ନୀଳାଚଳରେ ପଡ଼ିବ ତାଲା, ସରକାର ଚୁପ‌୍‍!

ନୀଳାଚଳରେ ପଡ଼ିବ ତାଲା, ସରକାର ଚୁପ‌୍‍!

Share :

  ଯାଜପୁର ଜିଲ୍ଳାର ଏକମାତ୍ର ରାଷ୍ଟ୍ରାୟତ୍ତ ତଥା ସ୍ୱର୍ଗତ ବିଜୁବାବୁଙ୍କ ସ୍ୱପ୍ନର କଳିଙ୍ଗନଗରର ପ୍ରଥମ ଇସ୍ପାତ ଉତ୍ପାଦନକ୍ଷମ ଶିଳ୍ପ ନୀଳାଚଳ ଇସ୍ପାତ ନିଗମ ଗତ ୧୨ ବର୍ଷ ମଧ୍ୟରେ ୧୦୭୧.୫୨ କୋଟି ଟଙ୍କାର କ୍ଷତି କରିସାରିଚି। ଏହି କ୍ଷତି ଏହି ଶିଳ୍ପସଂସ୍ଥାର ଅଣ୍ଟା ଭାଙ୍ଗି ଦେଇଥିବାବେଳେ ସଂପ୍ରତି ଏହାର ମୁଖ୍ୟ ନିବେଶକ ଏମ‌୍‍ଏମ‌୍‍ଟିସିର ଚକ୍ରବ୍ୟୁହରେ ଏବେ ନୀଳାଚଳକୁ ସଂପୂର୍ଣ୍ଣ ଦେବାଳିଆ କରିସାରିଛନ୍ତି।   କାଉ ଖାଇଲା ପଣସ ବଗ ମୁଣ୍ଡରେ ଅଠା ସଦୃଶ୍ୟ ଏମ‌୍‍ଏମ‌୍‍ଟିସି ଏବେ ନୀଳାଚଳ ଉପରେ ଅର୍ଥଭାର ଲଦି କାରଖାନା ବନ୍ଦ କରିବାର ଚକ୍ରାନ୍ତ କରୁଥିବା ବେଳେ ଏହାକୁ ବିସ୍ଥାପିତ ସଂଘ ତୀବ୍ର ବିରୋଧ କରିଛି। ଏମ‌୍‍ଏମ‌୍‍ଟିସି ଶତକଡା ୩ ପ୍ରତିଶତ ହାରରେ ନୀଳାଚଳଳୁ କଂଚାମାଲ ଯୋଗାଇବା ଏବଂ ଉତ୍ପାଦନ ହେଉଥବା ମାଲକୁ ବଜାରରରେ ବିକ୍ରି କରିବାର ଦାୟିତ୍ୱରେ ରହିଥିବାବେଳେ ଏହି ଭିତ୍ତିରେ ଏମ‌୍‍ଏମ‌୍‍ଟିସି ୨୦୦୭ ମସିହାରେ ଅଷ୍ଟ୍ରେଲିଆର ଏକ କମ୍ପାନୀ ଆଙ୍ଗଲୋ କୋଲ‌୍‍ ସହ ଏକ ୩ ବର୍ଷିୟା ଚୁକ୍ତି ହୋଇଥିଲା। ଏମ‌୍‍ଏମ‌୍‍ଟିସି ଉକ୍ତ କମ୍ପାନୀରୁ କୋଇଲା ଆଣି ନୀଳାଚଳକୁ ପ୍ରଦାନ କରୁଥିବାବେଳେ ବଜାରରେ ଏହି କୋଇଲାର ମୂଲ୍ୟ ୩୦୦ ଡଲାର ବୃଦ୍ଧି ହେବା କାରଣରୁ ଏମ‌୍‍ଏମ‌୍‍ଟିସି କୋଇଲା ନନେବାରୁ ଅଷ୍ଟ୍ରେଲିଆର ଉକ୍ତ କମ୍ପାନୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲା। ପ୍ରଶାସନ ହସ୍ତକ୍ଷେପ କରି ଉକ୍ତ କମ୍ପାନୀକୁ କ୍ଷତିପୂରଣ କରିବାକୁ  ନିର୍ଦ୍ଦେଶ ଦେଇଥିବାବେଳେ ଏହାକୁ ଚ୍ୟାଲେଂଜ କରି ଏମ‌୍‍ଏମ‌୍‍ଟିସି ମାନ୍ୟବର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା।  