ଆହାଃ! କି ଦରଦ!!

ଆହାଃ! କି ଦରଦ!!

Share :

  ଅକ୍ଟୋବର ୧୭ ତାରିଖ ସନ୍ଧ୍ୟାରେ ସମ୍‌ ହସ୍ପିଟାଲରେ ଅପରାଧିକ ଅବହେଳା କାରଣରୁ ୨୧ ଜଣଙ୍କ ଜୀବନହାନୀ ଘଟିବା ପାଇଁ ଯେ ଏଇ ହସ୍ପିଟାଲ କର୍ତ୍ତୃପକ୍ଷ ଦାୟୀ ତାହାର ଅନେକ ପ୍ରମାଣ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପୁଲିସ ବିଭାଗ ସମେତ ଗଣମାଧ୍ୟମ ନିକଟରେ ଗଚ୍ଛିତ ଅଛି। ଏହି ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ନିଜର ଦୋଷ ରହିଥିବା ଜାଣିଥିବାରୁ ଘଟଣାର ମୋଡ଼ ବୁଲାଇବା ପାଇଁ ଅନେକ ଉଦ୍ୟମ କରିଛନ୍ତି। ଯେହେତୁ ନବୀନ ପଟ୍ଟନାୟକ ସରକାରର ଅଂଶୀଦାର ଥିବା ବହୁ ନେତା ଓ ଅଫିସର ଏହି ହସ୍ପିଟାଲ ମାଲିକଙ୍କଠାରୁ ବିଭିନ୍ନ ଭାବରେ ଉପକୃତ ହୋଇଛନ୍ତି ବା ତାଙ୍କର ସହଯୋଗୀ ଅଛନ୍ତି ସେହେତୁ ଏହି ଘଟଣାର ସରକାରୀ ସ୍ତରୀୟ ତଦନ୍ତ ନିରପେକ୍ଷ ହେବ ନାହିଁ ବୋଲି ଅନେକ ଲୋକ ଆଶଙ୍କା କରୁଛନ୍ତି।   ତାଙ୍କର କେତେ ଦରଦ?   ଏହି ଗଣମୃତ୍ୟୁ ପାଇଁ କେମିତି ନା କେମିତି ସେ ଓ ତାଙ୍କ ସଂସ୍ଥା ଦାୟୀ ବୋଲି ସମ୍ଭବତ ମୂଳରୁ ବୁଝି ଯାଇଥିଲେ ସମ୍‌ ଓ ସୋଆର ମୁଖ୍ୟ ମନୋଜ ନାୟକ। ସେଥିପାଇଁ ସେ ଅକ୍ଟୋବର ୧୭ ତାରିଖ ସନ୍ଧ୍ୟାରୁ ଅକ୍ଟୋବର ୧୯ ତାରିଖ ରାତି ୩.୩୦ ଘଣ୍ଟା ଯାଏଁ ଜନ ସାଧାରଣ ଓ ଗଣମାଧ୍ୟମଠାରୁ ଲୁଚି ରହିଲେ। ଏ ସଂପର୍କରେ ସେ କୌଣସି ଗଣମାଧ୍ୟମରେ କିଛି କହିଲେ ନାହିଁ। ଏପରିକି ତାଙ୍କ ନିଜର ପ୍ରମେୟ ଓ ନ୍ୟୁଜ-୭ ଚାନେଲରେ ମଧ୍ୟ କିଛି କହିଲେ ନାହିଁ। ଲୋକେ ଭାବିଲେ ସେ ଫେରାର ହୋଇଗଲେ। ପୁଲିସ ତାହା ହିଁ ଭାବିଲା ଓ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା।   