ଚିତ୍ରକୋଣ୍ଡା ମାଓବାଦୀ ଦୁର୍ଗ ଧ୍ବଂସ!

ଚିତ୍ରକୋଣ୍ଡା ମାଓବାଦୀ ଦୁର୍ଗ ଧ୍ବଂସ!

Share :

  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବେଜିଙ୍ଗ ଜଙ୍ଗଲରେ ଅକ୍ଟୋବର ୨୪ ସୋମବାର ଆନ୍ଧ୍ର ଓ ଓଡିଶା ପୋଲିସର ମିଳିତ ଚଢାଉରେ ୨୫ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଜୀବନ୍ତ ଅବସ୍ଥାରେ ପୋଲିସ ହାତରେ ଧରାପଡିଛି। ମାଲକାନଗିରି ଜିଲ୍ଲା ଯନ୍ତ୍ରି ଥାନା ଅନ୍ତର୍ଗତ ରାମପୁର ଗାଁ ନିକଟରେ ଏହି ଘଟଣା ଘଟିଛି। ଗାଁଟି ଆନ୍ଧ୍ର ପ୍ରଦେଶ ସୀମାରେ ଅବସ୍ଥିତ। ଏଥିରେ ଏକାଧିକ ଉଚ୍ଚ ମାଓବାଦୀ ନେତା ନିହତ ହୋଇଛନ୍ତି। ଏହି ଘଟଣା ପରେ ବିଚ୍ଛିନ୍ନାଂଚଳରେ ମାଓବାଦୀ ସଂଗଠନ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିବା କୁହାଯାଉଛି।   ଆନ୍ଧ୍ର ଓଡିଶା ସୀମାନ୍ତରେ ସିପିଆଇ(ମାଓବାଦୀ) ଦଳର ଉଚ୍ଚପଦସ୍ଥ ମାଓବାଦୀ ନେତାଙ୍କ ଏକ ବଡ ଧରଣର ତାଲିମ ଶିବିର ଚାଲିଥିବା ଖବର ପାଇ ଆନ୍ଧ୍ର ଗ୍ରେହାଉଣ୍ଡ ଓ ମାଲକାନଗିରି ଡିଭିଏଫ ବାହିନୀ ପକ୍ଷରୁ ରବିବାର ରାତିରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଏହା ପରେ କାଳେ ଆଖପାଖ ଜଙ୍ଗଲରେ ଅଧିକ ମାଓବାଦୀ ରହିଥିବେ ସେଇ ସନ୍ଦେହରେ କମ୍ବିଂ ଅପରେସନ ସୋମବାର ଅପରାହ୍ନ ଯାଏଁ ଚାଲିଥିଲା। ଏହି ଅଂଚଳରେ ଆନ୍ଧ୍ର ଓଡ଼ିଶା ସୀମା ବା ଏଓବି ଡିଭିଜନର ମାଓବାଦୀମାନେ ସକ୍ରିୟ ଥିଲେ।   ରବିବାର ରାତିରେ ଉଭୟ ପକ୍ଷ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଘଟଣା ସ୍ଥଳରେ ୨୪ ଜଣ ସଶସ୍ତ୍ର ନକ୍ସଲ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ଅବସ୍ଥାରେ ଲୁଚି ପଳାଇଥିବା ସନ୍ଦେହ କରାଯାଉଛି। ଆନ୍ଧ୍ର, ଓଡିଶା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ଆର.କେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୪ ଜଣ ଉଚ୍ଚ ମାଓବାଦୀ ନେତା ପୁଲିସ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ମାଓବାଦୀ ରହିଛନ୍ତି।   ନିହତ ସମସ୍ତ ୨୫ ଜଣଙ୍କର ପରିଚୟ ମିଳି ନଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଚଳପତି, ତାଙ୍କ ପତ୍ନୀ ଅରୁଣା, ଗଜରଲା ରବି ଓରଫ ଉଦୟ, ଦୟା, ପାନ୍ଦାନ୍ନା ଓରଫ ଜଗନ ଏବଂ ସୁଧୀର ପ୍ରମୁଖ ରହିଥିବା ଜଣାପଡ଼ିଛି। ପାର୍ଟିର ଅନ୍ୟ ଜଣେ ସର୍ବୋଚ୍ଚ ନେତା ଆକ୍କିରାଜୁ ହରଗୋପାଳ ଓରଫ ଏକେ ପୁଲିସ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ତାଙ୍କ ପୁଅ ମୁନ୍ନା ନିହତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।   ଘଟଣା ସ୍ଥଳରୁ ପୋଲିସ ଚାରିଟି  ଏକେ-୪୭ ବନ୍ଧୁକ, ଚାରିଟି ଏସଏଲଆର, ଗୋଟିଏ ଇନ୍ସାସ ରାଇଫଲ, ପ୍ରାୟ ଡଜନେ ଖଣ୍ଡେ ୩୦୩ ରାଇଫଲ ସହ କିଟ ବ୍ୟାଗ, ଲ୍ୟାପଟପ, ମୋବାଇଲ ଓ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଘଟଣା ସ୍ଥଳରେ ଅପରାହ୍ନ ଯାଏଁ କୁମ୍ବିଂ ଅପରେସନ ଜାରି ରହିଥିବା ବେଳେ ବାୟୁସେନାର ଦୁଇଟି ହେଲିକ୍ୟାପଟର ମୃତ ଦେହଗୁଡିକୁ ନେଇ ମାଲକାନଗିରି ପହଞ୍ଚିଛି। ସମସ୍ତ ନକ୍ସଲଙ୍କ ପରିଚୟ ମିଳିବା ପରେ ମୃତଦେହଗୁଡିକ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମାଲକାନଗିରି ଏସ.