ଅମଳ କରନ୍ତୁ ସୌରଶକ୍ତି!

ଅମଳ କରନ୍ତୁ ସୌରଶକ୍ତି!

Share :

ଡ. ଧନଦାକାନ୍ତ ମିଶ୍ର   ସୂର୍ଯ୍ୟ ଯେ ସକଳ ଶକ୍ତିର ଉତ୍ସ ଏହା କେଉଁ ଆଦିମ କାଳରୁ ମଣିଷ ଉପଲବଧି କରିସାରିଛି। ହୁଏତ ସେଇଥିପାଇଁ ବୈଦିକ ଯୁଗରୁ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ସୂର୍ଯ୍ୟଙ୍କ ଉପାସନା ଭାରତୀୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବରେ ସ୍ଥାନ ଅଧିକାର କରିଛି। ସୂର୍ଯ୍ୟ କିରଣରୁ ମିଳିଥିବା ଆଲୋକ ଓ ଉତ୍ତାପ ଯୋଗୁଁ ଉଦ୍ଭିଦ ଜଗତ ପ୍ରତ୍ୟକ୍ଷ ଭାବରେ ଫଟୋସିନଥେସିସ‌୍‍ ପ୍ରକ୍ରିୟା ମାଧ୍ୟମରେ ନିଜ ପାଇଁ ଖାଦ୍ୟସାର ପ୍ରସ୍ତୁତ କରିଥାଏ। ଜୀବ ଜଗତ ପରୋକ୍ଷରେ ଉଦ୍ଭିଦ ଜଗତରୁ ଖାଦ୍ୟ ସଂଗ୍ରହ କରି ପରିପୁଷ୍ଟ ହୁଏ। ପୃଥିବୀ ପୃଷ୍ଠରେ ଓ ଗର୍ଭରେ ଯାହା କିଛି ଜୈବ ପଦାର୍ଥ ରହିଛି ତାହା ସୂର୍ଯ୍ୟଶକ୍ତିର ଅବଦାନ। ଯେପରିକି କୋଇଲା, ଖଣିଜ ତୈଳ, ପ୍ରାକୃତିକ ବାଷ୍ପ ଇତ୍ୟାଦି ସମସ୍ତଙ୍କ ସୃଷ୍ଟି ଜୈବ ପଦାର୍ଥରୁ, ଯାହାକି ଉଦ୍ଭିଦ ଜଗତର ରୂପାନ୍ତରଣ ମାତ୍ର। ଆଧୁନିକ ଯୁଗରେ ମଣିଷ ଏହି ସବୁ ଜୈବିକ ଇନ୍ଧନକୁ ନିଜର କ୍ରମବଦ୍ଧିଷ୍ଣୁ ବିଦ୍ୟୁତ‌୍‍ ଶକ୍ତି ଓ ଯାନବାହାନ ତଥା ରୋଷଇର ଇନ୍ଧନ ଭାବେ ବ୍ୟବହାର କରି ଚାଲିଛି। କିନ୍ତୁ ଏହାର କୁପ୍ରଭାବରୁ ବିଶ୍ୱ ବର୍ତ୍ତମାନ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣର ବୃଦ୍ଧି ଜନିତ ଉତ୍ତପ୍ତିକରଣ ଓ ତତ‌୍‍ଜନୀତ ଜଳବାୟୁ ପରିବର୍ତ୍ତନ ରୂପକ ସଙ୍କଟର ଦ୍ୱାର ଦେଶରେ। ଏପରି ଘଡିସନ୍ଧି ମୁହୂର୍ତ୍ତରେ ସୌରଶକ୍ତିର ପ୍ରତ୍ୟକ୍ଷ ବ୍ୟବହାର ଏକ ନୂତନ ଆଶା ସଂଚାର କରିଛି।   ୧୯୫୪ ମସିହାରେ ଆମେରିକାର ବେଲ‌୍‍ ଲ୍ୟାବସ‌୍‍ ପ୍ରଥମେ ଆଧୁନିକ ଫଟୋଭୋଲଟାଇକ ସେଲର ପ୍ରଦର୍ଶନ କରିଥିଲା ଓ ନିଉୟର୍କ ଟାଇସ‌୍‍ ଖବରକାଗଜ ଏକ ଅସରନ୍ତି ସୌରଶକ୍ତିର ଯୁଗର ଭବିଷ୍ୟତବାଣୀ କରିଥିଲା। ଯଦିଓ ଏହାର ବହୁ ପୂର୍ବରୁ ୧୮୩୯ ମସିହାରେ ପ୍ରଥମେ ତରଳ ମାଧ୍ୟମରେ ଫରାସୀ ବୈଜ୍ଞାନିକ ବେକେରେଲ‌୍‍ ଏହି ପ୍ରକିୟାକୁ ପରୀକ୍ଷାମୂଳକ ଭାବରେ ପ୍ରମାଣ କରିଥିଲେ। ଏହି ପ୍ରକିୟାରେ ସୌର କିରଣର ପ୍ରଭାବରୁ ନର୍ଦ୍ଦିଷ୍ଟ ପଦାର୍ଥର ଇଲେକ୍‌ଟ୍ରୋନ‌୍‍ ଗୁଡିକରେ ପରିବର୍ତ୍ତନ ଆସିଥାଏ ଓ ତାହା ବିଦ୍ୟୁତ‌୍‍ ପ୍ରବାହ ସୃଷ୍ଟି କରିଥାଏ। ଏହି ପ୍ରକିୟାକୁ ନିର୍ଦ୍ଦିଷ୍ଟ କଠିନ ପଦାର୍ଥରେ ସୃଷ୍ଟି କରିବା ପାଇଁ ସୋଲାର ସେଲ‌୍‍ ନିର୍ମାଣ କରାଯାଇଥାଏ।   ଷାଠିଏ ଓ ସତୁରି ଦଶକରେ ସୌର ଶକ୍ତିର ଛୋଟ କିନ୍ତୁ ଗୁରୁତ୍ବପୂର୍ଣ୍ଣ ଉପଯୋଗ ମହାକାଶରେ କୃତ୍ରିମ ଉପଗ୍ରହମାନଙ୍କ ବିଦ୍ୟୁତ ଶକ୍ତିର ଉତ୍ସ ଭାବରେ ବା ପ୍ରତିରକ୍ଷା ପାଇଁ ନିର୍ଜ୍ଜନ ଦୂରାଦୂରାନ୍ତ ସ୍ଥାନରେ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ହେବାକୁ ଲାଗିଲା। ଧୀରେ ଧୀରେ ଏହାର ଦାମ‌୍‍ ମଧ୍ୟ କମିବାକୁ ଲାଗିଲା ଓ ଯାନ୍ତ୍ରିକ କୌଶଳରେ କ୍ଷୀପ୍ର ଗତିରେ ଉନ୍ନତି ହେବାକୁ ଲାଗିଲା। ତେଣୁ ଅନେକ ଛୋଟ ବଡ ଯନ୍ତ୍ରପାତିରେ ସୋଲାର ସେଲର ଉପଯୋଗ ଦେଖିବାକୁ ମିଳିଲା-ଯେପରକିକି ସୌରଚାଳିତ ହାତଘଣ୍ଟା ବା କାଲକୁଲେଟର। ପରେ ପରେ ସୌରଚାଳିତ ଲଣ୍ଠନ ବା ଆଲୋକ ମଧ୍ୟ ବହୁଳ ଭାବରେ ବ୍ୟବହାର ହେବାରେ ଲାଗିଲା। କିନ୍ତୁ ଏ ସବୁ ସତ୍ତ୍ୱେ କ୍ଷୀପ୍ର  ଗତିରେ ବଢି ଚଲିଥିବା ବିଦ୍ୟୁତ ଶକ୍ତିର ବ୍ୟବହାର ଉପରେ ସୌର ଶକ୍ତିର ପ୍ରଭାବ ନଗଣ୍ୟ ଥିଲା। ଏପରିକି ୨୦୦୦ ମସିହା ବେଳକୁ ସାରା ବିଶ୍ୱରେ ମାତ୍ର ୧୦୦୦ ମେଗାୱାଟ‌୍‍ ବିଦ୍ୟୁତ‌୍‍ ଶକ୍ତି ସୌର କିରଣରୁ ଉତ୍ପନ ହେଉଥିଲା। ଯାହାକି ବିଶ୍ୱର ସମୁଦାୟ ଚାହିଦା ୧୫୦୦୦ ଗିଗାୱାଟର ମାତ୍ର ୦.୦୧ ପ୍ରତିଶତ ଥିଲା। କିନ୍ତୁ ୨୦୧୫ ବେଳକୁ ସୌରଶକ୍ତିର କ୍ଷମତା ବିଶ୍ୱରେ ୨୩୦ ଗିଗାୱାଟରେ ପହଞ୍ଚିଥିଲା ଯାହାକି ସମୁଦାୟ ଚାହିଦାର ୧.୫ ପ୍ରତିଶତ ଥିଲା।   ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଭାରତକୁ ସୌରଶକ୍ତି ଉତ୍ପାଦନ ଓ ବ୍ୟବହାରରେ ଏକ ମୁଖ୍ୟ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ୨୦୨୨ ସୁଦ୍ଧା ଆମ ଦେଶରେ କେବଳ ସୌର ଶକ୍ତିର ୧୦୦ ଗିଗାୱାଟ‌୍‍ ଓ ଅନ୍ୟାନ୍ୟ ଅକ୍ଷୟ ଶକ୍ତି ଯଥା ବାୟୁ ଇତ୍ୟାଦିକୁ ମିଶାଇ ୧୭୫ ଗିଗାୱାଟ‌୍‍ ଶକ୍ତି ଉତ୍ପାଦନ କ୍ଷମତା ପ୍ରତିଷ୍ଠାର ଳକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ୨୦୨୨ ବେଳକୁ ଦେଶର ସମୁଦାୟ ଚାହିଦାର ୩୦ ପ୍ରତିଶତରୁ ବି ଅଧିକ ହେବ ବୋଲି ଆକଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡିଶାର ଭୁମିକା ଗୁରୁତ୍ବପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ। କାରଣ ବର୍ତ୍ତମାନ ଓଡିଶାର ପ୍ରଚୁର କୋଇଲା ସମ୍ୱଳ ଯୋଗୁଁ ଆମ ରାଜ୍ୟରେ ବହୁ ସଂଖ୍ୟକ ତାପଜ (ଥର୍ମାଲ) ଶକ୍ତି କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହି ସବୁ ତାପଜ ଶକ୍ତ‌୍‍ି କେନ୍ଦ୍ରମାନଙ୍କରେ କୋଇଲାକୁ ଇନ୍ଧନ ଭାବରେ ବ୍ୟବହାର କରାଯାଉଥିବାରୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ଏବେ ବଡ ଧରଣର ସୌର ଶକ୍ତି ଉତ୍ପାଦନ ପାଇଁ ଓଡିଶାରେ ସବୁ ପ୍ରାକୃତିକ ସୁବିଧା ରହିଛି। ଆମର ଭୌଗୋଳିକ ଅବସ୍ଥିତି (୧୭୦-୪୯୦ ଉତ୍ତର ୨୨୦-୩୪୦ ଉତ୍ତର ଅକ୍ଷାଂଶ ଓ ୮୧୦-୨୯୦ ପୂର୍ବ ୮୭୦-୨୯୦ ପୂର୍ବ ଦ୍ରାଘିମା) ଯୋଗୁଁ ପ୍ରାୟ ସାରା ଓଡିଶାରେ ବର୍ଷରେ କମସେ କମ‌୍‍ ୩୦୦ ଦିନ ଭଲ ସୂର୍ଯ୍ୟ କିରଣ ମିଳିଥାଏ।   ଏଠାରେ ପ୍ରଦତ୍ତ ଚିତ୍ରରେ ସାରା ଭାରତର ସୌର ବିକିରଣ କ୍ଷମତାର ରୂପରେଖ ଦିଆଯାଇଛି। ଏଥିରେ ସୌରଶକ୍ତିର ସାମ୍ଭବ୍ୟ ପରିମାଣର ଆକଳନ କରାଯାଇଛି। କେବଳ ରାଜସ୍ଥାନ ଓ ଦେଶର ଆଉ କେତକ ଅଳ୍ପ ଅଂଶକୁ ଛାଡିଦେଲେ ଓଡ଼ିଶାର ଅଧିକାଂଶ ଅଞ୍ଚଳର ସୌରଶକ୍ତିର ସମ୍ଭାବନା ଖୁବ‌୍‍ ଭଲ। ଉପକୂଳବର୍ତ୍ତୀ ଅଞ୍ଚଳର କେତେକ ଅଂଶର ଅଧିକ ଆଦ୍ର୍ରତା ଓ ମେଘାଛନ୍ନ ରହିବାର ସମ୍ଭାବନା ହେତୁ ସୌରଶକ୍ତିର ସମ୍ୱଳ ସାମାନ୍ୟ କମ‌୍‍। ଏଥି ସହିତ ବଡ ବଡ ସୌରଶକ୍ତିର  ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ହୁଏ ବଡ ଆକାରର ମୋଟାମୋଟି ସମତଳ ଜଙ୍ଗଳ ବା ଚାଷ ଜମି ଭାବେ ବ୍ୟବହାର ହେଉ ନଥିବା ଖାଲି ଜାଗା ଯାହା