ବେଧଡ଼କ ଖଣିଲୁଟ୍‌ ଓ ବିସ୍ଫୋରଣ

ବେଧଡ଼କ ଖଣିଲୁଟ୍‌ ଓ ବିସ୍ଫୋରଣ

Share :

ସୁଧାକର ପାଣ୍ଡେ   ସୁନ୍ଦରଗଡ଼ ଜିଲ୍ଳା ରାଜସ୍ୱ ବିଭାଗ ତଥା ତହସିଲ କର୍ତ୍ତୃପକ୍ଷଙ୍କ ପ୍ରିୟାପ୍ରୀତି ମନୋଭାବ ଯୋଗୁଁ ବର୍ଷ ବର୍ଷ ଧରି  ସ୍ଥାନୀୟ ବିଭିନ୍ନ ଆର‌୍‍. ଆଇ. ସର୍କଲ ଅଞ୍ଚଳରେ ବେଆଇନ ପଥର କ୍ୱାରୀ ଓ କ୍ରସର ସଂଖ୍ୟା ନିର୍ବିଘ୍ନରେ ବୃଦ୍ଧି ପାଇ ଚାଲିଥିବାରୁ ମୂଲ୍ୟବାନ ଜଙ୍ଗଲ ଧ୍ୱଂସ ହେବା ସହିତ ସ୍ଥାନୀୟ ପରିବେଶ ପ୍ରଦୂଷଣ ବଢୁଛି। ଏହାଦ୍ୱାରା ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ବେଳେ କେତେକ ସରକାରୀ ଅଧିକାରୀ ମାଲେମାଲ‌୍‍ ହେଉଥିବା ଜଣାପଡ଼ିଛି। ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ମଧ୍ୟ ଆଖି ବୁଜି ଦେଇ ଏଭଳି ଖଣି ଦୁର୍ନୀତି  କାରବାରକୁ ନୀରବରେ ପ୍ରଶ୍ରୟ ଦେଇ ଚାଲିଛନ୍ତି।   ଜିଲ୍ଲାର ଅନେକ ତହସିଲରେ ବେଆଇନ ଭାବେ କ୍ରସରଗୁଡ଼ିକ ସ୍ଥାପନ କରାଯାଇ ଦୀର୍ଘଦିନ ଧରି ଚାଲିଆସୁଥିବାର ଅଭିଯୋଗ ହୋଇ ଆସୁଛି। ସରକାରୀ ଓ ଜଙ୍ଗଲ ଜମିରେ ଏହି ଚୋରା ପଥର କାରବାର ଚାଲିଥିବା ଅଭିଯୋଗ ମିଳିଥିବା ବେଳେ କ୍ୱାରୀ ଖନନ ପାଇଁ ଜଙ୍ଗଲ ସଫା କରାଯିବା ସହିତ ଶକ୍ତିଶାଳୀ ଡ଼ିନାମାଇଟ‌୍‍ ବିସ୍ଫୋରଣ କରି ପଥର ଫଟା ଯାଉଛି। ଯଦ୍ଦ୍ୱାରା  ଜଙ୍ଗଲ ଧ୍ୱଂସ ପାଇବା ସହିତ ନିକଟସ୍ଥ ଗ୍ରାମବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି ହୋଇଛି। ଏଭଳିକି ଜଙ୍ଗଲ ଭିତରେ, ଗ୍ରାମ ଓ ଜଳଉତ୍ସ ନିକଟରେ  ଏହି କ୍ୱାରୀ ଓ କ୍ରସର  ସ୍ଥାପିତ ହୋଇଥିବା ସ୍ଥଳେ ଜଙ୍ଗଲ ଜମିକୁ ଜବରଦଖଲ କରି ପଥର ଖାଦାନ କରୁଥିବାର ଅଭିଯୋଗ ହୋଇଛି। ପ୍ରଶାସନ ଆଖିରେ ଧୂଳି ଦେଇ ଏହି ବେଆଇନ କ୍ରସର ସ୍ଥାପିତ ହେଉଥିବା ବେଳେ କ୍ରସର ଗୁଡ଼ିକ ସବୁ ନିୟମକୁ ଉଲ୍ଲଂଘନ କରି ଚୋରା କାରବାର କରି ମାଲେମାଲ‌୍‍ ହୋଇ ଚାଲିଥିବା ଜଣାପଡ଼ିଛି। ଏମାନଙ୍କୁ ଦେଖିବାକୁ ଆଉ କେହି ନାହାନ୍ତି। ଜିଲ୍ଳାପାଳଙ୍କ ଠାରୁ ତହସିଲଦାର ଏବଂ ଏସ‌୍‍.ପି.ଙ୍କ ଠାରୁ ଫରେଷ୍ଟର ପର୍ଯ୍ୟନ୍ତ ସମସ୍ତେ ଚେଇଁ ଶୋଇଥିବାରୁ ସାଧାରଣରେ ଗଭୀର ଉଦ‌୍‍ବେଗ ପ୍ରକାଶ ପାଇଛି।   