କେମିତି ଆରମ୍ଭ ହେଲା କୋଣାର୍କ ଉତ୍ସବ

କେମିତି ଆରମ୍ଭ ହେଲା କୋଣାର୍କ ଉତ୍ସବ

Share :

ଅଜିତ କୁମାର ମଲ୍ଳିକ          ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ଉତ୍କଳୀୟ କଳା, ସ୍ଥାପତ୍ୟ, ଓ ସଂସ୍କୃୁତିର ଚରମ ନିଦର୍ଶନ। ଏହି ସୂର୍ଯ୍ୟମନ୍ଦିରର ପ୍ରତିଟି ଶିଳାଖଣ୍ଡ ସୂକ୍ଷ୍ମ କଳାଭାସ୍କର୍ଯ୍ୟରେ ଜୀବନ୍ତ ଲାଗନ୍ତି। ମନ୍ଦିର ଗାତ୍ରରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟରୁ ଉତ୍କଳ ଧର୍ମ, ଶିକ୍ଷା, ସଂସ୍କୃୁତି ଓ ସାମାଜିକ ଜୀବନର ଚିତ୍ର ସ୍ପଷ୍ଟ ପ୍ରମାଣିତ। ମନ୍ଦିରରେ ସ୍ଥାପିତ ପାଷାଣୀ ନୃତ୍ୟାଙ୍ଗନା ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ଜୀବନ୍ତ ରୂପାୟନ; ଏହାକୁ ଦେଖି ପର୍ଯ୍ୟଟକ ମନ ହୁଏ ଆହ୍ଲାଦିତ, ପର୍ଯ୍ୟଟକଙ୍କୁ ମିଳିଥାଏ ଭରପୂର ଆନନ୍ଦ। କୋଣାର୍କର ସୂର୍ଯ୍ୟମନ୍ଦିରର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବର୍ଷତମାମ ବିଶ୍ୱର କୋଣ ଅନୁକୋଣରୁ ହଜର ହଜାର କଳା ପିପାସୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ।   ବିଶ୍ୱ ଦରବାରରେ ଭାରତର କଳା, ସଂସ୍କୃୁତି ଓ ଭାସ୍କର୍ଯ୍ୟକୁ ପରିଚିତ କରାଇବା ସହିତ ପର୍ଯ୍ୟଟନଶିଳ୍ପକୁ ଅଧିକରୁ ଅଧିକ ସମୃଦ୍ଧିଶାଳୀ କରିବାର ମହତ ଉଦ୍ଦେଶ୍ୟ ନେଇ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ସେପ୍ଟେମ୍ୱର ମାସ ୧୦ ତାରିଖ ୧୯୮୭ ମସିହାରେ ସୂର୍ଯ୍ୟମନ୍ଦିରର ଉତ୍ତର ପାର୍ଶ୍ୱସ୍ଥ ବାଲିବନ୍ତ ଉପରେ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ଓ ଫେବୃୟାରୀ ମାସ ୨୫ ତାରିଖ ୧୯୮୯ ମସିହାରେ ଏହି ମଞ୍ଚ ଉଦଘାଟିତ ହୋଇଥିଲା। ସେହି ବର୍ଷ ଡିସେମ୍ୱର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା କୋଣାର୍କ ନୃତ୍ୟ ଉତ୍ସବ। ଫେବୃୟାରୀ ମାସ ୧୯ ତାରିଖ ୧୯୮୫ ମସିହାରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିଲା କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ। ଏହି ଉତ୍ସବର ଶୁଭ ଉଦଘାଟନ ଅବସରରେ ଓଡ଼ିଶାର ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶରତ ରାଉତ ସରକାରୀ ସ୍ତରରେ ଏପରି ଏକ ଉତ୍ସବର ଆୟୋଜନ କରାଯିବ ବୋଲି ମଞ୍ଚ ଉପରୁ ଘେଷଣା କରିଥିଲେ। ଏଥି ନିମନ୍ତେ ପ୍ରସ୍ତାବିତ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ସଂପାଦିତ ହୋଇଥିଲା।   ଏହାପରେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଏହି ରଙ୍ଗମଞ୍ଚର କଳେବର ଓ ଦର୍ଶକ ଗ୍ୟାଲେରୀକୁ ପରିବର୍ଦ୍ଧିତ କରାଯାଇ ୨୫୦୦ ଦର୍ଶକ ବସିବାର ବ୍ୟବସ୍ଥା ହୋଇଥିବା ବେଳେ ଚଳିତ ବର୍ଷ ରଙ୍ଗମଞ୍ଚ ସମ୍ମୁଖସ୍ଥ ଦର୍ଶକ ଗ୍ୟାଲେରି ସଂଖ୍ୟ ୪୦୦କୁ ବୃଦ୍ଧି କରାଯାଇଛି।  ଏହି ଉତ୍ସବକୁ ପ୍ରାଧାନ୍ୟ ଦେଇ  ୧୯୯୩ ମସିହାରେ ବିଜୁବାବୁ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ଉତ୍ସବର ପ୍ରସ୍ତୁତି ପରେ ବାଲିଦ୍ୱୀପର ରାଜା ସୁକର୍ଣ୍ଣ ଓ ତାଙ୍କ କନ୍ୟାଙ୍କୁ ଏହି ଉତ୍ସବକୁ ଅତିଥିରୂପେ ଆମନ୍ତ୍ରଣ କରିଥିଲେ। ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିବର୍ଷ ଡ଼ିସେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ  ଆୟୋଜିତ ହେଉଥିବା ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ବ୍ୟତିରକେ ପରବର୍ତ୍ତୀ ଅବସ୍ଥାରେ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ଓ ଚିତ୍ରକଳା ଶିବିରକୁ ସାମିଲ କରାଯାଇଥିବାରୁ କୋଣାର୍କ ନୃତ୍ୟ ଉତ୍ସବର ନାମକୁ ପରିପୁଷ୍ଟ କରିଥିବା କାରଣରୁ  ଏହି ଉତ୍ସବର ନାମ ପରିବର୍ତ୍ତନ କରାଯାଇ କୋଣାର୍କ ଉତ୍ସବ ରଖାଗଲା। ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ୨୦୧୧ ମସିହାରୁ ଏଯାବତ ଦେଶ ବିଦେଶର ଆନ୍ତଜାର୍ତିକ କ୍ଷ୍ୟାତିସଂମ୍ପନ୍ନ ବାଲୁକା ଶିଳ୍ପୀଙ୍କୁ ନେଇ ଆୟୋଜିତ ହୋଇ ଆସୁଛି ବାଲୁକାକଳା ପ୍ରଦର୍ଶନୀ।   ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ଏହି ଉତ୍ସବୁ ଅଧିକ ଲୋକାଭିମୁଖୀ କରିବା ପାଇଁ ୨୦୧୧ ମସିହାରେ େସ୍ୱଚ୍ଛାସେବୀ ସଂଗଠନ ବସନ୍ତମଞ୍ଚରୀ ପାଠାଗାର ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଗଣଦୌଡ ଆରମ୍ଭ ହୋଇଥିବା ବେଳେ ୨୦୧୫ ମସିହାରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ରଙ୍ଗମଞ୍ଚ ପରିସରରେ ସାହିତ୍ୟ ଆସର ଆରୀମ୍ଭ ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥରପାଇଁ କୋଣାର୍କ ପ୍ରେସ‌୍‍ କ୍ଲବ ପକ୍ଷରୁ ସ୍ୱଚ୍ଛ କୋଣାର୍କ ସବୁଜ କୋଣାର୍କର ବାର୍ତ୍ତା ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ଲକ୍ଷରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରୁ ମା’ ରାମଚଣ୍ଡୀଙ୍କ ପୀଠ ପର୍ଯ୍ୟନ୍ତ ମିନି ସାଇକ୍ଲୋଥନ ଆୟୋଜନ କରାଯାଉଛି। ୧୯୯୯ ମସିହା ଅକ୍ଟୋବର ମାସରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରଳୟଙ୍କରୀ ମହାବାତ୍ୟା ସଂଘଟିତ ହେବା ଯୋଗୁଁ ସେହି ବର୍ଷ କୋଣାର୍କ ଉତ୍ସବ ଅନୁଷ୍ଠିତ ହୋଇପାରି ନଥିଲା। ବିଗତ ୨୬ ବର୍ଷ ଧରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ, ଚିତ୍ରକଳା, ହସ୍ତଶିଳ୍ପ ସାମଗ୍ରୀ ବାଲୁକା କଳା ପ୍ରଦର୍ଶନୀ ଓ ସାହିତ୍ୟ ଆସର କୋଣାର୍କ ଉତ୍ସବକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚିତ କରାଇଛି।   ଚଳିତ ବର୍ଷ ଡ଼ିସେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ୨୭ତମ କୋଣାର୍କ ଉତ୍ସବ। ରଙ୍ଗମଞ୍ଚ ପରିସର ଅତୀବ ଆକର୍ଷଣୀୟ ହୋଇଥିବା ବେଳେ ରଙ୍ଗମଞ୍ଚ ଓ ଏହାର ପରିପାର୍ଶ୍ୱକୁ ରଙ୍ଗବେରଙ୍ଗର ଆଲୋକମାଳା, ଫୁଲ, ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ଓ ଚିତ୍ରପଟରେ ସଜାଯାଉଛି। ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ରଙ୍ଗମଞ୍ଚର ଦୁଇଟି ପ୍ରବେଶ ପଥରେ ସୁନ୍ଦର ତୋରଣମାନ ନିର୍ମାଣ  କରାଯାଉଛି। ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ସମୟରେ ଆଲୋକ ଓ ଧ୍ୱନି ବ୍ୟବସ୍ଥା  ଉନ୍ନତମାନର କରାଯାଉଛି। ଓଡିଶା ସଂଗୀତ ନାଟକ ଏକାଡେମୀର ମୁଖ୍ୟ ଚିତ୍ତରଞ୍ଚନ ମଲିଆ ଓ ଗୁରୁ କେଲୁଚରଣ  ଓଡ଼ିଶୀ ଗବେଷଣା କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ବାହୀ ସଂଗୀତା ଗୋସାଇଁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଜଗତର ଖ୍ୟାତନାମା ଗୁରୁ ଓ ତାଙ୍କ ସହଯୋଗୀ ନୃତ୍ୟଶିଳ୍ପୀମାନେ ପାଞ୍ଚଦିନ ବ୍ୟାପି  ଶସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମରେ  ଓଡିଶୀ, କୁଚିପୁଡି, ମୋହିନୀଆଟମ‌୍‍, ଭାରତନାଟ୍ଟ୍ୟମ‌୍‍, କଥକ ଓ ଇଣ୍ଡୋନେସିଆର ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ।   ଚଳିତ ବର୍ଷ ପ୍ରଥମ ଥର ପାଇଁ କୋଣାର୍କ ଉତ୍ସବରେ ପୁସ୍ତକ ମେଳା ଯୋଡି ହୋଇଛି। କୋଣାର୍କ ଅର୍ବାନ ହାଟ ପରିସରରେ ଏହି ପୁସ୍ତକ ମେଳା ଡିସେମ୍ୱର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ରାଜ୍ୟ ରାଜ୍ୟ ବାହାରର ପ୍ରକାଶକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କୋଣାର୍କ ଉତ୍ସବ ସମୟରେ ଆଉ ଏକ ମୁଖ୍ୟ ଆକର୍ଷଣ ସାଜିଥାଏ ଯାତ୍ରା ଦଳ। ସ୍ଥାନୀୟ ଯାତ୍ରା କମିଟିଗୁଡ଼ିକ ପକ୍ଷରୁ ଚଳିତ ବର୍ଷ ୫ଟି ଯାତ୍ରାଦଲ କୋଣାର୍କ ହେଲିପ୍ୟାଡରେ ଯାତ୍ରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର କୋଣ ଅନୁକୋଣ ସମେତ ସ୍ଥାନୀୟ ଅଞ୍ଚଳର ଯାତ୍ରାପ୍ରେମୀ ଦର୍ଶକ ଆସି କୋଣାର୍କ ଉତ୍ସବ ଦେଖିବା ସହ ଯାତ୍ରାକୁ ରାତିତମାମ ଉପଭୋଗ କରିଥାନ୍ତି।   ଏନଏସି ପକ୍ଷରୁ ମିନାବଜାର, ରାମଦେଳି, ସର୍କସ ଓ ଯାତ୍ରା ପାଇଁ  କୋଣାର୍କ ହେଲିପ୍ୟାଡର ସୁବିସ୍ତୀର୍ଣ୍ଣ ପଡିଆକୁ ପ୍ରସ୍ତୁତ କରାଯାଇ ବ୍ୟବସାୟୀମାନଙ୍କୁ ଯୋଗାଇ ଦିଆଯାଉଛି। ଏଠାରେ ସମସ୍ତ ପ୍ରକାର ଖାଦ୍ୟ, ବସ୍ତ୍ର ଓ ଘରକରଣା ସାମଗ୍ରୀ ଉପଲବ୍ଧ ଥିବାରୁ ପାଞ୍ଚଦିନ ଧରୀ ଏହି ଅଞ୍ଚଳରେ ପ୍ରବଲ ଭିଡ ହେଉଥିବା ବେଳେ କୋଣାର୍କ-ଚନ୍ଦ୍ରଭାଗା ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାଏ। କୋଣାର୍କ ଉତ୍ସବ ଅବସେରେ କୋଣାର୍କ ଅର୍ବାନ ହାଟ ପରିସରରେ ଏକ ରାଜ୍ୟସ୍ତରୀୟ  ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥାଏ। ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ ଜିଲାରୁ ପ୍ରାଥମିକ ବୁଣାକାର ସମବାୟ ସମିତି ଏବଂ ବୟନୀକା ଓ ବରଗଡ଼ର ସମ୍ୱଲପୁରୀ ବସ୍ତ୍ରାଳୟ ପକ୍ଷରୁ  ଖଣ୍ଡୁଆ ପାଟ ଶାଢ଼ୀ, ବମକେଇ ଶାଢ଼ୀ, ବ୍ରହ୍ମପୁର ଶାଢ଼ୀ, ବଡ଼ବାଗର ଶାଢ଼ୀ ଫାଇନ କଟନ ଶାଢ଼ୀ ଏବଂ ଖୋର୍ଦ୍ଧାର ଲୁଙ୍ଗି ଓ ଗାମୁଛା ସମେତ ପ୍ରସ୍ତର ଖୋଦେଇ, ପଟ୍ଟଚିତ୍ର ଓ ପିପିଲିର ଚାନ୍ଧୁଆ କାମ ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିଥାଏ ।   କୋଣାର୍କ, ପୁରୀ

Share :