ଫାଟିବ ନୀଳାଚଳ ବ୍ଲାଷ୍ଟ ଫର୍ଣ୍ଣେସ!

ଫାଟିବ ନୀଳାଚଳ ବ୍ଲାଷ୍ଟ ଫର୍ଣ୍ଣେସ!

Share :

  ଗତ ୧୨ ବର୍ଷ ମଧ୍ୟରେ ହୋଇଥିବା ୧୦୭୧.୫୨ କୋଟି ଟଙ୍କାର କ୍ଷତି ଓ ଏମ‌୍‍ଏମ‌୍‍ଟିସିର ଚକ୍ରବ୍ୟୁହ ଯାଜପୁର ଜିଲାର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମକୁ ଅନ୍ଧାର ଭିତରକୁ ଠେଲି ନେଇଉଥିବାବେଳେ ଏହାର ବ୍ଲାଷ୍ଟ ଫର୍ଣ୍ଣେସ କେତେବେଳେ ଫାଟିବ ସେହି ଆଶଙ୍କାରେ କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ଗତି କରୁଛନ୍ତି। ନୀଳାଚଳ ବ୍ଲାଷ୍ଟ ଫର୍ଣ୍ଣେସର ବର୍ଷବର୍ଷ ଧରି ମରାମତି ହୋଇନାହିଁ। ବିନା ମରାମତିରେ ଚାଲିଥିବା ବ୍ଲାଷ୍ଟ ଫର୍ଣ୍ଣେସର ଅବସ୍ଥା ଶୋଚନୀୟ ଥିବାରୁ ଯେ କୌଣସି ମୁହୂର୍ତ୍ତରେ ଏଠାରେ ଏକ ବଡ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।   ଗୋଟେପଟେ ଅର୍ଥଭାର ଓ ଅନ୍ୟପଟେ ଅସୁରକ୍ଷିତ ବ୍ଲାଷ୍ଟ ଫର୍ଣେସ ପାଇଁ ଧନଜୀବନ ହାନି ଘଟିବାର ଆଶଙ୍କା ଏବେ ନୀଳାଚଳକୁ ଯେ କୌଣସି ମୁହୂର୍ତ୍ତରେ କୋମା ଭିତରକୁ ଟାଣିନେଇ ପାରେ। ନିୟମ ଅନୁଯାୟୀ ବ୍ଲାଷ୍ଟ ଫର୍ଣ୍ଣେସ କାର୍ଯ୍ୟକ୍ଷମ ହେବା ଦିନଠାରୁ ପ୍ରତ୍ୟେକ ୮ ବର୍ଷ ମଧ୍ୟରେ ଏଥିରେ ବଡ ଧରଣର ମରାମତି କରାଯିବା କଥା। କିନ୍ତୁ ୨୦୦୨ ମସିହାରୁ କାର୍ଯ୍ୟକ୍ଷମ ହୋଇଥିବା ଉକ୍ତ ଫର୍ଣ୍ଣେସକୁ ଏଯାଏଁ ମରାମତି କରାଯାଇ ନାହିଁ। ଇତିମଧ୍ୟରେ ୧୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅର୍ଥାଭାବ ଦର୍ଶାଇ ମରାମତି କରାଯାଉ ନଥିବାରୁ ବ୍ଲାଷ୍ଟ ଫର୍ଣ୍ଣେସର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ସବୁ ନିୟମକୁ ଅଣଦେଖା କରି ଭଗବାନଙ୍କ ଭରସାରରେ କେତେ ଖଣ୍ଡ ଲୁହା ଆଙ୍ଗେଲରେ ଢେରା ଦିଆଯାଇ କାମ ଚଳା ଯାଉଛି।   ନୀଳାଚଳର ବୈଷୟିକ ପରାମର୍ଶଦାତା ମେକନ ଉକ୍ତ ବ୍ଲାଷ୍ଟ ଫର୍ଣ୍ଣେସ ମରାମତି କରିବାକୁ ୯ ମାସ ତଳୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଇଛି। ଏହି କାରଣରୁ ଫର୍ଣ୍ଣେସରେ ବ୍ୟବହୃତ ବିଷାକ୍ତ କାର୍ବନ ମନୋକସାଇଡ‌୍‍ ଗ୍ୟାସ‌୍‍ ଏବେ ନିର୍ଦ୍ଧାରିତ ଟିପିଏମ‌୍‍ ୪୦ ଜିପିଏଲ‌୍‍ରୁ ବଢି ୧୦୦୦ ଜିପିଏଲ‌୍‍ ପର୍ଯ୍ୟନ୍ତ ପହଞ୍ଚିଛି। ତେବେ ଟୁଇଅର ପ୍ଲାଟଫର୍ମରେ କାର୍ବନ ମନୋକସାଇଡ ସ୍ତର ଯଥାକ୍ରମେ ଅକ୍ଟୋବର ୨୯ ତାରିଖରେ ୮୨୬, ୩୦ ତାରିଖରେ ୧୦୦୦, ୩୧ ତାରିଖରେ ୭୯୨ ଓ ଏହି ମାସ ୧ ତାରିଖରେ ଏହା ୮୬୧ ଜିପିଏଲ‌୍‍ ରହିଥିଲା। ଯାହା ଏକ ବଡ ବିପଦ ଭାବେ ଉଭା ହୋଇଛି। ଉକ୍ତ ବିଷାକ୍ତ ଗ୍ୟାସରେ ଜୀବନହାନି ଘଟିବାର ଯଥେଷ୍ଟ ଆଶଙ୍କା ରହିଛି।   ତିନି ଦିନ ତଳେ ରାତି ପାଖାପାଖି ୧୦ଟା ସମୟରେ ଉକ୍ତ ବିପଦପୂର୍ଣ୍ଣ ଫର୍ଣ୍ଣେସଟି ଦୁର୍ଘଟଣାର ପୂର୍ବାଭାସ ମଧ୍ୟ ଦେଇଛି। ଫର୍ଣ୍ଣେସ ଚାଲୁଥିବାବେଳେ ଫର୍ଣ୍ଣେସ ସାଇଟରେ କଣା ହୋଇଯିବାରୁ ଏଥିରୁ ହଟ‌୍‍ ମେଟାଲ ବାହାରିଥିଲା। ତେଣୁ ସେହିଦିନଠୁ ଫର୍ଣ୍ଣେସକୁ ବନ୍ଦ କରି ଦିଆଯାଇଛି। ଦୀର୍ଘଦିନ ହେବ ଉକ୍ତ ଫର୍ଣ୍ଣେସ ଗୋଟେପଟକୁ ଢଳି ରହିଥିବାବେଳେ ପ୍ଲାଟଫର୍ମ ୨ ଓ ୩ରେ ଲୁହା ଚ୍ୟାନେଲ‌୍‍ ଓଲଡିଂ କରାଯାଇ ଭଗବାନଙ୍କ ଭରସାରେ ଏଥିରେ କାର୍ଯ୍ୟ ସଂପନ୍ନ କରାଯାଉଛି। ଏହା ମଧ୍ୟ ଦୁର୍ଘଟଣାର ଅନ୍ୟ ଏକ କାରଣ ସାଜିପାରେ।   ଏମିତି ଏକ ବିପଦପୂର୍ଣ୍ଣ ଫର୍ଣ୍ଣେସକୁ ପାଣି ଦ୍ୱାରା ଥଣ୍ଡା କରାଯାଉଥିବାବେଳେ ଯଦି ପାଣି ଭିତରକୁ ପଶି ହାଇଡ୍ରୋଜେନ‌୍‍ ବା ଉଦଯାନ ସୃଷ୍ଟିକରେ ହୁଏ ତେବେ ଏଥିରେ ବିସ୍ଫୋରଣ ଘଟି କାରଖାନାକୁ ସଂପୂର୍ଣ୍ଣ ଧ୍ବଂସ କରିବା ସହିତ ଶହଶହ ଜୀବନହାନି ମଧ୍ୟ ଘଟାଇ ପାରେ। ନୀଳାଚଳର ନୂତନ ପରିଚାଳନା ନିର୍ଦ୍ଦେଶକ ଏଠାରେ ଯୋଗାଦାନ କରିବା ପରେ କାରଖାନାର ଏମିତି ଅବସ୍ଥା ଜାଣି ମଧ୍ୟ ଅଧିକ ଉତ୍ପାଦନ କରିବାକୁ ଆଗଭର ହେଉଛନ୍ତି। ଉତ୍ପାଦନ ବୃଦ୍ଧି କରାଗଲେ ଅତ୍ୟଧିକ ଲୋଡ କ୍ଷମତା ହରାଇଥିବା ଫର୍ଣ୍ଣେସଟି ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣାର ଶିକାର ହୋଇପାରେ।   ଫର୍ଣ୍ଣେସର ଏ ଦୁରବସ୍ଥା ବିଷୟରେ ସୂଚନା ପାଇ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟରି ଆଣ୍ଡ ବଏଲର ବିଭାଗର ଉପନିର୍ଦ୍ଦେଶକ ଓ ସହାୟକ ନିର୍ଦ୍ଦେଶକ କାରଖାନା ପରିଦର୍ଶନରେ ଆସି ମେକନ ଯେଉଁ ରିପୋର୍ଟ ପ୍ରଦାନ କରିଥିଲା ତାହା ମାଗିବା ସହ ଏହି ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି। କାର୍ଯ୍ୟରତ ଶ୍ରମିକମାନେ ଭୟଭୀତ ଅବସ୍ଥାରେ ବ୍ଲାଷ୍ଟ ଫର୍ଣ୍ଣେସ ମରାମତିକୁ ଅପେକ୍ଷା କରି ରହିଛନ୍ତି।

Share :