ନିରପେକ୍ଷତାର ପ୍ରଶ୍ନ

ନିରପେକ୍ଷତାର ପ୍ରଶ୍ନ

Share :

ଦେବେନ୍ଦ୍ର ପୃଷ୍ଟି ମାର୍ଚ୍ଚ ୨୧ ତାରିଖ ଦିନ ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ରାଜ୍ୟରେ ସର୍ବାଧିକ ଦୃଶ୍ୟମାନ ଓଟିଭି ସମ୍ବାଦ ଓ ବିତର୍କ ପରିବେଷଣରେ ନିରପେକ୍ଷତା ଅବଲମ୍ବନ କରୁନାହିଁ ବୋଲି ଅଭିଯୋଗ କରି ଏହି ଟିଭିକୁ ବିଜେଡି ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ଠିକ ସେହିଦିନ ବିଧାନସଭାରେ ବିଜେପି ବିଧାୟକମାନେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଗିରଫଦାରି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିବାରୁ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ସେହି ଦିନ ମଧ୍ୟ କଂଗ୍ରେସ ପକ୍ଷରୁ ଆଗତ ହୋଇଥିବା ଚାଷ ଓ ଚାଷୀ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲା । ଆଉ ଠିକ ସେହିଦିନ ବିଜେଡିରେ କେତେ ଜଣ ବିଧାୟକ ନବ ନିର୍ମାଣ କୃଷକ ସଂଗଠନର ଅନଶନ ଧାରଣା ସ୍ଥଳୀକୁ ଯାଇ ଦାବି ପୂରଣ ପାଇଁ କିଛି ଦିନ ମହଲତ ମାଗିଥିଲେ । ଆନେ୍ଦାଳନ ସ୍ଥଗିତ ରହିଲା । ପର ଦିନ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଲା ‘ବିଧାନସଭା ଅଚଳ କଲା ବିଜେପି’ । ପଢ଼ି ଲାଗିଲା ଯେମିତି ବିଧାନସଭାର ସବୁଠୁ ଶକ୍ତିଶାଳୀ ଦଳ ହେଉଛି ବିଜେପି । ବିଜେପି ବିଧାୟକମାନଙ୍କର ଅଚଳ କରିବାର କ୍ଷମତା ଅଛି । ବାଚସ୍ପତିଙ୍କର ଗୃହ ଚଳେଇବାର କ୍ଷମତା ନାହିଁ! ଓଡ଼ିଶା ବିଧାନସଭାରେ ଏବେ ଶାସକ ବିଜୁ ଜନତା ଦଳର ୧୧୮ ଜଣ ବିଧାୟକ । କଂଗ୍ରେସର ୧୬ ଓ ବିଜେପିର ୧୦ । କହିବାକୁ ଗଲେ ବିଜେଡିର ଏ ଯେଉଁ ସଂଖ୍ୟାଗରିଷ୍ଠତା ସେଥିରେ ସେମାନେ ଚାହିଁଲେ ଯା’ ପାର ତା’ କରିପାରିବେ । ସେମାନେ ବିନା ଆଲୋଚନାରେ ବିଲ୍ ପାଶ୍ କରିପାରିବେ । ବିଭିନ୍ନ ବିଭାଗର ବ୍ୟୟମଂଜୁରୀ ବିଲ୍ ମଂଜୁର କରିପାରିବେ । ବିରୋଧୀ ପକ୍ଷ ଗୃହ ବର୍ଜନ କଲେ ବି ଜନ ସାଧାରଣଙ୍କ ସମସ୍ୟା ନେଇ ବିଜେଡି ବିଧାୟକମାନେ ବି ଆଲୋଚନା ଜାରି ରଖିପାରିବେ । ଏଭଳି ଉଦାହରଣ ବିରଳ ନୁହେଁ । ଏଇ ଦୁଇ ଦଶନ୍ଧି ଭିତରେ ଏମିତି ନଜୀର ଅନେକ ଅଛି । ତଥାପି ଦୋଷ ଢଳାଗଲା ବିଜେପି ମୁଣ୍ଡରେ । ବିଭିନ୍ନ ଟିଭି ବିତର୍କ ଓ ଖବରକାଗଜରେ ପ୍ରକାଶିତ ରିପୋର୍ଟରୁ ଚାଷୀ ବୁଝିଲେ ଯେ ବିଜେପି ବିଧାୟକଙ୍କ ଯୋଗୁଁ ହିଁ ଚାଷ ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ହୋଇପାରିଲା ନାହିଁ । ବିଜେପି ବିଧାୟକମାନଙ୍କୁ ଦୋଷମୁକ୍ତ କରିବା ଏ ଆଲେଖ୍ୟର ଉଦେ୍ଧଶ୍ୟ ନୁହେଁ । ସେମାନେ ଚାହିଁଥିଲେ ଜୟନାରାୟଣ ମିଶ୍ର ଗିରଫଦାରିକୁ ପ୍ରସଙ୍ଗ ନକରି ନିର୍ବାଚନୀ ହିଂସାକୁ ପ୍ରସଙ୍ଗ କରିପାରିଥାନ୍ତେ । ଏ ନେଇ କଂଗ୍ରେସ ପରି ମୁଲତବୀ ପ୍ରସ୍ତାବ ଆଗତ କରିପାରିଥାନ୍ତେ । ନିର୍ବାଚନୀ ହିଂସା ବିଷୟରେ ଆଲୋଚନାବେଳେ ଜୟନାରାୟଣ ମିଶ୍ର ଗିରଫଦାରି ପ୍ରସଙ୍ଗ ଉଠାଇପାରିଥାନ୍ତେ । କିନ୍ତୁ ସେମାନେ ତାହା ନକରି ଚାଷ ଓ ଚାଷୀ ପ୍ରସଙ୍ଗ ଆଲୋଚନା ସମୟରେ ଏ ବିଷୟ ଉଠାଇ ହୋହାଲ୍ଲା କରିବାରୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେଲା । ଏହା ଶାସକ ଦଳ ପାଇଁ ‘ମଳୁ ଖୋଜୁଥିଲା ପଇଡ଼ ପାଣି, ବଇଦ କହିଲା ପିଇ ତୋରାଣୀ’ ପରି କଥା ହେଲା । ବାଚସ୍ପତି ଯଦି ଗୃହ ଚଳାଇବାକୁ ଚାହିଁଥାନ୍ତେ ଗୃହ କ’ଣ ଚାଲି ନଥାନ୍ତା? ବିଶୃଙ୍ଖଳିତ ସଦସ୍ୟମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ତାଙ୍କ ହାତରେ କ’ଣ କ୍ଷମତା ନାହିଁ? ସେ ଯଦି ଚାଷ ଓ ଚାଷୀ ପ୍ରସଙ୍ଗରେ ଆଲୋଚନାକୁ ଗୁରୁତ୍ୱ ଦେଇଥାନ୍ତେ ତେବେ ସତରେ କ’ଣ ବିଜେପି ବିଧାୟକମାନେ ତାହା ରୋକିପାରିଥାନ୍ତେ? ବାଚସ୍ପତି ଚାହିଁଥିଲେ ପରା ସେମାନଙ୍କୁ ମାର୍ଶାଲ ଲଗେଇ ଗୃହରୁ ବାହାର କରିପାରିଥାନ୍ତେ! ଅଧିକ ଗଣ୍ଡଗୋଳ କରିଥିଲେ, ବିଜେପି ବିଧାୟକମାନଙ୍କୁ ଦିନକ ପାଇଁ ଗୃହରୁ ନିଲମ୍ବନ କରିପାରିଥାନ୍ତେ । ସେ ତାହା କଲେ ନାହିଁ । କାହିଁକି ସେ ତାହା କଲେ ନାହିଁ? ନବ ନିର୍ମାଣ କୃଷକ ସଂଗଠନର ଆନେ୍ଦାଳନକୁ ସ୍ଥଗିତ ରଖିପାଇଁ ଶାସକ ଦଳକୁ ଗୋଟିଏ ଦିନ ମହଲତ ଦେବାକୁ? ବାଚସ୍ପତିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ଅନୁଚିତ । କିନ୍ତୁ ସେ ତାଙ୍କର କ୍ଷମତା ପ୍ରୟୋଗ କଲେ ନାହିଁ କାହିଁକି? ଗୃହ ଚଳାଇବାର ଓ ଗୃହକୁ ଶୃଙ୍ଖଳିତ ରଖିବାର ସର୍ବାଧିକ ଦାୟିତ୍ୱ ତାଙ୍କରି ଉପରେ ନ୍ୟସ୍ତ । ତାଙ୍କ ପରେ ଗୃହ ପରିଚାଳନାର ସର୍ବାଧିକ ଉତ୍ତରଦାୟିତ୍ୱ ହେଉଛି ଶାସକ ଦଳର । ସେମାନେ ଏହା ଭୁଲିଗଲେ ଚଳିବ କି? ଏ ପ୍ରଶ୍ନ ଗଣମାଧ୍ୟମ ଉଠାଇଥିଲେ କ’ଣ ପକ୍ଷପାତ ହୋଇଥାନ୍ତା? ଯେଉଁ ଗଣମାଧ୍ୟମଗୁଡ଼ିକ ଏ ବିଷୟରେ ନୀରବ ରହିଲେ ବା ଏହିପରି ଅନେକ ବିଷୟରେ କଥା ବାଁରେଇ ଲେଖୁଛନ୍ତି ସେମାନେ କେତେ ନିରପେକ୍ଷ? ଓଟିଭିର ନିରପେକ୍ଷତାକୁ ଯେମିତି ବିଜେଡି ସନେ୍ଦହ କରୁଛି ସେଭଳି ସନେ୍ଦହ ଅନ୍ୟ ଗଣମାଧ୍ୟମ ପ୍ରତିଷ୍ଠାନ ପ୍ରତି କରୁନି କାହିଁକି? ଏବେ ବିଜେପି ବା କଂଗ୍ରେସ ସେମାନଙ୍କୁ ପକ୍ଷପାତୀ କହିବା କ’ଣ ଉଚିତ ହେବ?

Share :