ସୁଲଭ ମୁଲ୍ୟରେ ମିଳିପାରିବ। ଏ ଦିଗରୁ ମଧ୍ୟ ଓଡିଶାର ସ୍ଥିତି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବେଶ‌୍‍ ଭଲ। ନିକଟରେ ରାଜ୍ୟ ସରାକାର ଇଡକୋ ମାଧ୍ୟମରେ ପ୍ରାୟ ୭୫୦୦୦ ଏକର ଖାଲିଜାଗା ସବୁକୁ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ମାଧ୍ୟମରେ ଚିହ୍ନଟ କରଛନ୍ତି ଯାହା ସୌରଶକ୍ତି ପ୍ରକଳ୍ପ ପାଇଁ ମଧ୍ୟ ବ୍ୟବହାର ହୋଇ ପାରିବ। ଏକ ଆକଳନ ଅନୁସାରେ (ସାରଣୀ ପ୍ରଦତ୍ତ) ଓଡିଶାରେ ୫୭,୪୪,୩୨୨ ଏକର କୌଣସି ବ୍ୟବହାରରେ ଲାଗିନଥିବା ଜାଗା ଅଛି ଓ ଏଥିରୁ ଯଦି କେବଳ ୧୦ ପ୍ରତିଶତ ଜାଗାରେ ସୌରଶକ୍ତି ଉତ୍ପାଦନ କରାଯାଏ ତାହେଲେ ପ୍ରାୟ ୧୦୦ ଗିଗାୱଟ‌୍‍ ସୌରଶକ୍ତି କେବଳ ଓଡିଶାରେ ଉତ୍ପାଦିତ ହୋଇପାରିବ। କିନ୍ତୁ ଓଡିଶାର ବର୍ତ୍ତମାନର ସମୁଦାୟ ବିଦ୍ୟୁତଶକ୍ତି ଉତ୍ପାଦନ କ୍ଷମତା କେବଳ ୯୪୬୯ ମୋଗାୱାଟ‌୍‍ ଆକଳନ କରାଯାଇଛି। ତେଣୁ ଓଡିଶାରେ ୨୦୨୨ ବେଳକୁ ପ୍ରାୟ ୫ ଗିଗାୱାଟ‌୍‍ ସୌରଶକ୍ତିର ପ୍ରତିଷ୍ଠା ସମ୍ଭବ ବୋଲି ଧରାଯାଇପାରେ।   ଉପରଲିଖିତ ବର୍ଣ୍ଣନାଟି କେବଳ ବୃହତ ସୌରପ୍ରକଳ୍ପ ଆଧାରିତ ଯାହାକି ସ୍ୱଛ ଓ ପରିବେଶ ଅନୁକୂଳ। କିନ୍ତୁ ଏହା ଦ୍ୱାରା ଉତ୍ପାଦିତ ବିଦ୍ୟୁତ‌୍‍ ଶକ୍ତିକୁ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚିରାଚରିତ ବିଦ୍ୟୁତ ଶକ୍ତିର ଗ୍ରିଡ‌୍‍ର ବ୍ୟବହାର କରିବାକୁ ପଡିଥାଏ। ଏହାଦ୍ୱାରା ପରିବହନ ଓ ଚୋରି ଜନିତ କ୍ଷତି ହୁଏ ଯାହା ଦ୍ୱାରା ଏବେବି ୩୦-୪୦ ପ୍ରତିଶତ ପର୍ଯ୍ୟନ୍ତ ଉତ୍ପାଦିତ ଶକ୍ତି ନଷ୍ଟ ହେଉଛି। ତେଣୁ ଅନେକ ଛାତ ଉପରେ କ୍ଷୁଦ୍ର ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଛନ୍ତି। ପାଶ୍ଚାତ୍ୟ ଦେଶମାନଙ୍କରେ ଉଭୟ ସ୍ଥଳ ଭିତ୍ତିକ ବୃହତ ଶକ୍ତି କେନ୍ଦ୍ର ଓ ବାସଗୃହ ଓ ଅନ୍ୟାନ୍ୟ କୋଠାବାଡିର ଛାତ ଉପରେ ପ୍ରତିଷ୍ଠିତ କ୍ଷୁଦ୍ର ଶକ୍ତି କେନ୍ଦ୍ର ସମାନ ଭାବରେ ଆଦୃତ ହୋଇ ଚାଲିଛି  ଯାହାକି ବିଭିନ୍ନ ଦିଗରୁ ବାଞ୍ଚନୀୟ।   