ପି. କହିଛନ୍ତି।   ଅନ୍ୟପଟେ ନକ୍ସଲଙ୍କ ଗୁଳିରେ ଆହତ ହୋଇଥିବା ଦୁଇ ଜଣ ଗ୍ରେହାଉଣ୍ଡ ଯବାନଙ୍କୁ ହେଲିକ୍ୟାପଟର ଯୋଗେଁ ଘଟଣାସ୍ଥଳରୁ ବିଶାଖାପାଟଣା ନିଆଯାଇଥିଲା। ତେବେ ଆବୁ ବକାର ନାମକ ଜଣେ ଯବାନ ଅପରାହ୍ନରେ କେ.ଜି.ଏଚ ହସପିଟାଲରେ ପ୍ରାଣ ହରାଇଥିବା ପୁଲିସ ପ୍ରକାଶ କରିଛି।   ଏହାକୁ ଆନ୍ଧ୍ର ଓ ଓଡ଼ିଶା ପୁଲିସର ଏକ ବଡ଼ ସଫଳତା ବୋଲି କୁହାଯାଉଛି। ପୁଲିସର ଏହି ସଫଳତା ପରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମାଓବାଦୀ ଦୁର୍ଗ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଏହା ପୂର୍ବରୁ ୨୦୧୩ ମସିହାର ସେପ୍ଟେମ୍ବର ମାସରେ ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକରେ ପୁଲିସ ଏନକାଉଣ୍ଟରରେ ୧୩ ଜଣ ମାଓବାଦୀ ନିହତ ହୋଇଥିଲେ।     ମାଲକାନଗିରି ଜିଲ୍ଲାର ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପ ଯୋଗୁଁ ସୃଷ୍ଟି ହୋଇଥିବା ଜଳଭଣ୍ଡାର ସେପଟେ ରହିଯାଇଥିବା ଅଂଚଳକୁ ବିଚ୍ଛିନ୍ନାଂଚଳ କୁହାଯାଏ। ବିଚ୍ଛିନ୍ନାଂଚଳରେ ରହିଯାଇଛି ୧୫୧ ଗାଁ। ସେସବୁ ଗାଁରେ ବସବାସ କରନ୍ତି ୨୦ ହଜାର ଲୋକ। ଏହି ବିଚ୍ଛିନ୍ନାଂଚଳକୁ ଏବେ ବି ସ୍ଥାୟୀ ଯୋଗାଯୋଗ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ ଓ ବିଦ୍ୟୁତ ସେବାରୁ ଏବେ ବି ବଂଚିତ ଏହି ଇଲାକା। ବହୁ ବର୍ଷ ପରେ ଏହାକୁ ମୂଳ ଭୂଖଣ୍ଡ ସହିତ ସଂଯୁକ୍ତ କରିବା ପାଇଁ ୯୧୮ ମିଟର ଲମ୍ବ ବିଶିଷ୍ଟ ଏକ ପୋଲ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ କରାଯାଉଛି। ବିକାଶର ମାନଚିତ୍ରରେ ଅଦୌ ସ୍ଥାନ ପାଇନଥିବା ଏହି ଇଲାକାକୁ ମାଓବାଦୀମାନେ ନିଜର ଗଡ଼ରେ ପରିଣତ କରିଥିଲେ।   ଆନ୍ଧ୍ର ପ୍ରଦେଶ ପୁଲିସର ବାରମ୍ବାର ଆକ୍ରମଣରେ ସେହି ରାଜ୍ୟରେ ଏକରକମ ସତ୍ତା ହରାଇଥିବା ମାଓବାଦୀମାନେ ଓଡ଼ିଶାର ଏହି ଇଲାକାକୁ ନିଜର ସାଙ୍ଗଠନିକ ଚରାଭୂଇଁରେ ପରିଣତ କରିଥିଲେ। ଏହା ସେମାନଙ୍କ ପାଇଁ ଅନେକ ଦୃଷ୍ଟିରୁ ନିରାପଦ ଥିଲା। ୨୦୦୦ ମସିହା ପରଠୁଁ ମାଓବାଦୀମାନେ ସେଠାରେ ନିଜର ଭିତ୍ତିଭୂମି ସୁଦୃଢ଼ କରିଚାଲିଥିଲେ।   ୨୦୦୮ ମସିହାରେ ଏହି ଅଂଚଳରେ କୁମ୍ବିଂ ଅପରେସନ ଚଳାଇଥିବା ଆନ୍ଧ୍ର ଗ୍ରେହାଉଣ୍ଡ ବାହିନୀ ଉପରେ ଆକ୍ରମଣ କରି ମାଓବାଦୀମାନେ ୩୮ ଯବାନଙ୍କୁ ହତ୍ୟା କରିଥିଲେ। ଏହାର ମାସକ ଭିତରେ ସେମାନଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ନିହତ ହୋଇଥିଲେ ୧୭ ପୁଲିସ। ୨୦୧୧ ଫେବୃଆରୀରେ ମାଓବାଦୀମାନେ ଏହି ବିଚ୍ଛିନ୍ନାଂଚଳରେ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଭିନିଲ କୃଷ୍ଣଙ୍କୁ ଅପହରଣ କରି ନେଇଥିଲେ।

Share :