ସରକାର ନା ବେଦାନ୍ତ ଏଜେଣ୍ଟ?

ସରକାର ନା ବେଦାନ୍ତ ଏଜେଣ୍ଟ?

Share :

  ଛତିଶଗଡ଼ର ଶିଳ୍ପ ତୋଷଣ ଯୋଗୁଁ ମହାନଦୀ ଶୁଖିଯିବ ବୋଲି ଦାବି କରୁଥିବା ଓଡ଼ିଶା ସରକାର ବେଦାନ୍ତ କମ୍ପାନୀର ତୋଷଣ ପାଇଁ ନାଗାବଳୀ ଓ ବଂଶଧାରା ଲୋପ କରିବାକୁ ବାରମ୍ବାର ଷଡ଼ଯନ୍ତ୍ର ଚଳାଇଛନ୍ତି। ସୁପ୍ରିମ କୋର୍ଟ ଓ ଜନ ଅଦାଲତରେ ବାରମ୍ବାର ପ୍ରତ୍ୟାଖ୍ୟାତ ହେବା ପରେ ମଧ୍ୟ ନିୟମଗିରି ଲୋଭ ଛାଡ଼ି ପାରୁ ନାହାନ୍ତି ଓଡ଼ିଶା ସରକାର। ଖାସ୍‌ ବେଦାନ୍ତ କମ୍ପାନୀକୁ ତୁଷ୍ଟ କରିବା ନିମନ୍ତେ ନିୟମଗିରିରେ ପୁଣି ଥରେ ଖଣି ପ୍ରକଳ୍ପ ଆରମ୍ଭ କରିବାକୁ ଭିନ୍ନ ବାଟ ଆପଣାଇବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସରକାରଙ୍କ ଅଧୀନସ୍ତ ଓଡ଼ିଶା ଖଣି ନିଗମ। ଏହି ନିଗମ ନିୟମଗିରିରେ ଖଣି କାମ ଆରମ୍ଭ କରିବାକୁ ଜାତୀୟ ସବୁଜ ଟ୍ରିବ୍ୟୁନାଲରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।   ଓଡ଼ିଶା ସରକାରରେ ବେଦାନ୍ତ କମ୍ପାନୀର କେତେ ଏଜେଣ୍ଟ ଅଛନ୍ତି କେଜାଣି ଜନମତ ଓ ଜନସ୍ବାର୍ଥ ବିରୋଧରେ ଯାଇଁ ଜୈବବିବିଧତାରେ ସମୃଦ୍ଧ ପ୍ରାଚୀନ ଆଦିବାସୀଙ୍କ ବାସସ୍ଥଳୀ ନିୟମଗିରିକୁ ଧ୍ବଂସ କରିବାକୁ ବଦ୍ଧ ପରିକର ଥିବା ଲକ୍ଷ୍ୟ କରାଯାଇଛି। ୨୦୧୩ ମସିହାରେ ନିୟମଗିରିର ଆଦିବାସୀମାନେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଗ୍ରାମସଭା କରି ବକ୍ସାଇଟ୍‌ ଖଣି ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ଓଡ଼ିଶା ସରକାର ଆଦିବାସୀମାନଙ୍କର ଜନମତକୁ ସମ୍ମାନ ଦେବା ପରିବର୍ତ୍ତେ ବାରମ୍ବାର ସେମାନଙ୍କ ଅଧିକାର ଉଲ୍ଲଙ୍ଘନ କରିବାକୁ ଗଭୀର ଷଡ଼ଯନ୍ତ୍ର କରିଚାଲିଛନ୍ତି। ନିଜେ ଆଗକୁ ନଆସି ଓଡ଼ିଶା ଖଣି ନିଗମ ଜରିଆରେ ଓଡ଼ିଶା ସରକାର ଏହି ଷଡ଼ଯନ୍ତ୍ର ଚଳାଇଛନ୍ତି।   ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଉପଖଣ୍ଡୀୟ ବନ କମିଟିରୁ ଅନୁମୋଦନ ଆଣି ନିୟମଗିରି ଖଣି ପ୍ରକଳ୍ପ ପାଇଁ ଅନୁମତି ମାଗିବାକୁ ଓଡ଼ିଶା ଖଣି ନିଗମର ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ଉପଖଣ୍ଡୀୟ ବନ କମିଟିଗୁଡ଼ିକ ଓଡ଼ିଶା ସରକାରଙ୍କ ଅଧସ୍ତନ ଅଧିକାରୀମାନଙ୍କୁ ନେଇ ଗଠିତ ହୋଇଥିବାରୁ ଏ କାମ ସହଜ ହେବ ବୋଲି ସରକାର ଧରି ନେଇଛନ୍ତି। ଥରେ ଉପଖଣ୍ଡୀୟ କମିଟିର ଅନୁମୋଦନ ମିଳିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଖଣି ପ୍ରକଳ୍ପକୁ ମଂଜୁର କରିବାର ସମ୍ଭାବନା ରହିଛି।   