ସମାଧି ପାଇବ ସୂର୍ଯ୍ୟମନ୍ଦିର!

ସମାଧି ପାଇବ ସୂର୍ଯ୍ୟମନ୍ଦିର!

Share :

  କୋଣାର୍କ ସୂର୍ଯ୍ୟମନ୍ଦିରର ଅବସ୍ଥା ସଂପ୍ରତି ଉଦବେଗଜନକ ଥିବାବେଳେ ବିଶେଷଜ୍ଞମାନଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରିବାରେ ଏଏସଆଇ ଅହେତୁକ ବିଳମ୍ୱ କରୁଥିବାରୁ କମିଟିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଆଳରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବୈଠକ ପରେ ବୈଠକ ହେଉଥିଲେ ମଧ୍ୟ ବିଶ୍ୱ ଐତିହ୍ୟ ଏବେ ଧ୍ବଂସାଭିମୁଖୀ ହେଉଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ପ୍ରବେଶ ଶୁଳ୍କ ବାବଦରେ କୋଟି କୋଟି ଟଙ୍କା ଆଦାୟ ହେଉଥିଲେ ମଧ୍ୟ ସୁରକ୍ଷା ଓ ସଂରକ୍ଷଣ ଆଳରେ ଏଏସଆଇର ଉଚ୍ଚ ଅଧିକାରୀମାନେ ଅର୍ଥ ହରିଲୁଟ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହୋଇ ଆସୁଛି।   ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ୨୦୧୦ ମାର୍ଚ୍ଚ ମାସରେ ବିଶେଷଜ୍ଞମାନଙ୍କୁ ନେଇ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଶେଷଜ୍ଞମାନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗତ ୨୦୧୧ ମସିହା ଜୁନ ୧୭ ତାରିଖରେ ଏଏସଆଇର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୋଟିଏ ଷ୍ଟିୟରିଂ କମିଟି ଓ ଦୁଇଟି ୱାର୍କିଂ ଗ୍ରୁପ‌୍‍ ଗଠନ କରାଯାଇଥିଲା। ଏହି ଦୁଇ ୱାର୍କିଂ ଗ୍ରୁପର ବିଶେଷଜ୍ଞମାନେ କ୍ଷେତ୍ର ପରିଦର୍ଶନ କରି ସୂର୍ଯ୍ୟମନ୍ଦିରର ସାଂପ୍ରତିକ ସ୍ଥିତି, ଡକୁମେଣ୍ଟେସନ, ଲ୍ୟାଣ୍ଡେସ୍କପିଂ, ଆବଶ୍ୟକ ସଂରକ୍ଷଣ କାର୍ଯ୍ୟ ଓ ବିକାଶ ସଂପର୍କରେ ସୁଚିନ୍ତିତ ଲିଖିତ ପରାମର୍ଶ ଷ୍ଟିୟରିଂ କମିଟି ନିକଟରେ ଉପସ୍ଥାପିତ କରିଥିଲେ।   ପ୍ରଫେସର ଜି.ସି. ମିତ୍ରଙ୍କ ଅଧ୍ୟକ୍ଷତାରେ ୱାର୍କିଂ ଗ୍ରୁପ‌୍‍-୧ର ପ୍ରଥମ ବୈଠକ ୨୦୧୧ ମସିହା ଜୁଲାଇ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ସୂର୍ଯ୍ୟମନ୍ଦିର ମୁଖଶାଳାର ସମ୍ୱେଦନଶୀଳ ଅଞ୍ଚଳରୁ ପୁରୁଣା ଲୁହା ପାଇପ ଭାରାକୁ ଖୋଲି ସଂପୃକ୍ତ ସ୍ଥାନରେ ନୂଆ ପାଇପ ଭାରା (ସ୍କାଫୋଲ୍ଡିଙ୍ଗ) ଲଗାଇବା ନିମନ୍ତେ ସୁପାରିଶ କରାଯାଇଥିଲା। ଏହି ସୁପାରିଶକୁ ଗ୍ରହଣ କରି ଷ୍ଟିୟରିଂ କମଟି ପକ୍ଷରୁ ମୁମ୍ୱାଇର ଶିବାନୀ କନଷ୍ଟ୍ରକ‌୍‍ସନକୁ ଲୁହାପାଇପ ଭାରା ଲଗାଇବା ନିମନ୍ତେ ୨୦୧୧ ମସିହା ନଭେମ୍ୱର ୨୩ ତାରିଖରେ କାର୍ଯ୍ୟାଦେଶ ଦିଆଯାଇଥିଲା। ସୂର୍ଯ୍ୟମନ୍ଦିରର ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ପ୍ରଫେସର ଗୋପାଳଚନ୍ଦ୍ର ମିତ୍ରଙ୍କ ଅଧ୍ୟକ୍ଷତାରେ ୦୮.୧୧.୨୦୧୨ ଆୟୋଜିତ ବୈଠକରେ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ବିକାଶ ନିମନ୍ତେ ଗଠିତ ଷ୍ଟିୟରିଂ କମିଟିର ସଦସ୍ୟ ପ୍ରଫେସର ସଦାଶିବ ପ୍ରଧାନ, ବୈଷୟିକ ବିଶେଷଜ୍ଞ କମିଟିର ସଦସ୍ୟ ବି.କେ. ରଥ, ଡଃ ଏନ.ସି. ପାଲ, ପ୍ରଫେସର ପି.ଏଲ. ମହାପାତ୍ର, ଏଏସଆଇର ଏସଇ ଆର.ଏସ. ଜମାଲ, ଉଦ୍ୟାନ ବିଭାଗର ନିଦ୍ଦେର୍ଶକ, ଏଏସଆଇର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଏ.କେ. ପଟେଲେ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜିତ ଏହି ବୈଠକରେ ବୈଷୟିକ ବିଶେଷଜ୍ଞ କମିଟିର ଦୁଇଟି ୱାର୍କିଂ ଗୃପର ସଦସ୍ୟମାନଙ୍କର  ବିଗତ ଦିନର ବୈଠକ ଓ ସେମାନଙ୍କ ସୁପାରିଶର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା।   ୨୦୧୪ ଏପ୍ରିଲ ୪ ତାରିଖରେ ଅବକ୍ଷୟମୁଖୀ ସୂର୍ଯ୍ୟମନ୍ଦିର ସଂରକ୍ଷଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ଏହି ବିଶେଷଜ୍ଞ ଦଳ ମନ୍ଦିର ଚତୁଃପାର୍ଶ୍ୱର ସଂରକ୍ଷଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଦେବା ସହିତ ମୁଖଶାଳାର ସମ୍ୱେଦନଶୀଳ ଅଞ୍ଚଳରେ ନୂଆ ଲୁହା ପାଇପ ଭାରା (ସ୍କାଫୋଲ୍ଡିଙ୍ଗ) ଲଗାଇବାକୁ ପରାମର୍ଶ ଦେଇଥିଲେ। ସୂର୍ଯ୍ୟମନ୍ଦିରର ଜଗମୋହନ ଅଞ୍ଚଳସ୍ଥ ଗର୍ଭଗୃହରୁ ବାଲି କଢାଯିବା ବ୍ୟବସ୍ଥା ଓ ସିବିଆରଆଇର ବୈଜ୍ଞାନିକମାନେ ମନ୍ଦିର ବିଭିନ୍ନ ସ୍ଥାନର ସମ୍ୱେଦନଶୀଳ ଅଞ୍ଚଳରୁ ପଥର ନମୁନାର ଲାବୋରେଟରୀ ଟେଷ୍ଟ, ସମୟାନୁଯାୟୀ ମନ୍ଦିରର ଭିତ୍ତିଭୂମିର ଅବସ୍ଥି‌୍‍ତି, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥାର ଏଣ୍ଡୋସ୍କୋପି, ଲେଜର ସ୍କାନିଂ, ଫଟୋଗ୍ରାଫି ଓ ଡକ୍ୟୁମେଣ୍ଟେସନ ଏବଂ ମନ୍ଦିର ପରିସରରସ୍ଥ ଭୁଗର୍ଭର ୧୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଜିପିଆର ସର୍ଭେର ରିପୋର୍ଟ ସ୍ଥିତି ଉପରେ ମନ୍ଦିର ସଂରକ୍ଷଣ କାର୍ଯ୍ୟ କରାଯାଉଛି। ସୂର୍ଯ୍ୟମନ୍ଦିରକୁ ଅଗ୍ରାଧିକାର ଭିତ୍ତିରେ ସଂରକ୍ଷଣ କାର୍ଯ୍ୟାରମ୍ଭ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ବିଶେଷଜ୍ଞ ଦଳ କହିଥିଲେ।   ବିଶେଷଜ୍ଞ ଦଳର ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଭୁବନ ବିକ୍ରମ କୋଣାର୍କ ସଂଗ୍ରହାଳୟର ଅଧିକାରୀ ପ୍ରଶନ୍ନ ଦିକ୍ଷୀତ ଓ କୋଣାର୍କ ଏଏସଆଇର ସଂରକ୍ଷଣ ଅଧିକାରୀ ନିର୍ମଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୬ ମାର୍ଚ୍ଚ ୧ ତାରିଖରେ ଏଏସଆଇର ଡିଜି ପ୍ରବିଣ ଶ୍ରୀବାସ୍ତବ ଓ ବିଭାଗୀୟ ପଦାଧିକାରୀ ମନ୍ଦିରର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ଏହାପରେ ଗତ ଫେବୃୟାରୀ ୧୫ ତାରିଖରେ  ଏଏସଆଇ ଡ଼ିଜି  ସୂର୍ଯ୍ୟମନ୍ଦିର ପରିଦର୍ଶନ କରି  ବୈଷୟିକ ବିଶେଷଜ୍ଞମାନଙ୍କ ସହିତ କୋରକମିଟି ବୈଠକରେ ସଂରକ୍ଷଣ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।   ଏହି ବୈଠକରେ ନିଷ୍ପତ୍ତି ଅନୁଯାୟୀ  ସିବିଆରଆଇକୁ ମନ୍ଦିର ମୁଖଶାଳାର ସମ୍ୱେଦନଶୀଳ ଅଞ୍ଚଳରୁ ପଥର ନମୁନାର ଲାବୋରେଟରୀ ଟେଷ୍ଟ, ସମୟାନୁଯାୟୀ ମନ୍ଦିର ଭିତ୍ତିଭୂମିର ଅବସ୍ଥି‌୍‍ତି, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥାର ଏଣ୍ଡୋସ୍କୋପି, ଲେଜର ସ୍କାନିଂ, ଫଟୋଗ୍ରାଫି ଓ ଡକ୍ୟୁମେଣ୍ଟେସନ ଏବଂ ମନ୍ଦିର ପରିସରରସ୍ଥ ଭୁଗର୍ଭର ୧୦ଫୁଟ ଗଭୀରତା ପର୍ଯ୍ୟନ୍ତ ଜିପିଆର ସର୍ଭେ କରି ରିପୋର୍ଟ ଦେବାପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ବିଶେଷଜ୍ଞମାନଙ୍କର ସୁପାରିଶଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ କାର୍ଯ୍ୟକାରୀ ହୋଇ ନ ଥିବାରୁ ୱାର୍କିଂ ଗ୍ରୁପର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ବୈଠକଗୁଡିକରେ ହେଉଥିବା ନିଷ୍ପତ୍ତି ଅନୁଯାୟୀ ଅଗ୍ରାଧିକାର ଭିତ୍ତିରେ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ସମସ୍ୟା ସମାଧାନ କରାଯାଉନଥିବା ଜଣା ପଡିଛି।

Share :