ନିଜ ଘର ଛାତ ଉପରେ ଛାଇ ପଡୁନଥିବା ଖାଲି ସ୍ଥାନଟିରେ ସୋଲାର ପ୍ୟାନେଲ ଲଗାଇ ଆମେ ନିଜ ଶକ୍ତିର ଚାହିଦା ବହୁ ପରିମାଣରେ ନିଜେ ପୂରଣ କରିପାରିବା। ବିଗତ କିଛି ବର୍ଷ ଧରି ଆମେରିକାର କାଲିଫଣ୍ଣିଆ, ଜର୍ମାନୀ, ଇଂଲାଣ୍ଡ, ଅଷ୍ଟ୍ରେଲିଆ ଓ ଏପରିକି ଚାଇନା ପରି ଦେଶମାନଙ୍କରେ ଛାତ ଉପରର ସୌରଶକ୍ତି ସଂଗ୍ରହ କ୍ଷୀପ୍ର ବେଗରେ ବଢି ଚାଲିଛି। ଏକ ଆକଳନରୁ ଜଣାଯାଇଛି  ଅଷ୍ଟ୍ରେଲିଆରେ ବର୍ତ୍ତମାନ ତାଙ୍କ ଜନସଂଖ୍ୟାରୁ ଅଧିକ ସୌର ପ୍ୟାାନେଲ ଛାତ ଉପରେ ଲାଗି ସାରିଲାଣି। ସେହିପରି ଆମେରିକାର ବିଖ୍ୟାତ ଉଦ୍ୟୋଗୀ ଏଲେନ‌୍‍ ମସ୍କଙ୍କର ସୋଲାର ସିଟି କମ୍ପାନୀ ବଡ ଆକାରରେ ଗ୍ରାହକମାନଙ୍କ ପାଇଁ ସୁବିଧାଜନକ କିସ୍ତିରେ ସୌରଶକ୍ତି ସ୍ଥାପନ କରିଚାଲିଛି। ସେହିପରି ଭାରତରେ ମଧ୍ୟ ଅନେକ ଛାତ ଉପରେ ସୌର ପ୍ୟାନେଲ ଲଗାଇବା ଆରମ୍ଭ  କଲେଣି। ଏହି ଧାରା ପଛରେ ଗୋଟିଏ ବଡ କାରଣ ହେଲା  ସୋଲାର ପ୍ୟାନେଲର ଦାମ‌୍‍ ଯାହା ଦଶ ବର୍ଷ ଭିତରେ ପ୍ରାୟ ୨୦୦ ପ୍ରତିଶତ କମିସାରିଛି। ଯେହେତୁ ସାରା ବିଶ୍ୱରେ ସୋଲାର ପ୍ୟାନେଲର ଚାହିଦା ଆଶାତୀତ ଭାବରେ ବଢି ଚାଳିଛି ଓ ତା ସାଙ୍ଗରେ ସୌର ପ୍ୟାନେଲର କାରିଗରୀ କୌଶଳରେ କ୍ରମାଗତ ଉନ୍ନତି ଘଟି ଚାଲିଛି ତେଣୁ ଆଗାମୀ ଦିନରେ ଏହାର ଖର୍ଚ୍ଚ ଓ ଏଥିରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିର ମୂଲ୍ୟ ଆହୁରି କମିବାର ସମ୍ଭାବନା ରହିଛି। ବର୍ତ୍ତମାନ ଅନେକ ଦେଶରେ ପ୍ରାୟ ସ୍ଥାନରେ ବିକଳ୍ପ ବିଦ୍ୟୁତ‌୍‍ ଶକ୍ତିର ମୂଲ୍ୟ ତୁଳନାରେ ସୌର ବଦ୍ୟୁତ‌୍‍ ଶକ୍ତିର ମୂଲ୍ୟ କମ‌୍‍ ହେବାରେ ଲାଗିଛି। ଓଡିଶାରେ ମଧ୍ୟ ଏହି ପରିସ୍ଥିତି ସୌର ଶକ୍ତିର ଭବିଷ୍ୟତକୁ ଆହୁରି ଉଜ୍ୱଳ କରିବାରେ ଲାଗିଛି।   ବର୍ତ୍ତମାନ ସମୟରେ ଗୋଟିଏ ସାଧାରଣ ପରିବାରର ବିଦ୍ୟୁତ‌୍‍ ଶକ୍ତିର ଚାହିଦା ମାସକୁ ପ୍ରାୟ ୧୦୦-୨୦୦ ୟୁନିଟ‌୍‍ ବା କିଲୋୱାଟ‌୍‍-ଘଣ୍ଟା ଅର୍ଥାତ‌୍‍ ଦିନକୁ ୩-୭ ୟୁନିଟ‌୍‍ ମଧ୍ୟରେ।  