ମର୍ଣ୍ଣିଂ ୱାକ୍‌

ମର୍ଣ୍ଣିଂ ୱାକ୍‌

Share :

ରବି କାନୁନ‌୍‍ଗୋ   ଅଚ୍ଛେଦ୍ୟ, ଅଭେଦ୍ୟ, ଅଦୃଶ୍ୟ, ଅଗମ୍ୟ - ତଥାପି ଅଲଭ୍ୟ - ବ୍ରହ୍ମ ପରି, ଇଦାନୀଂ ମର୍ଣ୍ଣିଂୱାକ‌୍‍ ବା ପ୍ରାତଃଭ୍ରମଣ ସହରୀ ମଣିଷଙ୍କ ପାଇଁ ଢେର ସମ୍ଭାବନାମୟ। ବ୍ରହ୍ମ ଅନ୍ୱେଷଣ କଲେ କେତେ ପ୍ରକାର ସିଦ୍ଧି ମିଳେ ତାହା କଳନା କରିବା ଯେମିତି ମୁସ୍କିଲ, ମର୍ଣ୍ଣିଂୱାକ‌୍‍ରୁ କେତେ ଉପକାର ମିଳେ, ତହିଁର ଏକ ଚୂଡ଼ାନ୍ତ ତାଲିକା ବାହାର କରିବା ତତୋଧିକ ମୁସ୍କିଲ କହିଲେ ଚଳିବ।   ଯାହାହେଉ, ବିଶେଷଜ୍ଞମାନେ ଉଣ୍ଡାଳି ଯେତିକି ପାଇଛନ୍ତି ତାହା କମ‌୍‍ ନୁହେଁ। ଏହା କୁଆଡେ଼ ଶରୀରକୁ ଯଥେଷ୍ଟ ଅମ୍ଳଯାନ ଯୋଗାଏ। ରକ୍ତଚାପ ସ୍ଥିର ରଖେ। ହୃତପିଣ୍ଡ ନିର୍ଦ୍ବନ୍ଦ୍ବରେରେ କାମ କରେ। ଫୁସଫୁସ ସଂପ୍ରସାରିତ ହୁଏ। ଅସ୍ଥି-ଖଞ୍ଜା, ଲିଗାମେଣ୍ଟ‌୍‍ ଓ ମାଂସପେଶୀ ସତେଜ ରହେ। ରକ୍ତରେ ଇନ‌୍‍ସୁଲିନ ମାତ୍ରା ବାଲାନ୍ସ ହୋଇଯାଏ। ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଗ୍ୟାସ‌୍‍ଟ୍ରିକ ଇତ୍ୟାଦି ହୁଏନାହିଁ। ବଡି ଫ୍ଲେକ‌୍‍ସିବ‌୍‍ଲ ଏବଂ ଫିଟ‌୍‍ ରହେ। ଅଳ୍ପ ବୟସ୍କଙ୍କ ଆଇକ୍ୟୁ ବଢ଼େ। ପାକଳମାନଙ୍କ ବୁଦ୍ଧି ତେଜ ହୁଏ। ବାଳ ଝଡ଼ା ବନ୍ଦ ହେବା ତ ଏକଦମ‌୍‍ ଗ୍ୟାରେଣ୍ଟେଡ‌୍‍, କେତେକ କ୍ଷେତ୍ରରେ ଚନ୍ଦା ମୁଣ୍ଡରେ କଳା ବାଳ ଗଜୁରେ। ବୟସ ଯେତେ ବଢ଼ିଲେ ବି ବ୍ୟକ୍ତି ସତେଜ ଦେଖାଯାଏ। ବାର୍ଦ୍ଧକ୍ୟର ବିକୃତ ଛାପ ଦେହ ସାରା ଲେସି ହୁଏନି। ‘ପ୍ରମାଥି ବଳବଦ୍ଦୃଢ଼ମ‌୍‍’ ବୋଲି ଗୀତାରେ କୁହାଯାଇଥିବା ମଣିଷର ବିଚଳିତ ମନ, ନିଜ ବଶକୁ ଆସିଯାଏ। ପୁନଶ୍ଚ, ବୟସ ସିନା ଦୈବର ଆୟତ୍ତ, ସ୍ୱାସ୍ଥ୍ୟ ତ ଆମ ଆୟତ୍ତରେ କି ନା? ହୁଗୁଳା ଯୌବନ ଠାରୁ ତେଜୋମୟ ବାର୍ଦ୍ଧକ୍ୟ ଲୋଭନୀୟ ଓ ସୁନ୍ଦର। ଶାସ୍ତ୍ରପୁରାଣ ବା ମୁନି ଋଷିମାନେ କେଉଁ ଯୁଗରୁ ଏ କଥା କହିଛନ୍ତି। ହେ ଛ୍ୟାଃ, ଇଂଲିଶକି ସବୁଠଁୁ ପଣ୍ଡିତ ଭାଷା ବୋଲି ଭାବି ତା’ରି ଜରିଆରେ ଶିଖିଥିବା ପୁଳାଏ ଅଜ୍ଞତାକୁ ଜ୍ଞାନ କହି ଅଯଥାରେ ବାହାଦୁରି ଦେଖେଇ ଭାରତୀୟମାନେ ଆମ ସ୍ୱଦେଶୀ ଜ୍ଞାନ ବୁଝିବାକୁ ଯାହା ଏତିକି ଡେରି କଲେ ସିନା!   ଉପରଗୁଡ଼ିକ ହେଲା ସାଧୁ ମତ। ଝାବଡ଼ାରେ, ମର୍ଣ୍ଣିଂୱାକ‌୍‍ର ଆହୁରି କେତେକ ମିସ‌୍‍ଲେନିଅସ‌୍‍ ଉପକାର ମଧ୍ୟ ଅଛି। ଯଥା, ନିଜ ଠାକୁର ପୂଜା ସକାଶେ ପର ବାରିରୁ ରାସ୍ତାକୁ ଓହଳି ପଡ଼ିଥିବା ଗଛରୁ ଫୁଲ ସଂଗ୍ରହ କରା ଯାଇପାରେ। ସୁଯୋଗ ପାଇ, କଦଳୀ କାକୁଡ଼ିରେ ହାତ ବାଜିଗଲେ ମନ୍ଦ ନୁହେଁ। ମୋଟେ ଖବରକାଗଜ ନ କିଣୁଥିଲେ ବି ସକାଳୁ ବିତରଣ ଜାଗାରେ କେଇ ମିନିଟ ଠିଆଠିଆ ସବୁ କାଗଜର ହେଡ‌୍‍ଲାଇନ‌୍‍ରେ ଆଖି ବୁଲେଇଦେଲେ କାମ‌୍‍ ଫତେ। ସବ‌୍‍ଜାନତା ପରି ଅଫିସ କି ବଜାରରେ ବାତ‌୍‍ଫୁରସି ମାରିବା କାମ ଚଳିଯାଏ। ବୁଥ‌୍‍ରୁ କ୍ଷୀର ପ୍ୟାକେଟ ଆଣିବା ବା ଘରର ଛୋଟମୋଟ ବରାଦ ମେଣ୍ଟେଇବା ଇତ୍ୟାଦି ସେହି ଉପକାର ତାଲିକାରେ ଅନ୍ତର୍ଭୁକ୍ତ।   ଅଧିକନ୍ତୁ, ସବୁ ଟିଭି ଚ୍ୟାନେଲରେ ବାଆଜୀ ମାତାଜୀମାନେ ଆମ ପ୍ରତ୍ୟେକଙ୍କୁ ଗୋଟିଏଲେଖା ନିରାମୟ କାୟା ଧରେଇଦେବା ପାଇଁ ଏବଂ ଆତ୍ମାକୁ ଘଷିମାଜି ପବିତ୍ର କରିବାକୁ ଦିନ‌୍‍ ଘଣ୍ଟାଘଣ୍ଟା ଧରି କେତେ ସୁନ୍ଦର ସୁନ୍ଦର ଉପଦେଶ ନଦେଉଛନ୍ତି ଟି। ଯୋଗ, ପ୍ରାଣାୟମ, ଆୟୂର୍ବେଦ, ଜ୍ୟୋତିଷାଦିର ସ୍ୱାଦିଷ୍ଟ କକ‌୍‍ଟେଲ‌୍‍। ମାନବ ଜାତିର ଯାବତ‌୍‍ ଦୁଃଖ ବିମୋଚନ ପାଇଁ ମିଳୁଛି ସବୁ ରକମ ମେଡ‌୍‍-ଇଜି କ୍ୟାପସୁଲ‌୍‍। ଦେହ ଟିକେ ହଲେଇବା ଦରକାର ନାହିଁ। ସବୁ ଟେଲି-ଟ୍ରେଡ‌୍‍ରେ ଘରେ ପହଞ୍ଚି ପାରିବ। ଏଥିପାଇଁ ଲୋକଙ୍କ ଭିତରେ ଆଗ୍ରହ ମଧ୍ୟ ବାରି ହୋଇଯାଉଛି।   ଖ୍ରୀଷ୍ଟ ଧର୍ମର ଗୁରୁ ମୋଜେସ‌୍‍ ମାଉଣ୍ଟ‌୍‍ ସିନାଇରେ ଈଶ୍ୱରଙ୍କ ଠାରୁ ପାଇଥିବା ‘ଟେନ‌୍‍ କମାଣ୍ଡ‌୍‍ମେଣ୍ଟ‌୍‍ସ’ ପରି, କୌଣସି ଜଣେ ଗୁରୁଜୀଙ୍କ ଦ୍ୱାରା ପ୍ରଣୀତ ‘ପ୍ରାତଃଭ୍ରମଣ ଆଚରଣ ସଂହିତା’ ନାମକ ଖଣ୍ଡିଏ ପୁସ୍ତକ ଆମ ସିନିଅର‌୍‍ କଲିଗ‌୍‍ ଶ୍ରୀଯୁକ୍ତ ପୋଗଣ୍ଡ କୃଷ୍ଣ ମିଶ୍ରଙ୍କ ହାତ ଚଢ଼ନ୍ତେ, ସେ ଖୁସୀରେ ଫାଟି ପଡ଼ୁଥିଲେ। ପୋଗଣ୍ଡ ବାବୁ କହିଲେ, ‘ଦିବ୍ୟଦୃଷ୍ଟି ନଥିଲେ ଏତେ ଗହନ କଥା ବୁଝିବା ଶକ୍ତି କାହାର ଅଛି ହୋ?’   