ଜଳ ବିବାଦ ପାଇଁ ସ୍ଥାୟୀ ଟ୍ରିବ୍ୟୁନାଲ‌୍‍!

ଜଳ ବିବାଦ ପାଇଁ ସ୍ଥାୟୀ ଟ୍ରିବ୍ୟୁନାଲ‌୍‍!

Share :

ରାଜ୍ୟ ରାଜ୍ୟ ମଧ୍ୟରେ ଜଳ ବଣ୍ଟନ ବିବାଦ ବୃଦ୍ଧି ପାଉଥିବାରୁ ଏସବୁର ସମାଧାନ ପାଇଁ ଗୋଟିଏ ସ୍ଥାୟୀ ଟ୍ରିବ୍ୟୁନାଲ‌୍‍ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏବେ ପ୍ରତି ବିବାଦ ପାଇଁ ଅଲଗା ଅଲଗା ଟ୍ରିବ୍ୟୁନାଲ ଗଠନ କରାଯିବା ବ୍ୟବସ୍ଥା ରହିଛି। ସମଗ୍ର ଦେଶ ପାଇଁ ଗଠିତ ହେବାକୁ ଥିବା ସ୍ଥାୟୀ ଟ୍ରିବ୍ୟୁନାଲ ସମସ୍ତ ରାଜ୍ୟ ପାଇଁ କାର୍ଯ୍ୟ କରିବ।   ସେହିପରି ୧୯୫୬ ଆନ୍ତଃରାଜ୍ୟ ଜଳ ବିବାଦ ଆଇନରେ ମଧ୍ୟ ସଂଶୋଧନ କରିବାକୁ ସରକାରୀ ସ୍ତରରେ ଏକ ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଏହି ସଂଶୋଧନ ଜରିଆରେ ସରକାର ଚାହିଁଲେ ଏବଂ ସେପରି ଦରକାର ହେଲେ କୌଣସି ରାଜ୍ୟ ମଧ୍ୟରେ ଉପୁଜୁଥିବା ଜଳ ବିବାଦର ସମାଧାନ ପାଇଁ ସ୍ଥାୟୀ ଟ୍ରିବ୍ୟୁନାଲ ଅଧୀନରେ ଅସ୍ଥାୟୀ ବେଞ୍ଚ ଗଠନ କରିପାରିବେ। ଏହି ବିବାଦର ସମାଧାନ ହୋଇଗଲା ପରେ ଏହି ବେଞ୍ଚର କାର୍ଯ୍ୟକାଳ ଶେଷ ହୋଇଯିବ।   ଏସଂପର୍କୀତ ଆଇନରେ ସଂଶୋଧନ କରିବାର ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ‌୍‍ରେ ମଂଜୁର ହୋଇସାରିଛି। ସଂସଦର ଆସନ୍ତା ଅଧିବେଶନରେ ଏହି ସଂଶୋଧନ ବିଲ‌୍‍ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ଏ ସଂପର୍କରେ ସୂଚନା ଦେଇ ଜଳ ସଂପଦ ବିଭାଗର ସଚିବ ଶଶି ଶେଖର କହିଛନ୍ତି ଯେ ଦେଶର ସମସ୍ତ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ କରାଯିବ। ତେବେ ଦରକାର ହେଲେ କୌଣସି ବିବାଦର ସମାଧନ ପାଇଁ ବେଞ୍ଚ ମଧ୍ୟ ଗଠନ ହେବ। ବିବାଦର ସମାଧାନ ପରେ ବେଞ୍ଚକୁ ଭାଙ୍ଗି ଦିଆଯିବ।   