ଏହାର ଅର୍ଥ ଆମେ ଯଦି ଏକ କିଲୋୱାଟ‌୍‍ ବିଦ୍ୟୁତ‌୍‍ ଶକ୍ତି ଏକଘଣ୍ଟା ବ୍ୟବହାର କରୁ ତା ହେଲେ ଆମକୁ ଗୋଟିଏ ୟୁନିଟର ମୁଲ୍ୟ ଦେବାକୁ ପଡେ। ଯଦି ଗୋଟିଏ ପରିବାର ୧ କିଲୋୱାଟର ସୌର ପ୍ୟାନେଲ‌୍‍ ଛାତ ଉପରେ ଲଗାଏ, ତା ହେଲେ ଏଥି ପାଇଁ ୧୦୦ ବର୍ଗ ଫୁଟ ଆବଶ୍ୟକ ହୁଏ ଓ ଦିନକୁ ହାରାହାରି ୪-୫ ଘଣ୍ଟାର ସୌର କିରଣରୁ ଏହା ୪-୫ ୟୁନିଟ‌୍‍ ବିଦ୍ୟୁତ ଶକ୍ତି ଉତ୍ପାଦନ କରି ଥାଏ। ଏହି ବିଦ୍ୟୁତ‌୍‍ ଶକ୍ତିକୁ ସାଧାରଣତଃ  ଏକ ଇନଭର୍ଟର ଜରିଆରେ ବ୍ୟାଟେରୀ ସହ ସଂଯୁକ୍ତ କରି ସଂରକ୍ଷିତ କରାଯାଏ ଓ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଏ। ଏହି ୧ କିଲୋୱାଟ‌୍‍ ଶକ୍ତି ପାଇଁ ପ୍ୟାନେଲ‌୍‍, ଇନଭର୍ଟର ଓ ବ୍ୟାଟେରୀ ବାବଦରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଯଦି ଘରୋଇ ବିଦ୍ୟୁତ ଶକ୍ତିର ଓଡିଶାରେ ସର୍ବୋଚ୍ଚ ହାର ୬ ଟଙ୍କା ହିସାବରେ ଏହି ଉତ୍ପାଦିତ ଶକ୍ତିର ମୂଲ୍ୟ ଆକଳନ କରାଯାଏ ତାହେଲେ ଦିନକୁ ୩୦ ଟଙ୍କା ହିସାବରେ ୩ ମାସକୁ ୨୭୦୦ଟଙ୍କା ଆୟ କରାଯାଇ ପାରିବ। ତେଣୁ ମୂଳ ଖର୍ଚ୍ଚକୁ ଜଣେ ଉପଭୋକ୍ତା ପ୍ରାୟ ୯ ବର୍ଷରେ ଫେରି ପାଇବ। ଯଦି ସରକାରଙ୍କ ଘୋଷିତ ୩୦ ପ୍ରତିଶତ ସବ‌୍‍ସିଡି ଯୋଡାଯାଏ ତା ହେଲେ ଏହି ଅବଧି ୬.୫ ବର୍ଷକୁ ହ୍ରାସ ପାଇବ।   ନିକଟ ଅତୀତରେ ଓଡିଶାରେ ଅନ୍ୟ ରାଜ୍ୟ ପରି ଛାତ ଉପରୁ ସଂଗୃହିତ ସୌର ବିଦ୍ୟୁତ‌୍‍ ଶକ୍ତିକୁ ଗ୍ରିଡ ବା ବିଦ୍ୟୁତ‌୍‍ ଯୋଗାଣକାରୀ ତାର ସହ ସଂଯୁକ୍ତ କରିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଉତ୍ପାଦିତ ବିଦ୍ୟୁତ ଶକ୍ତିକୁ ବ୍ୟାଟେରୀରେ ସଂରକ୍ଷଣ କରିବା ପରିବର୍ତ୍ତେ ବିଦ୍ୟୁତ‌୍‍ ଯୋଗାଣକାରୀ ସଂସ୍ଥାକୁ ଯୋଗାଇ ଦେଇ ହେବ ଓ ଏହାର ମୂଲ୍ୟ ମାସିକ ବିଦ୍ୟୁତ ଶକ୍ତିର ବିଲ‌୍‍ରେ ଫେରସ୍ତ ପାଇହେବ। ଏହା ଦ୍ୱାରା ଖର୍ଚ୍ଚ ସାପେକ୍ଷ ଓ ସ୍ୱଳ୍ପ ସ୍ଥାୟୀ ବ୍ୟାଟେରୀର ଆବଶ୍ୟକତା ସଂମ୍ପୂର୍ଣ୍ଣ ଏଡାଇ ଦେଇହେବ ଓ ମୂଳ ଖର୍ଚ୍ଚ ମଧ୍ୟ ଅନେକ ପରିମାଣରେ କମିଯିବ।   