ଓଡ଼ିଶା ସବୁଥିରେ ପଛୁଆ

ଓଡ଼ିଶା ସବୁଥିରେ ପଛୁଆ

Share :

  ବିଜେଡ଼ି ସରକାରର ଅପାରଗତା ପାଇଁ ଓଡ଼ିଶା ସବୁଥିରେ ପଛୁଆ ବୋଲି ଅଭିଯୋଗ କରିଛି ବିଜେପି। ଏନେଇ ଜନସଚେତନା ସୃଷ୍ଟି ଲକ୍ଷ୍ୟରେ ବିଜେପି ପକ୍ଷରୁ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ପ୍ରସ୍ତୁତ କରାଯାଇଛି। ଦଳୀୟ କାର୍ଯ୍ୟାଳୟରେ ଦଳର ସଭାପତି ବସନ୍ତ ପଣ୍ଡା ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଆଗୁଆ ନେତା ହୋଇ ରହିଥିଲେ ମଧ୍ୟ ଓଡ଼ିଶା ଅନେକ ପଛରେ ପଡ଼ିଯାଇଛି। ବିଜେପି ପୁସ୍ତିକାରେ ଓଡ଼ିଶାର ତଥାକଥିତ ବିକାଶ ନେଇ କେତେକ ରୋଚକ ପରିସଂଖ୍ୟାନ ପେଶ୍‌ କରାଯାଇଛି।   ଏହି ଅବସରରେ ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ମିଥ୍ୟା ତଥ୍ୟର ସୌଦାଗର, ଓଡିଶାବାସୀଙ୍କୁ ଫଟା ଆଇନା ଦେଖାଇ ମିଛ କହିବା, ଗରିବ ଓ ବଞ୍ଚିତଙ୍କ ପାଇଁ ସମ୍ୱେଦନହୀନ ସରକାର ବୋଲି କୁହାଯାଇଛି। ତଥ୍ୟ ଓ ପ୍ରମାଣ ଆଧାରରେ ବିଜେପି ପକ୍ଷରୁ ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯାଇଥିବାବେଳେ ରାଜ୍ୟବାସୀଙ୍କୁ ବିଜେଡ଼ି ଏହାର ଉତ୍ତର ଦେଉ ବୋଲି ବିଜେପି ଆହ୍ୱାନ ଜଣାଇଛି।    ୨୦୧୪ରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀତ୍ୱ ଦାୟିତ୍ୱ ନେବା ପରେ ୨ ବର୍ଷରେ ୧୦ ଲକ୍ଷ ପକ୍କା ଘର କରି ଗରୀବ ଲୋକଙ୍କୁ ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ମିଥ୍ୟା ଓ କାଳ୍ପନିକ ବୋଲି ବର୍ଣ୍ଣନା କରିଛି ବିଜେପି। ତିନି ବର୍ଷରେ ତିନି ଲକ୍ଷ ଘର ଓ ସେଥିରୁ ପାଖାପାଖି ଅଢେଇ ଲକ୍ଷ ଘର କେନ୍ଦ୍ର ସରକାରଙ୍କ ଯୋଜନାରେ କରି ରାଜ୍ୟ ସରକାର ଲୋକଙ୍କୁ କାହିଁକି ଭୁଆଁ ବୁଲାଉଛି ବୋଲି ପ୍ରଶ୍ନ କରାଯାଇଛି।  ଯଦି ମୁଖ୍ୟମନ୍ତ୍ରୀ ଠିକ କହୁଛନ୍ତି ତେବେ ପଂଚାୟତ ହିସାବରେ ଦୁଇ ବର୍ଷର ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବାକୁ ପାର୍ଟି ଦାବି କରିଛି। ସାମାଜିକ ଅର୍ଥନୈତିକ ଜନଗଣନା ୨୦୧୧  ଅନୁସାରେ ରାଜ୍ୟରେ ୫୫.୫୩ ଲକ୍ଷ ଘର କଚ୍ଚା ଘର ରହିଛି। ସମସ୍ତଙ୍କୁ ପକ୍କା ଘର ଲକ୍ଷ୍ୟ ୨୦୧୯ ମସିହା ସୁଦ୍ଧା କିପରି ହାସଲ ହେବ ବୋଲି ପ୍ରଶ୍ନ କରାଯାଇଛି।   ବିଜେପି ନେତାମାନେ କହିଛନ୍ତି ଯେ ରାଜ୍ୟର ୭୦ ଭାଗ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। ମାତ୍ର ଓଡିଶାର ମୋଟ ରୋଜଗାରରର ୧୫ ପ୍ରତିଶତ  ଯୋଗଦାନ ହେଉଛି କୃଷି କ୍ଷେତ୍ରର। ଯଦି ୭୦ ପ୍ରତିଶତ ଲୋକଙ୍କର ଆର୍ଥିକ ପରିସ୍ଥିତି ଏତେ ଦୟନୀୟ ତାହେଲେ ରାଜ୍ୟର ଅଧିକାଂଶ ଅଧିବାସୀଙ୍କ ଜୀବନ କେତେ ଦୟନୀୟ ଏହା ତାର ସିଧା ସିଧା ପ୍ରମାଣ ବୋଲି ଏହି ଅଭିଯୋଗ ପତ୍ରରେ କୁହାଯାଇଛି। ରାଜ୍ୟ ସରକାର ଜଳସେଚନର ବଡ ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ମୋଟ ଅମଳ କୃଷି ଉତ୍ପାଦନର ୭୦ ଭାଗରୁ ଅଧିକ ଅଣ ଜଳସେଚିତ ଜମି ଅର୍ଥାତ ବର୍ଷା ଉପରେ ନିର୍ଭରଶୀଳ ଚାଷ ଜମିରୁ ହେଉଛି। ଜଳସେଚିତ ଅଂଚଳରୁ ଫସଲ ଅମଳ ମାତ୍ର ୨୯ ପ୍ରତିଶତ। ଜଳସେଚନ ସୁବିଧା ସଂପ୍ରସାରଣର ମିଥ୍ୟା ଦାବିକୁ ସରକାରୀ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ତଥ୍ୟ ବିଜେଡି ଦାବିକୁ ମିଥ୍ୟା ପ୍ରମାଣିତ କରୁଛି ନା ନାହିଁ ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ସରକାରୀ ଭାବେ ୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିବାର ଉଲ୍ଲେଖ କରି ସରକାରଙ୍କର ପାରିବାପଣିଆକୁ ପ୍ରଶ୍ନ କରିଛି ପାର୍ଟି।   ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିବା କାରଣରୁ ଓଡିଶାର ମୂଳ ସମ୍ୱଳ ଓଡିଆ ପିଲାଙ୍କର ମେଧା ଶକ୍ତି ବ୍ୟର୍ଥ ଯାଉଛି ବୋଲି ଏହି ଅଭିଯୋଗ ପତ୍ରରେ ଦର୍ଶା ଯାଇଛି। ଶିକ୍ଷକ ପଦବୀ ଖାଲି, ଲକ୍ଷେରୁ ଅଧିକ ଠିକା ଶିକ୍ଷକ, ୬୬ ପ୍ରତିଶତ ପ୍ରାଥମିକ ବିଦ୍ୟାଳୟରେ ନିୟମ ଅନୁସାରେ ୩୦ ଜଣ ଛାତ୍ର-ଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନାହାନ୍ତି। ଡିସେମ୍ୱର ୩୧, ୨୦୧୫ ସୁଦ୍ଧା ଗଣ ଶିକ୍ଷା ବିଭାଗ କେନ୍ଦ୍ରୀୟ ଅନୁଦାନର ୨ ଲକ୍ଷ ୨ହଜାର ୨୭ କୋଟି ଟଙ୍କା ବିନିଯୋଗ ପ୍ରମାଣ ପତ୍ର ଦେଇ ନ ପାରିବା ରାଜ୍ୟ ସରକାରଙ୍କର ଏହା କି ପ୍ରକାର ପାରିବା ପଣିଆ ବୋଲି ପ୍ରଶ୍ନ ଉଠିଛି।   ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟ ସଂପୂର୍ଣ୍ଣ ଭୁଷୁଡି ପଡିଛି। ଡାକ୍ତରଖାନା ଡାକ୍ତର ଶୂନ୍ୟ। ୮୭ ପ୍ରତିଶତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ୫୭ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ଡାକ୍ତରଖାନାର ଭିତ୍ତିଭୂମିରେ ଘୋର ସମସ୍ୟା ରହିଛି।  ୧୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜୁଳି ସଂେଯାଗ ନାହିଁ। ୧୭୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଇପ ପାଣି ସଂଯୋଗ ନାହିଁ। ଆଇପିଏଚଏସ ନିୟମ ଅନୁସାରେ ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ଓ ୨୪ ଘଂଟିଆ ପାଣି ସୁବିଧା ରହିବା ଆବଶ୍ୟକ। ବେତା- ଖଟିଆରେ ରୋଗୀ ବୁହା ହେଉଛନ୍ତି। ରାସ୍ତାରେ ଅଟୋରେ ପ୍ରସୂତି ମହିଳାମାନେ ପ୍ରସବ କରୁଛନ୍ତି। ଏହାଠାରୁ ଅଧିକ ସମ୍ୱେଦନହୀନତା କ’ଣ ହୋଇପାରେ ବୋଲି ପାର୍ଟି ପ୍ରଶ୍ନ କରିଛି।   ରାଜ୍ୟରେ ୪୧ ପ୍ରତିଶତ ପରିବାରରେ ବିଜୁଳି ପହଂଚି ନାହିଁ। ବିପିଏଲଙ୍କୁ ମାଗଣା ବିଜୁଳି ଯୋଜନା ସତ୍ତ୍ବେ ୪୨ ପ୍ରତିଶତ ବିପିଏଲ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇ ନାହିଁ। ଗ୍ରାମାଂଚଳରେ ମାତ୍ର ୨ ପ୍ରତିଶତ ଘରେ ପାଇପ ଯୋଗେ ପାନୀୟ ଜଳ ପହଂଚିଛି। ଖରା ଦିନ ଆରମ୍ଭ ହେବା ମାତ୍ରେ ମହିଳାମାନେ ଗାଁ ଦାଣ୍ଡରେ ହାଣ୍ଡି ମାଠିଆ ଧରି ଠିଆ ହେଉଛନ୍ତି। ୧୨,୪୪୨ ଗାଁକୁ ଆଜି ବି ସବୁଦିନିଆ ରାସ୍ତା ସଂଯୋଗ ନାହିଁ।   ରାଜ୍ୟରେ ଶିଳ୍ପାୟନର ବିଫଳତା ପାଇଁ  ନିଯୁକ୍ତି ସୁଯୋଗ ପ୍ରଭାବିତ ହୋଇଛି। ୧୫ ବର୍ଷରେ ମୋଟ ୨୧ଟି ମଧ୍ୟମ ଶିଳ୍ପ ପ୍ରତିଷ୍ଠିତ ହୋଇଥିବା  ବେଳେ ତିନୋଟି ବନ୍ଦ ହୋଇ ମାତ୍ର ୧୮ଟି ଚାଲୁଥିବା ସରକାର ମାନିଛନ୍ତି। ଏ ଦୋଷ କାହାର ବୋଲି ପ୍ରଶ୍ନ କରିଛି ପାର୍ଟି।   ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଦଳୀୟ ଆଧାରରେ ପ୍ରସ୍ତୁତ କରିବାକୁ ସରକାରଙ୍କର ହୀନ ଉଦ୍ୟମ କାରଣରୁ ଅନେକ ଯୋଗ୍ୟ ହିତାଧିକାରୀ ଆଜି ଖାଦ୍ୟ ସୁରକ୍ଷା ଯୋଜନାର ଲାଭରୁ ବଂଚିତ ଅଛନ୍ତି। ରାଜ୍ୟରେ ଆଶା କର୍ମୀ, ଆଙ୍ଗନବାଡି, ଗୃହରକ୍ଷୀ, ଗାଁ ସାଥୀ ସମସ୍ତେ ସରକାରୀ ଉଦାସୀନତା କାରଣରୁ ଦୁଃଖ ଦୁର୍ଦ୍ଦଶାରେ ସମୟ କାଟୁଛନ୍ତି। ଦାନ ମାଝୀ କାନ୍ଧରେ ପତ୍ନୀର ଶବ, ନଗଡାର ଶିଶୁ ମଡକ, ଗୁମୁଡୁମାହାର ଦଳିତ ଆଦିବାସୀ ହତ୍ୟା, ନବୀନ ନିବାସ ସାମନାରେ ନିଲମ୍ୱିତ ଗୃହରକ୍ଷୀ ସନ୍ଦୀପ ହାତୀଙ୍କ ଆତ୍ମାହୁତି ଓ ମାଲକାନଗିରିରେ ଜାପାନୀ ଜ୍ୱରରେ ଥମୁ ନ ଥିବା ଶିଶୁ ମୃତ୍ୟୁ ସୁଦ୍ଦୁ ପ୍ରତୀକାତ୍ମକ ନୁହେଁ, ଏହା ରାଜ୍ୟର ପ୍ରକୃତ ଚିତ୍ର ବୋଲି ବିଜେପି ଅଭିଯୋଗ କରିଛି।   ଚଳିତ ବର୍ଷ ରାଜ୍ୟ ବଜେଟରେ ୯୪ ହଜାର କୋଟି ଟଙ୍କା ଥିବା ବେଳେ ରାଜ୍ୟର ନିଜସ୍ୱ ରାଜସ୍ୱ ୩୩ ହଜାର କୋଟି ରହିଛି। ଦରମା, ପେନସନ ଦେବା ପାଇଁ ରାଜ୍ୟକୁ ଋଣ କରିବାକୁ ପଡୁଛି। ମାତ୍ର କେନ୍ଦ୍ର ଅବହେଳାର ସୁଆଙ୍ଗ କରୁଛି ରାଜ୍ୟ ସରକାର। ମହାନଦୀ ଜଳ ମାମଲାରେ ଓଡିଶାର ସ୍ୱାର୍ଥ ସୁରକ୍ଷା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାବାସୀଙ୍କ ସ୍ୱାର୍ଥକୁ ଜଳାଂଜଳି ଦେବାକୁ ପ୍ରସ୍ତୁତ ହୋଇଛି ବିଜେଡି।   ରାଜ୍ୟରେ ବିଜେଡିର ନିର୍ବାଚନୀ ସଫଳତା ପଛରେ ରହିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ନିଷ୍କ୍ରିୟତା। ଜନ ସମର୍ଥନ ନୁହେଁ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବିଫଳତା ବିଜେଡି ପାଇଁ ସଫଳତା ଆଣି ଦେଇଛି। ଦେଶରେ ରାଜନୈତିକ ପରିସ୍ଥିତିରେ ପରିବର୍ତ୍ତନ ସହ ଓଡିଶାରେ ବିଜେପି ଓଡିଆ ଲୋକଙ୍କ ଭାବନାକୁ ଆନ୍ଦୋଳନର ରୂପ ଦେବାକୁ କାମ କରୁଛି। ଓଡିଶାର ଜନ ସାଧାରଣ ସେମାନଙ୍କର ହକ‌୍‍ର ଲଢେଇରେ ବିଜେପି ସାଙ୍ଗରେ ଠିଆ ହେବେ ଓ ଏହା ଓଡିଶାରେ ରାଜନୈତିକ ପରିବର୍ତ୍ତନର ବାର୍ତ୍ତା ନେଇ ଆସିବ ବୋଲି  ବିଜେପି କହିଛି।   ଏହି ଅଭିଯୋଗ ଫର୍ଦ୍ଦ ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନମନ୍ତ୍ରୀ ମନମୋହନ ସାମଲ, ସମୀର ଦେ, ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଉପସଭାପତି ସମୀର ମହାନ୍ତି, ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ‌୍‍, ଜୟନ୍ତୀ ପଢିଆରୀ ଓ ପ୍ରବକ୍ତା ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share :