ସେଦିନ ସନ୍ଧ୍ୟାର ଘଟଣାରେ ସମ୍‌ ହସ୍ପିଟାଲକୁ ଭଲ ହେବାର ଆଶା ନେଇ ଆସିଥିବା ଅନେକ ରୋଗୀଙ୍କ ମଧ୍ୟରୁ ୨୧ ଜଣ ପ୍ରାଣ ହରାଇଲେ। ରୋଗୀ ଓ ତାଙ୍କର ସଂପର୍କୀୟମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ଅଥଚ ଘଟଣାସ୍ଥଳରେ ମାଲିକ ମନୋଜ ନାୟକଙ୍କକୁ ଦେଖିବାକୁ ମିଳିଲା ନାହିଁ। କାହିଁକି ସେ ଲୁଚିଥିଲେ? ତାଙ୍କ ମନରେ କି ଭୟ ଥିଲା? ଲୋକେ ପିଟିବେ? ପୁଲିସ ଗିରଫ କରିବ? ଏଭଳି ଭୟ ବା ଆଶଙ୍କା କାହିଁକି? ନିଜ ପାପ ନିଜ ମନରେ ଥିଲା!   ସେଇ ସନ୍ଧ୍ୟାରୁ କେତେ ଲୋକ କେଉଁଠୁ ଆସି ରୋଗୀମାନଙ୍କୁ ବିଭିନ୍ନ ଭାବରେ ସହାୟତା କଲେ। ସେମାନଙ୍କ ଦୁଃଖସୁଖ ବୁଝିଲେ। ଚିକିତ୍ସା ସେବା କଥା ପଚାରିଲେ। କିନ୍ତୁ ଯେଉଁଠି ସେମାନେ ଏ ଦୁର୍ଦ୍ଦଶାରେ ପଡ଼ିଲେ ସେ ସଂସ୍ଥାର ମୁଖ୍ୟ ମନୋଜ ନାୟକଙ୍କୁ କେହି କେଉଁଠି ଦେଖିଲେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସିପିଏମ ନେତା ଡି. ରାଜା ପ୍ରମୁଖ ବିଭିନ୍ନ ହସ୍ପିଟାଲ ବୁଲି ରୋଗୀଙ୍କ କଥା ବୁଝିଲେ। ତା’ ପର ଦିନ ଦିଲ୍ଲୀରୁ ଆସି ରୋଗୀଙ୍କ କଥା ବୁଝିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ। କିନ୍ତୁ ସମ୍‌ ମାଲିକ ମନୋଜ ନାୟକଙ୍କୁ ସମୟ ହେଲା ନାହିଁ!   ସେ ଯଦି ବିଭିନ୍ନ ହସ୍ପିଟାଲ ବୁଲି ରୋଗୀଙ୍କ ପୀଡ଼ା ଓ ଯନ୍ତ୍ରଣାର ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରିଥାନ୍ତେ, ସମସ୍ତଙ୍କୁ ଆଶା ଓ ଆଶ୍ବାସନା ଦେଇଥାନ୍ତେ, କଥାଟା କେମିତି ହୋଇଥାନ୍ତା? ସାଧାରଣ ଲୋକ, ଗଣମାଧ୍ୟମ ଓ ପୁଲିସ ଜେରାର ସାମ୍ନା କରିବାକୁ ସାହସ ବାନ୍ଧିଥିଲେ କ’ଣ ହୋଇଥାନ୍ତା? ସେ କହିଥାନ୍ତେ, ହଁ, ଏହା ଏକ ଦୁର୍ଘଟଣା ଥିଲା। ଆମର କିଛି ଭୁଲ ବି ଥିଲା। ଆମେ ତାହା ସୁଧାରିବୁ। ସରକାର ଯାହା କହିବେ କରିବୁ, ଆଇନ ଯାହା ଦଣ୍ଡଦେବ ଗ୍ରହଣ କରିବୁ। ଏତିକି କଥା ଯଦି ସେ ସର୍ବସମ୍ମୁଖରେ କହିଥାନ୍ତେ ତେବେ ତାହା କି ବାର୍ତ୍ତା ଦେଇଥାନ୍ତା?   ମାତ୍ର, ସେ ଲୁଚିଲେ। ଆଉ ଲୁଚିଲେ ବୋଲି ତାଙ୍କ ଦୋଷ ଧରାପଡ଼ିଲା।   ସରକାର କେତେ ସ୍ବଚ୍ଛ?   