ପାରାଦୀପରେ ଗୁଣ୍ଡାଙ୍କ ବ୍ୟବସାୟ

ପାରାଦୀପରେ ଗୁଣ୍ଡାଙ୍କ ବ୍ୟବସାୟ

Share :

  ପାରାଦୀପରେ ବହୁ ଚର୍ଚ୍ଚିତ ସିୱେଜ୍‌ ସିପିଂର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ହତ୍ୟାକାରୀ ସହ ସଂପର୍କ ଅଭିଯୋଗରେ ପାରାଦୀପର କଂଗ୍ରେସ ନେତା ବାପି ସାର୍ଖେଲଙ୍କୁ ଗିରଫ କରି ଜେଲ୍‌ ପଠାଇଛି। ତାଙ୍କ ନାମରେ ଦିନକ ପୂର୍ବରୁ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଥିଲା। ସେ ଏହି ନୋଟିସ ପାଇଁ ରଘୁନାଥପୁର ଥାନାରେ ହାଜର ହେବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି।   ଏହି ହତ୍ୟା ପଛରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ଼ର ମାଲିକ ମହିମାନନ୍ଦ ମିଶ୍ରଙ୍କର ସଂପୃକ୍ତି ଥିବା ପୁଲିସ ଦାବି କରିଛି। ମହେନ୍ଦ୍ର ସ୍ବାଇଁଙ୍କୁ ହତ୍ୟା କରିବା ପାଇଁ ମହିମାନନ୍ଦ କାଳେ ୧୨ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ। ତାଙ୍କ ନାମରେ ମଧ୍ୟ ପୁଲିସର ଲୁକ୍‌ ଆଉଟ୍‌ ନୋଟିସ ରହିଛି। କିନ୍ତୁ ସେ ଆତ୍ମସମର୍ପଣ କରି ନାହାନ୍ତି କି ପୁଲିସ ତାଙ୍କୁ ଗିରଫ କରିନାହିଁ।   ପୂର୍ବରୁ ଏହି ହତ୍ୟାକାଣ୍ଡରେ ସିଧାସଳଖ ଭାବେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଜାମସେଦପୁର ଅଞ୍ଚଳର ରାକେଶ ଚୋବେ, ଝାରଖଣ୍ଡ ଅଞ୍ଚଳର ରିଆସତ ହୁସେନ‌୍‍ ଓରଫ ରିଆଜ, ମହମ୍ମଦ ସମିମ‌୍‍ ଓରଫ ନିମ‌୍‍ ଏବଂ କଟକ ଅଞ୍ଚଳର ମନୋଜ ଗୋଚ୍ଛାୟତ ଓ ଶିବ। ଏମାନଙ୍କ ଠାରୁ ୩ଟି ବନ୍ଧୁକ, ୫୦ଟି ଅଫୁଟା ଗୁଳି, ୧୦ଟି ବୋତଲ ବୋମା ଓ ବିପୁଳ ପରିମାଣର ବିସ୍ପୋରକ ଦ୍ରବ୍ୟ, ୩ଟି ଚୋରା ବାଇକ‌୍‍, ଗୋଟିଏ ଅଟୋ ଜବତ କରାଯିବା ସହ ଏକାଧିକ ମୋବାଇଲ‌୍‍, ସିମ‌୍‍ କାର୍ଡ ମଧ୍ୟ ଜବତ କରାଯାଇଛି। ଏହି ଅପରାଧୀମାନଙ୍କ ମଧ୍ୟରେ ମୁଖ୍ୟ କାର୍ପଟଦାର ହେଉଛି ଜାମସେଦପୁର ଅଞ୍ଚଳର ରାକେଶ ଚୋବେ।   ଏହି ହାଇ ପ୍ରୋଫାଇଲ‌୍‍ ହତ୍ୟାକାଣ୍ଡ ପଛରେ ଷ୍ଟିଭେଡୋର ବିବାଦ ଓ ଏଥିରେ ଓଏସ‌୍‍ଏଲ‌୍‍ କମ୍ପାନୀର ସଂପୃକ୍ତି ରହିଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଜଗତସିଂହପୁର ଏସ‌୍‍.ପି ଜୟନାରାୟଣ ପଙ୍କଜ ମଧ୍ୟ ପାରାଦୀପ ଥାନାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ରହି ମହେନ୍ଦ୍ର ସ୍ବାଇଁ ହତ୍ୟାକାଣ୍ଡରେ ଓଏସଏଲର ମହିମା ମିଶ୍ରଙ୍କ ସଂପୃକ୍ତି ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।   ପୁଲିସ ସୂଚନା ଅନୁସାରେ ରାକେଶ ଚୋବେ ଓଏସ‌୍‍ଏଲ‌୍‍ ମାଲିକ ମହିମାନନ୍ଦ ମିଶ୍ରଙ୍କଠାରୁ ୧୨ ଲକ୍ଷ ଟଙ୍କା ନେଇ ଏହି ଅପରାଧୀମାନଙ୍କୁ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରିବାର ଠିକା ଦେଇଥିଲେ। ମହେନ୍ଦ୍ର ସ୍ୱାଇଁଙ୍କ ଉପରକୁ ବୋମା ଓ ଗୁଳିମାଡ କରିଥିଲା ଝାରଖଣ୍ଡ ଅଞ୍ଚଳର ରିଆସତ ହୁସେନ‌୍‍ ଓରଫ ରିଆଜ। ଏଥିରେ ସହାୟତା କରିଥିଲା ମହମ୍ମଦ ସମିମ‌୍‍। ସେହିପରି କଟକରୁ ଗିରଫ ହୋଇଥିବା ମନୋଜ ଓ ଶିବ ଅପରାଧୀଙ୍କ ପାଇଁ ଅଟୋ ଓ ଚୋରା ବାଇକ‌୍‍ ସହିତ ଅନ୍ୟାନ୍ୟ ଲଜିଷ୍ଟିକ‌୍‍ ସପୋର୍ଟ ଯୋଗାଇ ଦେଇଥିଲେ।   ଏହି ହତ୍ୟାକାଣ୍ଡର ବ୍ଳୁ ପ୍ରିଣ୍ଟ‌୍‍ ପ୍ରସ୍ତୁତ ହୋଇଥିଲା ଗତ ୨୦୧୫ ମସିହା ଶେଷ ଆଡକୁ। ଯେବେ ଠାରୁ ଓଏସଏଲ‌୍‍ର ଷ୍ଟିଭେଡୋରିଂ କାମକୁ ସିୱେଜ କମପାନୀ ଛଡାଇ ନେଇଥିଲା ସେବେଠାରୁ ପାରାଦୀପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଯେହେତୁ ସ୍ୱର୍ଗତ ମହେନ୍ଦ୍ର ସ୍ୱାଇଁ ଜଣେ କର୍ମନିଷ୍ଠା ବ୍ୟକ୍ତିତ୍ୱ ଏବଂ ତାଙ୍କ ଯୋଗୁଁ ସି ୱେଜ ସିପିଂ କାମ କରାଇ ନେଉଛି ସେଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ସେତେବେଳେ ପୋଲିସ‌୍‍ର ଫ୍ଲାଗ‌୍‍ ମାର୍ଚ୍ଚ ଓ କଡା ପହରା ଯୋଗୁଁ ଅପରାଧୀମାନେ କିଛି ଘଟାଇବା ପାଇଁ ସୁଯୋଗ ପାଇନଥିଲେ।   ତେବେ ସେବେଠାରୁ ଅପରାଧି ମାନେ ପାରାଦୀପରେ ରହି ମହେନ୍ଦ୍ର ସ୍ୱାଇଁଙ୍କ ଦୈନନ୍ଦିନ କାର୍ଯ୍ୟ କଳାପ ଉପରେ ନଜର ରଖିଥିଲେ ଓ ଗତ ଅକ୍ଟୋବର ୨୬ ତାରିଖରେ ହତ୍ୟାକାଣ୍ଡ ଭିଆଇଥିଲେ। ହତ୍ୟାକାଣ୍ଡ ପରେ ଅପରାଧୀମାନେ ଏକ ଅଟୋରେ ପାରାଦୀପରୁ ଫେରାର ହୋଇ ଯାଇଥିଲେ।   