ଦଣ୍ଡ ନଥିଲେ ଆଇନ‍୍‌ ବାଟ ଭୁଲେ!

ଦଣ୍ଡ ନଥିଲେ ଆଇନ‍୍‌ ବାଟ ଭୁଲେ!

Share :

ବୈଷ୍ଣବ ଚରଣ ମହାନ୍ତି   ଯୋଉଠି ଯାଦୁ ସେଇଠି ମଲମ ଭଳି ଯୋଉଠି ବେଆଇନ‍୍‌ ସେଇଠି ଦଣ୍ଡ। ଦଣ୍ଡର ଭୟ ନଥିଲେ ଆଇନ‍୍‌ ତା’ ବାଟରେ ନ ଯାଇ ବେଆଇନ‍୍‌ ହେଇଯାଏ; ସେଇଥିପାଇଁ ହିନ୍ଦୁ ଧର୍ମଶାସ୍ତ୍ରରେ କୁହାଯାଇଛି-‘ସର୍ବ ଦଣ୍ଡଜିତୋ ଲୋକୋ ଦୁର୍ଲଭୋ ହି ଶୁଚିର୍ନରଃ; ଦଣ୍ଡସ୍ୟ ହି ଭୟାସିର୍ବଂ ଜଗତ୍ ଭୋଗାୟ କଳ୍ପତେ।’   ଦୁନିଆରେ ଜଣେ ବି ହେଲେ ନିର୍ମଳ ଲୋକ ମିଳିବା ଦୁର୍ଲ୍ଲଭ, ସମସ୍ତେ ଦଣ୍ଡ ଭୟରେ ନିଜକୁ ଭଲ ବାଟରେ ନେଇଥାନ୍ତି। କିନ୍ତୁ ଆମ ଓଡ଼ିଶାରେ ଏମିତି ଏକ ଆଇନ‍୍‌ ଅଛି ଯାହାପାଇଁ ଦଣ୍ଡ ନଥିବାରୁ ସେ ଏପର୍ଯ୍ୟନ୍ତ ତା’ ବାଟରେ ଚାଲି ପାରୁନି ଆଉ ସେ ଆଇନ‍୍‌ ହେଉଛି ‘ଓଡ଼ିଶା ସରକାରୀ ଭାଷା ଆଇନ‍୍‌’। ଦଣ୍ଡ ଭୟ ନଥିବାରୁ ସେଥିପାଇଁ ଓଡ଼ିଶାରେ ଏପର୍ଯ୍ୟନ୍ତ ଏମିତି ଜଣେ ସରକାରୀ କର୍ମଚାରୀ ଦୁର୍ଲ୍ଲଭ ଯିଏ କି ନିର୍ମଳଭାବେ ଓଡ଼ିଆ ଭାଷାରେ ସରକାରୀ କାମ କରନ୍ତି। ୧୯୫୪ ସେପ୍ଟେମ୍ୱର ୭ ତାରିଖରେ ଓଡ଼ିଶା ବିଧାନ ସଭାରେ ‘ଓଡ଼ିଶା ସରକାରୀ ଭାଷା ବିଲ‍୍‌୍’ ଆଗତ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ତା’ପର ଦିନ ସେପ୍ଟେମ୍ୱର ୮ ତାରିଖରେ ତାହା ପାସ‍୍‌ ହୋଇଥିଲା। ୧୯୫୪ରୁ ୨୦୧୬ ଏ ୬୨ ବର୍ଷ ଭିତରେ ନବକୃଷ୍ଣଙ୍କଠାରୁ ନବୀନଙ୍କ ପର୍ଯ୍ୟନ୍ତ ୧୫ ଜଣ ମୁଖ୍ୟମନ୍ତ୍ରୀ ହେଲେଣି, କିନ୍ତୁ ଓଡ଼ିଆ ଭାଷା ଏ ପର୍ଯ୍ୟନ୍ତ ସରକାରୀ ଭାଷା ହେଇ ପାରିଲାନାହିଁ। ଯୋଉ ଭାଷା ଆମକୁ ନିର୍ଦ୍ଦିଷ୍ଟ ଭୂମି ଖଣ୍ଡିଏ ଦେଲା, ଓଡ଼ିଶା ବୋଲି ରାଜ୍ୟଟିଏ ଦେଲା, ଓଡ଼ିଆ ବୋଲି ପରିଚୟଟିଏ ଦେଲା; ସେଇ ଭାଷାକୁ ଭୁଲିଗଲେ ଆମ ନେତାଜାତୀୟ ନରମାନେ, ମନ୍ତ୍ରୀଜାତୀୟ ମଣିଷମାନେ। ନବକୃଷ୍ଣଙ୍କ ପରେ ଜନାକୀ ବଲ୍ଲଭ ପଟ୍ଟନାୟକଙ୍କ ବ୍ୟତୀତ ଆଉ କେହି ମୁଖ୍ୟମନ୍ତ୍ରୀ ସେଥିରେ ମୁଣ୍ଡ ଖେଳେଇଲେ ନାହଁି।   ୧୯୫୪ ସେପ୍ଟେମ୍ୱର ୭ ତାରିଖରେ ବିଧାନସଭାରେ ଭାଷା ବିଲ‍୍‌ ଆଲୋଚନା ପ୍ରସଙ୍ଗରେ ତତ୍କାଳୀନ ମାନ୍ୟବର ବିଧାୟକ ନିଶାମଣି ଖୁଣ୍ଟିଆ କହିଥିଲେ- ‘...ସେଥିପାଇଁ ମୁଁ କହୁଛି ସରକାରଙ୍କୁ ଏ ବିଲ‍୍‌ରେ ଯେଉଁ କ୍ଷମତା ଦିଆଯାଉଛି ତାକୁ ଯେ ସେମାନେ କେଉଁଦିନ କିପରି ପ୍ରୟୋଗ କରିବେ ଏଥିରେ ମୋର ଆଶଙ୍କା ରହୁଛି ଯେ ତାହା ଶୀଘ୍ର ହୋଇ ପାରିବ ନାହିଁ। ଏଣୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଉ। ଆଉ ମଧ୍ୟ ଯେଉଁ ଲୋକ ଏହାକୁ ଅମାନ୍ୟ କରିବ ତାକୁ ଦଣ୍ଡଦେବାପାଇଁ ଏଥିରେ କିଛି ବ୍ୟବସ୍ଥା ନାହିଁ।’ ତା’ପର ଦିନ, ଅର୍ଥାତ୍ ସେପ୍ଟେମ୍ୱର ୮ ତାରିଖରେ ଭାଷା ବିଲ‍୍‌ ଆଲୋଚନା ପ୍ରସଙ୍ଗରେ ମାନ୍ୟବର ବିଧାୟକ ପବିତ୍ରମୋହନ ପ୍ରଧାନ କହିଥିଲେ- ‘ଏ ବିଲ‍୍‌ର ଦୋଷ ହେଉଛି ଏଥିରେ ପେନାଲ ସେକ୍ସନ୍‌ ନାହିଁ।’ ଅନ୍ୟତମ ମାନ୍ୟବର ବିଧାୟକ ହରିହର ମିଶ୍ର ଆଲୋଚନାରେ ଭାଗ ନେଇ ଭାଷା ଆଇନ‍୍‌ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବ୍ୟବସ୍ଥାକୁ ଆହୁରି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କରି କହିଥିଲେ- ‘ଯେଉଁ କର୍ମଚାରୀମାନେ ଏ ଆଇନ‍୍‌ର ଅବମାନନା କରିବେ ବା ଆଇନ‍୍‌ ଅନୁସାରେ କାର୍ଯ୍ୟ ନ କରିବେ ସେମାନଙ୍କପାଇଁ ଦଣ୍ଡ ବିଧାନ ହେବା ଉଚିତ। ପ୍ରଥମେ ଅଳ୍ପ ପରିମାଣରେ ସେମାନଙ୍କ ଉପରେ ଜୋରିମାନା ହେଉ, ସେଥିରେ ଯଦି ନହୁଏ ଅଧିକ ପରିମାଣରେ ଜୋରିମାନା ହେଉ। ଏ ଦୁଇଟା ଯଦି ନ ହୁଏ ସେମାନଙ୍କୁ କାର୍ଯ୍ୟଚ୍ୟୁତ କରାଯିବା ଉଚିତ।’   