ଗଣିକାମାଧ୍ୟମ, ପ୍ରେଷ୍ଟିଚୁ୍ୟଟ୍ ଓ ରାଜନେତା

ଗଣିକାମାଧ୍ୟମ, ପ୍ରେଷ୍ଟିଚୁ୍ୟଟ୍ ଓ ରାଜନେତା

Share :

ଦେବେନ୍ଦ୍ର ପୃଷ୍ଟି ଏହା ଅପମାନଜନକ । ଅସମ୍ମାନ । କପାଳରେ କଳଙ୍କର ଦାଗ । କିନ୍ତୁ ତଥାପି ଅନେକଙ୍କ ପାଇଁ ଏହା ଚନ୍ଦନ ବିନ୍ଦୁ ଭଳି । ସେମାନଙ୍କୁ ‘ଗଣିକାମାଧ୍ୟମ’ କୁହାଯାଉ ବା ‘ପ୍ରେଷ୍ଟିଚୁ୍ୟଟ୍’ ସେମାନେ ସେଥିରେ ବିଚଳିତ ନୁହନ୍ତି । ଅର୍ଥ ଓ ସୁବିଧା ମିଳୁଛି ତ ଗାଳି ବି ଗୌରବଗାନ ଭଳି ବୋଧହୁଏ! ‘ଓଡ଼ିଶା ଟେଲିଭିଜନ ବା ଓଟିଭି ନିରପେକ୍ଷ ନୁହେଁ । ଏହି ଚାନେଲରେ ବିଜେଡି ପ୍ୟାନେଲିଷ୍ଟମାନଙ୍କୁ ଉତ୍ତର ରଖିବା ପାଇଁ ଯଥେଷ୍ଟ ସମୟ ଦିଆଯାଉ ନାହିଁ । ସମ୍ବାଦ ଓ ବିତର୍କ ପରିବେଷଣରେ ଏହି ଚାନେଲ ବିଜୁ ଜନତା ଦଳର ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛି । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରଠାରୁ ଓଟିଭିରେ ଏହି ପରିବର୍ତ୍ତନ ଦେଖାଯାଉଛି ।’ ଏହି ଶବ୍ଦ ଓ ଭାଷାରେ ନହେଲେ ମଧ୍ୟ ଏହି ମର୍ମରେ ଓଟିଭିକୁ ଗାଳି କରିଛି ବିଜେଡି । ମାର୍ଚ୍ଚ ୨୧ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ଅଭିଯୋଗ ଉପସ୍ଥାପନ କରି ବିଜେଡି ଏଣିକି ଓଟିଭିକୁ ବର୍ଜନ କଲା ବୋଲି ଘୋଷଣା କରିଛନ୍ତି ଦଳର ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ । ବିଜେଡିର ଏଭଳି ଆଚରଣ ଭାରତୀୟ ଗଣମାଧ୍ୟମ ଜଗତ ପାଇଁ ନୂଆ ନୁହେଁ । ଏକଦା ଏନଡିଟିଭିକୁ ପକ୍ଷପାତୀ ଦର୍ଶାଇ ଭାରତୀୟ ଜନତା ପାର୍ଟି ଏହାକୁ ବର୍ଜନ କରିଥିଲା । ତେବେ ସେମାନେ ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ କି ନାହିଁ ସେନେଇ ଏ ଲେଖକ ସନ୍ଦିହାନ । ଓଡ଼ିଶାର କଳିଙ୍ଗଟିଭି ନାମକ ଏକ ଚାନେଲକୁ ଏହିପରି ସନେ୍ଦହ କରି ଭାରତୀୟ ଜନତା ପାର୍ଟିର ନେତାମାନେ କିଛି କାଳ ବର୍ଜନ କରିଛନ୍ତି । ସେଥିପାଇଁ ସେମାନେ ଅବଶ୍ୟ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି । ସାମ୍ବାଦିକ ସମ୍ମିଳନୀ ଡାକି ସାମ୍ବାଦିକଙ୍କ ନିରପେକ୍ଷତା ବିରୋଧରେ ଅଭିଯୋଗ କରିବା କ୍ଷେତ୍ରରେ ବିଜୁ ଜନତା ଦଳ ଏକ ଆଦର୍ଶ ସୃଷ୍ଟି କଲା! ଏଥିରେ ଅନେକ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ବି କୃତ୍ୟକୃତ୍ୟ! ଭାରତବର୍ଷରେ ଫେସବୁକ୍ ଓ ଟୁଇଟର ପରି ସୋସିଆଲ ମିଡିଆ ଲୋକପ୍ରିୟା ହେବା ଏବଂ ଜାତୀୟ ରାଜନୀତିରେ ଭାରତୀୟ ଜନତା ପାର୍ଟିର ଅଭୁ୍ୟତ୍ଥାନ ପାଇଁ ଏହି ଜ୍ଞାନକୌଶଳକୁ ଉପଯୋଗ କରିବା ପରଠାରୁ ଗଣମାଧ୍ୟମ ବିରୋଧରେ ଏଭଳି ଅନେକ ଅଭିଯୋଗ ଉଠିଚାଲିଛି । ବିଶେଷକରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବିଜେପିର ସାଇବର ୱାରିଅର୍ ବା ନଭ-ଯୋଦ୍ଧାମାନେ ଭାରତୀୟ ଗଣମାଧ୍ୟମର ନିରପେକ୍ଷତାକୁ ବାରମ୍ବାର ଚାଲେଞ୍ଜ କରିଛନ୍ତି । ସେମାନେ ଭାରତର ପ୍ରାୟ ସମସ୍ତ ପୁରୁଣା ଓ ପ୍ରତିଷ୍ଠିତ ଗଣମାଧ୍ୟମକୁ କଂଗ୍ରେସ ଓ କମୁ୍ୟନିଷ୍ଟମାନଙ୍କର ମୁଖପତ୍ର ଭାବେ ଅଭିହିତ କରିଚାଲିଛନ୍ତି । ଏହିସବୁ ଗଣମାଧ୍ୟମ ପାଇଁ ସେମାନଙ୍କର ଶବ୍ଦ ହେଉଛି ‘ଗଣିକାମାଧ୍ୟମ’ ଓ ‘ପ୍ରେଷ୍ଟିଚୁ୍ୟଟ୍’ । ୨୦୦୯ ନିର୍ବାଚନ ପରଠାରୁ ନଭମଂଚରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏଇପରି ଗାଳି ଶୁଣିବାକୁ ମିଳୁଛି । ବିଶେଷକରି ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଗାଳି ଭାଇରାଲ ହୋଇଥିଲା । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତମାନେ ଫେସବୁକ୍ ଓ ଟୁଇଟରରେ ଏଭଳି ଶବ୍ଦ ବାରମ୍ବାର ପ୍ରୟୋଗ କରିଛନ୍ତି, ଏବେ ବି କରିଚାଲିଛନ୍ତି । ଆଉ ଏମାନଙ୍କଠାରୁ ଅନ୍ୟ ଦଳର ନଭ-ଯୋଦ୍ଧାମାନେ ମଧ୍ୟ ଏହି ଗାଳି ଶିଖି ସେମାନଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ କରୁ ନଥିବା ଗଣମାଧ୍ୟମ ପ୍ରତି ଏହା ପ୍ରୟୋଗ କରୁଛନ୍ତି । ବିଜେପିର ଏହି ସଂସ୍କାର ଏମାନଙ୍କୁ ମଧ୍ୟ ଆକ୍ରାନ୍ତ କରିସାରିଛି । ବିଜେଡି ସେଥିରୁ ବାଦ ପଡ଼ିନାହିଁ । ବିଜେପି ପାଇଁ ପ୍ରଣୟ ରୟ, ବର୍ଖା ଦତ୍ତ, ରାଜଦୀପ ସାରଦେଶାଇ ଓ ସାଗରିକା ଘୋଷଙ୍କ ପରି ସାମ୍ବାଦିକମାନେ ହେଲେ ପ୍ରେଷ୍ଟିଚୁ୍ୟଟ୍ ସଂପ୍ରଦାୟର । ଏମାନେ କଂଗ୍ରେସ ପାଇଁ କାମ କରନ୍ତି ବୋଲି ଦଳର ଅଭିଯୋଗ । ଏମାନଙ୍କ ସଂସ୍କାର କିନ୍ତୁ ଟାଇମ୍ସ ନାଓର ପୂର୍ବତନ ମୁଖ୍ୟ ତଥା ଏବେକାର ରିପବ୍ଲିକ ଚାନେଲର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏପରି ଆଖ୍ୟା ଦିଆଯାଏ ନାହିଁ । ବିଜେପି ପାଇଁ ଅର୍ଣ୍ଣବ ହେଲେ ରାଷ୍ଟ୍ରୀୟ ଗୌରବ । ଯଦିଓ ବିଜେପି ବିରୋଧୀମାନେ ତାଙ୍କୁ ଅର୍ଣ୍ଣବ ଗୋବ୍ଲସ୍ୱାମୀ ବୋଲି କହିଥାନ୍ତି । ଗୋବେଲ ଥିଲେ ନାଜିବାଦୀ ହିଟଲରଙ୍କର ପ୍ରଚାର ମନ୍ତ୍ରୀ । ସେ କହୁଥିଲେ, ଗୋଟିଏ ମିଛ କଥାକୁ ବାରମ୍ବାର କହିଲେ ତାହା ଲୋକଙ୍କ ମନରେ ସତ୍ୟର ଧାରଣା ସୃଷ୍ଟି କରେ । ଅର୍ଣ୍ଣବ ବିଜେପିର ଲାଭ ପାଇଁ ସେଇପରି ସାମ୍ବାଦିକତା କରନ୍ତି ବୋଲି ବିଜେପି-ବିରୋଧୀମାନେ ଅଭିଯୋଗ କରନ୍ତି । ଏଇ ନିକଟରେ ରିପବ୍ଲିକ ଟିଭିର ବଡ଼ ଅଂଶୀଦାର ତଥା ବ୍ୟବସାୟୀ ରାଜୀବ ଚନ୍ଦ୍ରଶେଖରନଙ୍କୁ ଭାରତୀୟ ଜନତା ପାର୍ଟି ଦଳୀୟ ପ୍ରାର୍ଥୀ ଭାବେ ରାଜ୍ୟସଭା ପଠାଇଛି । ଏହା ଏକ ବିରଳ ଉଦାହରଣ ନୁହେଁ । ଏଇଭଳି ଅନେକ ଗଣମାଧ୍ୟମ ମାଲିକ ଓ ସାମ୍ବାଦିକ ବିଭିନ୍ନ ଦଳ ତରଫରୁ ରାଜ୍ୟସଭା ଓ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । କେହି କେହି ମନ୍ତ୍ରୀ ବି ହୋଇଛନ୍ତି । ଜାତୀୟ ସ୍ତରର ଏମିତି କେତେକ ବଡ଼ ବଡ଼ ନାଁ ହେଲା- ଅରୁଣ ସୌରୀ, ଏମଜେ ଆକବର, ବୀରେନ୍ଦ୍ର କୁମାର, ସପନ ଦାସଗୁପ୍ତା, ରାଜୀବ ଶୁକ୍ଳା, ଆଶୁତୋଷ, ମନିଶ ଶିଶୋଦିଆ, ସାଜିଆ ଇଲମି ଓ କୱଁର ସାନ୍ଧୁ । ଏମିତି ଅନେକ ନାମ ଅଛି, ସବୁ ନାଁ ଉଲ୍ଲେଖ କରିବା ଏଠାରେ ସମ୍ଭବ ନୁହେଁ । ଭାରତବର୍ଷର ଅନେକ ଟିଭି ସଂସ୍ଥା କଂଗ୍ରେସ ଓ ବିଜେପି ସପକ୍ଷରେ ସମ୍ବାଦ ସରବରାହ କରିଥାନ୍ତି ବୋଲି ଅଭିଯୋଗ ହୋଇଥାଏ । ଉଭୟ ପକ୍ଷର ଅଭିଯୋଗ ଉପରେ ତର୍ଜମା କଲେ ଗଣମାଧ୍ୟମର ରାଜନୀତିକ ସଂପୃକ୍ତି ସ୍ପଷ୍ଟ ହୋଇଯାଏ । ଏନଡିଟିଭି, ଇଣ୍ଡିଆ ଟୁଡେ, ଆଜ୍ ତକ୍, ସିଏନଏନ-ଆଇବିଏନ, ନିଉଜ-୨୪ ଓ ଆଇବିଏନ-ଲୋକମତ ଆଦି ଟିଭି ଚାନେଲଗୁଡ଼ିକୁ କଂଗ୍ରେସ ସପକ୍ଷବାଦୀ ବୋଲି କୁହାଯାଉଥିବାବେଳେ ଟାଇମ୍ସ ନାଓ, ରିପବ୍ଲିକ, ଜି ନିଉଜ, ଇଣ୍ଡିଆ ଟିଭି, ଇଣ୍ଡିଆ ନିଉଜ, ନିଉଜ ଲାଇଭ, ନିଉଜ ଏକ୍ସ, ଏବିପି ନିଉଜ ଆଦି ଚାନେଲ ବିଜେପି ସପକ୍ଷବାଦୀ ବୋଲି ଅଭିଯୋଗ ହୁଏ । କର୍ଣ୍ଣାଟକର ଜନଶ୍ରୀ ଚାନେଲର ମାଲିକ ହେଉଛନ୍ତି ଖଣି ଦୁର୍ନୀତି କୁଖ୍ୟାତ ବିଜେପିର ଜନାର୍ଦ୍ଧନ ରେଡ୍ଡି । ଏହି ରାଜ୍ୟର କସ୍ତୁରୀ ଟିଭିର ମାଲିକ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ସୁବର୍ଣ୍ଣ ଟିଭିର ମାଲିକ ହେଲେ ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର । ଆନ୍ଧ୍ର ପ୍ରଦେଶର ସାକ୍ଷୀ ଟିଭିର ମାଲିକ ହେଲେ ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡି, ଷ୍ଟୁଡ଼ିଓ ଏନ୍ ପରିଚାଳକ ହେଲେ ନେର୍ଣ୍ଣେ ଶ୍ରୀନିବାସ ରାଓ । ସେ ହେଲେ ଟିଡିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ସଂପର୍କୀୟ । ପଶ୍ଚିମ ବଙ୍ଗର ଟିଭି-୨୪ ଘଣ୍ଟା ସିପିଏମ ସପକ୍ଷରେ ଓ କୋଲକାତା ଟିଭି ତୃଣମୂଳ କଂଗ୍ରେସ ସପକ୍ଷରେ କାର୍ଯ୍ୟ କରନ୍ତି । ପଞ୍ଜାବିର ପିଟିସି ଗୋଷ୍ଠୀର ଯେତେ ଚାନେଲ ସବୁର ମାଲିକ ହେଉଛନ୍ତି ଅକାଳୀ ଦଳର ସୁଖବୀର ସିଂହ ବାଦଲ । ତାମିଲନାଡ଼ୁର ସନ୍ ଟିଭିର ମାଲିକ ହେଲେ ଡିଏମକେ ପରିବାରର କଳାନିଧି ମାରନ । ଜୟା ଟିଭିର ମାଲିକ ଥିଲେ ଜୟାଲଳିତା । ଅନ୍ୟ ରାଜ୍ୟରେ ମଧ୍ୟ ଗଣମାଧ୍ୟମ ଏହିପରି ରାଜନୀତିକ ସଂପର୍କରେ ଗଣିକାମାଧ୍ୟମ ବା ପ୍ରେଷ୍ଟିଚୁ୍ୟଟ ହେବାରୁ ବର୍ତ୍ତି ନାହିଁ । ଓଡ଼ିଶାରେ ଓଟିଭି ଏଯାଏଁ ବିଜେଡି ସପକ୍ଷରେ ଥିଲା ବୋଲି ବିପକ୍ଷ ଦଳ ମନେ କରୁଥିଲେ । ଏହାର ମାଲିକାଣୀ ଜାଗି ମଙ୍ଗତ ପଣ୍ଡାଙ୍କ ପତି ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳ ତରଫରୁ ଏକାଧିକ ବାର ସଂସଦକୁ ଯାଇଛନ୍ତି । ଏବେ ସେ ଦଳରୁ ନିଲମ୍ବିତ । ଏଇ ନିକଟରେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିବା ସୌମ୍ୟ ରଂଜନ ପଟ୍ଟନାୟକ ହେଲେ କନକ ଟିଭିର ମାଲିକ ଓ ସମ୍ବାଦର ସଂପାଦକ । ସେହିପରି ନୂଆକରି ରାଜନୀତିରେ ଯୋଗଦେଇ ବିଜେଡିର ରାଜ୍ୟସଭା ସଦସ୍ୟ ହୋଇଥିବା ଅଚୁ୍ୟତ ସାମନ୍ତ ହେଲେ କଳିଙ୍ଗ ଟିଭିର ପ୍ରତିଷ୍ଠାତା । ନିଉଜ ୱାର୍ଲଡର ଚାନେଲର ପରିଚାଳନା ଠିକା ନେଇଛନ୍ତି ବିଜେଡି ସାଂସଦ ରବୀନ୍ଦ୍ର ଜେନା । ଏମବିସି ଟିଭି ମଧ୍ୟ ଏହି ଦଳର ନିୟନ୍ତ୍ରଣରେ । ଖବରକାଗଜ କଥା ଦେଖିଲେ ବିଜେଡି ସାଂସଦ ତଥାଗତ ଧରିତ୍ରୀର ସଂପାଦକ ଓ ଭର୍ତ୍ତୃହରି ପ୍ରଜାତନ୍ତ୍ରର ସଂପାଦକ । କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ ହେଲେ ସମୟର ପରିଚାଳନା ସଂପାଦକ । ସ୍ୱର୍ଗତ ସାଂସଦ ପ୍ରଦୁ୍ୟମ୍ନ ବଳ ଥିଲେ ପ୍ରଗତିବାଦୀର ସଂପାଦକ । ଏମାନେ ସମସ୍ତେ କେଉଁ ବର୍ଗର? ଗଣିକାମାଧ୍ୟମ ନା ପ୍ରେଷ୍ଟିଚୁ୍ୟଟ୍- କ’ଣ କୁହାଯିବ ଏମାନଙ୍କୁ? (ବିଦ୍ର- ଏ ଲେଖକ ନିରପେକ୍ଷ ହେବାକୁ ଚେଷ୍ଟା କରି ଗଣମାଧ୍ୟମ ଓ ଗଣିକାମାଧ୍ୟମ ଉଭୟ କ୍ଷେତ୍ରରୁ ତଡ଼ା ଖାଇ ଚାଲିଛି ।)

Share :