ଏହି ସୁଚିନ୍ତିତ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହେର ପୁଲିସ ଓଏସ‌୍‍ଏଲ‌୍‍ ମାଲିକ ମହିମା ମିଶ୍ର, କର୍ମଚାରୀ ବସନ୍ତ ବଳଙ୍କ ସମେତ ସୁବାସ ଆଚାର୍ଯ୍ୟ ଓ ଦେବୀ ତ୍ରିପାଠୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ଏନେଇ ଲୁକ‌୍‍ ଆଉଟ‌୍‍ ନୋଟିସ‌୍‍ ଜାରୀ ହେବା ପରେ ଲଗାତର ଓଏସ‌୍‍ଏଲ‌୍‍ର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢାଉ ଜାରୀ ରହିଛି। ତା ସହିତ ଓଏସଏଲର କମ୍ପାନୀ ଆକାଉଣ୍ଟ ଓ କେତେକଙ୍କ ବ୍ୟକ୍ତିଗତ ଆକାଉଣ୍ଟ ମଧ୍ୟ ଅଚଳ କରାଯାଇଛି।   ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡର ତଦନ୍ତ ୪୦ ପ୍ରତିଶତ ସରିଛି ଆହୁରି ୬୦ ପ୍ରତିଶତ ବାକି ଅଛି ବୋଲି କୁହାଯାଉଛି। ଏଥିରେ ଯେ କେହି ବି ଅଭିଯୁକ୍ତ ବାହାରିବେ ସେମାନଙ୍କୁ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସ‌୍‍.ପି ଜୟନାରାୟଣ ପଙ୍କଜ କହିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଆଇଜି ଏସ‌୍‍.ପିଙ୍କ ସମେତ ଏଏସ‌୍‍.ପି ଗଦାଧର ପ୍ରଧାନୀ, ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ଚିନ୍ମୟ ରାଉତ ଓ ମନୋରଞ୍ଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।   ସୂଚନାଯୋଗ୍ୟ ଯେ ପାରାଦୀପରେ ମୁଖ୍ୟତଃ ଷ୍ଟିଭେଡୋରିଂ ବ୍ୟବସାୟକୁ ନେଇ ଗତ ଦୁଇ ଦଶନ୍ଧି ଭିତରେ ଅନେକ ହତ୍ୟାକାଣ୍ଡ ଘଟିଗଲାଣି। ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇର ଶ୍ରମିକ ଘୋଟାଲା ପରି ପାରାଦୀପ ବନ୍ଦରରେ ଏହା ଏକ ଦୁର୍ନୀତିଭିତ୍ତିକ ଲାଭଜନକ ବ୍ୟବସାୟ। ଏଇ ବ୍ୟବସାୟରୁ ମହିମାନନ୍ଦ ମିଶ୍ରଙ୍କର ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାରଲାଭ କରିଛି। ଏଥିରେ ଯେଉଁମାନେ ବାଧା ସୃଷ୍ଟି କରିଛନ୍ତି ସେମାନେ ବିଭିନ୍ନ ଉପାୟରେ ଖତମ ହୋଇଯାଇଛନ୍ତି।   ଷ୍ଟିଭେଡୋରିଂ ବ୍ୟବସାୟ ସହିତ ପାରାଦୀପରେ ଅନ୍ୟାନ୍ୟ ବ୍ୟବସାୟକୁ ନେଇ ମଧ୍ୟ ହିଂସା ଓ ହତ୍ୟାକାଣ୍ଡ ବହୁତ ହୋଇଗଲାଣି। ସ୍ଥାନୀୟ ରାଜନେତାଙ୍କ ନୀରବତା କିମ୍ବା ପ୍ରଚ୍ଛନ୍ନ ସମର୍ଥନ, ଅପରାଧୀଙ୍କ ସହିତ ପୁଲିସ ପ୍ରଶାସନର ଭିତିରି ସଂପର୍କ ଯୋଗୁଁ ପାରାଦୀପ ଚୋରା କାରବାର, ସ୍ମଗଲିଂ, ଏକଚାଟିଆ ବ୍ୟବସାୟର ପେଣ୍ଠସ୍ଥଳରେ ପରିଣତ ହୋଇଛି।

Share :