Breaking News

ନୋଟବନ୍ଦୀ, ବାବାଜୀବୋଉ ଓ ସୁବାସଭାଇ

ନୋଟବନ୍ଦୀ, ବାବାଜୀବୋଉ ଓ ସୁବାସଭାଇ

ପରଂବ୍ରହ୍ମ ତ୍ରିପାଠୀ   ମୁଁ ଜାଣିଛି ଏ ଲେଖା ପଢି ସରିଲା ପରେ ଆପଣଙ୍କ ଭିତରୁ କିଛି ବନ୍ଧୁ ମତେ ମନ ଭରିକି ଗାଳି ଦେବେ। ସେଇଥିପାଇଁ ତ ଲେଖାକୁ ଗୋଟେ ଦିଇଟା ମଜାଳିଆ ଅଙ୍ଗେନିଭା କାହାଣୀରୁ ଆରମ୍ଭ କରୁଛି।   ମୋ ପିଲା ବେଳ କଥା, ସେଇ 1988 କି 89 ର। ଗାଁରେ ଆମ ଘର ପାଖରେ ବାବାଜୀ ବୋଉର ଘର। ନିଆସୀ ବୁଢ଼ୀଟେ। ବିଧବା, ଆଉ ପୁଅ ବାବାଜୀ କାମ ଖୋଜିବାକୁ କଲିକତା ଗଲା ଯେ ଗଲା। ସେଦିନ ସକାଳୁ ଆମ ସମସ୍ତଙ୍କ ନିଦ ଭାଙ୍ଗିଲା ବାବାଜୀ ବୋଉର କାନ୍ଦଣାରେ। ବୁଢ଼ୀ ଗାଳି ଦେଉଥାଏ, ତୋ ବଉଁଶ ବୁଡୁ, ତୁ ବାଡ଼ିରେ ଯା’ରେ ବାଡ଼ିଖିଆ। ନନା(ବପାା) ଦୌଡ଼ିଗଲେ ବୁଢ଼ୀ ଘରକୁ, ଆଉ ନନାଙ୍କ ପଛେ ପଛେ ମୁଁ। ନନା ବାବାଜୀ ବୋଉକୁ ବୋଧ ଦଉ ଦଉ ପଚାରିଲେ, କ’ଣ ହେଇଛି ତ କହ? ବୁଢ଼ୀ କହିଲା, ବୁଝିଲୁ କଇଳାସ, ସେ ଅଳପେଇଶା ସବୁ ନେଇଗଲା, ମତେ ମାରି ଦେଇଗଲା। ନନା କହିଲେ, କିଏ କ’ଣ କଲା? ବୁଢ଼ୀ ବାହୁନି ବାହୁନି କହିଲା, ଚୋର ପଶିଥିଲାରେ କଇଳାସ, ବାଡ଼ିପୋଡା ସବୁ ନେଇଗଲା। ବାସନ କୁସନ ଆଉ ଛେଳି ଦିଟା ଯାକକୁ ବି ଛାଡ଼ିଲାନି। ମୁଁ କ’ଣ କରିବି?   ଏତିକି କହି ବୁଢ଼ୀ ନିଜ ଛାତିକି ଜୋରଜୋରରେ ବିଧା ମାଇଲା ଆଉ ତଳେ ଗଡ଼ିବା ଆରମ୍ଭ କଲା। ହଠାତ ନନା କହିଲେ, ବୁଝିଲୁ ମାଉସୀ! କାଲି ଆମ ଘରେ ବି ସେଇ ଚୋର ପଶିଥିଲା, କୁନା ସାଇକେଲଟାକୁ ନେଇ ଯାଇଛି, ଆଉ କ’ଣ ନେଇଛି କେଜାଣି? ତୁ କାଂଦିଲୁ ବୋଲି ମୁଁ ଦୌଡ଼ି ଆସିଲି। ଏଇ କଥାରେ ବୁଢ଼ୀର କାନ୍ଦ ବନ୍ଦ! ଭଲ ମଣିଷଟେ ଭଳିଆ ପଚାରିଲା, ବୋହୂର ସୁନା ଜିନିଷ ଅଛି ନା ସେ ବଂଶବୁଡ଼ା ତାକୁ ବି କଳାକନା ବୁଲେଇ ଦେଇଛି?   