ସରକାର ଚେଙ୍କିବେ ନା ଚେଙ୍କ ଖାଇବେ?

ସରକାର ଚେଙ୍କିବେ ନା ଚେଙ୍କ ଖାଇବେ?

Share :

  ଚେଙ୍କ ଖାଇ ବାଳିକାର ମୃତ୍ୟୁ, ବାଳକ ଗୁରୁତର। ଇଏ ଗୋଟେ ଖବରର ଶୀର୍ଷକ। ଖବରଟି ଓଡ଼ିଶାର ପ୍ରାୟ ସମସ୍ତ ଦୈନିକ କାଗଜର ଭିତର ପୃଷ୍ଠାରେ ପ୍ରକାଶ ପାଇଛି। ଏମିତି ଖବର ଅବଶ୍ୟ ଏବେ ଆଉ କାଁ ଭାଁ ନୁହେଁ। ଏହା ପ୍ରାୟ ନିତିଦିନିଆ ଘଟଣା ହୋଇଗଲାଣି। ଚେଙ୍କ ଖାଇ ନମଲେ ବି ଗୁରୁତର ଶିଶୁଙ୍କ କଥା ଅନେକ ବାହାରୁଛି।   ଓଡ଼ିଶାର ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ସୁନ୍ଦରଗଡ଼ ଆଦି ଆଦିବାସୀ ଅଧ୍ୟୁସିତ ଜିଲ୍ଲାଗୁଡ଼ିକରେ ଏବେ ବି ଚେଙ୍କ ଚିକିତ୍ସା ଚାଲିଛି। ଏଭଳି ଚିକିତ୍ସା ଯୋଗୁଁ କେବେ କେଉଁ ଲୋକ କେଉଁ ରୋଗରୁ ଭଲ ହୋଇଥିବାର ସମ୍ବାଦ ଓଡ଼ିଶାର ଗଣମାଧ୍ୟମରେ ଦେଖିବାକୁ ମିଳେ ନାହିଁ। କିନ୍ତୁ ଚେଙ୍କ ଖାଇ ଅନେକ ପିଲା ପ୍ରାଣ ହରାଇବା କିମ୍ବା ଗୁରୁତର ହୋଇପଡ଼ିବା ନେଇ ବର୍ଷକୁ ଶହଶହ ଖବର ପ୍ରକାଶ ପାଉଛି। ଏସବୁ ଅଂଚଳରେ ଆଧୁନିକ ସ୍ବାସ୍ଥ୍ୟସେବା ଓ ଶିକ୍ଷା ସଚେତନତାର ଘୋର ଅଭାବ ଯୋଗୁଁ ଲୋକମାନେ ଏଭଳି ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛନ୍ତି। କିନ୍ତୁ ଓଡ଼ିଶାର ତଥାକଥିତ ପ୍ରଗତିଶୀଳ ସରକାର ଏଯାଏଁ ଏହି ଅନ୍ଧବିଶ୍ବାସ ଦୂର କରିବାକୁ ଆଦୌ ଉଦ୍ୟମ କରି ନାହାନ୍ତି।   ଛତିଶଗଡ଼ ଯୋଗୁଁ ମହାନଦୀ ଶୁଖିଯିବ ବୋଲି ବିନା ତଥ୍ୟପ୍ରମାଣରେ ଦାବି କରି ଶାସକ ବିଜୁ ଜନତା ଦଳର କର୍ମୀମାନେ ପାରାଦୀପରୁ ହୀରାକୁଦ ଯାଏଁ ମାନବ ଶୃଙ୍ଖଳ କରିପାରନ୍ତି। ବିଜୁବାବୁ ଭାରତର ଶ୍ରେଷ୍ଠ ନେତା ଓ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ବୋଲି ଦାବି କରି ଏହି ଦଳଟି ଦିଲ୍ଲୀରେ ଯାଇଁ ନାଟତାମସା ଆୟୋଜନ କରିପାରେ। କିନ୍ତୁ ଓଡ଼ିଶାର ଆଦିବାସୀମାନଙ୍କୁ ଅନ୍ଧବିଶ୍ବାସର ଅନ୍ଧକୂପରୁ ଉଦ୍ଧାର କରିବାକୁ କ୍ଷଣଟିଏ ବି ଚିନ୍ତା କରେନି।   