ସେତେବେଳର ଏଇ ତିନିଜଣ ମାନ୍ୟବର ବିଧାୟକଙ୍କ ଦୂରଦୃଷ୍ଟିକୁ ଏବେ ଆମକୁ ସ୍ୱୀକାର କରିବାକୁ ପଡ଼ିବ। ବିଗତ ୬୨ ବର୍ଷ ଭିତରେ ଭାଷା ଆଇନକୁ କାର୍ଯ୍ୟକାରୀ କରିବାରେ ନା ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇଛି, ନା ଦଣ୍ଡ ବ୍ୟବସ୍ଥା କରାଯାଇଛି, ନା କୌଣସି ଜଣେ ଆଇନ‍୍‌ ଉଲ୍ଲଙ୍ଘନକାରୀକୁ ସାମାନ୍ୟତମ ଦଣ୍ଡରେ ଦଣ୍ଡିତ କରାଯାଇଛି। ଶ୍ରୀମଦ୍ଭାଗବତ ଅନୁସାରେ -‘ରାଜାର ସେବକ ଯେସନେ, ବଞ୍ଚଇ ଆଜ୍ଞା ଅଲଙ୍ଘନେ’। ବଞ୍ଚିବାକୁ ହେଲେ ରାଜାଙ୍କ ଆଜ୍ଞାକୁ ଅଲଙ୍ଘନ କରିବାକୁ ହେବ,ତା’ ଅର୍ଥ ଅଲଙ୍ଘନ ନ କରି ଉଲ୍ଲଙ୍ଘନ କଲେ ମରିବାକୁ ହେବ। ଏଇଟା ଉତ୍ତର କୋରିଆ ନୁହେଁ ଯେ ସାମାନ୍ୟ ଘୁମେଇ ପଡିଲେ ଉପରାଷ୍ଟ୍ରପତିଙ୍କୁ ମୃତ୍ୟୁଦଣ୍ଡ ମିଳିବ, ଓଡ଼ିଆରେ ନ ଲେଖିଲେ ପ୍ରଥମ ମାସରେ ଦରମା ବନ୍ଦ୍ ଏବଂ ତଥାପି ବି ଇଂରେଜୀ ରୋଗଟା ଯଦି ନ ଛାଡ଼ିଲା ଦ୍ୱିତୀୟ ପାନରେ ଗୋଟାଏ ବର୍ଷର ଇନ‍୍‌କ୍ରିମେଣ୍ଟ୍ ବନ୍ଦ୍ କରିଦେଲେ ନିଶ୍ଚୟ ରୋଗ ଛାଡ଼ି ପଳେଇବ, ତୃତୀୟ ପାନରେ କାର୍ଯ୍ୟଚ୍ୟୁତି ଭଳି କଡ଼ା ଓଷଦ ଦେବାକୁ ପଡ଼ିବନାହିଁ। ଏ ପ୍ରସଙ୍ଗରେ ମୂଳ ହିନ୍ଦୁ ଆଇନ‍୍‌ ଶାସ୍ତ୍ର ‘ମନୁ ସ୍ମୃତି’ରେ କୁହାଯାଇଛି-‘ଯତ୍ର ଶ୍ୟାମ ଲୋହିତାକ୍ଷୋ ଦଣ୍ଡ ଶ୍ଚରତି ପାପହା, ପ୍ରଜାସ୍ତତ୍ର ନ ମୁହ୍ୟନ୍ତି ନେତା ଚେତ୍ସାଧୁ ପଶ୍ୟତି।’ ନେତା ଆଇନର ନାଲି ଆଖି ଦେଖାଇ ଅବାଗିଆମାନଙ୍କୁ ବାଗକୁ ଆଣନ୍ତି, ଉଲ୍ଲଙ୍ଘନକାରୀଙ୍କୁ ଅଲଙ୍ଘନକାରୀ କରି ରାଜ୍ୟ ଶାସନକୁ ଶୃଙ୍ଖଳିତ କରନ୍ତି।   