କରଣୀୟ - ଅକରଣୀୟ ବା - ଡୁ’ସ‌୍‍  ଏଣ୍ଡ  ଡୋଣ୍ଟସ‌୍‍ ପରି ଏ ପୁସ୍ତକରେ ନାନା ଉପଦେଶ। ନିଷ୍ଠାରେ ପାଳନ କଲେ, ବ୍ୟକ୍ତି ପ୍ରାତଃଭ୍ରମଣ କାଳରେ ହିଁ ଏକାସାଙ୍ଗରେ କେତେକ ବ୍ୟାୟାମ କରି ପାରିବ, ପବିତ୍ରତା ହାସଲ କରି ପାରିବ ଓ ବଡି ବି ଫିଟ‌୍‍ ରଖି ପାରିବ। ଫଳତଃ ବହୁ ରୋଗରୁ ସେ ଦୂରେଇ ରହିପାରିବ। ସେଥିପାଇଁ ନିଆରା ସମୟ ଦରକାର ନାହିଁ।   ଆଜି ସମୟର ମୂଲ୍ୟ କିଏ ବା ହିସାବ କରି ପାରିବ? ଆଗେ ବୋହୂ ଭୁଆସୁଣୀ ଦି’ଚାରି କୋଶ ଯିବାକୁ ହେଲେ ବଳଦଙ୍କୁ କୁଣ୍ଡା ତୋରାଣି ପିଆଇ ଶଗଡ଼ରେ ଯୋଚିବାକୁ ଲାଗିଯାଉଥିଲା ଓଳିଏ। ଏବେ କଲିକତାରୁ ଦିଲ୍ଲୀ ମୋଟେ ତିନି ଚାରି ଘଣ୍ଟାର ବାଟ। ହରଣ ଗୁଣନ ମିଶାଣ ଫେଡ଼ାଣରୁ ବହୁ ଉର୍ଦ୍ଧ୍ୱରେ ଏ ସମୟ-ମୂଲ୍ୟର ହିସାବ।   ତଥାପି ଆମେ ଏକ ବିଚିତ୍ର ଯୁଗରେ ବାସ କରୁଛୁ। ଏହି ଯୁଗର ଲକ୍ଷଣ ହେଲା -  କାମ ନାହିଁ କି ଫୁରସତ‌୍‍ ନାହିଁ! ସମସ୍ତଙ୍କର ସମୟ ଅଭାବ। ତା’ ବିରୁଦ୍ଧରେ ପ୍ରାତଃଭ୍ରମଣ ସତେ ଯେମିତି ଅନନ୍ୟ ଏକ ଯୁଗପତ‌୍‍ ଆନ୍ଦୋଳନ। ପୁସ୍ତକ ଖଣ୍ଡିକ ତେଣୁ ଏକ ଅମୂଲ୍ୟ ଜ୍ଞାନ-ସାରଣୀ।   ତତ୍ର ଲିଖିତଂ ଉପଦେଶ କେତୋଟି ହେଲା : ପ୍ରାତଃଭ୍ରମଣରେ ଏକା ଏକା ଚାଲ। କାହାରି ସହିତ ଗପସପ ହୁଅନାହିଁ। ବୈଦିକ ସ୍ୱରରେ ଓଁ ଉଚ୍ଚାରଣ ସହ ବାଟସାରା ଗାୟତ୍ରୀ ଜପ କର। ଏହା କଲେ ଶରୀରର ଷଡ଼ଚକ୍ର ଜାଗ୍ରତ ହେଉଥିବା ଅନୁଭବ କରିପାରିବ। ଦୀର୍ଘ ନିଶ୍ୱାସ ନିଅ ଏବଂ ଛାଡ଼ ଇତ୍ୟାଦି। ସେଥିରେ ଆଉ ଏକ ମଜା କଥା ଥିଲା-  ପ୍ରାତଃଭ୍ରମଣରେ ଥିବା ଯୁବତୀ ବା ବାଳିକାମାନଙ୍କୁ ଦେଖି ମନ୍ଦ କିଛି ଭାବ ନାହିଁ। ତା’ହେଲେ ଯେତିକି ଓଜଃ ଅର୍ଜନ କରିଥିବ, ତହିଁର ପଚାଶ ଶତାଂଶ କ୍ଷୟ ହୋଇଯିବ।   ଆମ ଆଖି ଓ ମନ ସେଇଠି ଅଟକି ଗଲା। ହେ ଭଗବାନ, ଏପରି ଓଜଃର ଆମଦାନୀ ଓ ବରବାଦି କେଉଁ ଯନ୍ତ୍ରରେ ମପାଯାଏ? କେଉଁ ଦୋକାନରେ ମିଳେ ସେ ଯନ୍ତ୍ର କେଜାଣି!   