ଓଡ଼ିଆରେ ଚାଲିନି ସରକାର

ଓଡ଼ିଆରେ ଚାଲିନି ସରକାର

Share :

  ଦୀର୍ଘ ଚାରିବର୍ଷର ଭାଷା ଆନ୍ଦୋଳନ ଫଳରେ ଓଡ଼ିଶା ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଆଇନ‌୍‍ରେ ପରିବର୍ତ୍ତନ ଆଣି ନିୟମାବଳୀ ପ୍ରଣୟନ କରାଇବା ଥିଲା ଓଡ଼ିଆ ଜାତି ପାଇଁ ଏକ ବିରାଟ ସାଫଲ୍ୟ। କିନ୍ତୁ ଆଇନ‌୍‍କୁ କାର୍ଯ୍ୟକାରୀ କରି ଓଡ଼ିଶା ଲୋକଙ୍କୁ ଓଡ଼ିଆରେ ଶାସନ ଓ ନ୍ୟାୟ ଦେବାର ଦାୟିତ୍ୱ ହେଉଛି ଓଡ଼ିଶା ସରକାରଙ୍କର। ଏହି ଆଇନର ସଫଳ ରୂପାୟନ ଉପରେ ନିର୍ଭର କରୁଛି ସମଗ୍ର ଓଡ଼ିଆ ଜାତିର ସ୍ୱାଭିମାନ ଓ ଓଡ଼ିଆ ଭାଷାର ଭବିଷ୍ୟତ। ତେଣୁ ବର୍ତ୍ତମାନର ଆଇନ‌୍‍କୁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଇବା ହେଉଛି ଉଭୟ ସରକାର ତଥା ଚାରି କୋଟି ଓଡ଼ିଆଙ୍କ ପାଇଁ ଏକ ଆହ୍ୱାନ ସ୍ୱରୂପ। ଦୀର୍ଘ ୬୨ ବର୍ଷ ପରେ ଏହି ଆଇନ‌୍‍ରେ ପରିବର୍ତ୍ତନ ଆଣିବା ପାଇଁ ଯେପରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ପଡ଼ିଥିଲା ଠିକ‌୍‍ ସେହିପରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୁଣି ଏକ ଗଣ ଆନ୍ଦୋଳନର ଆବଶ୍ୟକତା ଦେଖା ଦେଇଛି ବୋଲି ଆଜି ଭାଷା ସୁରକ୍ଷା ସମ୍ମିଳନୀର ବିଶେଷ ଅଧିବେଶନରେ ଗୃହୀତ ଏକ ପ୍ରସ୍ତାବରେ କୁହାଯାଇଛି।   ଭୁବନେଶ୍ବର ଲୋହିଆ ଏକାଡେମୀରେ ସମ୍ମିଳନୀର ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶେଷ ଅଧିବେଶନରେ ରାଜ୍ୟର ସମସ୍ତ ଜିଲ୍ଲାର ଭାଷା ଆନ୍ଦୋଳନର ନେତା ଓ କର୍ମୀମାନେ ଯୋଗଦେଇଥିଲେ। ଭାଷା ଆଇନ‌୍‍କୁ କାର୍ଯ୍ୟକାରୀ କରିବା ପାଇଁ ନିୟମାବଳୀ ପ୍ରଣୟନ ହେବାର ଦୁଇମାସରୁ ଅଧିକ କାଳ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଜିଲ୍ଲା, ବ୍ଲକ ଓ କୋର୍ଟ କଚେରୀରେ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଗୋଟିଏ ଦୁଇଟି ମନ୍ତ୍ରୀଙ୍କ ବିଭାଗକୁ ବାଦ‌୍‍ ଦେଲେ ଅନ୍ୟସବୁ ବିଭାଗରେ ପୂର୍ବପରି ଇଂରାଜୀରେ କାର୍ଯ୍ୟ ଚାଲିଛି। ଏପରିକି କଲେଜ‌୍‍ ଓ ସ୍କୁଲ‌୍‍ଗୁଡ଼ିକୁ ଶିକ୍ଷା ବିଭାଗରୁ ଇଂଗ୍ରେଜୀରେ ଚିଠି ସବୁ ଯାଉଛି। ସରକାରୀ ଦପ୍ତର, ଅନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମଫଳକ ସବୁ ଏପର୍ଯ୍ୟନ୍ତ ଓଡ଼ିଆରେ ଲେଖାହେଉ ନାହିଁ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଆ ଭାଷା ଉପରେ ଏପର୍ଯ୍ୟନ୍ତ ଗୁରୁତ୍ୱ ପ୍ରଦାନ କରାଗଲା ନାହିଁ ବୋଲି ବହୁ ଶିକ୍ଷାବିତ‌୍‍ ଅଭିଯୋଗ କରିଥିଲେ। ଭାଷା ଆଇନ‌୍‍କୁ ଠିକ‌୍‍ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏକ ଭାଷା ଆୟୋଗ ଗଠନ ନହେବା ଫଳରେ ସରକାରୀ ସ୍ତରରେ ଏପରି ଶିଥିଳତା ଓ ଖାମଖିଆଲୀ ମନୋଭାବ ପ୍ରକାଶ ପାଉଛି ବୋଲି ସେମାନେ କହିଥିଲେ।    