ନନା କହିଲେ, କେଜାଣି? ମୁଁ ଯାଉଛି ଦେଖିବି। ବୁଢ଼ୀ କହିଲା, ଶୀଘ୍ର ଯା।   ଘରକୁ ଫେରିଲା ବେଳେ ମୁଁ ନନାଙ୍କୁ ମୋ ଛୋଟ ମୁଣ୍ଡରେ ପଚାରିଲି, ତମେ ମିଛ କାହିଁକି କହିଲ? ଆମ ଘରୁ ତ ଚୋରି ହେଇନି? ନନା ହସିଲେ, କହିଲେ, ବଡ଼ ହେଲେ ବୁଝିବୁ।   ଏଇ 2004 କି ପାଞ୍ଚର କଥା। ଗାଁ ମଣ୍ଡପରେ ଆଲୋଚନା ହଉଥାଏ ଗାଁ ପୋଖରୀ ମାଛ ଆଉ ଯନ୍ତାଳ ଉପରେ। ସବୁଠୁ ବଢି ବଢି କି ଗପୁ ଥାଆନ୍ତି ସୁବାସ ଭାଇ। ସତେ ଯେମିତି ମାରିବେ କି ମରିବେ। ମିଟିଂ ପରେ ମୁଁ ସୁବାସ ଭାଇଙ୍କି ପଚାରିଲି, ଭାଇ ତମେ ତ ସହରରେ ରହିଲ, କୋଉ ଦି ଚାରି ବର୍ଷରେ ଥରେ ଆଉଛ। ଏ ପୋଖରୀ ଆଉ ଯନ୍ତାଳକୁ ନେଇ ଏତେ ଗରମ ହବା କ’ଣ ଦରକାର?   ମୁଁ ସେତେବେଳକୁ ରେଭେନସାରେ ପଢୁଥାଏ ଆଉ ସୁବାସ ଭାଇ ତ କେବେଠୁ କଟକରେ। ମତେ ଗୋଟାଏ କ’ଣକୁ ଡାକି ନେଲେ ସୁବାସ ଭାଇ ଆଉ କହିଲେ, ଆରେ ପୋଖରୀ ଆଉ ଯାନ୍ତାଳ ସହ ମୋର କ’ଣ ଯାଏ ଆସେ? ମୁଁ କ’ଣ ଜାଣିଛି କୋଉଠି ପୋଖରୀ ନା କେବେ ଯାନ୍ତାଳ? ସିଏ ହରିଆଟା ସଂଗେ ମୋ ଝଗଡା ପିଲାଦିନୁ। ସିଏ ଯେତେବେଳେ ମାମଲାତି କରିବା ଆରମ୍ଭ କଲା ମୁଁ ବି ବାଣ ଛାଡ଼ିଲି। ମୁଁ କ’ଣ କମି କି? ଛାଡ଼ ସେସବୁ କଥା, ମୁଁ କାଲି କଟକ ଯାଉଛି, ତୁ ହଷ୍ଟେଲ ଆସିଲେ ଘରକୁ ଆସିବୁ।   ମୁଁ ସୁବାସ ଭାଇଙ୍କ ମୁହଁକୁ ହାଁ ଟା କରି ଅନେଇଥାଏ।   