ମିଛ କହିଥିଲେ ମୁଖ୍ୟ ସଚିବ

ମିଛ କହିଥିଲେ ମୁଖ୍ୟ ସଚିବ

Share :

  ମହାନଦୀ ଅବବାହିକାରେ ଛତିଶଗଡ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଓଡିଶା ସରକାରଙ୍କୁ ଛତିଶଗଡ ସରକାର ଅବଗତ କରି ନଥିଲେ ବୋଲି ଓଡିଶା ସରକାର ଓ ମୁଖ୍ୟ ଶାସନ ସଚିବ ଅଭିଯୋଗ କରିଥିଲେ। କିନ୍ତୁ ନିକଟରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଠାରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏହି ଅଭିଯୋଗକୁ ମିଥ୍ୟ ପ୍ରମାଣିତ କରିଛି। ଛତିଶଗଡ ସରକାର ୨୦୦୬ରୁ ବିଭିନ୍ନ ପ୍ରକଳ୍ପ ଉପରେ ଓଡିଶା ସରକାରଙ୍କ ଠାରୁ ମତାମତ ଓ ଆପତ୍ତି ମାଗି ଚାଲିଛନ୍ତି। କିନ୍ତୁ ଓଡିଶା ସରକାର ଏସବୁ ଚିଠିକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି।   ଗତ ଅଗଷ୍ଟ ୧ ତାରିଖରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏକ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ ମହାନଦୀ ଅବବାହିକାରେ ହୋଇଥିବା କେଲୋ ବୃହତ ପ୍ରକଳ୍ପ ସମ୍ପର୍କରେ ଓଡିଶାକୁ କୌଣସି ସୂଚନା ଦିଆଯାଇ ନାହିଁ। ଏ ସମ୍ପର୍କରେ ସରକାରଙ୍କ ନିକଟକୁ କୌଣସି ଚିଠି ଆସିନାହିଁ।   ଏହା ଉପରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଠାରୁ ସୂଚନା ଅଧିକାର ଆଇନ ବଳରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ତଥ୍ୟ ମାଗିଥିଲେ। ମିଳିଥିବା ତଥ୍ୟ ଅନୁସାରେ ୧୯.୧୨.୨୦୦୬ରେ କେଲୋ ପ୍ରକଳ୍ପ ସର୍ଭେ ଡିଭିଜନର କାର୍ଯ୍ୟନିର୍ବାହୀ ଇଂଜିନିୟର ଜଳସେଚନ ସଚିବଙ୍କ ନିକଟକୁ ପ୍ରୋଜେକ୍ଟ ରିପୋର୍ଟ ପଠାଇଥିଲେ। ସେଥିରେ ଲେଖା ଯାଇଥିଲା କେନ୍ଦ୍ରୀୟ ଜଳ ଆୟୋଗଙ୍କ ପରାମର୍ଶରେ ଏହି ପ୍ରକଳ୍ପ ରିପୋର୍ଟ ପଠାଯାଉଛି। କିନ୍ତୁ ଓଡିଶା ସରକାର କୌଣସି ଆପତ୍ତି ଉଠାଇଲେ ନାହିଁ।   ପୁଣି ୨୩.୦୧.୨୦୦୮ରେ ଜଳସେଚନ ସଚିବଙ୍କୁ କେଲୋ ପ୍ରକଳ୍ପ ସର୍ଭେ ଡିଭିଜନର କାର୍ଯ୍ୟନିର୍ବାହୀ ଇଂଜିନିୟର ଚିଠି ଦେଇଥିଲେ। ସେଥିରେ ଲେଖାଯାଇଥିଲା ପ୍ରକଳ୍ପ ସମ୍ପର୍କରେ ଯେ କୌଣସି ମତାମତ ଓଡିଶା ସରକାର କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ଦେଇପାରିବେ। ତଥାପି ସରକାର କୌଣସି ଉତ୍ତର ଦେଇନଥିଲେ।   ସୂଚନା ଅଧିକାର ଆଇନ ବଳରେ ଏହି ଦୁଇଟି ଚିଠିର ନକଲ ଆବେଦନକାରୀଙ୍କୁ ମିଳିଛି। ଫଳରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ସାମ୍ୱାଦିକ ସମ୍ମିଳନୀ ଡକାଇ ଅତ୍ୟନ୍ତ ମିଛ ତଥ୍ୟ ଦେଇଥିବା ଶ୍ରୀ ଅଖଣ୍ଡ ଅଭିଯୋଗ କରିଛନ୍ତି। ଓଡିଶା ଆପତ୍ତି ନ କରିବାରୁ କେଲୋ ବୃହତ ଜଳସେଚନ ପ୍ରକଳ୍ପକୁ ୨୦.୦୧.୨୦୦୯ରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ଅନୁମୋଦନ କରିଥିଲା ବୋଲି ସେ କହିଛନ୍ତି।   ସେହିପରି ତାନ୍ଦୁଲା ରିଜରଭିୟର ପ୍ରକଳ୍ପ ସମ୍ପର୍କରେ ୨.୦୫.୨୦୧୨ରେ ଓଡିଶା ଜଳ ସମ୍ପଦ ବିଭାଗ ସଚିବ ଓ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଛତିଶଗଡ ଜଳ ସମ୍ପଦ ବିଭାଗ ଅଧୀନ ମହାନଦୀ ଗୋଦାବରୀ ବେସିନ‌୍‍ର ତତ୍କାଳୀନ ମୁଖ୍ୟ ଯନ୍ତ୍ରୀ ଆର.ଏନ. ଦିବ୍ୟା ଏହି ଚିଠି ଦେଇଥିଲେ। କିନ୍ତୁ ଏହା ଉପରେ ଓଡିଶା ସରକାର କୌଣସି ପ୍ରତିକ୍ରିୟା ରଖି ନଥିଲେ। ଏହି କଥାକୁ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ଲୁଚାଇଛନ୍ତି ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିଛନ୍ତି।   ଆରଟିଆଇ ତଥ୍ୟରୁ ରାଜ୍ୟ ସରକାର ଓ ମୁଖ୍ୟ ଶାସନଙ୍କ ମିଛ ଓ ଅବହେଳା ଧରାପଡିଯାଇଛି।

Share :