କୁଆଡ଼େ ଗଲେ ହତ୍ୟାକାରୀ?

କୁଆଡ଼େ ଗଲେ ହତ୍ୟାକାରୀ?

Share :

ବଟକୃଷ୍ଣ ଦାସ   ପାରାଦୀପ ସି ୱେଜ‌୍‍ ସିପିଂର ସାଧାରଣ ପରିଚାଳକଙ୍କୁ ଗୁଳି ମାରିବା ଘଟଣାର ୧୭ ଦିନ ପରେ ପ୍ରଥମ ଥର ପାଇଁ ଉତ୍କଳ ଷ୍ଟିଭେଡୋର୍ସ ଆସୋସିଏସନ‌୍‍ ମୁହଁ ଖୋଲିଛି। ଏନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତାମାନେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେମାନେ କହିଛନ୍ତି ଯେ ଗତ ବର୍ଷର ବିବାଦ ପରେ ଉତ୍କଳ ଷ୍ଟିଭେଡୋର୍ସ ଆସୋସିଏସନ‌୍‍ ଜନ୍ମ ନେଇଥିଲା। ସ୍ୱର୍ଗତ ମହେନ୍ଦ୍ର ସ୍ୱାଇଁ ସଂଘର ସାଧାରଣ ସମ୍ପାଦକ ଥିଲେ। ଯେପରି ଭାବେ ପାରାଦୀପ ଷ୍ଟିଭେଡୋର ବିବାଦ ଦେଖା ଦେଇଥିଲା ସେନେଇ ସ୍ୱର୍ଗତ ସ୍ୱାଇଁ ଜଣେ ଆଗଧାଡିର କର୍ମକର୍ତ୍ତା ଭାବେ ନିର୍ଭୀକ ଭାବେ କାମ କରୁଥିଲେ। ବ୍ୟାବସାୟିକ ଶତ୍ରୁତାକୁ ନେଇ ତାଙ୍କୁ ସ୍ପଷ୍ଟ ଦିବାଲୋକରେ ବୋମା ଓ ଗୁଳିମାଡ କରି ହତ୍ୟା କରାଗଲା। ଏହା ଅନ୍ୟ ବ୍ୟବସାୟୀଙ୍କ ପାଇଁ ନିଶ୍ଚିନ୍ତ ଏକ ପ୍ରକାର ଭୟଭିତ ପରିବଶେ ସୃଷ୍ଟି କରିଛି।   ଆସୋସିଏସନ କର୍ମକର୍ତ୍ତାମାନେ କହିଛନ୍ତି ଯେ ଲିଖିତ ଏତଲାରେ ଅଭିଯୁକ୍ତମାନଙ୍କର ନାମ ରହିଛି। ଅଭିଯୁକ୍ତମାନେ ଫେରାର ରହିଥିବାରୁ ପୋଲିସ ହାତ ଖାଲି ରହିଛି। ଏତଲାରେ ଥିବା ନାମଧାରୀମାନେ ଯଥେଷ୍ଟ ପ୍ରଭାବଶାଳୀ ହୋଇଥିବାରୁ ଏନେଇ ତଦନ୍ତରେ ବାଧା ସୃଷ୍ଟି କରାଯାଇଛି। ତଥାପି ଆମେ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ରଖିଛୁ। ଯଦି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀ ଓ ଷଡଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରା ନଯାଏ ତେବେ ଆଗାମୀ ଦିନରେ ଏହାର ସିବିଆଇ ତଦନ୍ତ ଦାବି କରାଯିବ ବୋଲି ସଘଂର ସଭାପତି ପ୍ରାଣକୃଷ୍ଣ ନାୟକ ଓ ଉପସଭାପତି ଶ୍ରୀରାମ ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ କହିଛନ୍ତି।   