ଏହା ପୂର୍ବରୁ ଖାସ୍‌ ବେଦାନ୍ତ କମ୍ପାନୀ ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ନିମନ୍ତେ ଚଳିତ ବର୍ଷ ଅନ୍ୟ ଏକ ଜନମତ ଓ ଜନସ୍ବାର୍ଥ ବିରୋଧୀ ଉଦ୍ୟମ କରିଥିଲେ ରାଜ୍ୟ ସରକାର। ପରିବର୍ତ୍ତିତ ପରିସ୍ଥିତିର ନିୟମଗିରି ଖଣି ପ୍ରକଳ୍ପ ପାଇଁ ଅନୁମତି ଦେବାକୁ ସରକାର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ତାହାକୁ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୨୦୧୬ ମେ ମାସରେ ଖାରଜ କରିଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଏକ ସୁଯୋଗ ଦେଇ କହିଥିଲେ ଯେ ୨୦୧୩ ଜୁଲାଇ-ଅଗଷ୍ଟ ମାସରେ ଗ୍ରାମସଭା ନେଇଥିବା ନିଷ୍ପତ୍ତି ବିରୋଧରେ ଓଡ଼ିଶା ଖଣ ନିଗମ ଉପଯୁକ୍ତ ମଞ୍ଚରେ ଆବେଦନ କରିପାରିବେ।   ଏବେ ସରକାର ରାୟଗଡ଼ା ଓ କଳାହାଣ୍ଡିର ଉପଖଣ୍ଡ ସ୍ତରୀୟ କମିଟିର ଅନୁମୋଦନ ବଳରେ ଆଉ ସୁପ୍ରିମ କୋର୍ଟ ନଯାଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ ସହାୟତାରେ ଖଣି ପ୍ରକଳ୍ପ ଆଗୋଇ ନେବାକୁ ଯୋଜନା କରିଛନ୍ତି।   ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହାରେ ଏ ସଂପର୍କୀତ ଏକ ମାମଲାର ବିଚାର କରି ସୁପ୍ରିମ କୋର୍ଟ ନିୟମଗିରି ପ୍ରକଳ୍ପ ହେବ କି ନହେବ ତାହା ଗ୍ରାମସଭାର ନିଷ୍ପତ୍ତି ଉପରେ ଛାଡ଼ି ଦେଇଥିଲେ। ଭାରତୀୟ ସମ୍ବିଧାନର ୭୩ତମ ସଂଶୋଧନ ବା ପଂଚାୟତିରାଜ ବ୍ୟବସ୍ଥା ଏବଂ ତଫସିଲଭୁକ୍ତ ଅଂଚଳରେ ପଂଚାୟତିରାଜ ସଂପ୍ରସାରଣ ଆଇନ ବା ପେସା ଅନୁସାରେ କୌଣସି ଗାଁ ବା ପଂଚାୟତର ଜମି ବ୍ୟବହାର ନେଇ ନିଷ୍ପତ୍ତି ନେବାର ଚୂଡ଼ାନ୍ତ ଅଧିକାର ସେହି ଗ୍ରାମସଭା ଅର୍ଥାତ ଗ୍ରାମର ସମସ୍ତ ସାବାଳକ ଭୋଟରଙ୍କ ଉପରେ ନ୍ୟସ୍ତ ଅଛି। ଓଡ଼ିଶା ସରକାର ପୂର୍ବରୁ ଏହି ଆଇନ ଉଲ୍ଲଙ୍ଘନ କରି ଗ୍ରାମସଭାଗୁଡ଼ିକର ମତ ନନେଇ ନିୟମଗିରି ପାହାଡ଼ରେ ବକ୍ସାଇଟ ଖଣି ଖନନ କରିବାକୁ ବେଦାନ୍ତ କମ୍ପାନୀ ଓ ଓଡ଼ିଶା ଖଣି ନିଗମକୁ ଏହା ଲିଜ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ପରେ କିପରି ସହଜରେ ଗ୍ରାମସଭାର ମତ ହାସଲ କରିହେବ ସେଇ ଚିନ୍ତା କରି ଓଡ଼ିଶା ସରକାର ନିୟମଗିରିରେ ଥିବା କଳାହାଣ୍ଡି ଓ ରାୟଗଡ଼ାର ସବୁ ଆଦିବାସୀ ଗାଁ ନବାଛି କମ୍ ଲୋକ ଥିବା ୧୨ଟି ଛୋଟ ଛୋଟ ଗାଁ ବାଛିଥିଲେ। ଆଶା କରିଥିଲେ ଏହି ଗ୍ରାମସଭାକୁ ପ୍ରଭାବିତ କରି ବେଦାନ୍ତ ସପକ୍ଷରେ ନେଇ ହେବ। କିନ୍ତୁ ତାହା ହୋଇ ନଥିଲା। ରାଜ୍ୟ ସରକାର ବାଛିଥିବା ୧୨ଟି ଯାକ ଗାଁର ଶତ ପ୍ରତିଶତ ଜନମତ ଖଣି ପ୍ରକଳ୍ପ ବିରୋଧରେ ଯାଇଥିଲା।   ଏହା ଥିଲା ଓଡ଼ିଶାର ଶିଳ୍ପ-ପ୍ରେମୀ ନବୀନ ପଟ୍ଟନାୟକ ସରକାରଙ୍କ ପାଇଁ ସବୁଠୁ ବଡ଼ ଲଜ୍ଜାଜନକ ପରାଜୟ। ପ୍ରାଚୀନ କନ୍ଧ ଜାତିର ଲୋକଙ୍କ ହାତରେ ହୋଇଥିବା ଏହି ପରାଜୟର ପ୍ରତିଶୋଧ ନେବା ପାଇଁ ନବୀନ ସରକାର ଏବେ ବି ଉଦ୍ୟମ ଜାରି ରଖିଛନ୍ତି। ଏ ସରକାର ପାଇଁ ନିୟମଗିରିର ଡଙ୍ଗରିଆ ଓ ଝରଣିଆ କନ୍ଧ ଆଦିବାସୀଙ୍କ ମତର କିଛି ମାନେ ନାହିଁ। ସେମାନଙ୍କର ମତ ଓ ସ୍ବାର୍ଥ ତୁଳନାରେ ବେଦାନ୍ତ ପରି ବିଶ୍ବବ୍ୟାପୀ ନିନ୍ଦିତ କମ୍ପାନୀର ସ୍ବାର୍ଥ ଅଧିକ ବୋଲି ବିଶ୍ବାସ କରୁଛନ୍ତି ଓଡ଼ିଶା ସରକାର। କନ୍ଧମାନଙ୍କ ଜୀବନ ଜୀବିକା ପଛେ ଧ୍ବଂସ ପାଉ, ସେମାନଙ୍କ ସଂସ୍କୃତି ଓ ପ୍ରକୃତି ବରଂ ଉଜୁଡ଼ି ଯାଉ ନିୟମଗିରିର ବକ୍ସାଇଟ୍ ନେଇ ଲଣ୍ଡନର ବେଦାନ୍ତ କମ୍ପାନୀ ସମୃଦ୍ଧ ହେଉ ବୋଲି ଭାବୁଥିବା ଲୋକମାନେ ଓଡ଼ିଶା ସରକାରରେ ଥାଇ ସୁପ୍ରିମ କୋର୍ଟରେ ଦି’ ଦି’ ଥର ପ୍ରତ୍ୟାଖ୍ୟାତ ହେବା ପରେ ମଧ୍ୟ ନିୟମଗିରି ଲୋଭ ସମ୍ବରଣ କରିପାରୁ ନାହାନ୍ତି କି ବେଦାନ୍ତ ପ୍ରୀତି ଛାଡ଼ିପାରୁ ନାହାନ୍ତି।   ଏବେ ଛତିଶଗଡ଼ର ଶିଳ୍ପପ୍ରୀତି ଯୋଗୁଁ ମହାନଦୀ ଜଳ ଶୁଖିଯିବ ବୋଲି ଦାବି କରୁଥିବା ଓଡ଼ିଶା ସରକାର ନିୟମଗିରି ଖଣି ପ୍ରକଳ୍ପ ହେଲେ ବଂଶଧାରା ନଦୀ ଶୁଖିଯିବ ବୋଲି ଭାବିପାରୁ ନାହାନ୍ତି। ନିୟମଗିରି ପାହାଡ଼ରୁ ଛୋଟବଡ଼ କରି ୧୮ଟି ଝରଣା ବାହାରିଛି। ଏହି ଝରଣାରୁ କେତେକ ମିଶି ବଂଶଧାରା ନଦୀରେ ପରିଣତ ହୋଇଛି। ସେହିପରି ଆଉ କେତେଟା ଝରଣାର ପାଣି ମିଶି ନାଗାବଳୀ ନଦୀ ସୃଷ୍ଟି କରିଛନ୍ତି। ନିୟମଗିରିରେ ବକ୍ସାଇଟ ଖଣି ହେଲେ ଉଭୟ ବଂଶଧାରା ଓ ନାଗାବଳୀ ନଦୀ ଶୁଖିଯିବ। ମହାନଦୀ କଥା ଉଠାଉଥିବା ଲୋକମାନେ ନାଗାବଳୀ ଓ ବଂଶଧାରା କଥା କାହିଁକି ଭୁଲି ଯାଉଛନ୍ତି? ବେଦାନ୍ତ କମ୍ପାନୀ ସେମାନଙ୍କ ମସ୍ତିଷ୍କକୁ ବନ୍ଧା ରଖିଛି କି?

Share :