ବାଲୁକା କଳାରେ ମେକ‌୍‍ ଇନ‌୍‍ ଓଡିଶା!

ବାଲୁକା କଳାରେ ମେକ‌୍‍ ଇନ‌୍‍ ଓଡିଶା!

Share :

  ଚନ୍ଦ୍ରଭାଗା ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ୱର ୧ ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ-୨୦୧୬ ସମୟରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି। ଚନ୍ଦ୍ରଭାଗା ବେଳାଭୂମିରେ ପ୍ରଥମ ଥର ପାଇଁ ୨୦୧୧ ମସିହା ଡ଼ିସେମ୍ୱର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ଉତ୍ସବର ଲୋକପ୍ରିୟତାକୁ ଦେଖି ୨୦୧୧ ମସିହା ଡିସେମ୍ୱର ୨୦ ତାରିଖରୁ ୨୦୧୨ମସିହା ଜାନୁୟାରୀ ୨୦ ତାରିଖ ପର୍ଯ୍ୟନ୍ତ ଏକମାସ ଧରି ଆଉ ଏକ ରାଜ୍ୟସ୍ତରୀୟ ବାଲୁକା କଳା ଉତ୍ସବ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା। ଏହି ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀର ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖି ଓଡ଼ିଶା ପର୍ଯ୍ୟଟନ ବିଭାଗ ଏଥିରେ ଉତ୍ସାହିତ ହୋଇ କୋଣାର୍କ ଉତ୍ସବ ସମୟରେ ପାଞ୍ଚଦିନ ବ୍ୟାପି ବାଲୁକା କଳା ଉତ୍ସବ ଆୟୋଜନ କରିଆସୁଛି।   ଚଳିତ ବର୍ଷ ଷଷ୍ଠ ଥର ପାଇଁ ୨୦୧୬ ମସିହା ଡ଼ିସେମ୍ୱର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକାକଳା ଉତ୍ସବ ଆୟୋଜନ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ଡିସେମ୍ୱର ୧ ତାରିଖରୁ ଆରମ୍ଭ ହେଉଥିବା କୋଣାର୍କ ଉତ୍ସବ-୨୦୧୬ ଅବସରରେ ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଅଛି ଷଷ୍ଠ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଏହି ଉତ୍ସବରେ ଯୋଗ ଦେବା ପାଇଁ ନଭେମ୍ୱର ୩୦ ତାରିଖରେ ଦେଶ ବିଦେଶର  ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀମାନେ କୋଣାର୍କରେ ପହଞ୍ଚିବେ। ବାଲୁକା ଶିଳ୍ପୀମାନେ ଡ଼ିସେମ୍ୱର ୧ ତାରିଖଠାରୁ ନିଜନିଜର ଷ୍ଟଲରେ ମେକ‌୍‍ ଇନ‌୍‍ ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମ ବାଲୁକା କଳାରେ ପରିସ୍ପୁଟନ କରିବେ।  ପର୍ଯ୍ୟଟନ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମିରେ ଏଥି ନିମନ୍ତେ ଷ୍ଟଲ ନିର୍ମାଣ ଓ ବାଲି ସଂଗ୍ରହ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ଅନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ୱାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି।   ପ୍ରତ୍ୟହ ଲକ୍ଷାଧିକ ପର୍ଯ୍ୟଟକ ଏହି  ବାଲୁକା କଳା ପ୍ରଦର୍ଶନୀକୁ ରାତି ୧୧ଟା ପର୍ଯ୍ୟନ୍ତ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଥାଏ। ୨୦୧୧ରେ  ୪ ଜଣ, ୨୦୧୨ରେ ୧୦ ଜଣ, ୨୦୧୩ରେ ୫ ଜଣ, ୨୦୧୪ ମସିହାରେ ୩ ଜଣ ଓ ୨୦୧୫ରେ ୫ ଜଣ ବିଦେଶୀ ବାଲୁକା ଶିଳ୍ପୀ ଏହି ଉତ୍ସବରେ ଭାଗ ନେଇ ବାଲୁକା କଳା ପ୍ରଦର୍ଶନ କରିସାରିଛନ୍ତି। ଆମ ଦେଶର ବାଲୁକାଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଳ୍ପୀଙ୍କୁ ଯଥାକ୍ରମେ ୧ ଲକ୍ଷ, ୫୦ ହଜାର, ଓ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଛି। ଗତ ୨୦୧୫ ମସିହାରେ ପ୍ରଥମ ଥର ପାଇଁ ମହିଳା ବାଲୁକା ଶିଳ୍ପୀଙ୍କୁ ପ୍ରତିଯୋଗୀତାରେ ସାମିଲ କରାଯାଇ ପ୍ରଥମ ଓ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା କୃତୀ ମହିଳା ପ୍ରତିଯୋଗୀମାନଙ୍କୁ ଓଟିଡିସିର ଯେକୌଣସି ପାନ୍ଥନିବାସରେ ଦୁଇ ଦିନ ୩ ରାତି  ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୃତି ମହିଳା ପ୍ରତିଯୋଗୀଙ୍କୁ ଦୁଇ ଦିନ ଏକ ରାତି ରହିବା ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୁଯୋଗ ଦିଆଯାଇଥିଲା।   ଏହି ବାଲୁକାକଳା କୋଣାର୍କ ଉତ୍ସବର ମର୍ଯ୍ୟାଦାକୁ ବହୁଗୁଣିତ କରୁଛି ବୋଲି ପର୍ଯ୍ୟଟକ ଓ କଳାପ୍ରେମୀମାନେ କହିଛିନ୍ତି। ସଂପ୍ରତି ପର୍ଯ୍ୟଟନ ଋତୁରେ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକମାନଙ୍କ ଗହଳି ଆରମ୍ଭ ହୋଇଗଲାଣି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସଫେଇ କରା ଯାଇ ସୁସ୍ଥ ପରିବେଶ ସୃଷ୍ଟି ଦିଗରେ ଅଧିକ ଧ୍ୟାନ ଦିଆଯିବ ବୋଲି ସ୍ଥାନୀୟ ସହ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।

Share :