ସମସ୍ତେ ଯଦି ସ୍ୱାସ୍ଥ୍ୟବାନ ହୁଅନ୍ତି, ପରତେ ହେଉଛି ଯେ ଆଉ କେତେ କାଳ ପରେ ଡାକ୍ତରୀ ନାମକ ବିଦ୍ୟାଟି ଇତିହାସରେ ପରିଣତ ହୋଇଯିବ। ସେମାନଙ୍କର ସବୁ ଯନ୍ତ୍ରପାତି ମିଉଜିଅମରେ ସଜା ହୋଇ ରହିବ। ସେତେବେଳେ ମଣିଷମାନେ କେବଳ ଜନ୍ମ ହେବେ, ଜ୍ଞାନ ଆହରଣ କରିବେ, ବଢ଼ିବେ ଏବଂ ବୟସ ସରିଲେ ହିଁ ମରିବେ। ଇଏ ହେଲା ସ୍ୱାସ୍ଥ୍ୟ କଥା। ଚରିତ୍ର ବ୍ୟାପାରରେ, ସମସ୍ତେ ଯଦି ଚରିତ୍ରବାନ ହୋଇ ପଡ଼ନ୍ତି, ତା’ହେଲେ ପୁଲିସ ବିଭାଗ ରହିବ ବା କାହିଁକି? ତଥାପି ଯଦି ରହେ, ସେମାନେ ବୋଧେ ଖରାଦିନେ ଗଛବୃଛରେ ପାଣି ଦେବେ।   ଗାଳ୍ପିକ ବନ୍ଧୁ ଡାକ୍ତର ସଂଜୟ ଶତପଥୀ ଏହାର ପ୍ରତିବାଦରେ ଅବଶ୍ୟ ଅଲଗା କଥାଟେ କହିଲେ। ‘ମଣିଷ ଉପରେ ଆମର ଅଖଣ୍ଡ ବିଶ୍ୱାସ। ଲୋକସଂଖ୍ୟା ବଢ଼ୁଚି, ବଢ଼ିବ। ଆମ ଭିତରୁ ଅଳ୍ପ ସୁଧୁରିବେ। ବେଶି ବିଗିଡ଼ିବେ। ତେଣୁ ଆମ ବୃତ୍ତି ବୁଡ଼ିବା ସମ୍ଭବ ଲାଗୁନାହିଁ। ପୁଲିସଙ୍କ କଥା ବି ସେଇ ମର୍ମରେ ବିଚାର କରାଯାଇପାରେ। ଆରେ ବାବୁ, ତୁମେ ବୁଝୁନା କାହିଁକି? ଏତେ ସଂଖ୍ୟକ ସଚ୍ଚରିତ୍ର ଲୋକଙ୍କୁ ଧାରଣ କରିବାକୁ ଧରିତ୍ରୀ ମା’ର କ୍ଷମତା ବି ନାହିଁ।’   ଏପରି ଡାଇଲେକ‌୍‍ଟିକ‌୍‍ସ ଅନବରତ ଚାଲିବ। ଯିଏ ସଜ ମାଛରେ ପୋକ ପକେଇବା ବିଦ୍ୟା ସାଧିଛି, ସିଏ ନିଶ୍ଚେ ସେଇ କାମ କରିବ। ପୋଗଣ୍ଡ ମିଶ୍ରଙ୍କ ପରି ଲୋକ ଏମିତିକା ନେଗେଟିଭ‌୍‍ କଥାରେ ବିଶ୍ୱାସ କରନ୍ତି ନାହିଁ।   ତାଙ୍କୁ ଯେଉଁ ଦିନ ‘ପ୍ରାତଃଭ୍ରମଣ ଆଚରଣ ସଂହିତା’ ପ୍ରାପ୍ତ ହେଲା ସେଦିନ ଆମ ଛୋଟିଆ ଅଫିସଟିରେ ସବୁ କାମ କେତେ ଘଣ୍ଟା ପାଇଁ ବନ୍ଦ ହୋଇଗଲା। ଜଣଙ୍କ ପରେ ଆଉ ଜଣଙ୍କ ପାଖକୁ ଯାଇ ସେ ଖାଲି ବ୍ୟାୟାମ ଏବଂ ସ୍ୱାସ୍ଥ୍ୟ ଚର୍ଚ୍ଚା କଲେ। ଅସଲରେ ସେ ଆମ ଅଫିସ‌୍‍ର ଶହେ ଘରିଆ ଛୋଟ କଲୋନିରୁ ଜଣେ ସାଙ୍ଗ ଖୋଜୁଥିଲେ ଯିଏ ଦିନ‌୍‍ ସକାଳୁ ତାଙ୍କ ସହିତ ମର୍ଣ୍ଣିଂୱାକ୍‌ରେ ଯିବ।   ଶୁଖିଲା ପ୍ରତିଶ୍ରୁତି ଦେଇ ହଁ ମାରିବାରେ ଧୁରନ୍ଧର ଗୌରାଙ୍ଗ ସାହୁ ବି ତାଙ୍କୁ ମନା କରିଦେଲା। ନାଇଁ କଲା ତ କଲା, ପୁଣି ଗୋଟେ ଅଖବା ଅବର୍ଜ୍ୟା କାରଣ କହି ନାହିଁ କଲା। କହିଲା କ’ଣ ନା, ‘ଆଜ୍ଞା, ହବନି। ଛୁଆ ଟିକେ ବଡ଼ ହେଇ ଗଲେଣି ତ। ସବୁ ଜଞ୍ଜାଳ। ତେଣୁ ବଢ଼ିଭୋରଟା ସୁବର୍ଣ୍ଣ ବେଳା। ସେମାନେ ସେତିକିବେଳେ ଗାଢ଼ ନିଦରେ ଶୋଇଥିବେ।’ ପାନ ବୋଳରେ ନାଲି ପଡ଼ିଥିବା ଦି’ ଧାଡ଼ି ଦାନ୍ତ ଦେଖେଇ କହିଲା - ହି ହି ହି।    ‘ଦୁରାଚାର ଦୁରାଚାର’ କହି ପୋଗଣ୍ଡ ବାବୁ ସେ ଜାଗା ଛାଡ଼ିଲେ। ‘ଯଦି ତୋର‌୍‍ ଡାକ‌୍‍ ଶୁନେ କେଉ ନା ଆସେ ତବେ ଏକ‌୍‍ଲା ଚଲ ରେ ଏକ‌୍‍ଲା ଚଲ’ -  ସାରା କରିଡର‌୍‍ଟା ଏମିତି ଗୁଣଗୁଣେଇ ସେ ନିଜ ରୁମ‌୍‍ ଭିତରକୁ ପଶିଗଲେ। ସକାଳ ସାଡେ଼ ଚାରିଟାରେ ଉଠିଲେ ହିଁ ଠିକ ହେବ। ଦଶ ପନ୍ଦର ମିନିଟରେ ଡ୍ରେସ‌୍‍ ପିନ୍ଧି, ଚା’ କପେ ପିଇ ସେ ବାହାରିଯିବେ ସମ୍ୱଲପୁର-ରାଉରକେଲା ରାସ୍ତାର ରାଜଗାଙ୍ଗପୁର ବାଇପାଶ‌୍‍ ଛକ ଯାଏ। କଲୋନି ଠାରୁ ମର୍ଣ୍ଣିଂୱାକ‌୍‍ରେ ଯିବାକୁ ସେଇ ଗୋଟିଏ ବାଟ। ଘରଠୁଁ ଠିକ‌୍‍ ଦୁଇ କିଲୋମିଟର। ଯିବା ଫେରିବା ଚାରି। କିଛି ବାଟ ଜଗିଙ୍ଗ‌୍‍ କରିବେ। କିଛି ବାଟ ୱାକିଙ୍ଗ‌୍‍ କରିବେ। ହବ ହବ। ସଫିସିଏଣ୍ଟ‌୍‍। କେହି ସାଙ୍ଗରେ ଆସିବାକୁ ରାଜି ହୋଇନାହାଁନ୍ତି, ଭଲ ହେଲା। ଗାୟତ୍ରୀ ଜପିଜପି ଚାଲିବେ ସେ। ଫେରିଲା ବେଳକୁ ସୁମା ଦୋକାନରୁ ଓମ‌୍‍ଫେଡ‌୍‍ କ୍ଷୀର ପକେଟ‌୍‍ଟା ଧରି ଆସିବେ। ହ୍ୟାପ ଦିନେ ବି ସିଏ ନଅଟା ଆଗରୁ ଦେଉନି। ସେଥିରେ ପୁଣି ମାସକୁ ପନ୍ଦର ଟଙ୍କା ଅଧିକା ନବ। ଇଏ ଗୋଟେ ତଅ-ଖର୍ଚ୍ଚ ନୁହେଁ କି? ସେଥିରୁ ତ ମଣିଷ ରକ୍ଷା ପାଇବ। ଏପରି ନାନାଦି ସୂକ୍ଷ୍ମାତିସୂକ୍ଷ୍ମ ଯୋଜନା ଓ କାର୍ଯ୍ୟନିର୍ଘଣ୍ଟ ସେ ମନେମନେ ତିଆରି କଲେ।   ତେବେ ବି ଆଉ ସପ୍ତାହେ ପର୍ଯ୍ୟନ୍ତ ପୋଗଣ୍ଡ ବାବୁ ପ୍ରାତଃଭ୍ରମଣ ଆରମ୍ଭ କରି ପାରିଲେ ନାହିଁ। ତାଙ୍କର ଟ୍ରାକ‌୍‍-ସୁଟ‌୍‍, ଗଞ୍ଜି, କାନ‌୍‍ଭାସ-ଜୋତା ଇତ୍ୟାଦି ନଥିଲା। କିଣୁକିଣୁ କିଛି ଦିନ ଡେରି ହୋଇଗଲା। ଶ୍ରୀମତୀ ମିଶ୍ର ଆମ ଆଗରେ ସ୍ୱାମୀଙ୍କ ମର୍ଣ୍ଣିଂୱାକ‌୍‍ ପ୍ରସ୍ତୁତି ବିଷୟରେ ନାନା ରୋଚକ କଥାଗୁଡ଼ିଏ କହି ଯଥେଷ୍ଟ ମଜା ଉଡ଼ାଉଥିଲେ। ତଥାପି ପୋଗଣ୍ଡ ବାବୁ ପ୍ରାତଃଭ୍ରମଣ ପ୍ରତିଜ୍ଞାରେ ଥିଲେ ଅଟଳ ମହାମେରୁ।   