‘ଅକ୍ଷୟ ଶକ୍ତିର ବିକାଶ କରୁ ଓଡ଼ିଶା’

‘ଅକ୍ଷୟ ଶକ୍ତିର ବିକାଶ କରୁ ଓଡ଼ିଶା’

Share :

କେନ୍ଦ୍ର ଶକ୍ତି, କୋଇଲା, ଖଣି, ନୂତନ ଓ ଅକ୍ଷୟଶକ୍ତି ବିକାଶମନ୍ତ୍ରୀ ପିୟୂଷ ଗୋଏଲ ବିପୁଳ ଖଣିଜ ସମ୍ପଦର ରପ୍ତାନୀ ପରିବର୍ତ୍ତେ ଓଡ଼ିଶାରେ ତାହାର ମୂଲ୍ୟ ସମ୍ୱର୍ଦ୍ଧନ ବା ମୂଲ୍ୟଯୁକ୍ତ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ଓଡ଼ିଶା ସରକାର ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ନୂଆ ନୂଆ ପ୍ରସ୍ତାବ ପଠାଇବାକୁ ସେ ପରାମର୍ଶ ଦେଇଛନ୍ତି। ଓଡ଼ିଶା ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ଅକ୍ଷୟ ଶକ୍ତି ବିକାଶ ଦିଗରେ ସବୁ ପ୍ରକାର ସହଯୋଗ କରିବେ ବୋଲି ସେ କହିଥିଲେ।   ଡିସେମ୍ବର ୨ ତାରିଖରେ ଭୁବନେଶ୍ୱରଠାରେ ମେକ‌୍‍ ଇନ‌୍‍ ଓଡିଶା କନକ୍ଲେଭର ଉଦ‌୍‍ଯାପନୀ ସମାରୋହରେ ପୁଞ୍ଜି ନିବେଶକାରୀମାନଙ୍କୁ ଉଦ‌୍‍ବୋଧନ ଦେଇ ଶ୍ରୀ ଗୋଏଲ କହିଥିଲେ ଯେ, ଓଡ଼ିଶାରେ ବିପୁଳ ଖଣିଜ ସମ୍ପଦ ଭରି ରହିଛି। ଆମର ମୋଟ ଗଚ୍ଛିତ ପରିମାଣ ଭିତରୁ ୫୨ ପ୍ରତିଶତ ବକ୍ସାଇଟ‌୍‍ ଓଡିଶାରେ ରହିଛି। ନାଲକୋରୁ ଉତ୍ପାଦିତ ଆଲୁମିନିୟମ ଉତ୍ପାଦିତ ବିଦେଶକୁ ରପ୍ତାନୀ ହେଉଛି। ଅଥଚ ଓଡ଼ିଶା ଭିତରେ ତାହାର ମୂଲ୍ୟ ସମ୍ୱର୍ଦ୍ଧନ ହୋଇପାରୁନାହିଁ। ଓଡ଼ିଶାରେ ଉନ୍ନତମାନର ଆଲୁମିନିୟମ ଉତ୍ପାଦନ ହେଉଥିବା ବେଳେ ଏହାର ମୂଲ୍ୟଯୁକ୍ତ ଉତ୍ପାଦନ ଲାଗି କୌଣସି ସ୍ତରରେ ବା ସଂସ୍ଥା ପକ୍ଷରୁ ଉଦ୍ୟମ କରାଯାଇନାହିଁ। ଅନେକ ବର୍ଷ ଧରି ଏହି ଧାରା ଚାଲିଆସିଛି। ଏଣୁ ଉଦ୍ୟୋଗପତିମାନେ ଓଡ଼ିଶାରୁ ଉତ୍ପାଦିତ ଆଲୁମିନିୟମର ମୂଲ୍ୟ ସମ୍ୱର୍ଦ୍ଧନ କରିବା ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଥିଲେ।   ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଇଲା ବ୍ଲକ ନିଲାମ ବେଳେ ଏକଥା ସ୍ପଷ୍ଟ କରିଥିଲେ ଯେ, ଓଡ଼ିଶା ସମେତ ଯେଉଁ ସବୁ ରାଜ୍ୟର କୋଇଲା ବ୍ଲକ ଆବଂଟନ ହେବ ସେହି ରାଜ୍ୟର ଗରିବରୁ ଗରିବତମ ବ୍ୟକ୍ତିଙ୍କୁ ଏବଂ ଖଣି ଅଂଚଳର ଆଦିବାସୀମାନଙ୍କୁ ଯେପରି ଉପକାର ମିଳିବ ସେ ଦିଗରେ ଅଧିକ ଧ୍ୟାନ ଦିଆଯିବ। କୋଇଲାର ଇ-ନିଲାମୀରୁ ଯେଉଁ ବିପୁଳ ଅର୍ଥ ମିଳୁଛି ସେଥିରୁ ଓଡ଼ିଶାକୁ ୭୦ ହଜାର କୋଟି ରାଜସ୍ୱ ମିଳିବ। ସାଗରମାଳା ପ୍ରକଳ୍ପ ଜରିଆରେ ଓଡ଼ିଶାର ବେଳାଭୂମି ସଡକର ଉନ୍ନତି ଏବଂ ପାରାଦୀପଠାରେ ପେଟ୍ରୋରସାୟନ ପ୍ରକଳ୍ପର ପ୍ରତିଷ୍ଠା ତଥା ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ବେରୋଜଗାର ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ। ବିକାଶ କ୍ଷେତ୍ରରେ ଯେଉଁସବୁ ଆଂଚଳିକ ବୈଷମ୍ୟ ରହିଛି ତାକୁ ଦୂର କରିବାକୁ ପଡିବ। ସେ ଦିଗରେ କେନ୍ଦ୍ର ସରକାର ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଆସାମ ସହିତ ପୂର୍ବ ଭାରତର ରାଜ୍ୟମାନଙ୍କରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବାକୁ ସବୁ ମନ୍ତ୍ରଣାଳୟ ତଥା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଭାରତର ବିକାଶ ଦ୍ୱାରା ଦେଶର ଅଭିବୃଦ୍ଧିକୁ ବଳ ମିଳିବ।   ସେ କହିଥିଲେ ଯେ, ଓଡ଼ିଶା ଏକ ବ୍ୟବହାରକାରୀ ରାଜ୍ୟ ହେବା ପରିବର୍ତ୍ତେ ଏକ ବୃହତ ଉତ୍ପାଦନକାରୀ ତଥା ନିର୍ମାଣକାରୀ ରାଜ୍ୟ ଭାବେ ବିବେଚିତ ହେବା ଦରକାର। ଏହାଦ୍ୱାରା ଓଡ଼ିଶାକୁ ଅଧିକ ରାଜସ୍ୱ ମିଳିପାରିବ। ସେ କହିଥିଲେ ଯେ, ଓଡ଼ିଶାର ସବୁ ଗ୍ରାମକୁ ମେ’ ୨୦୧୮ ସୁଦ୍ଧା ୨୪ ଘଂଟିଆ ବିଜୁଳି ଶକ୍ତି ଯୋଗାଇ ଦିଆଯିବ। ତେବେ ରାଜ୍ୟ ସରକାର ଅଣପାରମ୍ପରିକ, ଅକ୍ଷୟଶକ୍ତି ତଥା ସୌରଶକ୍ତିର ବିକାଶ ଲାଗି ନୂଆ ନୂଆ ପ୍ରସ୍ତାବମାନ ପଠାଇବାକୁ ଶ୍ରୀ ଗୋଏଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ସାରା ଦେଶରେ ବର୍ତମାନ ସୁଦ୍ଧା ୧୮ କୋଟି ଏଲଇଡି ବଲ‌୍‍ବ ବିତରଣ କରାଯାଇଛି। ସେଥି ମଧ୍ୟରୁ ଓଡ଼ିଶାରେ କେବଳ ୭୩ ଲକ୍ଷ ଏଲଇଡି ବଂଟା ଯାଇଛି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ରାଜ୍ୟର ସବୁ ପରିବାର ପାଖରେ ଏଲଇଡି ବଲବ ପହଂଚାଇବାର ଯୋଜନା ରହିଛି। ଏହାଦ୍ୱାରା ଅନେକ ଶକ୍ତି ସଂଚୟ ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଥିଲେ।   ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ବିମୁଦ୍ରୀକରଣ ନିଷ୍ପତି ଦେଶରେ ଏକ ନଗଦମୁକ୍ତ ସମାଜ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବ। ପ୍ରତ୍ୟେକ ସ୍ତରରେ ଇ-କାରବାର ବୃଦ୍ଧି ପାଇବ। ଶିଳ୍ପଦ୍ୟୋଗୀମାନେ ମଧ୍ୟ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନା ଓ କଳକାରଖାନାରେ ତଥା ଉଦ୍ୟୋଗରେ ଇ-କାରବାରକୁ ଆଗେଇ ନେବାକୁ ସେ ଆହ୍ୱାନ ଦେଇଥିଲେ।

Share :