ଅନୈତିକ ଅର୍ଥ ଓ ବୈଷୟିକ ଶିକ୍ଷା

ଅନୈତିକ ଅର୍ଥ ଓ ବୈଷୟିକ ଶିକ୍ଷା

Share :

  ସି ଶୋର୍ ଚିଟ୍ ଫଣ୍ଡ ସଂସ୍ଥାର ଅର୍ଥ ଭୁବନେଶ୍ବର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବା ବିଟ୍ ନାମକ ଏକ ବୈଷୟିକ ଶିକ୍ଷା ସଂସ୍ଥାରେ ବିନିଯୋଗ ହୋଇଥିବା ସିବିଆଇ ଖୋଳତାଡ଼ରୁ ଜଣାପଡ଼ିବା ଘଟଣା ରାଜ୍ୟରେ ବୈଷୟିକ ଶିକ୍ଷା ଜଗତର ଅନ୍ୟ ଏକ କଳଙ୍କିତ ଅଧ୍ୟାୟର ଉନ୍ମୋଚନ ହୋଇଛି | ଏହି ସବୁ ସଂସ୍ଥାରେ ବିନିଯୁକ୍ତ ହୋଇଥିବା ଅର୍ଥ କିପରି ଅନୈତିକ ତଥା ବେଆଇନ ଉପାୟରେ ଅର୍ଜନ କରାଯାଇଛି ସେ ସଂପର୍କରେ ବିଟ୍ କେବଳ ଏକ ଛୋଟ ଉଦାହରଣ | ଯେଉଁ ସବୁ ଶିକ୍ଷାନୁଷ୍ଠାନ ଏଭଳି ଅନୈତିକ ଅର୍ଥ ବା କଳାଟଙ୍କାର ଭିତ୍ତିଭୂମି ଉପରେ ପ୍ରତିଷ୍ଠା ଲାଭ କରିଛି ସେସବୁ ସଂସ୍ଥାରେ ପିଲାମାନଙ୍କୁ କି ପ୍ରକାର ନୈତିକ ଶିକ୍ଷା ଦିଆଯାଉଥିବ ତାହା ଦିବାଲୋକ ପରି ସ୍ପଷ୍ଟ | ରାଜ୍ୟର ବୃଦ୍ଧି ପାଉଥିବା ଦୁର୍ନୀତି, ଅରାଜକତା ଓ ଆଇନଶୃଙ୍ଖଳା ସଂକଟରେ ବୈଷୟିକ ଶିକ୍ଷା ସଂପନ୍ନ ଯୁବ ପିଢ଼ିର ଭୂମିକା ସଂପର୍କରେ ପୁଲିସ ଓ ଭିଜିଲାନ୍ସ ପ୍ରଶାସନ ଯେଉଁ ତଥ୍ୟ ପ୍ରଦାନ କରେ ସେଥିରୁ ଏହି ସଂସ୍ଥାଗୁଡ଼ିକ କି ପ୍ରକାର ବୈଷୟିକ ଜ୍ଞାନ ସଂପନ୍ନ ଯୁବକ ଯୁବତୀ ଉତ୍ପାଦନ କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ | ଗତ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଛତୁ ଫୁଟିଲା ପରି ଫୁଟିଛି ଅନେକ ବୈଷୟିକ ଶିକ୍ଷା ସଂସ୍ଥା | ଗତ ୧୫  ବର୍ଷ ଭିତରେ ଏସବୁ ଅନୁଷ୍ଠାନଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇଛି | ବିଶେଷକରି ରାଜଧାନୀ ଭୁବନେଶ୍ବର ଆଖପାଖରେ ଏପରି ଅନେକ ବୈଷୟିକ ଶିକ୍ଷା ସଂସ୍ଥା ଖୋଲିଛି | ତା’ଛଡ଼ା କଟକ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ମଧ୍ୟ ଏପରି ଅନେକ ସଂସ୍ଥା ଖୋଲି ପ୍ରତି ବର୍ଷ ହଜାର ହଜାର ଛାତ୍ରଛାତ୍ରୀଙ୍କଠାରୁ କୋଟିକୋଟି ଟଙ୍କାର ଡୋନେସନ୍ ଓ ଫି ଆଦାୟ କରାଯାଉଛି | ଶତକଡ଼ା ଶତ ପ୍ରତିଶତ ନିଯୁକ୍ତି ସୁବିଧା ଦେବାର ପ୍ରତିଶ୍ରୁତି ଦେଇ ଗ୍ରହଣ କରାଯାଉଥିବା ପିଲାଙ୍କ ଭିତରୁ ଅଧେ ଏବେ ବେକାର ରହୁଥିଲେ ମଧ୍ୟ ଏସବୁ ଶିକ୍ଷାନୁଷ୍ଠାନ ସେମାନଙ୍କର ମାଲିକମାନଙ୍କ ପାଇଁ ବେଶ୍ ରୋଜଗାରର ମାଧ୍ୟମ ପାଲଟିଛି | ପୁଞ୍ଜିନିବେଶ ତୁଳନାରେ ଲାଭର ପରିମାଣ ଢେର ଅଧିକ ହୋଇଥିବାରୁ ରାଜ୍ୟରେ ଏହିପରି ଶିକ୍ଷାନୁଷ୍ଠାନ ସଂଖ୍ୟା ଆବଶ୍ୟକତାଠାରୁ ଅଧିକ ହାରରେ ବୃଦ୍ଧି ପାଇଛି | ତେବେ ଏସବୁ ଶିକ୍ଷାନୁଷ୍ଠାନ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହୋଇଥିବା କୋଟିକୋଟି ଟଙ୍କା କେଉଁଠୁ ଆସିଛି ତାହାର ଭେଦମୁଦ୍ରା ପୂର୍ବରୁ ପ୍ରାୟ କେହି ପାଉ ନଥିଲେ | କେଉଁଠୁ ଆସୁଛି ଏତେ ଟଙ୍କା ? କେଉଁ ଶିକ୍ଷାବିତ୍ ଏଭଳି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଏକର ଏକର ଜମି କିଣି ବିରାଟ ବିରାଟ ଅଟ୍ଟାଳିକା ନିର୍ମାଣ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଏକାଧିକ ଅନୁମତି ହାସଲ କରିବାର ଆର୍ଥିକ ଦକ୍ଷତା ହାସଲ କରିଛନ୍ତି ? ପ୍ରଥମେ ପ୍ରଥମେ ଅନୁମାନ କରାଯାଉଥିଲା ବୋଧହୁଏ ଆଇଆଇଟି, ଆଇଆଇଏମ୍, ଟିସ୍ ଓ ବିଟ୍ ପିଲାନୀ ପରି ସଂସ୍ଥାରେ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ବୈଷୟିକ ଶିକ୍ଷା ସଂପନ୍ନ ପ୍ରଫେସରମାନେ ନିଜ ରାଜ୍ୟର ଉନ୍ନତି ପାଇଁ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ଏସବୁ ଶିକ୍ଷାସଂସ୍ଥା ଖୋଲିଛନ୍ତି | ସେତେବେଳେ ଲାଗୁଥିଲା ଯେମିତି ଏସବୁ ଶିକ୍ଷାନୁଷ୍ଠାନ ଖୋଲୁଥିବା ଲୋକମାନେ ହେଉଛନ୍ତି ଓଡ଼ିଶାର ଜଣେ ଜଣେ ପଣ୍ଡିତ ମଦନ ମୋହନ ମାଲବ୍ୟ ! କିନ୍ତୁ ଯାହୁଁ ଯାହୁଁ ଏ ବ୍ୟବସାୟ ପୁରୁଣା ହେଲା ତାହୁଁ ତାହୁଁ ଜଣାପଡ଼ିଲା ଯେ ଏସବୁ ହେଉଛି ଶିକ୍ଷା ମାଫିଆମାନଙ୍କ କାମ | ଯେଉଁ ସମୟରେ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି, ଚିଟ୍ ଫଣ୍ଡ କାରବାରରେ ଲକ୍ଷଲକ୍ଷ ଲୋକଙ୍କୁ ଠକି ହଜାର ହଜାର କୋଟି ଟଙ୍କା ଉଠେଇ ନିଆଯାଇଛି, ଯେଉଁ ସମୟରେ ହଜାର ହଜାର ଏକରର ସରକାରୀ ଜମି ହଡ଼ପ ହୋଇଛି, ସରକାରୀ ଖର୍ଚ୍ଚରେ ନିର୍ମିତ ହୋଇଥିବା ପୋଲ ଓ ସ୍କୁଲ କୋଠା ଆଦି ଭୁଶୁଡ଼ିବା ଘଟଣା ବୃଦ୍ଧି ପାଇଛି, ମଧ୍ୟାହ୍ନ ଭୋଜନ ଓ ପୁଷ୍ଟି କାର୍ଯ୍ୟକ୍ରମରେ ଯୋଗାଣ ହୋଇଥିବା ନିମ୍ନମାନର ଖାଦ୍ୟ ଖାଇ ହଜାର ହଜାର ପିଲା ଅସୁସ୍ଥ ହୋଇଛନ୍ତି, ସରକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ଅର୍ଥ ଆତ୍ମସାତ୍ ଘଟଣା ବୃଦ୍ଧି ପାଇଛି ଓ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଡିଟରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ଧରାପଡ଼ିଛି ଠିକ୍ ସେହି ସମୟରେ ରାଜ୍ୟରେ ଛତୁ ଫୁଟିଛି ବୈଷୟିକ ଶିକ୍ଷାନୁଷ୍ଠାନ | ସଂପ୍ରତି ଚିଟ୍ ଫଣ୍ଡ ଦୁର୍ନୀତିର ତଦନ୍ତ ଚଳାଇଥିବା ସିବିଆଇ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ବିଟରେ ଚିଟ୍ ଫଣ୍ଡ ସଂସ୍ଥା ସି ଶୋର ସଂସ୍ଥାର ୯ କୋଟି ଟଙ୍କା ଲାଗିଥିବା ଜାଣିପାରିଛନ୍ତି | ବାସ୍ତବରେ ଏହି ସଂସ୍ଥା ଆଗରୁ ଖୋଲିଥିଲା ଓ ତାହାକୁ ପରେ ସି ଶୋର୍ କର୍ତ୍ତୃପକ୍ଷ କିଣି ନେଇଥିଲେ | ଏହି ସଂସ୍ଥା ସହିତ ଜଡ଼ିତ ଥିଲେ ରାଜ୍ୟର ଜଣେ ପରିଚିତ ଓ ପ୍ରଭାବଶାଳୀ ଆଇଏଏସ ଅଧକାରୀ ପ୍ରଦୀପ୍ତ କୁମାର ମହାପାତ୍ର | ବିବାଦ ଉଠିବା ପରେ ସେ ସହି ସଂସ୍ଥାରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି | ସେହିପରି ଦେଖାଯାଏ ଯେ ରାଜ୍ୟର ଅନ୍ୟାନ୍ୟ ଅନେକ ବୈଷୟିକ ଶିକ୍ଷା ସଂସ୍ଥାର କର୍ମକର୍ତ୍ତାଙ୍କ ମଧ୍ୟରେ ଅଛନ୍ତି ରାଜନେତା, ଖଣି ବ୍ୟବସାୟୀ, କାରଖାନା ମାଲିକ, ବିଲ୍ଡର, ଜମି ଦଲାଲ୍ ଏବଂ ଏପରି ଚିଟ୍ ଫଣ୍ଡ କାରବାରୀ ବା ଅନ୍ୟମାନଙ୍କ କଳାଟଙ୍କାର କାରବାର କରୁଥିବା ଦଲାଲ୍ | ଏଭଳି କଳା ଓ ଅନୈତିକ ଅର୍ଥରେ ଯେଉଁ ସବୁ ଶିକ୍ଷା ସଂସ୍ଥା ଖୋଲିଛି ଏବଂ ଯେଉଁଥିରେ ଅନୀତି ବାଟରେ ଉପାର୍ଜିତ ଲକ୍ଷଲକ୍ଷ ଟଙ୍କାର ଫି ଦେଇ ପଢ଼ୁଛନ୍ତି ଅନେକ ସଂସ୍କାର ଓ ଦେଶପ୍ରେମ ବଜିର୍ତ ପିଲା, ସେଠାରେ କି ପ୍ରକାର ଶିକ୍ଷା ଦିଆଯାଉଛି ଓ ସେଥିରୁ କି ପ୍ରକାର ଉତ୍ପାଦନ ବାହାରୁଛି ତାହା ରାଜଧାନୀ ଭୁବନେଶ୍ବରର ବେଆଇନ ବନ୍ଧୁକ ବଜାର, ସେକ୍ସ ରାକେଟ ବ୍ୟାଙ୍କ ଲୁଟ୍, ଡକାୟତି ଆଦି ଘଟଣାରେ ଧରାପଡ଼ୁଥିବା ଅଧିକ ସଂଖ୍ୟକ ଇଂଜିନିଅରିଂ ଛାତ୍ରଙ୍କ ଅପରାଧ ଇତିହାସରୁ ବେଶ୍ ସ୍ପଷ୍ଟ | ଏହି ୧୫ ବର୍ଷ ଭିତରେ ରାଜ୍ୟ ସରକାର ମଧ୍ୟ ଇଂଜିନିଅରିଂ ସମେ ଅନ୍ୟ ସମସ୍ତ ବୈଷୟିକ ପାଠ୍ୟକ୍ରମର ଫି ବୃଦ୍ଧି କରିଛନ୍ତି | ଏ ଫି ଏବେ ଏତେ ଅଧିକ ହୋଇଯାଇଛି ଯେ ସାଧାରଣ ମଧ୍ୟବିତ୍ତ ପରିବାର ଏହି ଖର୍ଚ୍ଚ ତୁଲେଇବା ସମ୍ଭବ ନୁହେଁ | ଘରୋଇ ମେଡିକାଲ କଲେଜରେ ୫୦-୭୦ ଲକ୍ଷ ଟଙ୍କା ଖର୍ଚ୍ଚକର ଡାକ୍ତର ହେବାର ଆର୍ଥିକ କ୍ଷମତା ଓଡ଼ିଶାର ଗାଁଗହଳରେ କେତେ ଲୋକଙ୍କର ଅଛି ? ସେହପରି ଇଂଜିନିଅରିଂ ପଢ଼ିବା ପାଇଁ ଘରୋଇ କଲେଜରେ ମୋଟ ଉପରେ ୮-୧୦ ଲକ୍ଷ ଟଙ୍କା ଦରକାର | କେଉଁ ବର୍ଗର ଲୋକମାନେ ଏତେ ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ପାଠ ପଢ଼ାଉଛନ୍ତି ? ରାଜ୍ୟ ଜନସଂଖ୍ୟାରେ ସେମାନଙ୍କ ହାର କେତେ ? ଏଭଳି ବ୍ୟୟବହୁଳ ବୈଷୟିକ ଶିକ୍ଷା ଜରିଆରେ ସାମ୍ୟ ଓ ସମତା ଭିତ୍ତିକ ସମାଜ ଗଠନ ସମ୍ଭବ କି ?

Share :