଧୁ ଭାବମୂର୍ତ୍ତି ବୃଦ୍ଧି କରିବାକୁ ଯାଇଁ ନିଜ ସରକାରର ଦୁର୍ନତି ଓ ଜାଲିଆତିକୁ ମଧ୍ୟ ଛବି ମାଧ୍ୟମରେ ପଦାରେ ପକାଇ ଦେଇଛନ୍ତି | ଅବଶ୍ୟ ରାଜ୍ୟର ବହୁଧା ବିଭକ୍ତ ଓ ବୁଦ୍ଧିଶକ୍ତି ରହିତ ବିରୋଧୀ ଦଳ ଏହାକୁ ଅସ୍ତ୍ର କରି ନବୀନଙ୍କୁ କୋଣଠେସା କରିବାର ସମ୍ଭାବନା ଖୁବ କ୍ଷୀଣ | ଓଡ଼ିଶା ସରକାରଙ୍କର କୃଷି ବିରୋଧୀ ନୀତି ପାଇଁ ଦଶନ୍ଧି ଦଶନ୍ଧି ଧରି ରାଜ୍ୟର ସର୍ବାଧିକ ଲୋକଙ୍କର ଏହି ବୃତ୍ତି ଆର୍ଥିକ ଦୃଷ୍ଟିରୁ କ୍ରମଶଃ ଦୁର୍ବଳ ହୋଇ ଚାଲିଛି | ରାଜ୍ୟରେ ଶିଳ୍ପ ଓ ସହର ଭିତ୍ତିଭୂମି ବିକାଶ ଦିଗରେ ଯେତେ ଯାଜନା ଓ ଅଭିଯାନ ଚାଲିଛି କୃଷି ଭିତ୍ତିଭୂମି ବିକାଶ ଦିଗରେ ଆଦୌ ସେତିକି ଗୁରୁତ୍ବ ଦିଆଯାଇ ନାହିଁ | ବରଂ କୃଷି ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଓଡ଼ିଶା ସରକାର ଅନେକ ସମୟରେ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି | ନବୀନ ପଟ୍ଟନାୟକ ସରକାର ଏହି ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିଛନ୍ତି | ୟାଙ୍କ ସରକାର ୨୦୦୦ ମସିହାରେ ଶାସନ ଭାର ଗ୍ରହଣ କଲା ଦିନରୁ ଦ୍ରୁତ ଶିଳ୍ପାୟନ, ସହରାୟନ ଓ ବିକାଶର ସ୍ଲୋଗାନ ଦେଇ ସେହି ଦିଗରେ ଯାହା କିଛି କୋଡ଼ିଛି ଓ ମାଡ଼ିଛି | କିନ୍ତୁ କୃଷି କ୍ଷେତ୍ରରେ କୋଡ଼ିବା ତୁଳନାରେ ମାଡ଼ିବା ଅଧିକ ହୋଇଯାଇଛି | ଏହି କାରଣରୁ ରାଜ୍ୟରେ ସାମାନ୍ୟ ଅଧିକ ବର୍ଷା ହେଲେ ଚାଷୀ ସେଥିରୁ ନିଜ ଫସଲକୁ ରକ୍ଷା କରିପାରୁ ନାହିଁ | ସେହିପରି ବୃଷ୍ଟିପାତ ପରିମାଣ ସାମାନ୍ୟ କମିଗଲେ ମଧ୍ୟ ଚାଷ ଉଜୁଡ଼ି ଯାଉଛି | କୃଷି, ଜଳ ସେଚନ ଓ ଜୈବ ସାର କ୍ଷେତ୍ରରେ ଓଡ଼ିଶାର କୃଷି କ୍ଷେତ୍ର ଅନେକ ପଛରେ ପଡ଼ିରହିଛି | ଏହି ପୃଷ୍ଠଭୂମିରେ ୨୦୧୫ ମୌସୁମୀ ଋତୁରେ ଏଲ୍ ନିନୋ ପ୍ରଭାବରେ ରାଜ୍ୟରେ ବୃଷ୍ଟିପାତ ପରିମାଣ କେତେକ ଜିଲ୍ଲାରେ କମିଗଲା | ଏହା କମିବ ବୋଲି ୨୦୧୬ ଜୁନ୍ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା | ସେତେବେଳେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଏହାକୁ ଏକ ଚେତାବନୀ ମନେ କରି ମୁକାବିଲା ମୂଳକ କୌଣସି ପ୍ରକାର ଫଳପ୍ରଦ ପଦକ୍ଷେପ ଗ୍ରହଣ କଲେ ନାହିଁ | ତେଣୁ ରାଜ୍ୟର ଅନେକ ଜିଲ୍ଲାର ଚାଷ ଉଜୁଡ଼ିଗଲା | ଚାଷୀମାନେ ଫସଲ ଉଜୁଡ଼ିବା ଦେଖି ଋଣ ପରିଶୋଧ ନକରିପାରିବାର ଆଶଙ୍କାରେ ମ୍ରିୟମାଣ ହୋଇଗଲେ | ତେଣୁ ୨୦୧୫ ଅକେଟାବର ମାସରୁ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟ ସାରା ୨୦୦ ଉପରେ ଚାଷୀ ଆତ୍ମହତ୍ୟା କଲେ | ସବୁବେଳେ ସତ୍ୟର ସମ୍ମୁଖୀନ ହେବାକୁ ଡରୁଥିବା ରାଜ୍ୟ ସରକାର ଏସବୁ ଆତ୍ମହତ୍ୟା ଘଟଣାକୁ ଅସ୍ବୀକାର କଲେ, କିନ୍ତୁ ମରୁଡ଼ି କଥା ମାନିଲେ | ମରୁଡ଼ି ବାହାନାରେ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରୁ ଦୋଷ ଖସାଇ କେନ୍ଦ୍ର ସରକାରଙ୍କ ଉପରେ ପକାଇ ଦେବାକୁ ରାଜ୍ୟ ସରକାରଙ୍କ ଅମଲାତାନ୍ତ୍ରିକ ମସ୍ତିଷ୍କଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବା ପରେ ସେହି ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା | କେନ୍ଦ୍ର କାହିଁକି ମରୁଡ଼ି ସହାୟତା ଦେଲା ନାର୍ହି ବୋଲି ପାଟି କରି ଆପଣାର ଦୁର୍ନୀତି ଓ ଅପାରଗତା ଲୁଚାଇବାକୁ ସୁଯାଗ ସୃଷ୍ଟି କରିବା ନିମନ୍ତେ ଦଳୀୟ ନେତ ଓ କର୍ମୀଙ୍କୁ ଲଗାଇ ଚାରି ଆଡ଼ୁ ମରୁଡ଼ି ଦାବି ଉଠାଗଲା | ଏହିସବୁ ଦାବିକୁ ଭିତ୍ତି କରି କେନ୍ଦ୍ରକୁ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ରିପୋର୍ଟ ଦିଆଗଲା | ପ୍ରଥମ ରିପୋର୍ଟ ଅନୁସାରେ ୧୩ ଜିଲ୍ଲାରେ ହୋଇଥିବା ମରୁଡ଼ି ଶେଷ ରିପୋର୍ଟରେ ୨୮ ଜିଲ୍ଲାକୁ ସଂପ୍ରସାରିତ ହେଲା | ମରୁଡ଼ି ଯୋଗୁଁ ରାଜ୍ୟରେ ୪୦ ପ୍ରତିଶତ ଉପରେ ଫସଲହାନୀ ହେଲା ବୋଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଗଲା ଓ ସେହି ଅନୁସାରେ ୨୫୦୦ କୋଟିରୁ ଅଧିକ ଟଙ୍କାର