ଭାଷା ଆୟୋଗର ଏହି ତଦାରଖି କାର୍ଯ୍ୟଟିକୁ ଏବେ ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରୀୟ କମିଟିମାନଙ୍କୁ କରିବାକୁ ପଡ଼ିବ ବୋଲି ଅଧିବେଶନରେ ନିଷ୍ପତି ନିଆଯାଇଛି। ଆବଶ୍ୟକ ପଡିଲେ ଭାଷା ସମ୍ମିଳନୀ ପକ୍ଷରୁ ପୂର୍ବତନ ବିଚାରପତି, ଭାଷାବିତ‌୍‍, ପୂର୍ବତନ ଶାସନ ସଚିବ, ବିଶିଷ୍ଟ ଶିକ୍ଷାବିତ‌୍‍ ଓ ବରିଷ୍ଠ ସାମ୍ୱାଦିକମାନଙ୍କୁ ନେଇ ଏକ ବେସରକାରୀ ଭାଷା ଆୟୋଗ ଗଠନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ମତ ଦେଇଥିଲେ। ଗୋଟିଏ ଜାତୀର ଭାଷା ସଂସ୍କୃତିକୁ ବଂଚାଇବା ସହିତ ବିକାଶ କରିବାର ଦାୟିତ୍ୱ ସରକାର ଉପରେ ଛାଡି ଦେଲେ ଚଳିବ ନାହିଁ। ଏଥିପାଇଁ ଓଡିଆମାନେ ନିଜ ପାରିବାରିକ, ସାମାଜିକ ଜୀବନରେ ନିଜ ମାତୃଭାଷାକୁ ଆଦର କରିବା ଓ ବ୍ୟବହାର କରିବା ଉପରେ ଜୋର ଦେବା ପାଇଁ ଆଜିର ଅଧିବେଶନରେ ଓଡିଆମାନଙ୍କୁ ନିବେଦନ କରାଯାଇଛି। ସାରା ରାଜ୍ୟରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆଗାମୀ ମାସଠାରୁ ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲା, ବ୍ଲକ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାହିତ୍ୟାନୁଷ୍ଠାନମାନଙ୍କରେ ସଭା ସମ୍ମିଳନୀ କରିବାକୁ ଅଧିବେଶନରେ ସ୍ଥିର ହୋଇଛି। ଏହି ସବୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ରାଜ୍ୟର ସମସ୍ତ ରାଜନୈତିକ ଦଳ, ଲେଖକ, ସାହିତ୍ୟିକ, ଛାତ୍ର, ଯୁବକମାନଙ୍କୁ ସମ୍ମିଳନୀ ପକ୍ଷରୁ ନିବେଦନ କରାଯାଇଛି।   ଏହି ଅଧିବେଶନକୁ ଉଦ‌୍‍ଘାଟନ କରିଥିଲେ ୧୯୫୪ ଓଡ଼ିଶା ସରକାରୀ ଭାଷା ଆଇନ‌୍‍ର ପ୍ରଣେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସୁପୁତ୍ରୀ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି । ଆଲୋଚନାରେ ଅଂଶଗ୍ରହଣ କରିଥିଲେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ପଚାଂନନ କାନୁନ‌୍‍ଗୋ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, କାର୍ତିକେଶ୍ୱର ପାତ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ବିଶିଷ୍ଟ ଲେଖକ ସାତକଡ଼ି ହୋତା, ଭାଷାବିତ‌୍‍ ଦେବୀପ୍ରସନ୍ନ ପଟ୍ଟନାୟକ, ଗାନ୍ଧୀବାଦୀ ନେତା ପଦ୍ମଚରଣ ନାୟକ, ବରିଷ୍ଠ ସାମ୍ୱାଦିକ ରବି ଦାସ, ଅଭୟ ଦ୍ୱିବେଦୀ, ପୂର୍ବତନ ବିଚାରପତି ହୃଦୟବଲ୍ଲଭ ଦାସ, ସାହିତ୍ୟିକ ଡ. ହରିଶ୍ଚନ୍ଦ୍ର ବେହେରା, ଡ. ବାସୁଦେବ ଦାସ, ସାମ୍ୱାଦିକ ରବି ରଥ, ଫ୍ରଫୁଲ ହୋତା, ଆଡଭୋକେଟ‌୍‍ ମଦନ ମୋହନ ନାୟକ, ଅଜ୍ଜୁର୍ନ ମହାକୁଡ, ସୀତାବଲ୍ଲଭ ମହାପାତ୍ର, ବାହାଦୂର ପାଟସାହାଣୀ, ବୈଲୋଚନ ଜେନା, ଚନ୍ଦ୍ର ବିଜୟ ମିଶ୍ର, ପ୍ରମୋଦିନୀ ହୋତା ଓ କୈଳାଶ ଚନ୍ଦ୍ର ସାମଲ ପ୍ରମୁଖ। ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଡକ୍ଟର ବିଜୟ ମହାନ୍ତି ଓ ଧନ୍ୟବାଦ ଦେଇଥିଲେ ନଟବର ମହାନ୍ତି। ଅଧିବେଶନର ପରିଚାଳନାରେ ସହାୟତା କରିଥିଲେ ଅମିତାଭ ଖିଲାର, ବିଶ୍ୱନାଥ ବେହେରା, ସୁନୀଲ ରାଉତ, ସରୋଜ ବିଶ୍ୱାଳ, ସାଗର ପରିଡ଼ା ପ୍ରମୁଖ।

Share :