ଡ୍ରେସ‌୍‍ ଯୋଗାଡ଼ ପରେ ବି ଆହୁରି କେତେ ଦିନ ଡେରି ହେଲା। ଦି’ ଫୁଟିଆ ପିତ୍ତଳ ଗୋବ ଲଗା ବେତ ବାଡ଼ିଟେ ଦରକାର। ସେଥିପାଇଁ ତାଙ୍କ ଯୁକ୍ତି ଥିଲା ୱାକିବ‌୍‍। ‘ବାଇଚାନ୍ସ କୁକୁରଟେ ଯଦି ଦଉଡ଼ି ଆସିଲା, ତମେ କରିବ କ’ଣ? ଶ୍ୟା... ସହରୀ କୁକୁର, ମୁନିସିପାଲ‌୍‍ଟି ସ୍କୁଆଡ‌୍‍ବାଲାଙ୍କ ଛଡ଼ା ଇନ୍ଦ୍ର ଚନ୍ଦ୍ର ଆଉ କାହାରିକି ଚିହ୍ନନ୍ତିନି କି ମାନନ୍ତିନି।’   ଡି ଡେ’ ଆସିଲା।  ସ୍ୱାମୀଙ୍କର ଏତେ ବଡ଼ ସ୍ୱାସ୍ଥ୍ୟ ଅଭିଯାନରେ ପତ୍ନୀ ସାଂଘାତିକ ଭାବେ ଅମନଯୋଗୀ ହୋଇ ଚା’ କପେ ଦେବା ଛଡ଼ା ଅଧିକ କିଛି ସହଯୋଗ କଲେ ନାହିଁ। ଇଏ ଘରୁ ଆଉରି ବାହାରି ନାହାଁନ୍ତି, ସିଏ ଦାଣ୍ଡ କବାଟ ବନ୍ଦ କରିବାକୁ ଉହୁଙ୍କି ଆସିଲେ ଓ ମନେ ପକେଇଲା ପରି କହିଲେ, ‘ବୁଝିଲ ନା, ସୁମା ଦୋକାନରୁ କ୍ଷୀର ପକେଟ ନେଇ ଆସିବ। ଆଜିଠୁଁ ଦିନକୁ ଆଠଣା ଦିଆଯିବନି ବୋଲି ବି ତାକୁ କହିଦବ।’   ‘ସିଓର‌୍‍ ସିଓର‌୍‍। ମୋ ମର୍ଣ୍ଣିଂୱାକ‌୍‍ର ସିଏ ତ ଆଉ ଗୋଟେ ପର୍ପସ‌୍‍। ବର୍ଷେ ଖଟିଲେ ଆମକୁ ଶହେଟା ଟଙ୍କା ଇନ‌୍‍କ୍ରିମେଣ୍ଟ ମିଳେ ଯେ ସେଥିରେ ପୁଣି କେତେ ବାବୁଙ୍କୁ କେତେ ରକମ ଖୁସାମତି। ହିସାବ କଲେ ମାସକୁ ଆଠ ଟଙ୍କା ତେତିଶ ପଇସା। କିଛି ନକରି ଇଏ ନେବ ମାସକୁ ଏକାଥରେ ପନ୍ଦର ଟଙ୍କା। କ’ଣ କୋଉଠି ପଡ଼ିଚି କି?’   ‘ହେଇ, ଟର୍ଚ୍ଚଟା ନେଇ ଯା। ଅନ୍ଧାରରେ ତମର ଚମକିବା ଦୋଷ ଅଛି।’   ‘ତମେ ମତେ କ’ଣ ଭାବିଚ କି? ମୁଁ କ’ଣ ଆଉ ଡରୁଚି? ଆଜି କହୁଚ, ଟର୍ଚ୍ଚ ନିଅ। କାଲି କହିବ, ବ୍ୟାଗ ନିଅ। ତା’ପରେ କହିବ...।’   ଶ୍ରୀମତୀ ମିଶ୍ର, ସ୍ୱାମୀଙ୍କ କଥାକୁ ଟୋକି କହିଲେ, ‘କାଇଁ ଏମିତି ଗରଗର ହଉଚ ମ? ଅନ୍ଧାରଟା ହେଇଚି ତ, କାଳେ କୋଉଠି ଝୁଣ୍ଟିଝାଣ୍ଟି ପଡ଼ିବ। ଲହୁଲହାଣ ହେଇ ଫେରିବ। ସେଥିପାଇଁ କହିଥିଲି ନମ। ହଉ ତମେ ଗଲ। ମୁଁ ଆଉ ଟିକେ ଶୋଇବି।ଡ୍ଗ ଭିତର ପଟୁ କବାଟ ବନ୍ଦ କରି ସେ ଦାଣ୍ଡ ଲାଇଟ‌୍‍ ଅଫ‌୍‍ କରିଦେଲେ।’   ଆହୁରି ପାଞ୍ଚଟା ବାଜି ନଥିଲା। ଜାଙ୍ଗୁଲଜାଙ୍ଗୁଲ ଅନ୍ଧାର। ଘନ କୁହୂଡ଼ି। ପୋଗଣ୍ଡ ବାବୁ କଲୋନି ଏରିଆ ପାରି ହୋଇଗଲା ପରେ ପଛରୁ ଦେଖାଯାଉଥିବା ଇଲେକ‌୍‍ଟ୍ରି ଆଲୁଅମାନଙ୍କ ଯତ୍‌କିଞ୍ଚିତ‌୍‍ ପ୍ରଭା ହଜିଗଲା। ଆଗକୁ ସବୁ ଅନ୍ଧାର। ଆକାଶରେ ଦେଖାଯାଉଥିବା ତାରାମାନଙ୍କୁ ଛାଡ଼ି ପୃଥିବୀ ଓ ଶୂନ୍ୟମଣ୍ଡଳ - ସବୁ ଏକାକାର। କେବଳ ଅଭ୍ୟାସ ଯୋଗୁ ରାସ୍ତା ଜାଣି ହେଉଥାଏ। ଆଉ ଜଣାପଡ଼ୁଥାଏ, କେତେବେଳେ କେମିତି ହାଇୱେରେ ଗାଡ଼ିଟେ ପାଶ‌୍‍ କଲେ। ଚାଲିଥା’ନ୍ତି ଶ୍ରୀ ପୋଗଣ୍ଡ କୃଷ୍ଣ ମିଶ୍ର ପ୍ରାତଃଭ୍ରମଣରେ। ସେ ଅନ୍ଧାରକୁ ଭୃକ୍ଷେପ କରୁ ନଥିଲେ। ଜଣେ ଦୃପ୍ତ ମଣିଷର ପ୍ରଚଣ୍ଡ ପରାକ୍ରମୀ ମନ ନେଇ ସେ ଜାଣିଥିଲେ ଯେ ଆଉ କିଛି ସମୟ ପରେ ସୂର୍ଯ୍ୟ ନିଶ୍ଚୟ ଉଇଁବ। ମଣିଷ ତ ଅନ୍ଧାରରୁ ବାହାରିଛି। ଆଲୋକ ଭିତର ଦେଇ ପୁଣି ଥରେ ଅନ୍ଧାରରେ ହିଁ ପଶିବ। ଆରମ୍ଭ ଓ ଶେଷ ଅନ୍ଧାର ଠାରୁ ଆଉ ବଡ଼ ଅନ୍ଧାର ଆସିବ କେଉଁଠୁ? ଆଲୋକକୁ ପ୍ରତୀକ୍ଷା କରାଯାଉ। ଉପଭୋଗ କରାଯାଉ। ଆଲୋକ ହିଁ ଜୀବନର ପ୍ରତୀକ। ତା’ରି ଭତରେ ଆଶା ଅଛି, ଅନ୍ୱେଷା ଅଛି। ସବୁ ପ୍ରତିବନ୍ଧକ ଅତିକ୍ରମ କରିବା ଦମ୍ଭ ବି ଆଲୋକରୁ ମିଳେ। ମଣିଷର ସବୁଠୁଁ ବଡ଼ ଦୋଷ ହେଲା, ସେ ମୋଟେ ନିଜ ନାକ ଆଗଠୁଁ ଅଧିକ କିଛି ଦେଖିବାକୁ ଇଚ୍ଛା କରେନି। କେତେ କଥାରେ ଭରି ରହିଛି ଜୀବନର ସଂଖ୍ୟକ ସମ୍ଭାବନା। ଅଥଚ ସେ ଦେଖିବ କେମିତି? ନାକ ଆଗରୁ ମାଛି ହୁରୁଡେ଼ଇ ହୁରୁଡେ଼ଇ ତେଣୁ ସେ ଜୀବନ କାଟେ। ଆଦୌ ପରଖି ନଥିବା ନିଜ ଆନନ୍ଦିତ ପରମାୟୁକୁ ତେଣୁ ବିଚରାଟା ଅସଫଳ ଅସଫଳ ବୋଲି ହୁରି କରି ବିତେଇ ଦିଏ। ନିଜ କୁହାଟ ଶୁଣି ନିଜେ ଡରେ। ଅନ୍ୟମାନଙ୍କୁ ବି ଡରାଏ। ଏତିକି ଲୋକେ ବୁଝୁ ନାହାଁନ୍ତି କାହିଁକି?   ପୋଗଣ୍ଡ ବାବୁ ବାଇପାଶ‌୍‍ରେ ପହଞ୍ଚି ଗଲେ। ଚାଲିବା ଅଭ୍ୟାସ ନାହିଁ। ଗୋଡ଼ ପେଣ୍ଡା ଦି’ଟା ଅଧିକ ଭିଡ଼ି ହେଲା ପରି ଲାଗୁଥାଏ। ପ୍ରଥମ ଦିନ ତ। ମନକୁ ବୁଝେଇ ଦେଲେ। ଦିନେ ଦି ଦିନ ପରେ ସବୁ ଠିକ ହୋଇଯିବ। ସେତିକିବେଳେ ଫ୍ରି ଅକ୍ସିଜେନ‌୍‍କୁ ଅପାନ ବା ପ୍ରାଣବାୟୁ କହି ଯେତେ ସମ୍ଭବ ଦୀର୍ଘ ନିଶ୍ୱାସରେ ସେ ଢୋକିବାକୁ ଏବଂ ଟକ୍ସିନ‌୍‍ କାଢ଼ିବାକୁ ଲାଗିଲେ। ଏମିତି ଓ ଆଉ ଅଳ୍ପ କିଛି ବ୍ୟାୟାମ କରି ସେ ପୁଣି ଦୁଇ କିଲୋମିଟର ଫେରିବେ। ମନ ଓ ଦେହ ତାଙ୍କର ବେଶ‌୍‍ ଫୁର୍ତ୍ତି ଲାଗୁଥିଲା।   ଅଳ୍ପ ଦୂରରେ ଭୁବନେଶ୍ୱର-ରାଉରକେଲା ଭଲ‌୍‍ଭୋ ବସ‌୍‍ ଅଟକିଲା। ସେଥିରୁ ଓହ୍ଲାଇଲେ ଇ.