ମରୁଡ଼ି ସହାୟତା ଦାବି ହେଲା | ଏହି ପରିସ୍ଥିତି ଭିତରେ ନବୀନ ପଟ୍ଟନାୟକ ସରକାର ତାଙ୍କର ୧୬ ବର୍ଷର ଶାସନ ଭିତରେ କୃଷି ବିକାଶ ଦିଗରେ କିଛି କରି ନାହାନ୍ତି ବୋଲି ବିରୋଧୀଙ୍କ ତରଫରୁ ସମାଲୋଚନା ହେଲା | ଏହି ସମାଲୋଚନାକୁ ପ୍ରତିହତ କରିବାକୁ ଯାଇଁ ପରିସଂଖ୍ୟାନ ଓ ପ୍ରଶଂସାପତ୍ର ଉପରେ ସଫଳତା ଦର୍ଶାଇବାର ଅଭ୍ୟାସ ଆପଣାଇଇଥିବା ସରକାର କେନ୍ଦ୍ର ପ୍ରଶାସନକୁ ଧରାଧରି କରି ୨୦୧୫ ବର୍ଷ ପାଇଁ କୃଷି କର୍ମଣ ପୁରସ୍କାର ହାସଲ କଲେ | ଏହା ହେଉଛି ପାଂଚ ବର୍ଷ ଭିତରେ ଓଡ଼ିଶାକୁ ଚତୁର୍ଥ କୃଷି କର୍ମଣ ପୁରସ୍କାର | ଏହି ପାଂଚ ବର୍ଷ ଭିତରେ ହିଁ ରାଜ୍ୟର ସର୍ବାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି | ଖୋଦ କୃଷି ବିଭାଗର ସରକାର ରାଜ୍ୟ ବିଧାନସଭାରେ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ୨୦୦୯-୧୫ ମଧ୍ୟରେ ରାଜ୍ୟରେ ୩ ହଜାର ଓ ୨୦୦୦-୧୫ ମଧ୍ୟରେ ପ୍ରାୟ ୭ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି | କିନ୍ତୁ ଏମାନେ ଋଣ ବୋଝ କିମ୍ବା ଫସଲହାନୀ ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି ବୋଲି ରାଜ୍ୟ ସରକାର ବିଧାନସଭା ଭିତରେ ଓ ବାହାରେ ସଫେଇ ଦେଇଛନ୍ତି | ଏବେ ୨୦୧୫ ବର୍ଷ ପାଇଁ କୃଷି କର୍ମଣ ମିଳିବା ଘୋଷଣା ହେବା ପରେ କୃଷକ ଆତ୍ମହତ୍ୟା ଘଟଣାରେ କୃଷକ ବିରୋଧୀ ଭାବେ ସମାଲୋଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ପ୍ରଚାରର ମାଧ୍ୟମ କରି କୃଷକ ଦରଦୀ ଭାବମୂର୍ତ୍ତି ଅର୍ଜନ କରିବାକୁ ଉପାୟ ବାହାର କଲେ | ସେଥିପାଇଁ ତାଙ୍କ ନିର୍ଦ୍ଦେଶ ଓ ଅନୁମତି କ୍ରମେ ତାଙ୍କରି ଦଳର ବିଧାୟକ ଓ ମନ୍ତ୍ରୀମାନେ ନିଜନିଜ ଅଂଚଳରୁ ଚାଷୀଙ୍କ ନାଁରେ କେତେକ ବଛାବଛା ଦଳୀୟ କର୍ମୀଙ୍କୁ ଯୋଗାଡ଼ କରି ନବୀନ ନିବାସରେ ରୁଣ୍ଡ କରାଇଲେ ଓ କୃଷି ଓ କୃଷକର ବିକାଶ ପାଇଁ ନବୀନବାବୁ ଅହରହ ଚିନ୍ତା କରୁଛନ୍ତି ବୋଲି