ଦେଲେ ଧରା କଥା ସରେ!

ଦେଲେ ଧରା କଥା ସରେ!

Share :

ରାଧାରାଣୀ ଷଡ଼ଙ୍ଗୀ   ଏଇ ସେଦିନର କଥା। ଓଡ଼ିଆ ସିନେମା ‘ଦେଲେ ଧରା କଥା ସରେ’ ଦେଖି ମିଷ୍ଟର ଓ ମୁଁ ଘରକୁ ଫେରୁଥିଲୁ। ସିନେମାର ନାଁଟି ଆଗରୁ ଶୁଣିଲା ଶୁଣିଲା ଭଳି ଲାଗୁଥିଲା। ମିଷ୍ଟର ମନେ ପକେଦେଲେ ଯେ ସେଇଟା ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଅମଡ଼ାବାଟର ଏକ ଗୀତରୁ ଆସିଛି। ମୋର ବି ମନେ ପଡିଗଲା। ପିଲାଦିନେ ରେଡିଓରୁ ଆରତୀ ମୁଖାର୍ଜୀ ଓ ସିକନ୍ଦର ଆଲାମଙ୍କ କଣ୍ଠରୁ ଅନେକଥର ଶୁଣିଛି। କି ଚମତ୍କାର ସେ ଗୀତ! ଗାଡ଼ିରେ ମିଷ୍ଟରଙ୍କ ପଛରେ ବସି ଗୀତଟିକୁ ମୁଁ ଗୁଣୁଗୁଣୁ କରି ଗାଇଲି।   ଦେଲେ ଧରା କଥା ସରେ ...ଥାଏ ମଜା ଦୂରେ ଦୂରେ..   ମିଷ୍ଟର କହିଲେ- ମଜା ଆସିଲାନି।   କଥାଟା ଅବଶ୍ୟ ସତ। ସିନେମାର ନାଁଟି ଶୁଣି ଯେଉଁ ଆଶା ନେଇ ଫିଲ୍ମଟି ଦେଖିବାକୁ ଯାଇଥିଲୁ, ଭାବିଥିଲୁ ସେ ପୁରୁଣା ଦିନର ମେଲୋଡି କିଛି ମିଳିବ। କିନ୍ତୁ ଆଜିକାଲି ଓଡ଼ିଆ ଫିଲ୍ମର ଗୀତର ମାନ ଯାହା, କାହିଁକି କେଜାଣି ମନଟା ମାନିଲା ନାହିଁ।   ମିଷ୍ଟର କହିଲେ- ଆଜିକାଲି ଓଡ଼ିଆ ସିନେମା ତ ରିଲିଜ୍ ବହୁତ ହେଉଛି। କିନ୍ତୁ ଏମିତି ରିଲିଜ୍ ହେଉ ହେଉ ଦର୍ଶକ ଯଦି ଦେଖିବାକୁ ଆସିବେ ନାହିଁ ତେବେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ବଞ୍ଚିବ କେମିତି? ଦେଖିଲନି, କେମିତି ପୂରା ହଲ୍‌ଟା ଫାଙ୍କା ଫାଙ୍କା?   ମୁଁ କହିଲି- ହୋଇପାରେ। କିନ୍ତୁ ଦର୍ଶକ ନ ଆସିବାର ଆଉ ଗୋଟିଏ କାରଣ ଅଛି। ଏବେ ପରା ବିମୁଦ୍ରାକରଣ ଚାଲିଛି। ଦର୍ଶକ ଏଟିଏମ୍ ଆଗରେ ଲାଇନ୍ ଲଗେଇବେ ନା ସିନେମା ହଲ୍ କାଉଣ୍ଟର ଆଗରେ ଧାଡ଼ିରେ ଛିଡ଼ା ହେବେ? ଯାହାକୁ ଦେଖିବ ପର୍ସରେ ଗୋଲାପୀ ରଙ୍ଗର ଦୁଇ ହଜାର ଟଙ୍କିଆ ନୋଟ୍ ଧରି ବୁଲୁଛି। କେତେଦିନ ଏ ନିଆଁଲଗା ବିମୁଦ୍ରାକରଣ ଚାଲିବ କେଜାଣି?   