ଏହା ପୂର୍ବର ଅନ୍ୟ ବହୁ ଘଟଣା ପରି ଏ ଘଟଣାରେ ମଧ୍ୟ ଓଡ଼ିଶା ସରକାରଙ୍କ କଳାପର୍ଦ୍ଦା ପଛର ସ୍ବଚ୍ଛତା ପଦାରେ ପଡ଼ିଯାଇଛି। ଏତେ ବଡ଼ ଘଟଣା ପ୍ରଥମରୁ ପୁଲିସକୁ ନଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଡିଏମଇଟିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ସୁପାରିଶ ନକରି ଆରଡିସି ସ୍ତରୀୟ ତଦନ୍ତ ଘୋଷଣା କଲେ। ଏଇଥିରୁ ଏ ତଦନ୍ତ ନିରପେକ୍ଷ ହେବ କି ନାହିଁ ତାହା ସ୍ପଷ୍ଟ ହୋଇଯାଇଛି। କ୍ଷମତାସୀନ ନେତା ଓ ପ୍ରଭାବଶାଳୀ ବ୍ୟବସାୟୀଙ୍କ କ୍ଷେତ୍ରରେ ଯେ ଆଇନ ତା ବାଟରେ ଯାଏ ନାହିଁ, ନବୀନ ନିବାସ ଆଡ଼େ ବୁଲିଯାଏ, ତାହା ଏହା ପୂର୍ବରୁ ଅନେକ ଘଟଣାରୁ ଜଣାପଡ଼ି ସାରିଛି। ଏ କ୍ଷେତ୍ରରେ ଆଇନ ଯେ ବାଟ ଭାଙ୍ଗି ନିରପେକ୍ଷତା ଆଡ଼େ ଗତି କରିବ ସେଭଳି ଆଶା ଆକାଶ କୁସୁମରେ ପରିଣତ ହୋଇପାରେ।   ତା’ ନହେଲେ ସରକାର ଏ ହସ୍ପିଟାଲକୁ ଏଯାଏଁ ସଂପୂର୍ଣ୍ଣ ସିଲ୍‌ ନକରି ଅନୁକମ୍ପା ପ୍ରଦର୍ଶନ କରିଛନ୍ତି କି ଉଦ୍ଦେଶ୍ୟରେ। ଏହାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ବୋଲି ସରକାରଙ୍କ ଅଙ୍ଗ ଅଗ୍ନିଶମ ବିଭାଗ କହିସାରିଛି। ଏହାର ରୋଗୀ ସେବା ଲାଇସେନ୍ସ ନାହିଁ ବୋଲି ଡିଏମଇଟି କହିସାରିଛି। ତା’ ସତ୍ତ୍ବେ ହସ୍ପିଟାଲ ଚାଲିଛି କେମିତି?   ହସ୍ପିଟାଲ କର୍ତ୍ତୃପକ୍ଷ ଯଦି ନିରପେକ୍ଷ ତଦନ୍ତ ଚାହୁଁଥାନ୍ତେ ତେବେ ଖଣ୍ଡିଗିରି ଥାନା ଆଗରେ ମନୋଜଙ୍କ ଗିରଫଦାରି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଲା କେମିତି? କିଏ କଲା? ସେ ତ’ ରାତି ୩.୩୦ ଘଣ୍ଟାରେ ଆତ୍ମସମର୍ପଣ କଲେ ବୋଲି ଗିରଫ ହେଲେ! ପୁଲିସ କୋଉଠି ତାଙ୍କୁ ଜୋରଜବରଦସ୍ତି ବେଆଇନ ଭାବେ ଗିରଫ କରିଛି କି? ଏଭଳି ବିକ୍ଷୋଭର ଉଦ୍ଦେଶ୍ୟ କ’ଣ? ଦାବି କ’ଣ? ମନୋଜଙ୍କୁ ଛାଡ଼ିବା ପାଇଁ ଯଦି ଗିରଫ କରାଯାଇଛି ତେବେ ତଦନ୍ତ କୁଆଡ଼େ ଯିବ?

Share :