ଏବେ ଚାଲନ୍ତୁ ଅସଲି କାହାଣୀକୁ, ସେଇ ମ ହଜାରେ ଆଉ ପାଂଶ ଟଙ୍କିଆ ନୋଟ ବନ୍ଦ କଥା। କିଛି ଜ୍ଞାନୀ କହୁଛନ୍ତି, ନବେରୁ ଅଧିକ ପ୍ରତିଶତ ଲୋକ କୁଆଡେ ମତ ରଖୁଛନ୍ତି ଯେ ନୋଟବନ୍ଦୀ(ବିମୁଦ୍ରାକରଣ ମ) କୁଆଡେ ଭଲ ହେଇଛି? ଛୋଟିଆ କଥାଟେ ଅଜ୍ଞା ପୃଛା କରୁଛି, ଏ ନବେ ଭିତରେ ବାବାଜୀ ବୋଉମାନଙ୍କ ପ୍ରତିଶତ ଟିକେ କୁହନ୍ତୁ ନା? ପିଅନ-କିରାଣୀ, କିରାଣୀ-ଅଫିସର, ମାଲିକ-ଚାକର, ମାଲିକ-ବଡ଼ ମାଲିକ, ପେଜଖିଆ-ଶାଗଖିଆ, ଶାଗଖିଆ-ମାଛ ଖିଆ, ମାଛ ଖିଆ-ନିତି ମାଉଁସ ଖିଆ- ଏମାନଙ୍କ ମଧୁର ସମ୍ପର୍କ ଯଦି ଆପଣ ବୁଝିଥିବେ ଆଉ ନିତିଦିନ ଜୀବନରେ ଦେଖିଥିବେ, ତାହାଲେ ଆପଣ ନିଶ୍ଚିତ ଭାବେ ବାବାଜୀ ବୋଉମାନଙ୍କ ପ୍ରତିଶତ ସହଜରେ କାଢ଼ି ପାରିବେ, ଆଉ ଏକଥା ବି ବୁଝି ପାରିବେ ଯେ ଆମ ଘରେ ଚୋରୀ ହେଇ ନଥିଲେ ବି ସେଦିନ ନନା କାହିଁକି ମିଛ କହିଥିଲେ।   ରହିଲା ସୁବାସ ଭାଇମାନଙ୍କ କଥା। ଫେସବୁକ କି ଟୁଇଟର ଖୋଲନ୍ତୁ ଚାରିଆଡେ ଲକ୍ଷେ କୋଟିଏ ସୁବାସ ଭାଇ। ଏମାନେ ଜିନିୟସ। କେବଳ ବଡ଼ ପାଟି କରନ୍ତିନି, ଢେଙ୍କାନାଳଠୁ ଢିଙ୍କିଶାଳ ଯାଏ ଏମାନଙ୍କୁ ସବୁ ବିଷୟରେ କିଛି ନା କିଛି କହିବାର ଥାଏ। ଆପଣଙ୍କ ଘର ପାଖରେ ଥିବା ସଜନା ଗଛକୁ ଦେଖି ଆପଣ ନୋବେଲ ପୁରସ୍କାର ପାଇବେ କି ନାହିଁ ଏମାନେ ଗୋଟେ ସେକେଣ୍ଡରେ କହିପାରିବେ। କେମିତି? ଶୁଣନ୍ତୁ, ଘର ପାଖେ ସଜନା ଗଛ ଅଛି ମାନେ ଆପଣ ହେମୋଗ୍ଲୋବିନ ବିଷୟରେ ଜାଣନ୍ତି, ଜାଣନ୍ତି ମାନେ ତ ଘରେ ଆଉ ଚୁପ ବସିବେନି ନା! ଗବେଷଣା କରିବେ, ଗବେଷଣା କଲେ ଆଜି ନହେଲେ କାଲି ତ ନୋବେଲ ମିଳିବ!   ବୁଝିବା ଲୋକ ବୁଝିଯିବେ, ଗାଳିଦେବା ଲୋକ ଗାଳି ଦେବେ। ଗୋଟାଏ କଥା, ସେ ନୂଆ ଦି ହଜାରିଆ ନୋଟର ଜିପିଏସ ଆଉ ମ୍ୟୁଜିକ ସିଷ୍ଟମ କାମ ଦଉନି ମ! କେମିତି କ’ଣ କରିବି ଟିକେ ବୁଝେଇ ଦେବେ କି ସୁବାସ ଭାଇ?   ନାଉଗାଁ ହାଟ ଜଗତସିଂହପୁର ମୋ-09717302205

Share :