ଓଡିଶାରେ ପ୍ରାୟ ଏକକୋଟି ପରିବାର ମଧ୍ୟରେ କେବଳ ୪୦ ପ୍ରତିଶତ ବର୍ତ୍ତମାନ ବିଦ୍ୟୁତ ଗ୍ରିଡ‌୍‍ରୁ ଶକ୍ତି ଗ୍ରହଣ କରୁଛନ୍ତି। ଏହି ସମସ୍ତ ପରିବାର ଯଦି ଉପରଲିଖିତ ବିଧିରେ ନିଜ ନିଜର ଘର ଛାତରେ ହାରାହାରି ୧ କିଲୋୱାଟର ସୌରଶକ୍ତି ପ୍ରତିଷ୍ଠା କରନ୍ତି ତା ହେଲେ ସାରା ରାଜ୍ୟରେ ପ୍ରାୟ ୪୦୦୦ ମୋଗାୱାଟର ବିଦ୍ୟୁତ ଶକ୍ତିର କ୍ଷମତା ସୃଷ୍ଟି ହୋଇପାରିବ। ଏହା ଛଡା ଏହିପରି ନିଜେ ନିଜର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ଦ୍ୱାରା ଘରୋଇ ଗ୍ରାହକ ନିଜର ଖର୍ଚ୍ଚ କମ‌୍‍ କରି ଉପଭୋକ୍ତାରୁ ଉତ୍ପାଦକର ଭୁମିକା ଗ୍ରହଣ କରିବ। ଘରୋଇ ବାସଗୃହ ଛଡା ଅନେକ ସ୍କୁଲ‌୍‍, କଲେଜ‌୍‍, ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କର ଘର ଉପରେ ମଧ୍ୟ ବହୁ ପରିମାଣର ବିଦ୍ୟୁତ‌୍‍ ଶକ୍ତି ଉତ୍ପାଦିତ ହୋଇପାରିବ। ତେଣୁ ଭବିଷ୍ୟତରେ ଯେ  ଆମର ସମୁଦାୟ ବିଦ୍ୟୁତ ଶକ୍ତିର ଚାହିଦାର ଏକ ବଡ ଅଂଶ ସୌରଶକ୍ତି ପରି ଅକ୍ଷୟ ଉତ୍ସରୁ ଆସିପାରିବ ଏହା କେହି ଅସ୍ୱୀକାର କରିପାରିବେ ନାହିଁ।   ଏ ଦିଗରେ କେନ୍ଦ୍ର ସରାକାରଙ୍କ ଅକ୍ଷୟ ଶକ୍ତି ମନ୍ତ୍ରାଳୟ (ଏମଏନଆଇଇ), ସୌରଶକ୍ତି କର୍ପୋରେସନ‌୍‍ (ଏସ‌୍‍ଇସିଆଇ), ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଆଇଆର‌୍‍ଇଡିଏ) ସହିତ ରାଜ୍ୟ ସରକାରଙ୍କର ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରିଡା) ଓ ସବୁଜ ଶକ୍ତି ବିକାଶ କମ୍ପାନୀ (ଗେଡ଼କଲ) ଇତ୍ୟାଦି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୨୨ର ମହତ୍ବାକାଂକ୍ଷୀ ୧୦୦ ଗିଗାୱାଟ‌୍‍ ସୌରଶକ୍ତିର ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରୁଛନ୍ତି। ୨୦୦୦ ମସିହାରେ ଭାରତର ସମୁଦାୟ ସୌରଶକ୍ତି କ୍ଷମତା ୧୬୧ ମେଗାୱାଟ ଥିଲାବେଳେ ଆଜି ତାହା ୭୬୬୩ ମେଗାୱାଟରେ ପହଞ୍ଚି ସାରଲାଣି। ଭାରତର ଶକ୍ତି ମନ୍ତ୍ରୀ ପୀୟୂଷ ଗୋଏଲ ଏହି ଲକ୍ଷ୍ୟ ୨୦୨୨ ର ବହୁ ପୂର୍ବରୁ ହାସଲ କରାଯିବା କଥା କହିଛନ୍ତି। ସରକାରଙ୍କ ତରଫରୁ ସୌର ଓ ଅକ୍ଷୟ ଶକ୍ତି ବ୍ୟବହାର ଦିଗରେ ଜନସଚେତନତା