ଅପରପକ୍ଷେ ପୋଲିସ‌୍‍ ଏହି ଘଟଣାକୁ ଅତ୍ୟ ଗୁରୁତ୍ୱର ବିଚାରକୁ ନେଇ ତାର ଚଢାଉ ଜାରୀ ରଖିଛି। ପାରାଦୀପର ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ ଚଢାଉ ପରେ ଏବେ ରାଜ୍ୟ ଭିତର ଓ ବାହାର ଉପରେ ଏବେ ପୋଲିସ‌୍‍ର ନଜର। ନଭେମ୍ବର ୧୧ ତାରିଖ ମଧ୍ୟ ରାତ୍ରିରେ କଟକ କଲେଜ‌୍‍ ଛକସ୍ଥିତ ଆଡ‌୍‍ ଆନେକ୍ସ ନର୍ସିଂହୋମ‌୍‍ ଉପରେ ପୋଲିସ‌୍‍ ଚଢାଉ କରିଥିଲା। ଏଥି ସହିତ ସାଲେପୁର, ମାହାଙ୍ଗା ଓ କେନ୍ଦ୍ରାପଡା ବସପୁରସ୍ଥିତ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଛି। ଏନେଇ ପୋଲିସ ପ୍ରାୟ ୫ଟି ଟିମ‌୍‍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି। ହତ୍ୟାକାଣ୍ଡ ପଛରେ ଓଏସ‌୍‍ଏଲ‌୍‍ କମ୍ପାନୀର ମାଲିକ ମହିମା ମିଶ୍ର ଓ ତାଙ୍କର କର୍ମଚାରୀ ବସନ୍ତ ବଳ, ସୁବାସ ଆଚାର୍ଯ୍ୟ, ଓ ଦେବୀ ତ୍ରିପାଠୀ ଜଡିତ ଥିବା ସ୍ୱର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ବଡଭାଇ ରାଜକିଶୋର ସ୍ୱାଇଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏନେଇ ପୋଲିସ ଗୁପ୍ତ ଅନୁସନ୍ଧାନ କରି କଡା ଆଭିମୁଖ୍ୟ ଗ୍ରହଣ କରିଛି। ଏତଲାରେ ନାମଥିବା ବ୍ୟକ୍ତିମାନେ ଘଟଣା ଘଟିବା ଦିନଠାରୁ ପାରାଦୀପରୁ ଫେରାର ହୋଇ କେଉଁଆଡେ ଆତ୍ମଗୋପନ କରିଛନ୍ତି। ସେମାନଙ୍କର ସମସ୍ତ ମୋବାଇଲ‌୍‍ ସୁଇଚ‌୍‍ ଅଫ‌୍‍ ଅଛି। ଏଣୁ ତଦନ୍ତାଧୀନ ଘଟଣାରେ ସେମାନଙ୍କର ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ ଦୃଢ଼ୀଭୂତ ହୋଇଛି।   ଏହି ସନ୍ଦେହ ଆଧାରରେ ପୋଲିସ ତା’ର କାର୍ଯ୍ୟାନୁଷ୍ଠାନ ସ୍ୱରୁପ ପ୍ରଥମେ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ‌୍‍ର କାର୍ଯ୍ୟାଳୟ ସମେତ ତଦନ୍ତାଧୀନ ଅଭିଯୁକ୍ତମାନଙ୍କ ବାସଭବନରେ ଚଢାଉ କରିବା ପରେ ଏବେ ବାହାର ସାମ୍ରାଜ୍ୟ ଉପରେ ନଜର ପକାଇଛି। ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବସନ୍ତ ବଳ କୁଆଡେ ଯାଇଛନ୍ତି, କେଉଁଦିନ ଠାରୁ କିଏ ଅଫିସ‌୍‍ ଆସିନାହାନ୍ତି, ପୋର୍ଟ ଅପରେସନ‌୍‍ ମ୍ୟାନେଜର ସୁବାସ ଆଚାର୍ଯ୍ୟଙ୍କ ଭୂମିକା କ’ଣ, ସିନିୟର ମ୍ୟାନେଜର ଦେବୀ ତ୍ରିପାଠୀ କେଉଁ କେଉଁ କାର୍ଯ୍ୟ ଦେଖନ୍ତି ଏମିତି କେତେ କ’ଣ ତଥ୍ୟ ହାସଲ କରାଯାଇଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଦାଧର ପ୍ରଧାନୀ କହିଛନ୍ତି। ପୋଲିସ‌୍‍ ତାର କାର୍ଯ୍ୟ କରୁଛି ଓ ଖୁବ‌୍‍ ଶୀଘ୍ର ଫଳ ମିଳିବ ବୋଲି ଆଶା କରାଯାଇଛି।

Share :