‘ସୁଯୋଗର ସଦୁପଯୋଗ କର’

‘ସୁଯୋଗର ସଦୁପଯୋଗ କର’

Share :

  କିଟ‍୍‌ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନୋବେଲ‍୍‌ ବିଜେତା ସାର‍୍‌ ରିଚାର୍ଡ ଜେ. ରବର୍ଟସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଯୋଗର ସଦୁପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେ ତାଙ୍କ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି କହିଥିଲେ, ଛାତ୍ରଛାତ୍ରୀମାନେ ନିଜକୁ ଶ୍ରେଣୀଗୃହରେ ଆବଦ୍ଧ ନରଖି ବାହାର ଦୁନିଆରୁ ଅନେକ କିଛି ଶିଖନ୍ତୁ ଏବଂ ନୂଆକରି କିଛି ଦେଖାନ୍ତୁ। ଛାତ୍ରଛାତ୍ରୀମାନେ ଯାହା ବି କାମ କରୁଛନ୍ତି ତାହାକୁ ସେ ଆଗ୍ରହର ସହ କରିବା ଉଚିତ ଏବଂ ଏଥିରୁ ସେମାନେ ଶାନ୍ତି ପାଇ ପାରିବେ ବୋଲି ଡ. ରବର୍ଟ୍ସ କହିଥିଲେ।   ଭାଗ୍ୟ ଉପରେ ଦୃଢ଼ ବିଶ୍ୱାସ ରଖିଥିବା ରବର୍ଟ୍ସ ଛାତ୍ରଛାତ୍ରୀଙ୍କୁ କହିଥିଲେ, ତୁମେମାନେ ଅନେକଥର ପୁରସ୍କୃତ ଓ ସମ୍ମାନୀତ ହୋଇପାର, କିନ୍ତୁ ତୁମର ପ୍ରତ୍ୟେକ ସଫଳତା ପଛରେ ଭାଗ୍ୟ କିଛି ମାତ୍ରାରେ ସହଯୋଗ କରିଥାଏ। ଏ ସଂପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ସେ କହିଲେ ୨୦୦୧ ନଭେମ୍ୱର ୯ ତାରିଖରେ ବିଶ୍ୱ ବାଣିଜ୍ୟ କେନ୍ଦ୍ରଠାରେ ଯେଉଁ ବିମାନ ଦ୍ୱାରା ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ, ସେହି ବିମାନରେ ମୋର ଯିବାର ଥିଲା। କିନ୍ତୁ ମୋତେ ଭାଗ୍ୟ ସହାୟ ହେଲା, ମୁଁ ସେହି ବିମାନରେ ନଯାଇ ଅନ୍ୟ ଏକ ବିମାନରେ ଯାଇଥିଲି। ଫଳରେ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଯାଇଥିଲି। ଏହା କେବଳ ମୋ ଭାଗ୍ୟ ଯୋଗୁଁ ସମ୍ଭବ ହୋଇପାରିଲା ବୋଲି ସେ କହିଥିଲେ। ତେଣୁ ତୁମ ଭାଗ୍ୟରେ ଯେତେବେଳେ କିଛି ଭଲ ଆସେ ତାହାର ସଦୁପଯୋଗ କର ବୋଲି ନୋବେଲ ବିଜେତା ରବଟ‍୍‌ର୍ସ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।   ଏହି ଅବସରର ସାର‍୍‌ ରିଚାର୍ଡ ରବର୍ଟସ‍୍‌ ଓ ଜଣାଶୁଣା ସମାଜସେବୀ ତଥା ୱକହାର୍ଟ ଫାଉଣ୍ଡେସନ‍୍‌ର ମୁଖ୍ୟ ଡ. ହବିଲ‍୍‌ ଖୋରାକିୱାଲାଙ୍କୁ ଯଥାକ୍ରମେ ସମ୍ମାନସୂଚକ ଡିଏସ‍୍‌ସି ଓ ଡିଲିଟ‍୍‌ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସମ୍ମାନସୂଚକ ଡିଲିଟ‍୍‌ ଡିଗ୍ରୀ ଗ୍ରହଣ କରି ଡ. ଖୋରାକିୱାଲା କହିଲେ, ଯେଉଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତରତ୍ନ ପ୍ରଫେସର ସି.ଏନ‍୍‌.ଏନ‍୍‌ ରାଓ, ସବୁଜକ୍ରାନ୍ତିର ଜନକ ପ୍ରଫେସର ଏମ‍୍‌. ଏସ‍୍‌ ସ୍ୱାମୀନାଥନ‍୍‌ ଓ ଅନେକ ନୋବେଲ‍୍‌ ବିଜେତାଙ୍କ ଭଳି ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟୋରେଟ‍୍‌ ଡିଗ୍ରୀ ପ୍ରଦାନ କରାଯାଇଛି, ସେହି ବିଶ୍ୱବିଦ୍ୟାଳୟ ଆଜି ମୋତେ ସମ୍ମାନୀତ କରିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି। ଏହି ବିଶ୍ୱବିଦ୍ୟାଳୟ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କଳିଙ୍ଗ ଇନଷ୍ଟିଚ୍ୟୁଟ‍୍‌ ଅଫ୍ ସୋସିଆଲ‍୍‌ ସାଇନ‍୍‌ସେସ‍୍‌ରେ ୨୫ ହଜାରରୁ ଊର୍ଦ୍ଧ୍ୱ ଜନଜାତି ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି, ଯାହାକି ମୋତେ ବିମୋହିତ କରିଛି। ଏସବୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦୂରଦୃଷ୍ଟି ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।   ଗ୍ରାଜୁଏଟ‍୍‌ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କିଟ‍୍‌ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଏନ‍୍‌. ଏଲ‍୍‌. ମିତ୍ର କହିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ଯେଉଁ ସ୍ଥାନରେ କାର୍ଯ୍ୟକରିବେ ସେଠାରେ ସେମାନେ ନିଜ ବିଶ୍ୱବିଦ୍ୟାଳୟର ଆମ୍ୱାସାଡାର ଭାବେ ନିଜକୁ ଗର୍ବିତ ମନେକରିବେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପଦାଙ୍କ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଥିଲେ। କିଟ‍୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. ପି. ମାଥୁର ବାର୍ଷିକ ବିବରଣୀ ପ୍ରଦାନ କରି କହିଥିଲେ, କିଟ‍୍‌ ବିଶ୍ୱବିଦ୍ୟାଳୟ ଗବେଷଣା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛି। କିଟ‍୍‌ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ତଥା ଗବେଷଣାରତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲ‍୍‌ରେ ୭୦୦ରୁ ଊର୍ଦ୍ଧ୍ୱ ଲେଖା ପ୍ରକାଶ ପାଇସାରିଥିବା ବେଳେ ବିଭିନ୍ନ ଆନ୍ତର୍ଜାତିକ ଓ ଜାତୀୟ ସମ୍ମିଳନୀ ଓ ଆଲୋଚନାଚକ୍ରରେ ୩୦୦ରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରାଯାଇଛି। ଏହା ଛଡ଼ା କିଟ‍୍‌ ବିଶ୍ୱବିଦ୍ୟାଳୟ ଗତ ଶିକ୍ଷାବର୍ଷରେ ୯୦ରୁ ଊର୍ଦ୍ଧ୍ୱ ଆର୍ନ୍ତଜାତୀୟ ଓ ଜାତୀୟ ସମ୍ମିଳନୀ, ଆଲୋଚନାଚକ୍ର ଓ କର୍ମଶାଳା ଆୟୋଜନ କରିଥିବା ସେ ସୂଚନା ଦେଇଥିଲେ।   ଏହି ଅବସରରେ ୨୦୧୫-୧୬ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ମୋଟ ୫୦୪୭ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୫୨ ଜଣଙ୍କୁ ପିଏଚ‍୍‌ଡି ଡିଗ୍ରୀ, ୩ ଜଣଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, ୧୬ ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ, ୩୦ ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିବା ବେଳେ ଜଣେ ଲେଖାଏଁ ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ‍୍‌ ସ୍ୱର୍ଣ୍ଣପଦକ ଓ ନନିବାଳା ସ୍ମାରକୀ ସ୍ୱର୍ଣ୍ଣପଦକ ପାଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ‍୍‌ ଓ କିସ‍୍‌ର ସଭାପତି ଶାଶ୍ୱତୀ ବଳ, ସଂପାଦକ ଆର. ଏନ‍୍‌. ଦାଶ, କିଟ‍୍‌ ବିଶ୍ୱିଦ୍ୟାଳୟର କୁଳାଧିପତି ପ୍ରଫେସର ଏନ‍୍‌ ଏଲ‍୍‌ ମିତ୍ର, କୁଳପତି ପ୍ରଫେସର ପି ପି ମାଥୁର, କୁଳସଚିବ ଡ ସସ୍ମିତାରାଣୀ ସାମନ୍ତଙ୍କ ସମସ୍ତ ବିଭାଗର ଡିନ‍୍‌, ନିର୍ଦ୍ଦେଶକ, ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମୁଖ ଉପସ୍ଥିତ ଥିଲେ।

Share :