ବାଉଳା ହେଲେ, ଭକୁଆ କଲେ!

ବାଉଳା ହେଲେ, ଭକୁଆ କଲେ!

Share :

  ନଭେମ୍ୱର ୮ ତାରିଖ ସନ୍ଧ୍ୟାରେ କହିଲେ କଳାଧନ, ଜାଲିନୋଟ‍୍‌ ଓ ଆତଙ୍କବାଦ ବିରୋଧରେ ନିଆଯାଇଛି ଏହି ନିଷ୍ପତ୍ତି। ଚାରିଆଡେ଼ ହୁରି ପଡ଼ିଲା ଏହା ହେଉଛି ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍। ସର୍ଜିକାଲ‍୍‌ ଷ୍ଟ୍ରାଇକ୍। କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କୁ ଘୃଣା କରୁଥିବା ରାଜନୀତିକ ସେନାନୀଗଣ ତ’ ସୋସିଆଲ ଓ ମେନ‍୍‌ଷ୍ଟ୍ରିମ ମିଡିଆରେ ଛାଇଗଲେ। ମାତ୍ର କିଛି ଦିନ ଦେଶବାସୀ ସାମାନ୍ୟ ଅସୁବିଧା ଭୋଗ କରିବେ। କିନ୍ତୁ ଦେଶ ପୂରା ଧଳା ହୋଇଯିବ। ବହୁତ ବଢ଼ିଆ କଥା। ଏଭଳି ଏକ ଭଲ କାମକୁ କିଏ କାହିଁକି ବିରୋଧ କରିବ?   ରାତି ପାହିଲେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଏ ଘୋଷଣାକୁ ମାସେ ପୂରୁଛି। କେତେ କଳାଧନ ନଷ୍ଟ ହେଲା? କାଶ୍ମୀର ଓ ଦେଶର ଅନ୍ୟାନ୍ୟ ଅଂଚଳରୁ କେତେ ଆତଙ୍କବାଦ ଦୂର ହେଲା? କେତେ ଜାଲିନୋଟ‍୍‌ ଧରା ପଡ଼ିଲା?   ଅନ୍ୟପକ୍ଷରେ ଦେଶର କେତେ ସାଧାରଣ ଲୋକ ହଇରାଣ ହରକତ ହେଲେ। କେତେ ଲୋକ ଏଟିଏମ ଓ ବ୍ୟାଙ୍କ ସାମ୍ନାରେ ଘଣ୍ଟାଘଣ୍ଟା ହୋଇ ଜୀବନ ହରାଇଲେ? କେତେ ବାହାଘର ଭାଙ୍ଗିଗଲା? କେତେ ରୋଗୀ ବିନା ଚିକିତ୍ସାରେ ମରିଗଲେ? କେତେ ଲୋକ ବ୍ୟାଙ୍କରେ ରଖିଥିବା ନିଜ ଟଙ୍କା ଉଠାଇବାକୁ ଯାଇଁ ଦିନଦିନ ବେକାର ହେଲେ? ତା’ଫଳରେ କେତେ ମାନବଦିବସ ନଷ୍ଟ ହେଲା? ତଦ୍ୱାରା ଦେଶର କେତେ ଉତ୍ପାଦନ କମିଲା? ଖୁଚୁରା ବଜାରରେ କେତେ କାରବାର କମିଲା? ତଦ୍ୱାରା ଦେଶ ଓ ରାଜ୍ୟଗୁଡ଼ିକ କେତେ ରାଜସ୍ୱ ହରାଇଲେ?   ଏସବୁର ଉତ୍ତର ଏଯାଏଁ ମିଳି ନାହିଁ। ସରକାର କେବେ ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବେ କି ଖୋଜିବେ ନାହିଁ ତାହା ବି କେହି କହିପାରିବେନି।   ମାତ୍ର, ଏ ମାସକ ଭିତରେ ହେଲା କ’ଣ? ଗଙ୍ଗାରେ ଅବଶ୍ୟ କିଛି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ‍୍‌ ଭାସିଲା। ବରେଲିରେ ଅଳ୍ପ କିଛି ଅଚଳ ନୋଟ‍୍‌ ପୋଡ଼ାଗଲା। କୋଲକାତାରେ କିଛି ରାସ୍ତାକଡ଼ରେ ପଡ଼ିଥିବାର ଦେଖାଗଲା। କିନ୍ତୁ ଏତିକି କ’ଣ ସାରା ଦେଶର କଳାଧନ?   