ମୁଖ୍ୟମନ୍ତ୍ରୀଙ୍କ ଗସ୍ତକ୍ରମ, ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଆଦି ସଂପର୍କରେ ଓଡ଼ିଶା ସରକାର ଦୈନିକ ପୃଷ୍ଠାପୃଷ୍ଠା ବିଜ୍ଞାପନ ପ୍ରକାଶ କରିପାରନ୍ତି। କିନ୍ତୁ ଚେଙ୍କ ଚିକିତ୍ସା ବିରୋଧରେ ସେଭଳି ପ୍ରଚାର କରାଯାଏନି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବାବଦରେ ଓଡ଼ିଶା ସରକାର ଯେତିକି ଟଙ୍କା ଗଣମାଧ୍ୟମରେ ଖର୍ଚ୍ଚ କରୁଛନ୍ତି ତାହାର ଚଉଠେ ଯଦି ଚେଙ୍କ ଚିକିତ୍ସା ବିରୋଧୀ ସଚେତନତା ପାଇଁ ଖର୍ଚ୍ଚ ହୁଅନ୍ତା କେତେ କଥା ହୋଇପାରନ୍ତା। ତା’ଛଡ଼ା ଲୋକଙ୍କ ଭଲ ପାଇବାକୁ ଭିତ୍ତି କରି ନବୀନବାବୁ ଓ ତାଙ୍କ ଦଳ ଚାରି ଚାରି ଥର ଜିତିଲେଣି। ୨୦୦୦ ମସିହାରୁ ୨୦୧୯ ଯାଏଁ ସରକାରରେ ରହିବାକୁ ପଟ୍ଟା ପାଇଛି ଦଳ। ଏ ଦଳ ବା ଏହାର ସରକାର ଚାହିଁଲେ ଆଦିବାସୀ ଅଂଚଳରେ ଚେଙ୍କ ଚିକିତ୍ସା ବିରୋଧରେ ଭୟର ବାତାବରଣ ସୃଷ୍ଟି ହୋଇପାରନ୍ତା। ଯେଉଁ ଅଂଚଳରେ ଲୋକେ କିଛି ନଜାଣି ଏପରି ଚିକିତ୍ସା ଫାଶରେ ଛନ୍ଦି ହେଉଛନ୍ତି ସେସବୁ ଅଂଚଳର ଅଧିକ ଡାକ୍ତରଖାନା ଖୋଲାଯାଇ ପାରନ୍ତା। ଏଲୋପ୍ୟାଥି ଡାକ୍ତର ନମିଳିଲେ ବି ସେସବୁ ଅଂଚଳରେ ଅଧିକ ସଂଖ୍ୟକ ହୋମିଓପ୍ୟାଥି ଓ ଆୟୁର୍ବେଦିକ ଡାକ୍ତରଙ୍କୁ ମୁକରିର କରାଯାଇ ପାରନ୍ତା। ଆଦିବାସୀ ଅଂଚଳର ପ୍ରତି ୨-୩ ପଂଚାୟତରେ ଯଦି ଆୟୁର୍ବେଦିକ ଓ ହୋମିଓପ୍ୟାଥି ଡାକ୍ତରଙ୍କୁ ନିଯୁକ୍ତ କରାଯାଆନ୍ତା ଏବଂ ସେହି ଅଂଚଳରେ ରହି ଲୋକଙ୍କ ଚିକିତ୍ସା କରିବାକୁ ସେମାନଙ୍କୁ ତାଗିଦ କରାଯାଆନ୍ତା ତେବେ ଅନେକ ପିଲା ଚେଙ୍କ ମୁହଁରୁ ବର୍ତ୍ତିଯାଆନ୍ତେ।   କିନ୍ତୁ ସରକାରଙ୍କର ସେ ବାବଦରେ ପ୍ରତିକ୍ରିୟା ହିଁ ନାହିଁ। ଯେମିତି ଏହା ଏ ରାଜ୍ୟର ସମସ୍ୟା ନୁହେଁ ବା ଆଦିବାସୀମାନ ଏ ରାଜ୍ୟର ଲୋକ ନୁହନ୍ତି! ଅବଶ୍ୟ ଅନେକ ଆଦିବାସୀ ବିଜୁ ଜନତା ଦଳର ଭୋଟର ହୋଇନଥିବେ, ଏହା ବିଶ୍ବାସଯୋଗ୍ୟ। ଏଇ କାରଣରୁ କ’ଣ ସରକାର ଚେଙ୍କ ଚିକିତ୍ସା ପରି ଏକ ଯନ୍ତ୍ରଣାଦାୟକ ଅନ୍ଧବିଶ୍ବାସ ଦୂର କରିବାକୁ ସଚେତନତା ଅଭିଯାନ ଆରମ୍ଭ କରୁନାହାନ୍ତି? ଆଦିବାସୀ ଅଂଚଳରେ ଖଣିଖାଦାନ କରିବାକୁ ଏ ସରକାର ପୁଲିସ ପଠାଇପାରେ। ଲୋକଙ୍କୁ ମାଓବାଦୀ କହି ଗୁଳି ମାରିଦିଆଯାଇ ପାରେ। ଜଙ୍ଗଲଜମି ଉପରେ ଲୋକଙ୍କର ରହିଥିବା କାଳକାଳର ଅଧିକାର ଉଚ୍ଛେଦ କରାଯାଇପାରେ। ଏସବୁ କରାଯାଇ ପାରେ ସେମାନଙ୍କର ବିକାଶ ଓ ସମୃଦ୍ଧି ଯୁକ୍ତିରେ। କିନ୍ତୁ ସେମାନଙ୍କ ଗାଁରେ ଡାକ୍ତରଖାନା ଖୋଲାଯାଇ ପାରେନା, ସ୍କୁଲ ଖୋଲାଯାଏନା, ଡାକ୍ତର ଓ ଶିକ୍ଷକ ନିଯୁକ୍ତି ହୁଏନା। ଏପରିକି ସଡ଼କ ସଂଯୋଗ ମଧ୍ୟ ହୁଏନାହିଁ।   ରାଜଧାନୀ ଭୁବନେଶ୍ବର ଗୋଟିଏ ଗୋଟିଏ ରାସ୍ତାରେ ଦରକାର ନଥିଲେ ବି ବର୍ଷକୁ ତିନି ଚାରି ଥର ପିଚୁ ଢଳାଯାଏ, ଚିପ୍ସ ଉପରେ ମାଟି ଓ ତା’ଉପରେ ପୁଣି ଚିପ୍ସ ଗଦା କରାଯାଏ, ରାସ୍ତାର ଆଲୁଅ ଖୁଣ୍ଟି ଓ ବଲ୍‌ବ ଖରାପ ହୋଇନଥିଲେ ମଧ୍ୟ ଦି’ ତିନି ବର୍ଷରେ ଥରେ ବଦଳିଯାଏ, ଡାକ୍ତରଖାନାରେ ଜଣକ ଜାଗାରେ ଦି’ଜଣ ଡାକ୍ତର ନିଯୁକ୍ତ ହୋଇପାରନ୍ତି ଓ ସରକାରୀ ସ୍କୁଲରେ ଦରକାର ନଥିଲେ ମଧ୍ୟ ଶିକ୍ଷକ ପଦବୀ ଖାଲି ପଡ଼େ ନାହିଁ। କିନ୍ତୁ ଆଦିବାସୀ ଅଧ୍ୟୁସିତ ନଗଡ଼ା କି ଗୁମୁଡ଼ୁମାହାକୁ ରାସ୍ତା ହୋଇପାରେନ। ସେଠାରେ ସ୍କୁଲକୁ ମାଷ୍ଟର କି ଡାକ୍ତରଖାନାକୁ ଡାକ୍ତର ଦିଆଯାଏନା।   କେବଳ ଚେଙ୍କ ଚିକିତ୍ସା ନୁହେଁ, ଓଡ଼ିଶାର ଆଦିବାସୀ ଅଂଚଳେ ଏବେ ବି ଗୁଣିଗାରେଡି ଚାଲିଛି ଓ ଏହାକୁ କେନ୍ଦ୍ର କରି ଘଟୁଛି ଅନେକ ବୀଭତ୍ସ ହତ୍ୟା। ଡାହାଣୀ ଉତ୍ପାତ ଥାଉ ନଥାଉ ଅନ୍ଧବିଶ୍ବାସ ଜନିତ ହିଂସାର ତାଣ୍ଡବ ପ୍ରତି ଜଙ୍ଗଲରେ ଦେଖିବାକୁ ମିଳେ। ଏହା ବିରୋଧରେ ବି ଏଯାଏଁ କିଛି ଠୋସ ପଦକ୍ଷେପ ନେଇ ନାହାନ୍ତି ଓଡ଼ିଶା ସରକାର। ଗୋଟିଏ ଆଇନ କରି ବସି ଯାଇଛନ୍ତି। ସେ ଆଇନ କାର୍ଯ୍ୟକାରୀ ହେଲା କି ନାହିଁ, ଲୋକେ ଏ ଆଇନ ସଂପର୍କରେ ସଚେତନ ହେଲେ କି ନାହିଁ ତାହାର ସମୀକ୍ଷା କରିବାକୁ କାହାକୁ କିଛି ତର ନାହିଁ।   ଆଶା କରୁଁ, ଓଡ଼ିଶା ସରକାର ଟିକ ହେଜିବେ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ଯେଭଳି ପାଣି ଭଳି ପଇସା ଖର୍ଚ୍ଚ କରାଯାଇ ବିଜ୍ଞାପନ ଦିଆଯାଉଛି ସେହିପରି ଖର୍ଚ୍ଚ କରି ଚେଙ୍କ ଚିକିତ୍ସା ଓ ଗୁଣିଗାରେଡି ବିରୋଧରେ ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରିବାକୁ ଅଭିଯାନ ଆରମ୍ଭ କରିବେ। ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ସରକାର ଏବଂ ବିଜୁ ଜନତା ଦଳ ଆଦିବାସୀ ଅଂଚଳରୁ ଏ ଦୁଇଟି ଅନ୍ଧବିଶ୍ବାସ ଦୂର କରିପାରିଲେ ତାହା ହେବ ଏ ଦଳର ଓଡ଼ିଶା ପ୍ରତି ସବୁଠୁଁ ବଡ଼ ଅବଦାନ।

Share :