ଖଣି, ରାଜସ୍ୱ, ଶିଳ୍ପ, ଜଙ୍ଗଲ ଓ ପରିବେଶ ଆଦି ସବୁ ଆଇନକୁ ଆଖି ମାରି କ୍ରସର ଚାଲିଥିବା ଅଭିଯୋଗ ହେଉଛି। କ୍ୱାରୀ ଓ କ୍ରସର ମାଲିକ ସୁରକ୍ଷା ନିୟମକୁ ଉଲ୍ଲଘଂନ୍ନ କରି ଚଲାଉଥିବା ସ୍ଥଳେ ବେଆଇନ ଭାବେ ଶକ୍ତିଶାଳୀ ଡ଼ିନାମାଇଟ‌୍‍ ମହଜୁଦ‌୍‍ ରଖି ଏଠାରେ ବିସ୍ଫୋରଣ କରିବା ସହିତ ଅନ୍ୟତ୍ର ଚାଲାଣ କରୁଥିବାର ଗୁରୁତର ଅଭିଯୋଗ ରହିଛି। ମାଓବାଦୀ ପ୍ରବଣ ଅଞ୍ଚଳରେ ଡ଼ିନାମାଇଟ‌୍‍ ବ୍ୟବହାର ଏବଂ ଗଚ୍ଛିତ ରଖିବାର ନିୟମ ନ ଥିଲେ ସୁଦ୍ଧା ଜିଲ୍ଳାର ଏହି ଗୁରୁତ୍ୱପୂର୍ଣ୍ଣ ଇଲାକାରେ ଖୁଲୁମ‌୍‍ ଖୁଲା ଡ଼ିନାମାଇଟ‌୍‍ କାରବାର ଚାଲିଛି। କ୍ରସର ମାଲିକଙ୍କ ପାଖରେ  ଆବଶ୍ୟକ କାଗଜପତ୍ର ନ ଥିବା ବେଳେ ଏସବୁ ନିର୍ବିଘ୍ନରେ ଚାଲିଥିବାର ଅଭିଯୋଗ ହେଉଛି। ଏହି କ୍ରସର ୟୁନିଟ‌୍‍ ଗୁଡ଼ିକ ଯୋଗୁଁ ବ୍ୟାପକ ପ୍ରଦୂଷଣ ହେଉଥିବା ସ୍ଥଳେ କାହାରି ନଜର ନ ପଡ଼ିବା ବାସ୍ତବିକ‌୍‍ ଉଦ‌୍‍ବେଗର ବିଷୟ। ଏହାଦ୍ୱାରା ନିକଟସ୍ଥ  ଗାଁମାନଙ୍କର ଶହଶହ ଲୋକ ପ୍ରଦୂଷଣର ଶିକାର ହେଉଥିବା ବେଳେ ବହୁ ଚାଷଜମି ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ଡ଼ିନାମାଇଟ‌୍‍ ବିସ୍ଫୋରଣ ଯୋଗୁଁ ନିକଟସ୍ଥ ବସ୍ତିଗୁଡ଼ିକର ଘର ଗୁଡ଼ିକରେ ଫାଟ ସୃଷ୍ଟି  କରୁଛି। ପଥର ଖଣ୍ଡ ସବୁ ପବନ ଉଡ଼ି ଯାଇ ବସ୍ତି ଭିତରେ ପଡ଼ୁତିବା ଭଳି ଅଭାବନୀୟ ଘଟଣା ଘଟୁଛି।   ସୂଚନା ଅଧିକାର ଆଇନ ଅନୁସାରେ ଜିଲ୍ଳା ରାଜସ୍ୱ ବିଭାଗରୁ ମିଳିଥିବା ସୂଚନା ମୁତାବକ ଜିଲ୍ଳାରେ ମାତ୍ର ତିନୋଟି କ୍ରସର ୟୁନିଟ‌୍‍ ଲାଠିକଟା, ରାଜଗାଙ୍ଗପୁର ଏବଂ ହେମଗିରରେ ରହିଥିବା ଦର୍ଶାଯାଇଥିବା ବେଳେ ସଂପୃକ୍ତ କ୍ରସରଗୁଡ଼ିକ ବିସ୍ଫୋରଣ ସାମଗ୍ରୀ ଗଚ୍ଛିତ ରକିବା ଏବଂ ପଥରଖଣିରେ ଫୁଟାଇବା ସଂକ୍ରାନ୍ତ କୌଣସି ଅନୁମତି ବାବଦ ତଥ୍ୟ ନ ଥିବା ବିଷୟ ଡେ଼ପୁଟି କଲେକ୍ଟର, ସୁନ୍ଦରଗଡ଼ ଦର୍ଶାଇଛନ୍ତି। ତେବେ ଜିଲ୍ଲାର ସଂଖ୍ୟାଧିକ ତହସିଲରେ ବହୁ ସଂଖ୍ୟାରେ କ୍ରସର ବେଆଇନ ଭାବେ ଚାଲିଥିବା ଏବଂ ଜିଲ୍ଲା ପ୍ରଶାସନଙ୍କୁ ଏ ସଂକ୍ରାନ୍ତରେ ସୂଚନା ନ ଥିବା ବିଷୟକୁ ନେଇ ସ୍ଥାନୀୟ ବୁଦ୍ଧିଜିବୀ ମହଳରେ ବେଶ‌୍‍ ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂପୃକ୍ତ କ୍ରସରଗୁଡ଼ିକ କେନ୍ଦ୍ର ପ୍ରଦୂଷଣ ନିୟମକୁ ଉଲ୍ଲଘଂନ୍ନ କରିବା ସହିତ ଜଙ୍ଗଲ ଓ ପରିବେଶ ଆଇନକୁ ଫାଙ୍କି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କଥିବାର ଜାଣିବାକୁ ମିଳୁଛି। ଏଭଳିକି ଏଭଳି ଏକ କ୍ରସର ରୁ ନିକଟରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଉଜ୍ୱଲପୁର-ଦର୍ଲିପାଲି ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଇଥିବା ବିଷୟ ମଧ୍ୟ ସୂଚନା ଅଧିକାର ଆଇନରୁ ଜଣାପଡ଼ିଛି।   କିନ୍ତୁ, ସୁନ୍ଦରଗଡ଼ ପ୍ରଶାସନ ଏଭଳି ବେଆଇନ କାରବାର ସଂପର୍କରେ ଅଜଣା ରହିଥିବା ଘଟଣା ବାସ୍ତବିକ ଅନୁସନ୍ଧାନର ବିଷୟ। ଏହି କ୍ରସର ଗୁଡ଼ିକ ଦ୍ୱାରା ମୂଲ୍ୟବାନ ଜଙ୍ଗଲ ବି ନଷ୍ଟ   ହେଉଛି। ବନବିଭାଗ ମଧ୍ୟ ଜଙ୍ଗଲରେ ଏହି କ୍ରସର ଓ କ୍ୱାରୀ ନ ଥିବା ଦର୍ଶାଉଥିବା ବେଳେ ଖଣି ଯୋଗୁଁ ନିୟମିତ ଶହଶହ ମୂଲ୍ୟବାନ ଗଛ କଟା ଯିବା ସହିତ ଡ଼ିନାମାଇଟ‌୍‍ ବିସ୍ଫୋରଣରେ ଧ୍ୱଂସ ପାଉଛି। ଗରିବ କାଠୁରିଆଟିଏ ଖଣ୍ଡେ ଶୁଖିଲା କାଠ ଆଣିଲେ ବନ କର୍ମଚାରୀ ତାଙ୍କୁ ମାମଲାରେ ଛନ୍ଦି ହଇରାଣ କରୁଥିବା ବେଳେ ଏହି ପଥର ଖନନ ଦ୍ୱାରା ବହୁ ପରିମାଣର ଜଙ୍ଗଲ ନଷ୍ଟ କରୁଥିବା ମାଫିଆଙ୍କ ପାଇଁ ସବୁ ଆଇନ‌୍‍ କାହିଁକି ମାଫ‌୍‍ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ବାବୁମାନେ ସବୁ ଜାଣି ଶୁଣି ପଥର ମାଫିଆଙ୍କୁ ଏହି ଖଣି ଦୁର୍ନୀତିରେ ଲିପ୍ତ ରହିବାକୁ ସୁଯୋଗ ଦେଇ ଚାଲିଥିବା ବେଳେ ଏହାର ମଧ୍ୟ ଭିଜିଲାନ୍ସ ତଦନ୍ତ ଜରୁରୀ ହୋଇ ପଡ଼ିଛି।   ଉଲ୍ଲେଖ ଯେ, ଏସବୁ ଅଞ୍ଚଳରେ ସଂଖ୍ୟଧିକ ଛୋଟ ବଡ଼ ପଥର କ୍ୱାରୀ ରହିଥିବା ବେଳେ ତହସିଲ କତ୍ତୃର୍ପକ୍ଷ ମଧ୍ୟ ଜାଣିଶୁଣି ଚୁପ‌୍‍ ରହୁଛନ୍ତି। ତେବେ  ଜିଲ୍ଳାର ଅନେକ ତହସିଲରେ ସଂଖ୍ୟାଧିକ କ୍ରସର ଓ ପଥରକ୍ୱାରୀ ବେଆଇନ ଭାବେ ଚାଲିଥିଲେ ସୁଦ୍ଧା ବାରମ୍ୱାର ଗଣ ମାଧ୍ୟମରେ ଏ ସଂପର୍କୀତ ସମ୍ୱାଦ ଓ ଫଟୋ ପ୍ରକାଶିତ ହେଲେ ସୁଦ୍ଧା ଜିଲ୍ଳା ପ୍ରଶାସନ ଅନୁସଂଧାନ କରି ବିହୀତ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ନୀରବ ରହୁଥିବାରୁ ପ୍ରଶାସନର ମଧ୍ୟ ଏହି ଚୋରା ପଥର କାରବାରରେ ପ୍ରଚ୍ଛନ୍ନ ହାତ ରହିଥିବାର ଆଶଙ୍କା କରାଯାଉଛି। ଏଣୁ ଏଦିଗରେ ଦୁର୍ନୀତି ନିବାରଣ ବିଭାଗ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି।

Share :