ଏହା ଭିତରେ ଦେଖାଗଲା ମୁମ୍ୱାଇରେ ଜଣେ ବିଜେପି ନେତାଙ୍କ ଗାଡ଼ିରୁ ୨୦ କୋଟିର ପୁରୁଣା ନୋଟ‍୍‌ ଧରାପଡ଼ିଲା। ବିରୋଧୀ ଦଳ ଅଭିଯୋଗ କଲେ ଯେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଏକ ‘ସର୍ଜିକାଲ‍୍‌ ଷ୍ଟ୍ରାଇକ୍’ ପୂର୍ବରୁ ଭାରତୀୟ ଜନତା ପାର୍ଟି ପାଇଁ ଜମିକିଣା ଆକାରରେ ‘ବଙ୍କର‍୍‌’ ସବୁ ଖୋଳା ସରିଥିଲା। କାଶ୍ମୀରରେ ସେନା ଆକ୍ରମଣରେ ନିପାତ ଆତଙ୍କବାଦୀଙ୍କ ପାଖରୁ ଜବତ ହେଲା ନୂଆ ୨୦୦୦ ଟଙ୍କିଆ ନୋଟ‍୍‌। ନାଗରୋଟାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହେଲେ ୭ ଯବାନ। ହାଇଦ୍ରାବାଦରୁ ଜବତ ହେଲା ୪ କୋଟି ଟଙ୍କାର ନୂଆ ଦି’ ହଜାର ଟଙ୍କିଆ ଜାଲି ନୋଟ‍୍‌। କର୍ଣ୍ଣାଟକର ଦୁଇ ଜଣ ବଡ଼ ହାକିମଙ୍କ ଘରେ ଆୟକର ବିଭାଗର ଚଢ଼ାଉବେଳେ ଜବତ ହେଲା ୪.୭ କୋଟି ଟଙ୍କାର ନୂଆ ୨ ହଜାର ଟଙ୍କିଆ ନୋଟ‍୍‌।   ଏସବୁ କେବଳ ଉଦାହରଣ। ସାରା ଦେଶରେ ଦେଖିବାକୁ ମିଳିଲା ଏମିତି ଶହଶହ ଘଟଣା। ତା’ହେଲେ?   ପ୍ରଧାନମନ୍ତ୍ରୀ ବାକ୍‌ଚାତୁରି କଲେ, ଏବେ ଗରିବଙ୍କ ବଦଳରେ ଧନୀ ଲୋକମାନେ ବ୍ୟାଙ୍କରେ ଧାଡ଼ି ଲଗେଇଛନ୍ତି। ଗଣମାଧ୍ୟମ ଦେଖିଲା ସେମାନେ ସବୁ ସାଧାରଣ ଲୋକ। ଅଧିକାଂଶ ଗରିବ, ମୂଲିଆ ଓ ମଧ୍ୟବିତ୍ତ ଶ୍ରେଣୀର।   ପ୍ରଧାନମନ୍ତ୍ରୀ କହିଲେ, ୧୦ ମାସ ଧରି ବହୁ ଭାବିଚିନ୍ତି ଏ ନିଷ୍ପତ୍ତି ନିଆଯାଇଛି। ଲୋକେ ଦେଖିଲେ ଏ ମାସକ ଭିତରେ ପ୍ରାୟ ପ୍ରତିଦିନ ଆୟକର ବିଭାଗ ଓ ରିଜର୍ଭ ବ୍ୟାଙ୍କ ଆଦେଶ ବଦଳୁଛି। ଆଜି ଗୋଟେ କଥା, କାଲି ଆଉ ଗୋଟେ କଥା। ଏଥିରୁ ଜଣାପଡ଼ିଲା କେତେ ଭାବନା ଓ ଚିନ୍ତା କରିଥିଲେ ସରକାର! କେତେ ପ୍ରସ୍ତୁତ ଥିଲା ରିଜର୍ଭ ବ୍ୟାଙ୍କ!   ଅବସ୍ଥା ଅସମ୍ଭାଳ ହେବାରୁ କଥା ଯୋଡ଼ିଲେ ପ୍ରଧାନମନ୍ତ୍ରୀ, ଏହା କ୍ୟାସ‍୍‌ଲେସ‍୍‌ ବା ନଗଦହୀନ କାରବାର ସପକ୍ଷରେ ସରକାରଙ୍କର ଏକ ପଦକ୍ଷେପ। କଳାଧନ, ଜାଲିନୋଟ‍୍‌ ଓ ଆତଙ୍କବାଦ କଥା ଲୁଚିଗଲା। ପ୍ରତି ମୋବାଇଲ‍୍‌ରେ ଶୁଣାଗଲା ପ୍ରଧାନମନ୍ତ୍ରୀଙ୍କ ସ୍ୱର: ମେରା ମୋବାଇଲ‍୍‌, ମେରା ବ୍ୟାଙ୍କ, ମେରା ୱାଲେଟ‍୍‌!   ଲୋକେ ଦେଖିଲେ ଦୁର୍ନୀତି ଓ ଭ୍ରଷ୍ଟାଚାରର ମୂଳୋତ୍ପାଟନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍‌ରୁ ଜନ୍ମ ନେଲେ ଆଉ ଦଳେ ଦୁର୍ନୀତିଗ୍ରସ୍ତ। ବ୍ୟାଙ୍କ ଅଧିକାରୀ ଓ ଆୟକର ବିଭାଗର ଅନେକ କର୍ମଚାରୀ କଳାକୁ ଧଳା କରିବାରେ ସହଯୋଗ କଲେ। ମାସକ ଭିତରେ ବ୍ୟାଙ୍କଗୁଡ଼ିକରେ ଜମା ହେଲା ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଅଚଳ ନୋଟ‍୍‌ ବା କଳାଟଙ୍କା! ସରକାର ନିଜେ କହିଥିଲେ ସମଗ୍ର ଦେଶରେ ଏଭଳି ଅଛି ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ‍୍‌। ତା’ମାନେ ତା’ର ପ୍ରାୟ ୭୦ ପ୍ରତିଶତ ବ୍ୟାଙ୍କ ଜରିଆରେ ଧଳା ହୋଇଗଲା!   କିଏ ବାଉଳା ଧରାପଡ଼ିଲାନି! ନେତା କି ଜନତା? ଭକ୍ତ କି ନିନ୍ଦୁକ?

Share :