ଡି. ପାଣିଗ୍ରାହୀ ସାହେବ। ବସ‌୍‍ ଆଲୁଅରେ ସେ ତାଙ୍କୁ ଠିକ‌୍‍ ଚିହ୍ନି ପାରିଛନ୍ତି। ବସ‌୍‍ ଚାଲିଗଲା। ଯେମିତି ଥିଲା ପୁଣି ସେମିତି ଘୋଟିଗଲା ଅନ୍ଧାର। ପ୍ରାତଃଭ୍ରମଣରେ ଇ.ଡି.-ଦର୍ଶନର ଏ ସୁଯୋଗ ତାଙ୍କ ସମ୍ଭାବିତ ତାଲିକାରେ ନଥିଲା। ଆଉ ମାସଟେ ଭିତରେ ସିସିଆର। ମ୍ୟାନେଜର ରାମପ୍ୟାରା ଯାଦବ କାହିଁକି କେଜାଣି ଚନ୍ଦ୍ରମଣି ସାହୁକୁ ଅଧିକ ଭଲ ପାଏ। ଜୁଲାଇରେ ହେବ ପ୍ରମୋସନ। ସେ ପାଣିଗ୍ରାହୀ ସାହେବଙ୍କ ନିକଟକୁ ଯାଇ ଷାଠିଏ ଡିଗ୍ରିଆ ନମସ୍କାରଟିଏ ପକେଇଲେ।   ନିଠେଇ ନିଠେଇ ସାହେବ ୟାଙ୍କ ଆଡେ଼ ଅନେଇଲେ ଓ କହିଲେ, ‘ତମେ ଆମ କମର୍ସିଆଲ ସେକ୍ସନରେ କାମ କର ନା?’   ‘ସାର‌୍‍।’   ‘ନାଁ କ’ଣ?’     ‘ପୋଗଣ୍ଡ କୃଷ୍ଣ ମିଶ୍ର।’   ‘ଏଠି ରିକ୍ସା ମିଳିବ?’   ‘ପ୍ପନାଇଁ ସାର‌୍‍, ଏଠି କିଛି ମିଳେନି। ଖବର ଦେଇଥିଲେ ଅଫିସ ଗାଡ଼ି ତ ଆସିଥା’ନ୍ତା।’   ସାହେବ କୌଣସି ଉତ୍ତର ଦେଲେ ନାହିଁ।   ପୋଗଣ୍ଡ ବାବୁ ଭାବୁଥିଲେ, ସୁଯୋଗ ପାଇଁ ଭଗବାନ ସଂଯୋଗ ବି ସୃଷ୍ଟି କରନ୍ତି। ଅଫିସରେ ଅଷ୍ଟେରିଟି କଡ଼ାକଡ଼ି ଚାଲିଚି। ପ୍ରାଇଭେଟ‌୍‍ କାମ ସକାଶେ ଆଉ ଗାଡ଼ି ମିଳିବ ନାହିଁ। ଥିଲେ ସାହେବ କ’ଣ ଯୋଗାଡ଼ କରି ନଥା’ନ୍ତେ କି! ଇ.ଡି.ଙ୍କ ସହିତ ମୋର ଭାବ ହବାର ହିଁ ଭବିତବ୍ୟ ରହିଛି। ଏହା ନ ହୋଇ ଆଉ କ’ଣ ବା ହୋଇଥା’ନ୍ତା?   ‘ସାର‌୍‍, ଆଉ କିଛି ଜିନିଷ ଅଛି କି? ଏ ବ୍ରିଫ‌୍‍କେଶ ମୁଁ ଧରିଦଉଚି, ଆପଣ ଚାଲି ଚାଲି ଆସନ୍ତୁ।’   ବ୍ରିଫ‌୍‍କେଶ ବଡ଼ ଥିଲା। କିନ୍ତୁ ବେଶି ଓଜନ ନଥିଲା। ପୋଗଣ୍ଡ ବାବୁ ହାତ ବଦଳେଇ ବଦଳେଇ ତାହା ଧରି ଚାଲିଲେ। ସାହେବ ଆଗେଆଗେ ଚାଲିଥା’ନ୍ତି। କଲୋନିରେ ପଶୁପଶୁ ଇ.ଡ଼ି. ବଙ୍ଗଳା। ଗେଟ‌୍‍ର ପହରା ଚଉକିଦାର ସାହେବଙ୍କୁ ଦେଖି ସଲାମ ମାରି ପୋଗଣ୍ଡ ବାବୁଙ୍କ ହାତରୁ ବ୍ରିଫ‌୍‍କେଶ‌୍‍ ନେଲା ଏବଂ ଅର୍ଥପୂର୍ଣ୍ଣ ଭାବେ ତାଙ୍କୁ ଚାହିଁ ଟିକେ ହସିଦେଲା। ସାହେବ ଚଉକିଦାରକୁ କହିଲେ, ‘ଚା’ କରିବାକୁ ଆୟାକୁ କହ। ମୁଁ ବାଥ‌୍‍ରୁମ‌୍‍ ଯାଉଚି।’   ‘ମୋର ପାନ, ଚା’ କି ସିଗ୍ରେ

Share :