କିମିଆ କରିଛି ନାଲିପାଣି ଓ ଧଳାଧୂଆଁ!

କିମିଆ କରିଛି ନାଲିପାଣି ଓ ଧଳାଧୂଆଁ!

Share :

  ଭାରତବର୍ଷର ଗାଁ ଗହଳରେ ବସବାସ କରୁଥିବା ଲୋକମାନେ ସ୍ବାସ୍ଥ୍ୟ ବାବଦରେ ଯେତେ ଖର୍ଚ୍ଚ କରନ୍ତି ତା’ର ୩ ଗୁଣ ମଦ ଓ ୪ ଗୁଣ ଧୂଆଁରେ ଉଡ଼େଇ ଦିଅନ୍ତି।  ଗାଁ ଲୋକମାନେ ସ୍ବାସ୍ଥ୍ୟର ଯତ୍ନ ନେବା ବାବଦରେ ମାସିକ ହାରାହାରି ୫୬ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସେମାନଙ୍କର ମାସିକ ମଦ୍ୟପାନ ଖର୍ଚ୍ଚ ହେଉଛି ୧୪୦ ଟଙ୍କା ଓ ଧୂଆଁ ପିଆ ଖର୍ଚ୍ଚ ହେଉଛି ୧୯୬ ଟଙ୍କା। ଏଇ ପରିସଂଖ୍ୟାନରୁ ଭାରତର ଗାଁ ଗହଳର ଲୋକମାନେ କାହିଁକି ରୁଗ୍ଣ ଓ ଗରିବ ତାହା ସ୍ପଷ୍ଟ ହୋଇଯାଏ। ସରକାର ମଧ୍ୟ ଗାଁ ଗହଳର ଏଇ ଲୋକମାନଙ୍କୁ କାଳକାଳ ଧରି ଏଇଭଳି ରଖିବା ଦିଗରେ ମଦ ଓ ଧୂଆଁ ବ୍ୟବସାୟ ପ୍ରତି କୋହଳ ମନୋଭାବ ପୋଷଣ କରିଚାଲିଛନ୍ତି।   ଦେଶର ଏକ ପ୍ରତିଷ୍ଠିତ ଗବେଷଣା ଓ ସର୍ବେକ୍ଷଣ ସଂସ୍ଥା କ୍ରୋମ ଡାଟା ଆନାଲିଟିକ୍ସ ଆଣ୍ଡ ମିଡିଆ ତରଫରୁ ପ୍ରକାଶ ପାଇଥିବା ଅନୁଧ୍ୟାନ ରିପୋର୍ଟରେ ଏହିସବୁ ତଥ୍ୟ ଉଲ୍ଲେଖ ଅଛି। ଏହି ରିପୋର୍ଟ ଅନୁସାରେ କିଣା ଖାଦ୍ୟ, ସାବୁନ, ଶାମ୍ପୋ, କେଶତୈଳ ଆଦି ବାବଦରେ ମଧ୍ୟ ଗାଁ ଲୋକମାନେ ଅଧିକ ଟଙ୍କା ଖର୍ଚ୍ଚ କଲେଣି। ସେମାନଙ୍କର ଏହି ଖର୍ଚ୍ଚ ମାସିକ ହାରାହାରି ହିସାବରେ ପ୍ରାୟ ୫୦୦ ଟଙ୍କା ହେଉଛି। ସହରୀ ଲୋକଙ୍କୁ ଦେଖି ଗାଁ ଲୋକମାନେ ଏସବୁ ବାବଦରେ ଏତେ ଅଧିକ ଖର୍ଚ୍ଚ କରୁଥିବା ଜଣାପଡ଼ିଛି।   ସର୍ବେକ୍ଷଣ ଅନୁସାରେ ଗ୍ରାମୀଣ ଭାରତର ମାସିକ ପାରିବାରିକ ବଜେଟ ହାରାହାରି ୨୮୦୦ ଟଙ୍କା। ଏହାର ୧୮ ପ୍ରତିଶତ ବା ୫୦୪ ଟଙ୍କା ସେମାନେ କିଣା ଖାଦ୍ୟ, ସାବୁନ, ଶାମ୍ପୋ ଓ କେଶତୈଳ ଆଦି ଫାଷ୍ଟ ମୁଭିଂ କନ୍‌ଜ୍ୟୁମର ଗୁଡ଼୍ସ ବା ଏଫଏମସିଜି କିଣିବାରେ ଖର୍ଚ୍ଚ କରିଥାନ୍ତି। ଏହା ଏକ ସହରୀ ଜୀବନଶୈଳୀର ସୂଚନା ଦିଏ। ଏହି ଖର୍ଚ୍ଚର ୫୫ ପ୍ରତିଶତ ବା ୨୮୦ ଟଙ୍କା ଖାଦ୍ୟ ସାମଗ୍ରୀ କିଣାରେ ଖର୍ଚ୍ଚ ହୋଇଥାଏ। ଅର୍ଥାତ ଏଥିରୁ ବୁଝାପଡ଼ୁଛି ଯେ ଗାଁ ଲୋକମାନେ ଆଉ ଆଗ ଭଳି ସବୁ ଦିନ ଘରେ ତିଆରି ଜିନିଷ ନଖାଇ ବଜାର ଖାଦ୍ୟ ପ୍ରତି ମନ ବଳେଇଲେଣି। ଏହା