ମୋତେ ସାନ୍ତ୍ବନା ଦେଇ ମିଷ୍ଟର କହିଲେ, ତମେ ବ୍ୟସ୍ତ ହୁଅନା, ବେଶୀଦିନ ନୁହେଁ। ଦେଖିବ ସବୁ ଠିକ୍ ହୋଇଯିବ।   ମୁଁ ଆଉ କିଛି କହିଲି ନାହିଁ। ମନେ ମନେ ଭାବିଲି ମିଷ୍ଟର ଜଣେ ବଡ଼ ବିଜେଡି ସମର୍ଥକ ହୋଇ ବିମୁଦ୍ରାକରଣକୁ ଯେପରି ସମର୍ଥନ କରୁଛନ୍ତି ଓଡ଼ିଶାର ବିଜେପି ବାଲାଏ ବି ସେମିତି କରିପାରିବେ ନାହିଁ।   ମିଷ୍ଟର ପୁଣି କହିଲେ, କିନ୍ତୁ ହଁ, ତମ କେଜରିୱାଲକୁ କୁହ ଟିକିଏ ମୁହଁ ବନ୍ଦ ରଖିବ। ଦେଶ ହିତରେ କଳାଧନ ରୋକିବାକୁ ମୋଦି ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି ତାକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବା ଉଚିତ୍। ନବୀନବାବୁଙ୍କୁ ଦେଖ, ସେ କେମିତି ବିମୁଦ୍ରାକରଣକୁ ପୂରାମାତ୍ରାରେ ସମର୍ଥନ କରିଛନ୍ତି!   ଗୋଟିଏ ସିନେମା କଥାରୁ ମିଷ୍ଟର ଏତେଶୀଘ୍ର କେଜରିୱାଲ ପ୍ରତି ଆକ୍ରମଣାମତ୍କ ହୋଇଯିବେ, ଏଥିରେ ମୁଁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ସତ, କିନ୍ତୁ କଥାକୁ ଆଗକୁ ବଢ଼ାଇବାକୁ ପାଇଁ ଚାହିଁନଥିଲି। କେବଳ ଏକ ହାଲ୍‌କା ପ୍ରଶ୍ନ ପଚାରିେଦଲି, ‘ତମ ପାର୍ଟି ତ ସଦାବେଳେ କୁହେ ଯେ ବିଜେଡି ଏକ ଆଞ୍ଚଳିକ ଦଳ। ଓଡ଼ିଶାର ସ୍ବାର୍ଥ ପାଇଁ ତମ ପାର୍ଟି କୁଆଡ଼େ ସଂଗ୍ରାମ କରୁଛି! କିନ୍ତୁ ହଠାତ୍ େଦଶହିତ କଥା କେମିତି ମନେ ପଡିଗଲା, ସେଇଟା ମୁଁ ବୁଝିପାରୁ ନାହିଁ ?’   