ପ୍ରଶଂସା କଲେ | ନବୀନବାବୁ ମଧ୍ୟ ରାଜ୍ୟର କୃଷି କର୍ମଣ ପୁରସ୍କାର ପାଇଁ କୃଷକମାନଙ୍କର କଠିନ ପରିଶ୍ରମକୁ ଶ୍ରେୟ ଦେଇ ଫଟୋଟି ମାନ ଉଠାଇଲେ, ତାହା ସବୁ ଖବରକାଗଜରେ ପ୍ରକାଶ ପାଇଲା ଓ ଟିଭିରେ ଜୀବନ୍ତ ପ୍ରସାରିତ ହେଲା | ତେବେ ମରୁଡ଼ିଗ୍ରସ୍ତ ରାଜ୍ୟର କୃଷକମାନେ କିପରି କଠିନ ପରିଶ୍ରମ କରି ଅଧିକ ଫସଲ ଅମଳ କରି କୃଷି କର୍ମଣ ପୁରସ୍କାର ପାଇଁ ଅବଦାନ ରଖିଛନ୍ତି ତାହା ଦର୍ଶାଇବାକୁ ମଧ୍ୟ ଦଳୀୟ ନେତା ଓ କର୍ମମାନେ ନିଜନିଜ ଅଂଚଳରୁ ପ୍ରଚୁର ପରିମାଣ ଧାନ, ବିରି, ଫୁଲକୋବି, ବନ୍ଧାକୋବି, ବାଇଗଣ, କଂଚା କଦଳୀ, ପାଚିଲା କଦଳୀ ଆଦି ଅନେକ ପ୍ରକାର କୃଷି ଉତ୍ପାଦ ଆଣି ଗଦେଇଦେଲେ | ପ୍ରଥମେ ମାହାଙ୍ଗା ବିଧାୟକ ପ୍ରତାପ ଯେନାଙ୍କଠାରୁ ଆରମ୍ଭ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଏହି ‘ସୁନିଆ’ ଭେଟି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମଧ୍ୟ ଅନୁପ୍ରାଣୀତ କଲା | ସେ ନିଜ ଅଂଚଳର କେତେକ ଦଳୀୟ କର୍ମୀଙ୍କୁ ଧରି ନବୀନ ନିବାସରେ ଝୁଡ଼ିଝୁଡ଼ି ପରିବା ଓ ଫସଲ ପହଂଚାଇଲେ | ଏହା ଦେଖି ଯାତ୍ରାପାର୍ଟି ମାଲିକ ଓ ରାଜନୀତିରେ ବୁଡ଼ି ରହି ମଧ୍ୟକୁ ନିଜକୁ ସବୁବେଳେ ଚଷାପୁଅ ବୋଲି ଦାବି କରୁଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କେମିତି ସମ୍ଭାଳି ପାରିଥାନ୍ତେ ! ସେ ନିଜର ଅନୁଗତ କର୍ମଙ୍କୁ ନେଇ ନବୀନ ନିବାସରେ ଧାନ, କୋବି ଓ କଦଳୀ ଆଦି ଭର୍ତ୍ତି କରିଦେଲେ | ଏହାକୁ ଦେଖି ବିଜେପି ନେତା ବିଜୟ ମହାପାତ୍ର କହିଲେଣି ଯେ ତାହା ହେଲେ ଓଡ଼ିଶା ସରକାର ଯେଉଁ ମରୁଡ଼ି ରିପାର୍ଟ ଦେଇଛନ୍ତି ତାହା ସତ ନା ମିଛ ? ତର୍କ ଦୃଷ୍ଟିରୁ ଅବଶ୍ୟ ଗୋଟିଏ ସତ ହେବା କଥା | ମରୁଡ଼ି ସତ ହୋଇଥିଲେ କୃଷି କର୍ମଣ ପୁରସ୍କାର ଜାଲ୍ ବୋଲି ବୁଝିବାକୁ ହେବ | ଯଦି କୃଷି କର୍ମଣ ପୁରସ୍କାର ଠିକ୍ ତେବେ କେନ୍ଦ୍ରକୁ ଦିଆଯାଇଥିବା ମରୁଡ଼ି ରିପୋର୍ଟ ନିଶ୍ଚୟ ଭୁଲ୍ !

Share :