ଆଟାଚି ଭିତରେ ଈଶ୍ବର!

ଆଟାଚି ଭିତରେ ଈଶ୍ବର!

Share :

ଡକ୍ଟର ଲକ୍ଷ୍ମଣ ସାହୁ   ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ପୁଣି ଏଠି ଏକଦେବବାଦ (ଏକୈଶ୍ବ‌୍‍ରବାଦ) ଓ ବହୁ ଦେବବାଦ ମଧ୍ୟ ପ୍ରଚଳିତ। ଯିଏ ଯେମିତି ଭାବିଲା ସେମିତି ଯେକୌଣସି ଦେବତାଙ୍କୁ ପୂଜା କଲା, ତାକୁ କେନ୍ଦ୍ରକରି ଫାଇଦା ଉଠାଇଲା। ଏପରିକି ରାଜନୀତିରେ ଧର୍ମର ରୋଗ ଓ ଧର୍ମ ସେହି ରୋଗନିଦାନକାରୀ ଅମୂଲ୍ୟ ଔଷଧ ପାଲଟିଛି। ନିର୍ବାଚନ ସମୟରେ ଧର୍ମକୁ ଜାତି ସହିତ  ଯୋଡିବା, କେଉଁଠି ଦଙ୍ଗା କରିବା ଓ ଏହାକୁ ସଂପ୍ରଦାୟ ନାମ ଦେବା ନଜିର ଆଜି କିଛି କମ ନୁହେଁ। ଯେଉଁଠି ଗୋଟିଏ ଧର୍ମ ରକ୍ଷା ପାଇଁ ଅନ୍ୟ ଧର୍ମକୁ ହତ୍ୟା କରାଯାଏ ତାକୁ କ’ଣ  ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯିବ? ଅନ୍ୟ ଧର୍ମକୁ ସମ୍ମାନ ନଦେଇ ଅପମାନ ଦିଆଯାଉଛି। ସକାଳ ସଂଧ୍ୟାରେ ରାମ, ଈଶ୍ବର ବା ଆଲ୍ଲାଙ୍କ ନାମ ଜପୁଥିବା ଶ୍ରେଷ୍ଠ ବ୍ୟକ୍ତିମାନେ ରାତି ଅଧରେ  ମନ୍ତୀମାନଂକୁ ମଂତ୍ରଣା ଦିଅନ୍ତି। ଖାଲି ସୁଟକେଶ ନେଇଫେରନ୍ତି ନାହିଁ,  ଧର୍ମାଚାର୍ଯ୍ୟଙ୍କ ଝୁଲା ଭର୍ତ୍ତି ହୋଇଥାଏ। ସେମାନେ କେବେ ଧନମୋହରୁ ମୁକ୍ତି ହୋଇପାରନ୍ତି ନାହିଁ।   ଧର୍ମ ସତ୍ୟ ଉପରେ ପ୍ରତିଷ୍ଠିତ। ଧର୍ମ-ପ୍ରେମିକ ଏହି ସତ୍ୟକୁ ବେଶି ପ୍ରେମ କରେ ଓ ଧର୍ମପ୍ରଚାରରେ ଉପରକୁ ଉଠିଲେ ଶେଷରେ ତାକୁ ବ୍ୟବସାୟରେ ପରିଣତ କରେ। ଧର୍ମ କହେ, ତ୍ୟାଗ କର, ବ୍ୟବସାୟ କହେ ଅଧିକ ଲାଭ ଉଠାଅ ବା ଭୋଗ କର। ଯେଉଁ ଧର୍ମ ଊଦାରତା ଶିକ୍ଷାଦିଏ, ସେଠି ବ୍ୟବସାୟୀ କଠୋରପନ୍ଥୀ। ସଂପୃକ୍ତ ବ୍ୟକ୍ତି ଧର୍ମାଚାର୍ଯ୍ୟ ସମସ୍ତଙ୍କ ଆଗରେ  ଉଦାରପନ୍ଥୀ ମନେହେଲେ ବି ପ୍ରକୃତରେ ସେ କଠୋରପନ୍ଥୀ ପାଲଟେ। ଅସଲ ସ୍ବରୂପ ବେଳେବେଳେ ସମସ୍ତଙ୍କୁ ଅଜ୍ଞାତ ବୋଧହୁଏ।   