ମିଷ୍ଟର କହିଲେ, ତମେ ଟିକିଏ ବୁଝିବାକୁ ଚେଷ୍ଟା କର। େଦଶର ହିତ ହେଲେ ଓଡ଼ିଶାର ବି ତ ହିତ ହେବ। ଆଞ୍ଚଳିକ ଦଳ ବୋଲି କ’ଣ ଆମେ େଦଶର ସ୍ବାର୍ଥ କଥା ଭୁଲିଯିବା? ମୁଁ ମାନୁଛି, ଅରବିନ୍ଦ କେଜରିୱାଲ ଜଣେ ସର୍ବଭାରତୀୟ ନେତା। େଦଶର ସବୁ ରାଜ୍ୟରେ ଆମ୍ ଆଦମୀ ପାର୍ଟି ଅଛି। େଦଶ ବାହାରେ ବି ଆମ୍ ଆଦମୀ ପାର୍ଟିକୁ ଅନେକ ଲୋକ ଜାଣିଛନ୍ତି ଏବଂ ତମ ପାର୍ଟିର ଶାଖା େଦଶ ବାହାରେ ଅଛି। କିନ୍ତୁ ସାରା େଦଶରୁ କଳାଧନ ହଟାଇବା ପାଇଁ ମୋଦି ଯଦି କିଛି କରୁଛି, ସେତିକିବେଳେ ତମ ପାର୍ଟି ସେଥିରେ ମୁଣ୍ଡ ନଖେଳାଇ ଚୁପ୍ ରହିବା ଭଲ। ସେମାନେ ଦିଲ୍ଲୀ ଶାସନରେ ମନ ଦିଅନ୍ତୁ। ନା କ’ଣ କହୁଛ?   ମୁଁ କହିଲି, ସେଥିପାଇଁ ତ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆ ସେଦିନ କହିଲେ ଯେ ଦିଲ୍ଲୀରେ ଏବେ ବେପାର ପୂରା ଠପ୍ ହୋଇଯାଇଛି। ଟିକସ ଆଦାୟ ଏତେ କମି ଚାଲିଛି ଯେ ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ ଦରମା େଦବା ବି କଷ୍ଟକର ହୋଇଯିବ।   ‘ହଁ, ସେଇଟା ସେ ଯଦି ନିଜ ରାଜ୍ୟ ବିଷୟରେ କହିଛନ୍ତି ତେବେ ଠିକ୍ କହିଛନ୍ତି।’   ‘କିନ୍ତୁ ତମ ପାର୍ଟି ତ ଆଞ୍ଚଳିକ ଦଳ। ବିମୁଦ୍ରାକରଣ ପରେ ରାଜ୍ୟର ଯେମିତି ଅବସ୍ଥା ହୋଇଛି ସେଥିରେ ତମ ପାର୍ଟି ତ ଆଗ ମୁହଁ ଖୋଲିବା କଥା। ତମ ପାର୍ଟି କିନ୍ତୁ ବିମୁଦ୍ରାକରଣ ବିଷୟରେ ମୋଦିଙ୍କୁ ଯେମିତି ସମର୍ଥନ କରୁଛନ୍ତି, ସେଥିରେ ବିଜେପି ବାଲା ବି ଲଜ୍ଜିତ ହେଉଛନ୍ତି।’   ‘ଓଡ଼ିଶାର କ’ଣ ହେଇଛି? ଏଠାରେ ପ୍ରଥମ ଦିନେ ଦୁଇଦିନ ଯାହା କିଛି ଅସୁବିଧା ହୋଇଥିଲା। ଏବେ େଦଖୁନ, ସବୁକିଛି ସ୍ବାଭାବିକ ହୋଇଗଲାଣି। ’ ‘ଓଡ଼ିଶାରେ କ’ଣ ହେଉଛି ତମେ କେମିତି ଜାଣିବ? ତମେ ତ ଅଫିସ୍ ଓ ପାର୍ଟି ଅଫିସ୍ ଭିତରେ ଯାହା ଏପଟ ସେପଟ ହେଉଛ! ଗାଁଗୁଡିକର କଥା ଟିକେ ଚିନ୍ତା କଲଣି?’   ‘ଧେତ୍, ଗାଁ ଗଣ୍ଡାରେ କ’ଣ ହେଉଛି ତମ ମୁଣ୍ଡରେ କିଏ ପୂରାଇଲା? ଗାଁ ଲୋକେ ଶାନ୍ତିରେ ଅଛନ୍ତି।’   ‘ଶାନ୍ତିରେ ଅଛନ୍ତି? ତମେ ନଥିଲ, କାଲି ଗାଁରୁ ଖୁଡ଼ି ଫୋନ୍ କରିଥିଲେ। କହିଲେ କ୍ଷେତରେ ଧାନଗଛ ଛିଡ଼ା ହୋଇଛି। ଖୁଚୁରା ଟଙ୍କା ନମିଳୁଥିବାରୁ ଦାଦା ମୂଲିଆ ଡାକି ଧାନ ଅମଳ କରିପାରୁ ନାହାନ୍ତି। ଆଉ ରବି ଫସଲ ଆରମ୍ଭ କରିବେ କେମିତି? ହାତରେ ନୂଆ ନୋଟ୍ ନଥିବାରୁ ବିହନ କି ସାର କିଣିପାରୁ ନାହାନ୍ତି।’   ‘ସେସବୁ ଠିକ୍ ହୋଇଯିବ, ତମେ ବ୍ୟସ୍ତ ହୁଅନ୍ତି।’   ‘ଖାଲି ସେତିକି ନୁହେଁ, କାଲି ପେପର୍‌ରେ େଦଇଥିଲା, ପାଞ୍ଚ କୋଟି ଟଙ୍କାର ଅଣ୍ଡା ଥୁଆ ହୋଇଛି। ନଗଦ ଟଙ୍କା ଅଭାବରୁ ତା’ର ଗ୍ରାହକ ନାହାନ୍ତି। ଧାମରାରୁ ମାଛ ଧରା ହୋଇ 10 ଦିନ ହେଲା ପଡିଛି। କେହି ଉଠାଉ ନାହାନ୍ତି।’   ‘କହିଲି ପରା, ନୂଆ ନୋଟ୍ ଛପା ଚାଲିଛି। ଧୀରେ ଧୀରେ ଏଟିଏମଗୁଡ଼ିକରେ ସେସବୁ ପହଞ୍ଚିବ।’   ‘ତମେ କି ଯେ କଥା କହୁଛ? ରାଜ୍ୟର 6236ଟି ପଞ୍ଚାୟତ ମଧ୍ୟରୁ 4000ଟି ପଞ୍ଚାୟତରେ ବ୍ୟାଙ୍କଟିଏ ନାହିଁ। 2000ଟିରେ ବ୍ୟାଙ୍କ ମିତ୍ର ଅଛନ୍ତି, କିନ୍ତୁ ସେମାନଙ୍କ ପାଖରେ ବି ବାଣ୍ଟିବାକୁ ଟଙ୍କା ନାହିଁ। ଓଡ଼ିଶାର 6028ଟି ଏଟିଏମ୍ ମଧ୍ୟରୁ ଅଧେ ଅକାମୀ ହୋଇ ପଡିଛି। ଯେଉଁଗୁଡିକ ଆଦିବାସୀ ଅଞ୍ଚଳ ସେଠାରେ ତ ଆଦୌ ନାହିଁ। ସେମାନଙ୍କର କି ଅବସ୍ଥା ହେଉଥିବ କହିଲ?’   ‘ଏ ଅସୁବିଧା କ’ଣ ଖାଲି ଓଡ଼ିଶାରେ ହେଉଛି? ସାରା େଦଶରେ ତ ଏମିତି ହେଉଛି?’   ‘ହଁ ଯେ, ଓଡ଼ିଶାରେ 355ଟି ସମବାୟ ବ୍ୟାଙ୍କ ଅଛି। ମୋଦି ବିଗ୍ ବଜାର ଭଳି ଘରୋଇ ସଂସ୍ଥାମାନଙ୍କୁ ନୂଆ ନୋଟ୍ ଯୋଗାଇଲେ, ମାତ୍ର ତମ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ମଧ୍ୟ ଓଡ଼ିଶାରେ ସମବାୟ ବ୍ୟାଙ୍କଗୁଡ଼ିକୁ ସେ କ୍ଷମତା େଦଲେ ନାହିଁ। ସେତିକି ହେଲେ କରିଥାନ୍ତେ, ରାଜ୍ୟବାସୀ ଏମିତି ହନ୍ତସନ୍ତ ହୋଇନଥାନ୍ତେ। ରାଜ୍ୟର 44 ଲକ୍ଷ ଚାଷୀ ସମବାୟ ବ୍ୟାଙ୍କ ଉପରେ ନିର୍ଭର କରନ୍ତି।’   ‘ମୁଖ୍ୟ ସଚିବ ତ କହିଲେ ଆମେ ହେଲିକପ୍ଟର ପଠାଇବୁ। ତମେ ରିଜର୍ଭ ବ୍ୟାଙ୍କରୁ ନୋଟ୍ ପଠାଅ। ରାଜ୍ୟ ସରକାର ଆଉ କ’ଣ କରିଥାନ୍ତେ?’   ‘ଖୁଡ଼ି କହୁଥିଲେ, ସେ ଯେଉଁ ଜାଗୁଳେଇ ସ୍ବୟଂ ସହାୟିକା ଗୋଷ୍ଠୀରେ ଅଛନ୍ତି ତା’ର ଅବସ୍ଥା ବି ଶୋଚନୀୟ। ଟଙ୍କା ସୁଝିପାରୁ ନାହାନ୍ତି। ସେଥିରେ ପୁଣି 2% ଜରିମାନା ଲାଗିବ।’   ‘କିନ୍ତୁ ଏ ସବୁ ସତ୍ତ୍ବେ ରାଜ୍ୟବାସୀ ଓ ପୂରା େ’ଶବାସୀ ପୂରା ଆନନ୍ଦ ଉତ୍ସାହରେ ନୋଟ୍ ବଦଳିରେ ତ ସାମିଲ ହେଉଛନ୍ତି। ତମ ଆପ୍ ଲୋକଙ୍କୁ ଖାଲି ସମସ୍ୟା େଦଖାଯାଉଛି!’   ‘ସେଇଟା ଖାଲି ଟିଭି କହୁଛି। ନୋଟ୍‌ବନ୍ଦୀ ଯୋଗୁ ଯେଉଁ 70/80 ଲୋକ ବ୍ୟାଙ୍କରୁ ଟଙ୍କା ନପାଇ ମଲେଣି ସେମାନେ କ’ଣ ଆନନ୍ଦ ଉଲ୍ଲାସରେ ମରୁଛନ୍ତି?’   ‘ହେଲା ଯେ! କିନ୍ତୁ ସେ କଥା ତ ଆଉକେହି କହୁ ନାହାନ୍ତି? ତମ ପାର୍ଟି କାହିଁକି ଏତେ ହୋ-ହାଲ୍ଲା କରୁଛି? ଧୀରେ ଧୀରେ ସେସବୁ ଦୂର ହୋଇଯିବ।’   ‘ସମସ୍ୟାଟି ସାମୟିକ ହୋଇଥାନ୍ତା କି, ବୁଝି ହୁଅନ୍ତା। ବାଣିଜ୍ୟକର ବିଭାଗ କହିଲାଣି ଯେ ଗତ 10 ଦିନ ଭିତରେ ଟିକସ ଆଦାୟ 40ରୁ 45 ପ୍ରତିଶତ କମିଗଲାଣି। ନବୀନବାବୁ ଜାଣିରଖିବା କଥା ଯେ ରାଜ୍ୟର 93% କାରବାର ନଗଦ ଟଙ୍କା ଆକାରରେ ହୁଏ। ଏ ବେଳରେ ଗୋଟିଏ ଆଞ୍ଚଳିକ ଦଳ ହୋଇ ଅତି କମରେ ନିଜ ରାଜ୍ୟ ସ୍ବାର୍ଥରେ ତ କହିବା କଥା!  ରାଜ୍ୟରେ ଯେଉଁ ବଳକା ବଜେଟ୍ ଥିଲା ତାହା ଏବେ ନିଅଣ୍ଟିଆ ହେବାକୁ ଗଲାଣି।’   ‘ନବୀନବାବୁ ଏଥିରେ ବା ଆଉ କ’ଣ କରିପାରିଥାନ୍ତେ?’   ‘ମୁଁ ତ ବୁଝିପାରୁନି, କେନ୍ଦ୍ରର ମୋଦି ସରକାରଙ୍କୁ ତମ ଦଳ ଏତେ ଡରୁଛି କାହିଁକି? କମ୍ ସେ କମ୍ ମୁହଁ ତ ଖୋଲିପାରନ୍ତ? ବିଜେପିର ମିତ୍ର ଦଳ ଅକାଳୀ ଦଳ ବିମୁଦ୍ରାକରଣକୁ ସମର୍ଥନ କରୁଥିଲେ ହେଁ ପ୍ରସ୍ତୁତି ଅଭାବକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛି। ତମ ସରକାର ସେତକ ବି କହୁନାହିଁ।’   ‘େଦଖ, ତମେ ବୁଝିପାରିବ ନାହିଁ। ଆମ ପାର୍ଟିର ନୀତି ହେଲା ସମଦୂରତ୍ବ।’   ‘ତମେ କାହାଠାରୁ କେତେ ଦୂରତ୍ବ ରଖୁଛ ରଖ। କିନ୍ତୁ ରାଜ୍ୟର ସ୍ବାର୍ଥଠାରୁ ଦୂରତା ରଖ ନାହିଁ।’   ସେତେବେଳକୁ ଆମେ ଘରେ ପହଞ୍ଚି ସାରିଥିଲୁ। ଘରେ ପହଞ୍ଚି ଲାଇଟ୍ ଜଳେଇଲୁ।   ମିଷ୍ଟର ପଚାରିଲେ- ତମେ କାହିଁକି ଭାବୁଛ ଯେ ଆମ ପାର୍ଟି ମୋଦିଙ୍କୁ ଡରୁଛି ବୋଲି?   ‘କିହୋ, ତମ ବୈଜୟନ୍ତବାବୁ ତ ଦିଲ୍ଲୀରେ ବସି ନିତି ବିମୁଦ୍ରାକରଣ ସମର୍ଥନରେ ବୟାନ େଦଉଛନ୍ତି ଓ ଖବରକାଗଜରେ ଲେଖା ବାହାର କରୁଛନ୍ତି। ଆଉ ତମେ ଯଦି ଜାଣିବାକୁ ଚାହୁଁଛ ଯେ ଅରବିନ୍ଦ କେଜରିୱାଲ୍ କାହିଁକି ଡରୁନାହାନ୍ତି, ତେବେ ତା’ର କାରଣ ହେଲା ଯେ ତାଙ୍କୁ ମୋଦି ସିବିଆଇକୁ ନେଇ ଡରେଇ ପାରିବ ନାହିଁ। ନବୀନବାବୁ ଯଦି ଚିଟ୍‌ଫଣ୍ଡ ଦୁର୍ନୀତିରେ ଡରୁନାହାନ୍ତି ତେବେ ସେ ନିଜର ରାଜ୍ୟର ସ୍ବାର୍ଥରେ କହିବା ପାଇଁ କାହିଁକି ଡରୁଛନ୍ତି? ତାଙ୍କର ତ ଦିଲ୍ଲୀରେ କେହି ହାଇକମାଣ୍ଡ ନାହାନ୍ତି? କାହାକୁ ଡରୁଛନ୍ତି? ଏବେ ଜୁଏଲ୍ ଓରାମ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ଯୋଗୁ ସିବିଆଇ ଟିକିଏ ଚଞ୍ଚଳ ହୋଇପଡିଛି। ଏହିଭଳି ଛକାପଞ୍ଝା କେତେଦିନ ଚାଲିବ? ଦିନେ ନା ଦିନେ ତ ଧରାପଡିବ! ଆଉ ଯେଉଁ ଦିନ ଧରାପଡିବ ସେଦିନ କଥା ସରିବ।’   ତାଳଚେର

Share :