ନେତା ହେବେନାହିଁ ଅରିନ୍ଦମ!

ନେତା ହେବେନାହିଁ ଅରିନ୍ଦମ!

Share :

  ଓଡ଼ିଆ ଚଳଚ୍ଚିତ୍ରର ଆଗଧାଡ଼ିର ନାୟକ ଅରିନ୍ଦମ ରୟ ହାତକୁ ଦି’ ହାତ ହେଉଛନ୍ତି। ଆଜି ଡିସେମ୍ବର ୪ ତାରିଖରେ ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ ହୋଟେଲରେ ତାଙ୍କର ବାହାଘର ହେଉଛି। ତାଙ୍କ ହାତ ଧରୁଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପା ଦାସ। ନେତା ଓ ଅଭିନେତା ପରିବାର ମଧ୍ୟରେ ହେଉଥିବା ଏହି ବିବାହ ଉତ୍ସବ ନେଇ ଗଣମାଧ୍ୟମ ଓ ରାଜନୀତିକ ଜଗତରେ ଢେର ଚର୍ଚ୍ଚା।   ଓଲିଉଡ଼ର ଜଣେ ଆଗ ଧାଡ଼ିର ନାୟକ ହେଉଛନ୍ତି ଅରିନ୍ଦମ ରୟ। ଶୁଣାଯାଏ ଓଡ଼ିଆ ଫିଲ୍ମ ହିରୋଙ୍କ ମଧ୍ୟରେ ତାଙ୍କ ପାଉଣା କାଳେ ଟିକେ ଅଧିକ। ସେ ଜଣେ ଆକ୍ସନ ହିରୋ ଭାବେ ପରିଚିତ। ତାଇକୋଣ୍ଡୋରେ ବ୍ଲାକ୍‌ ବେଲ୍ଟ ବିଜେତା ଅରିନ୍ଦମ ସାଇ ବା ସ୍ପୋର୍ଟସ ହଷ୍ଟେଲ ଅଫ୍‌ ଇଣ୍ଡିଆର ମଧ୍ୟ ଜଣେ କ୍ରୀଡ଼ା ପ୍ରଶିକ୍ଷକ ବା କୋଚ୍‌। ଅରିନ୍ଦମଙ୍କ ଫିଲ୍ମଗୁଡ଼ିକ ମଧ୍ୟରେ ‘ତୋର ଦିନେକୁ ମୋର ଦିନେ’, ‘ଇଶ୍କ ତୁ ହି ତୁ’, ‘ରାଜା ଝିଅ ସାଙ୍ଗେ ହେଇଗଲା ଭାବ’, ‘ହିରୋ’ ଓ ‘କ୍ରିମିନାଲ’ ଆଦି ବ୍ୟବସାୟିକ ସଫଳତା ଅର୍ଜନ କରିଥିଲା।   ସେ କଟକର ଏକ ବଙ୍ଗାଳୀ ପରିବାରରେ ୧୯୮୫ ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଏବେ ମାତ୍ର ୩୧ ବର୍ଷ ବୟସ।   ଆଜି ସେ ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ପଟ୍ଟଶିଷ୍ୟ ଅନ୍ୟତମ ସ୍ବାଭିମାନୀ ଯୁଗପୁରୁଷ ସ୍ବର୍ଗତ ଅଶୋକ ଦାସଙ୍କର କନ୍ୟା ତଥା ରାଜ୍ୟର ବର୍ତ୍ତମାନର ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପା ଦାସଙ୍କ ପାଣିଗ୍ରହଣ କରିବେ। ବରପକ୍ଷ ବଙ୍ଗଳା ଓ କନ୍ୟାପକ୍ଷ ଓଡ଼ିଆ ହୋଇଥିବାରୁ ଏହି ବାହାଘର ଉଭୟ ବଙ୍ଗଳା ଓ ଓଡ଼ିଆ ପ୍ରଥା ଓ ପରମ୍ପରା ମିଶ୍ରଣରେ ଅନୁଷ୍ଠିତ ହେଉଛି।   କେଇ ମାସ ତଳେ ନିଜ ଭାଇର ବିବାହ ଅନୁଷ୍ଠାନ ଆୟୋଜିତ କରିଥିବା ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଭଉଣୀ ବାହାଘରର ସବୁ ଦାୟିତ୍ବ ନିଜେ ତୁଲାଇଛନ୍ତି। ସ୍ବସ୍ତି ପ୍ରିମିୟମରେ ସେ ଭଉଣୀର ବିବାହ ଉତ୍ସବ ଓ ଭୋଜି ଆୟୋଜନ କରିଛନ୍ତି। ଅରିନ୍ଦମ ତାଙ୍କର କଟକ ମେରିଆ ବଜାରସ୍ଥିତ ଘରେ ତାଙ୍କ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ପାଇଁ ପ୍ରୀତିଭୋଜନ ଆୟୋଜନ କରିଛନ୍ତି।   କଟକର ଅନ୍ୟତମ ଚର୍ଚ୍ଚିତ ନାୟକ ଅନୁଭବ ମହାନ୍ତି ଏବେ ଶାସକ ବିଜୁ ଜନତା ଦଳର ଜଣେ ସାଂସଦ। ସେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏବେ ଅରିନ୍ଦମ ରାଜ୍ୟ ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ଯୁବନେତା ତଥା ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀଙ୍କୁ ବିବାହ କରୁଥିବାରୁ ସେ ମଧ୍ୟ ଖୁବଶୀଘ୍ର ରାଜନୀତିରେ ଯୋଗଦେବେ ବୋଲି କେତେକ ମହଲରେ ଚର୍ଚ୍ଚା ଚାଲିଛି। କିନ୍ତୁ ନିଜେ ଅରିନ୍ଦମ ଏଭଳି ସମ୍ଭାବନାକୁ ଅସ୍ବୀକାର କରିଛନ୍ତି। ତାଙ୍କ ବିବାହ ସହିତ ରାଜନୀତିର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

Share :