ଧର୍ମାଚାର୍ଯ୍ୟମାନେ ଆଲ୍ଲା, ଈଶ୍ବର, ଭଗବାନ ଏକ ବୋଲି କହିଛନ୍ତି। ସମସ୍ତେ ଏହି ପରମପିତାଙ୍କ ସଂତାନ, ତେବେ ଭାଇ ସହ ଭାଇ ପ୍ରେମରେ ରହିପାରୁନି କାହିଁକି? ଏହାର ସରଳ ଉତ୍ତର  ନିଜକୁ ଦୋଷୀ ନକରି, ନିଜ ତ୍ରୁଟିକୁ ଭଗବାନଙ୍କ ଉପରେ ବୋଳି ଦେଇ ଅର୍ଥାତ କରିକରାଉ ଥାଏ ମୁହିଁ ନୀତିରେ  ଈଶ୍ବର ସବୁକିଛି  କରୁଛନ୍ତି ଖହି ଖସିଯିବାର ବାଟ ବାହାର କରାଯାଇଛି। ସଂର୍ଘଷ ଲାଗିଲେ, ଏଥିରେ କାହାର ହାତ ନାହିଁ, ସବୁ  ଈଶ୍ବରଙ୍କ ନାମରେ ଚାଲିଛି , ଈଶ୍ବରଙ୍କ ଦ୍ବାରା ଘଟୁଛି କହି ନିଜକୁ ଆବରଣମୁଖୀ କରିବାର କେଡେ ସରଳ ପନ୍ଥାଟିଏ ରହିଛି ସତେ!   କୁହାଯାଏ ଈଶ୍ବର ଖୁବ ଦୟାଳୁ, ଯେତେ ଦୋଷ କଲେ ବି ସେ କୃପା କରିବେ। କୃଷ୍ଣଙ୍କ ନାମରେ ପାପ କ୍ଷୟ ଯେତେ, ପାପୀ ପାପ କରି ନପାରେ ସେତେ। ତେଣୁ ଯାବତୀୟ ପାପ କରି  ଥରେ ମାତ୍ର କୃଷ୍ଣ ବା ଆଲ୍ଲା ବା ଯୀଶୁଙ୍କ ନାମ ତୁଣ୍ଡରେ ଉଚ୍ଚାରଣ କଲେ ସକଳ ପାପ ଧୋଇଯିବ। ସତରେ ଈଶ୍ବରଙ୍କୁ ଏ ଚତୁର ମଣିଷ ଆଟାଚୀ ଭିତରେ ସାଇତି ରଖି ନିଜ ସଂପତ୍ତିରେ ପରିଣତ କରିଛି! ଅନେକେ ଯୁବାବସ୍ଥାରୁ ସାଧୁ, ସନ୍ଥ ପାଲଟିବାକୁ ଚେଷ୍ଟା କରି ଗୁରୁଙ୍କ ଦ୍ବାରସ୍ଥ ହୁଅନ୍ତି, ଗୁରୁ ଏମାନଙ୍କୁ ନେଇ ଖୁବ ସୁନ୍ଦର ରାଜନୀତି କରନ୍ତି ଓ ପୁଣିକେବେ ଯଦି ଗୁରୁଶିଷ୍ୟଙ୍କ ଭିତରେ ଝଗଡା ଘଟେ, ଶିଷ୍ୟ ଅଲଗା ଆଶ୍ରମ ଦେଖେ ବା ଆଶ୍ରମ ସୃଷ୍ଟି କରେ,  ପୂର୍ବ ରାଗର ପ୍ରତିଶୋଧ ନିଏ। ମନ୍ତ୍ର, ତନ୍ତ୍ର, ଯୋଗ ଶିକ୍ଷା ପାଇଁ ଆସିଥିବା ଶିଷ୍ୟ ଅସାଧୁ  ପାଲଟେ। ସାଧୁ, ସନ୍ଥ ନାମରେ କ୍ଷମତା, ଅର୍ଥରେ ବଳଶାଳୀ ହୋଇ କାମନା ଭୋଗରେ ଲିପ୍ତ ରହେ।   ଧର୍ମ ନାମରେ ନାନା ଧନ୍ଦା ଚାଲିଛି, ଧର୍ମକୁ ଦେଶି ବିଦେଶୀ କରିଦିଆଗଲାଣି। ତା’ ନାମରେ ବହୁ ସଂସ୍ଥା ଖୋଲିଦିଆଗଲାଣି। ଯାହାର ହାତସଫେଇ ଯୋଗ୍ୟତା ବେଶି ସିଏ  ସେତେ ସଫଳ  ବାବା। ଏପରିକି ଦେଶୀ ଅପେକ୍ଷା ବିଦେଶୀମାନଙ୍କ ଅତ୍ମା ଶାନ୍ତି କରି ବିଦେଶୀ ମୁଦ୍ରା ଗଚ୍ଛିତ କରିବାର ପ୍ରବଳ ଲାଳସା। ଆମ ଦେବତା ବଡ ଦାନୀ, କିନ୍ତୁ ମାଗିବାର ଉପାୟ ଜଣାଥିବା  ଦର୍କାର, ପରୀକ୍ଷାର୍ଥୀ ପୂଜାଦେଇ ପରୀକ୍ଷାରେ ନକଲ କରିବାକୁ ଶକ୍ତି ମାଗେ, ଦୁର୍ଗାଙ୍କୁ ଅନ୍ୟର ସଂପଦ ଲୁଟିବା ପାଇଁ ବର ମାଗୁଥିବା ବ୍ୟକ୍ତି ଜମା ଡରେ ନାହିଁ, ନିଷ୍କାମ କର୍ମ ଉପରେ  ଉପଦେଶ ଦେଉଥିବା ବ୍ୟକ୍ତି ଚାକିରି  ଖୋଜେ, ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରୁଥିବା, ଅହିଂସା ଓ କରୁଣାର ଉପଦେଶ ଦେଉଥିବା ବ୍ୟକ୍ତି ଶୋଷଣ ଦୁର୍ନୀତିରେ ଲିପ୍ତ ରହେ। ଧର୍ମାବତାର  ବୋଲାଉଥିବା ଏହି ଧର୍ମାତ୍ମାମାନେ ଧର୍ମ-ଆଚାର-ବିଧିରେ କେତେ ନିପୂଣ ସତେ!    ଯେଉଁ ଧର୍ମର ସର୍ବପ୍ରମୁଖ ଅଧାରଭୁକ୍ତ ସିଦ୍ଧାନ୍ତ ସତ୍ୟ ହୋଇ ରହିଛି ତାକୁ ଲେଖିବା ଧର୍ମର ଅପମାନ ଘଟିବ, କିନ୍ତୁ ଧର୍ମର ବିରୁଦ୍ଧାଚରଣରେ ଧର୍ମର ଅପମାନ କ’ଣ ଘଟିନଥାଏ? ମାତୃଭୂମି  ପ୍ରେମୀର ଗୀତ ଗାଇବା ବ୍ୟକ୍ତି ଉଚ୍ଚ ଦାମ‌୍‍ ନେଇ ମାତୃଭୂମିକୁ ବିକ୍ରି କରିବା କ’ଣ ଅପମାନ ନୁହେଁ? ଦେବୀ  ସ୍ବରୂପା ନାରୀକୁ  ଚାକରାଣୀ ଭାବେ ବ୍ୟବହାର କରିବା ବା କ୍ଳବରେ  ଡ୍ୟାନସ‌୍‍  କରିବାକୁ ଇଙ୍ଗିତ ଦେବା ଦ୍ବାରା କ’ଣ ଦେବୀସ୍ବରୂପା ନାରୀର ଅପମାନ ଘଟେ ନାହିଁ? ଏକପତ୍ନୀବ୍ରତ ପାଳନ କରୁଥିବା ବ୍ୟକ୍ତି ଅନ୍ଧାର ରାତିରେ କୁମାରୀକନ୍ୟାର  କୁମାରୀତ୍ବ ନଷ୍ଟ କରେ ବା  ପଂଚତାରକା ହୋଟଲରେ ରାତି ବିତାଇବାରେ କ’ଣ ଧର୍ମର ଅପମାନ ଘଟୁନାହିଁ?   ତେଣୁ ଧର୍ମ ନାମରେ ଯେଭଳି ଅପପ୍ରୟୋଗ ଚାଲିଛି, ସମୟ ଆସିବ  ଏ ଧର୍ମଭୀରୁ ସରଳ ମଣିଷ ଧର୍ମର ମହାସଙ୍କଟର ଦ୍ବାରଦେଶରେ ଠିଆହୋଇ କେବଳ ଆପଣା କର୍ମକୁ ନିନ୍ଦୁଥିବ ଓ ଏ  ଶଠ ଧର୍ମାତ୍ମାମାନଂକୁ ଜିଅନ୍ତା କବର ଦେବାକୁ ଆଗେଇ ନଆସିବ କିଏ ନକହିବ!   ଓଡିଆ ଭାଷା ଓ ସାହିତ୍ୟ ବିଭାଗ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ- ୪

Share :