ବ୍ୟବସାୟୀଙ୍କ ପାଇଁ ଏକ ଭଲ ଖବର। କିନ୍ତୁ ଲୋକଙ୍କ ଆର୍ଥିକ ଓ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଗାଁ ଲୋକମାନେ କସ୍‌ମେଟିକ୍ସ ବା ପ୍ରସାଧାନ ସାମଗ୍ରୀ ବାବଦରେ ମଧ୍ୟ ମାସିକ ହାରାହାରି ପ୍ରାୟ ୩୬ ଟଙ୍କା ଖର୍ଚ୍ଚ କରୁଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଛି।   ଅଥଚ ଏହି ଲୋକମାନଙ୍କର ମାସିକ ଦୁଗ୍ଧ ଖର୍ଚ୍ଚ ଏପଏମସିଜି ଖର୍ଚ୍ଚଠାରୁ ଯଥେଷ୍ଟ କମ। ଗ୍ରାମବାସୀମାନେ ଦୁଗ୍ଧ ଓ ଦୁଗ୍ଧଜାତ ଜିନିଷ ପିଛେ ମାସିକ ସର୍ବାଧିକ ୨୨୪ ଟଙ୍କା ଖର୍ଚ୍ଚ କରିଥାନ୍ତି। ସେହପରି କୃଷିକାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ପେଟ୍ରୋଲ ଓ ଅନ୍ୟାନ୍ୟ ପେଟ୍ରୋଜାତ ପଦାର୍ଥ କିଣିବାରେ ସେମାନଙ୍କର ମାସିକ ହାରାହାରି ଖର୍ଚ୍ଚ ହେଉଛି ୩୦୮ ଟଙ୍କା। ଅବଶ୍ୟ ଗାଁ ଲୋକମାନେ ଘରେ ଗାଈପାଳି ସେଇ ଦୁଧ ଓ ଦହି ଖାଇଥାନ୍ତି। ତେଣୁ ଏ ବାବଦ ଖର୍ଚ୍ଚ କମ ଲାଗିପାରେ। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଗାଁ ଲୋକମାନେ ଏବେ ବି ଘରୋଇ ଓ ପ୍ରାକୃତିକ ଚିକିତ୍ସା ଉପରେ ଅଧିକ ନିର୍ଭର କରୁଥିବା ଏହି ସର୍ବେକ୍ଷଣ ତଥ୍ୟର ଅନୁଶୀଳନରୁ ଜଣାପଡ଼େ। ଦେଶର ୧୯ ରାଜ୍ୟର ୫୦ ଗାଁରେ ଏହି ସର୍ଭେ କରାଯାଇଥିଲା।   ମୁଖ୍ୟତଃ ସ୍କିନ୍ କେୟାର୍ ବା ତ୍ବଚାର ଯତ୍ନ ଏବଂ କସମେଟିକ୍ସ କମ୍ପାନୀଙ୍କ ପାଇଁ ହୋଇଥିବା ଏହି ସର୍ବେକ୍ଷଣରୁ ଏକଥା ପ୍ରମାଣିତ ହେଉଛି ଯେ ଗାଁ ଲୋକମାନ ନିଜର ଆର୍ଥିକ ଓ ଶାରୀରିକ ସ୍ବାସ୍ଥ୍ୟ ତୁଳନାରେ ମଦ ଓ ଧୂଆଁ ନିଶା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା ସେମାନଙ୍କ ଆର୍ଥିକ ଦୁରବସ୍ଥାର ଏକ ପ୍ରମୁଖ କାରଣ। ମଦ ଓ ଧୂଆ ବାବଦରେ ସେମାନେ ଉଡ଼ାଇ ଦେଉଥିବା ମାସିକ ପ୍ରାୟ ୩୩୬ ଟଙ୍କାକୁ ସେମାନେ ଯଦି ନିଜ ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ବାବଦରେ ଖର୍ଚ୍ଚ କରନ୍ତେ ତେବେ ସେମାନଙ୍କର ଆର୍ଥିକ ପ୍ରଗତି ତ୍ବରାନ୍ବିତ ହେବା ସଙ୍ଗେସଙ୍ଗେ ସରକାରୀ ଓ ବେସରକାରୀ ଶୋଷଣ ଏବଂ ଠକେଇରୁ ନିଜକୁ ଉଦ୍ଧାର କରିପାରନ୍ତେ।

Share :