ଶେଖର କହିଛନ୍ତି ଯେ ପୂର୍ବ ବ୍ୟବସ୍ଥାରେ ଗଠିତ ଜଳ ଟ୍ରିବ୍ୟୁନାଲଗୁଡ଼ିକ ବିବାଦର ସମାଧାନ କରିବାକୁ ବର୍ଷବର୍ଷ ସମୟ ନେଉଥିଲେ। କିନ୍ତୁ ନୂଆ ସଂଶୋଧନ କାର୍ଯ୍ୟକାରୀ ହେଲେ କୌଣସି ଆନ୍ତଃରାଜ୍ୟ ଜଳ ବଣ୍ଟନ ବିବାଦର ସମାଧାନ ସର୍ବାଧିକ ୩ ବର୍ଷ ମଧ୍ୟରେ ହୋଇପାରିବ।   ଟ୍ରିବ୍ୟୁନାଲ ବା ଏଭଳି ବିବାଦର ସମାଧାନ ପାଇଁ ବିବାଦ ସମାଧାନ କମିଟି ବା ଡିଆରଏସ ଗଠନ କରିବାକୁ ମଧ୍ୟ ସଂଶୋଧନ ପ୍ରସ୍ତାବ ଦିଆଯାଇଛି ବୋଲି ଶେଖର କହିଛନ୍ତି। ଏହି କମିଟିରେ ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରକମାନେ ସଦସ୍ୟ ରହିବେ। ଟ୍ରିବ୍ୟୁନାଲ‌୍‍ ଯିବା ପୂର୍ବରୁ କମିଟି ବିବାଦର ସମାଧାନ କରିବାକୁ ଚେଷ୍ଟା କରିବେ। କୌଣସି ରାଜ୍ୟ ଜଳ ବିବାଦ ନେଇ କେନ୍ଦ୍ରକୁ ଗଲେ କେନ୍ଦ୍ର ପ୍ରଥମେ ଡିଆରଏସ ଜରିଆରେ ତାହାର ସମାଧାନ କରିବାକୁ ଚେଷ୍ଟା କରିବେ। ମାତ୍ର, ରାଜ୍ୟ ଏହି ସମାଧାନରେ ସନ୍ତୁଷ୍ଟ ନହେଲେ ଟ୍ରିବ୍ୟୁନାଲ‌୍‍ରେ ଆବେଦନ କରିପାରିବ।   ସେହିପରି ନୂଆ ସଂଶୋଧନରେ ସ୍ଥାୟୀ ଟ୍ରିବ୍ୟୁନାଲକୁ ଅଧିକ କ୍ଷମତାଶାଳୀ କରାଯିବ। ଟ୍ରିବ୍ୟୁନାଲ କୌଣସି ରାୟ ଦେଲେ ତାହା ସ୍ୱତଃ ବିଜ୍ଞାପିତ ହେଲା ବୋଲି ଧରାଯିବ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଟ୍ରିବ୍ୟୁନାଲ ରାୟକୁ ସରକାର ବିଜ୍ଞାପିତ କରୁଥିଲେ। ତେଣୁ ଏହାର କାର୍ଯ୍ୟକାରିତା ବିଳମ୍ୱିତ ହେଉଥିଲା।   ଏବେ ବିଭିନ୍ନ ଜଳ ବିବାଦର ସମାଧାନ ପାଇଁ ଦେଶରେ ଅନ୍ୟୁନ ୮ଟି ଟ୍ରିବ୍ୟୁନାଲ ରହିଛି। କାବେରୀ, ମହାଦେଈ, ରବି, ବିତସ୍ତା, ବଂଶଧାରା ଓ କୃଷ୍ଣ ନଦୀର ଜଳ ବିବାଦ ସମାଧାନ ପାଇଁ ଏସବୁ ଟ୍ରିବ୍ୟୁନାଲ କାର୍ଯ୍ୟ କରୁଛି। ଚଳିତ ବର୍ଷ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନ ନେଇ ବିବାଦ ସୃଷ୍ଟି ହୋଇଛି। କାବେରୀ ଜଳ ବଣ୍ଟନ ନେଇ ମଧ୍ୟ ଟ୍ରିବ୍ୟୁନାଲ ରାୟକୁ ତାମିଲନାଡ଼ୁ ମାନିବାକୁ ଏକାଧିକ ଥର ଅନିଚ୍ଛା ପ୍ରକାଶ କରିଛି।

Share :