ଗାନ୍ଧିବାଦୀ ଶ୍ରୀଯୁକ୍ତ ଚୌଧୁରୀ ଗୋଟାଏମସ୍ତବଡ଼ ଭୁଲ‍୍‌ କଲେ ଭାଷା ଆଇନ‍୍‌ ଉଲ୍ଲଂଘନକାରୀଙ୍କ ପାଇଁ ପ୍ରକୃତରେ ଦଣ୍ଡବ୍ୟବସ୍ଥା ନ ରଖି। ଶ୍ରୀ ଜନାକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଦଣ୍ଡ ବ୍ୟବସ୍ଥା ରଖିଲେ ନାହିଁ। ଅବଶ୍ୟ ସେମାନଙ୍କ ବେଳେ ଓଡ଼ିଆ ଟାଇପ‍୍‌ ରାଇଟର‍୍‌ ଥିଲା ମୁଖ୍ୟ ସମସ୍ୟା ଏବଂ ଟାଇପ‍୍‌ ରାଇଟର ଉପଯୋଗୀ କରିବାପାଇଁ ଅନିଚ୍ଛା ସତ୍ତ୍ବେ ଓଡ଼ିଆ ଲିପି ସଂସ୍କାର କରିବାକୁ ପ୍ରୟାସ କରାଯାଇଥିଲା; ଏ ଦୁଇଟା ଥିଲା ସମୟସାପେକ୍ଷ କାମ। ଦ୍ୱିତୀୟ ସମସ୍ୟା ଥିଲା ଅନୁବାଦ ଓ ପାରିଭାଷିକ ଶବ୍ଦକୋଷର ଅଭାବ। ଏହାକୁ ଆଳ ଓ ପେଖନା କରି ଏପର୍ଯ୍ୟନ୍ତ ୬୨ ବର୍ଷ ବିତିଗଲାଣି। ଏବେ ସହଜ ସୁବିଧାରେ ସବୁ ଓଡ଼ିଆ ଯୁକ୍ତାକ୍ଷର କମ୍ପ୍ୟୁଟରରେ ଲେଖି ହେଉଛି। ଦ୍ୱିତୀୟ ସମସ୍ୟାକୁ ଏଡେଇବା ପାଇଁ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ ୧୯୮୫ ଅଲୋଚନା ଅବସରରେ ଶ୍ରୀ ଜନାକୀ ବଲ୍ଲଭ ପଟ୍ଟନାୟକ ବିଧାନ ସଭାରେ ସ୍ପଷ୍ଟ କରିଥିଲେ - ‘ଯେଉଁଠି ଓଡ଼ିଆ ଶବ୍ଦ ବ୍ୟବହାର କରାଯାଇ ନ ପାରିବ, ଇଂରାଜୀ ଶବ୍ଦ ବ୍ୟବହାର ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ’।   ଶ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବେ ସ୍ୱର୍ଗରେ, ୧୯୫୪ରେ ଆଗତ ଭାଷା ବିଧେୟକର ଆଲୋଚନାରେ ଉପସ୍ଥିତ ତତ୍କାଳୀନ ବିଧାନସଭାର ସଭ୍ୟମାନଙ୍କ ଭିତରୁ ହୁଏତ ଆଉ ଚାରିପାଞ୍ଚ ଜଣ ଥିବେ କି ନା ସନ୍ଦେହ। ବର୍ତ୍ତମାନର ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ସେତେବେଳକୁ ଜନ୍ମ ହେଇ ନଥିଲେ ଏବଂ ଯେଉଁ ବିଧାୟକ ବା ସାଂସଦଙ୍କ ବୟସ ଏବେ ୮୦ ବର୍ଷରୁ କମ‍୍‌ ସେତେବେଳକୁ ଏମାନଙ୍କର ନାଁବାଳିକି କଟି ନଥିଲା। ଏମାନଙ୍କ ପାଇଁ ଓଡ଼ିଆ ସରକାରୀ ଭାଷା ହେବାର ଗୁରୁତ୍ୱ ଆଗଠାରୁ ତୁଳନାତ୍ମକ ଭାବେ ଊଣାହେବା ସ୍ୱାଭାବିକ୍। ତା’ଛଡ଼ା ଓଡ଼ିଆଙ୍କ ଭିତରେ ମାଗିକୁହା, ଓଡ଼ିଆଭାଷାଦରିଦ୍ର, ଶବ୍ଦଗରିବଙ୍କ ସଂଖ୍ୟା ଦିନକୁ ଦିନ ଯେମିତି ବଢ଼ିବଢ଼ି ଚାଲିଛି ଆଗକୁ ଓଡ଼ିଆକୁ ସରକାରରୀ ଭାଷା ଦାବିର ସ୍ୱର କ୍ଷୀଣରୁ କ୍ଷୀଣତର ହେଇ ଉଠିବ। ଓଡ଼ିଶାରେ ସାକ୍ଷରତାର ହାର ବଢ଼ିବା ସଙ୍ଗେସଙ୍ଗେ ଓଡ଼ିଆ ଶିକ୍ଷିତ-ନିରକ୍ଷରଙ୍କ ସଂଖ୍ୟା ଯେ ଦିନକୁଦିନ ବଢ଼ିବଢ଼ି ଚାଲିଛି ତାହା କୋଡ଼ଯାଦୁ ବୋଲି କାହାକୁ ଦେଖା ଯାଉନି। କୁଳ ଭାସିଯାଉ ପଛେ କହିଲେ କୁଳ କୁଟୁମ୍ୱକୁ ଲାଜ ହେବ ବୋଲି କହିବା ଲୋକ ବି କହୁନାହାଁନ୍ତି।   ସରକାରୀ କାଗଜପତ୍ରର କାମ କହିଲେ ଏହା ମୁଖ୍ୟତଃ ଅମଲାମାନଙ୍କର। ଦପ୍ତରୀଠାରୁ ଦପ୍ତରାଧୀଶଙ୍କ ଯାଏ, ଅର୍ଦ୍ଦଳୀଠାରୁ ଅଧିକାରୀଙ୍କ ପରିଯନ୍ତେ ଏ ସମସ୍ତ ଦପ୍ତରଚରମାନେ ହେଲେ ‘ସାଧାରଣଙ୍କ ସେବାୟତ’ ବା ‘ପବ୍ଲିକ୍ ସର୍ଭ୍ୟାଣ୍ଟ’। ମନ୍ଦିରମାନଙ୍କରେ ଯେମିତି ପଣ୍ଡା ପଢ଼ିଆରୀ ଆଦି ଥାଆନ୍ତି ଦିଅଁଙ୍କ ସେବାପୂଜା ପାଇଁ, ଦପ୍ତରରେ ସେମିତି ବାବୁ, ସାନବାବୁ, ବଡ଼ବାବୁ, ତହୁଁ ବଡ଼ବାବୁ, ଅତିବଡ଼ବାବୁ ଏବଂ ବାବୁଙ୍ଗିଳମାନେ ଥାଆନ୍ତି ସାଧାରଣଙ୍କ ସେବାପାଇଁ। ସଂସ୍କୃତ ଭାଷା ଦେବ ଭାଷା ହୋଇଥିବାରୁ ଦେବତାମାନେ ହୁଏତ କେବଳ ସଂସ୍କୃତ ବୁଝନ୍ତି ବୋଲି କି କ’ଣ ଅପାଠୁଆ ପଣ୍ଡା ପୂଜକ ବି ଏଙ୍ଗେହେଙ୍ଗେ କରି ସଂସ୍କୃତ ଉଚ୍ଚାରଣ କରି ମାର‍୍‌ ତାଳି ଉଠା ଥାଳି କରନ୍ତି। ଆମ ଦପ୍ତରଚର ଏଇ ବାବୁଜାତୀୟ ବିଦ୍ୱାନ‍୍‌ମାନଙ୍କର କ’ଣ ବିଦ୍ୟାର ଏତେ ଅଭାବ ଯେ ସେମାନେ ଓଡ଼ିଆରେ ଫାଇଲ‍୍‌ ଚାଷ କରିପାରିବେ ନାହିଁ? କିନ୍ତୁ ସେମାନେ ମଳିମୁଣ୍ଡିଆ ଓଡ଼ିଆଙ୍କ ଭାଷା କହି ଲେଖିବାକୁ ପସନ୍ଦ କରୁ ନାହାଁନ୍ତି। ସେଇ ମଳିମୁଣ୍ଡିଆଙ୍କ ଉପରେ ବାବୁଗିରି କରିବାକୁ ଶାସନର ଭାଷାରେ ଏ ପର୍ଯ୍ୟନ୍ତ  ଇଂରାଜୀକୁ ଧରି ରଖିଛନ୍ତି।   ଇଂରେଜୀ ଭାଷା ବ୍ୟବହାର କରି ଗୋରା ସାହାବମାନେ ସାଧାରଣଙ୍କୁ ଯେମିତି ପରାଧୀନ କରି ରଖିଥିଲେ, ଏଇ ସାବେନା ସାହାବଙ୍କର  ଅବଚେତନ ମାନସିକତାରେ ରହୁଛି ଯେ ସେଇ ଇଂରେଜୀ ଭାଷା ବ୍ୟବହାର କରି ଆମେ ବି ମଳିମୁଣ୍ଡିଆ ଓଡ଼ିଆଗୁଡ଼ାଙ୍କୁ ପରାଧୀନ କରି ରଖିବୁ। ଅନ୍ୟ ପକ୍ଷରେ ଏ କଥା ବି ସତ ଯେ ‘ୟୋର୍ସ ଫେଥ୍‌ଫୁଲି’ ନ ଲେଖିଲେ ଯେଉଁମାନଙ୍କ ଚିଠି ଲେଖା ସରେନାହିଁ, ସେମାନେ କେବେ ବି ‘ଅନ‍୍‌ଫେଥ୍‌ଫୁଲ‍୍‌’ ହେବାର ପ୍ରଶ୍ନ ଇ ଉଠୁନାହିଁ। ଅବଶ୍ୟ ଦଣ୍ଡଗଇଁଆ ସରକାରୀ କର୍ମଚାରୀଙ୍କୁ ବିଶ୍ୱସ୍ତ, ବସମ୍ୱଦ କରିବାକୁ ଦଣ୍ଡ ନିହାତି ଜରୁରୀ। ସବୁଠୁ ବଡ଼ କଥା ହେଉଛି ଓଡ଼ିଶାର ୯୦ଞ୍ଝରୁ ଅଧିକ ସରକାରୀ କର୍ମଚାରୀ ଓଡ଼ିଆ, ଏମାନଙ୍କ ମାତୃଭାଷା ପ୍ରୀତି ଓଡ଼ିଆକୁ ପ୍ରଶାସନର ଭାଷା କରିବାରେ ମୃତସଂଜୀବନୀ ଭଳି କାମ ଦେବ। ଭାଷା ଆଇନ‍୍‌ ଉଲ୍ଲଙ୍ଘନକାରୀଙ୍କ ପାଇର୍ଁ ଯଦି ଦଣ୍ଡ ବ୍ୟବସ୍ଥା କରାଯାଏ, ଏହା କପା କିଆରୀର ଗୋରୁମୁଣ୍ଡ ଭଳି ରହିବ ମାତ୍ର। ମାତ୍ର ଗୋଟିଏ ବିରିକୁ ମାଡ଼ ହେଲେ ଆଉ ଯେତେସବୁ କୋଳଥ ଅଛନ୍ତି ସମସ୍ତେ ଆପେଆପେ ଓଡ଼ିଆରେ ସରକାରୀ କାଗଜପତ୍ର କାମ କରି ଚାଲିବେ। ଏଣୁ ବିନା ଦଣ୍ଡ ବ୍ୟବସ୍ଥାରେ ଭାଷା ଆଇନ‍୍‌ ଆଇନ‍୍‌ ନୁହେଁ ଆଖିଠାର।                                                                                                 ‘ଆମଘର’, ୧୨- ମୈତ୍ରୀଜନପଦ, ନହରକଣ୍ଟା, ଭୁବନେଶ୍ୱର ମୋବାଇଲ‌୍‍ ନଂ: ୯୪୩୭୪୧୮୮୬୭ 

Share :