ବୃଦ୍ଧି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଗଲାଣି। ବ୍ୟାଙ୍କମାନଙ୍କୁ ଏଥିପାଇଁ ସହଜ ସୁଧ ଓ କିସ୍ତିରେ ଋଣ ଯୋଗାଇ ଦେବା ପାଇଁ ଉତ୍ସାହିତ କରାଯାଉଛି। ଏ ସବୁ ଦୃଷ୍ଟିରୁ ଆଗାମୀ ଦିନରେ ସୌର ଶକ୍ତିର ବହୁଳ ବ୍ୟବହାର ଏକ ସମ୍ଭାବନାରୁ ନିଶ୍ଚିତତା ଦିଗକୁ ଆଗେଇ ଚାଲିଛି।   ସାରା ବିଶ୍ୱ ଓ ଭାରତ ବର୍ଷରେ ସୌର ଶକ୍ତିର ବ୍ୟବହାରର କ୍ରମବଦ୍ଧିଷ୍ଣୁ ଧାରା ତୁଳନାରେ ଓଡିଶାରେ ସୌରଶକ୍ତିର ଯଥେଷ୍ଟ ବିକାଶ ହୋଇନଥିଲେ ମଧ୍ୟ ଏ ଦିଗରେ ଯଥେଷ୍ଟ ସୁଯୋଗ ଓ ସମ୍ଭାବନା ରହିଛି। ଓଡିଶା ସରକାରଙ୍କ ତରଫରୁ ଏଥିପାଇଁ ଗେଡକଲ‌୍‍ ସଂସ୍ଥା ଗଠନ କରାଯାଇଛି। ଏହି ସଂସ୍ଥା ବର୍ତ୍ତମାନ ଭୁବନେଶ୍ୱର-କଟକ ଅଞ୍ଚଳରେ ୫ ମେଗାୱାଟର ଛାତ ଉପରେ ସୌରଶକ୍ତି ପ୍ରତିଷ୍ଠା ପାଇଁ ଘରୋଇ କମ୍ପାନୀକୁ ଦାୟିତ୍ୱ ନ୍ୟସ୍ତ କରିଛି। ବୌଦ୍ଧଠାରେ ୨୦ ମେଗାୱାଟର ସ୍ଥଳଭୂମି ଭିତ୍ତିକ ସୌରଶକ୍ତି କେନ୍ଦ୍ର ପ୍ରତିଷ୍ଠା ହୋଇଛି ଓ ୧୦୦୦ ମେଗାୱାଟ କ୍ଷମତା ସଂପନ୍ନ ସୋଲାର ପାର୍କ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ପ୍ରକିୟା ଆରମ୍ଭ ହୋଇଛି। ଏଥି ସହ ଓରେଡା ଦ୍ୱାରା ଉତ୍ସାହିତ ଅନେକ ଛୋଟ ବଡ ଘରୋଇ କମ୍ପାନୀ ବର୍ତ୍ତମାନ ସୌରଶକ୍ତି କ୍ଷେତ୍ରରେ ନିଜ ନିଜର ଜ୍ଞାନକୌଶଳ ଓ ଭିତ୍ତିଭୂମି ତିଆରି କରି ଚାଲିଛନ୍ତି। କ୍ରକ୍ସ ପାୱାର, ସ୍ମାର୍ଟ ସୋଲାର, ଗାୟତ୍ରୀ ଓ ଜି-ଅନ‌୍‍ ପାୱାର ପରି ଅନେକ ଓଡିଶାର ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କଳିଙ୍ଗ ହସପିଟାଲ‌୍‍ ଓ ଓରଟେଲ‌୍‍ ପରି ଅନୁଷ୍ଠାନ ନିଜ ନିଜର ସୌରଶକ୍ତି କେନ୍ଦ୍ର ସ୍ଥାପନା କଲେଣି। ଅନେକ ଘରୋଇ ଇଞ୍ଜ‌୍‍ିନିୟରିଙ୍ଗ‌୍‍ କଲେଜମାନେ ମଧ୍ୟ ବ୍ରହ୍ମପୁର ସ୍ଥିତ ନିଷ୍ଟ‌୍‍ କଲେଜ‌୍‍ ନେତୃତ୍ୱରେ ଏ ଦିଗରେ ଆଗେଇ ଆସିଛନ୍ତି। ଏହି ସବୁ ଦିଗରୁ ଆକଳନ କଲେ ଓଡିଶା ଯେ ନିକଟ ଭବିଷ୍ୟତରେ ଦେଶର ସୌରଶକ୍ତିର ମାନଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିବ ଏଥିରେ ସନ୍ଦେହ ନାହିଁ।   ମୋ.-୯୪୩୭୫୧୩୦୮୦

Share :