ଏମ‌୍‍ଏମ‌୍‍ଟିସି ତରଫରୁ ଓକିଲ ପି. ଚିଦାମ୍ୱରମ‌୍‍ ରହିଥିବାବେଳେ ସେଠାରେ ମଧ୍ୟ ଏମ‌୍‍ଏମ‌୍‍ଟିସି ମକଦ୍ଦମା ହାରିଯାଇଥିଲା।   ୨୦୧୫ ମସିହାରେ ଏହି ମକଦ୍ଦମାର ରାୟ ପ୍ରକାଶ ପାଇଥିଲା। ସୁଧମୂଳ ସହ ଏମ‌୍‍ଏମ‌୍‍ଟିସି ଅଷ୍ଟ୍ରେଲିଆ କୋଇଲା କମ୍ପାନୀକୁ ୯୫୦ କୋଟି ଟଙ୍କା ପ୍ରଦାନ କରିବାକୁ ନ୍ୟାୟାଳୟ ଏହି ରାୟରେ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଠାରୁ ନିର୍ଦ୍ଦେଶ ପାଇବାପରେ ଏମ‌୍‍ଏମ‌୍‍ଟିସି ଉକ୍ତ ଦେୟ ପଇଠ କରିବାକୁ ନୀଳାଚଳ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲା। ଏହି କୋଇଲା କମ୍ପାନୀ ସହ ହୋଇଥିବା ଚୁକ୍ତି କିମ୍ୱା ଏହି ଦେୟ ସହ ନୀଳାଚଳର କୌଣସି ସଂପର୍କ ନାହିଁ ବୋଲି କମ୍ପାନୀ ଏମ‌୍‍ଏମ‌୍‍ଟିସି କର୍ତ୍ପକ୍ଷଙ୍କୁ ୨୦୧୫ ମସିହାରେ ଗୋଟିଏ ଓ ୨୦୧୬ରେ ୨ଟି ଚିଠି ମାଧ୍ୟମରେ ଜଣାଇ ଦେଇଥିଲା।   ଏହି ଦେୟ ବିବାଦରୁ ନୀଳାଚଳ ଓ ଏମ‌୍‍ଏମ‌୍‍ଟିସି ମଧ୍ୟରେ ମତପାର୍ଥକ୍ୟ ଓ ବ୍ୟବଧାନ ସୃଷ୍ଟି ହୋଇଥିଲା। ବିବାଦ ଭିତ୍ତିରେ ଏମଏମଟିସି ନୀଳାଚଳର ସଂପ୍ରସାରଣ ବନ୍ଦ କରିବା ସହିତ ୨୦୧୫-୧୬ ମସିହା ବାର୍ଷିକ ରିପୋର୍ଟରେ ଉକ୍ତ ୯୫୦ କୋଟି ନୀଳାଚଳ ପ୍ରଦାନ କରିବ ବୋଲି ଉଲ୍ଲେଖ କରିଥିଲା। ଉକ୍ତ ଘଟଣାକୁ ନେଇ ଏମ‌୍‍ଏମ‌୍‍ଟିସି ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ ପଡ଼ିଚଇ। ଗତ ମାସ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏମ‌୍‍ଏମ‌୍‍ଟିସିର ଅଂଶୀଦାରମାନଙ୍କର ବାର୍ଷିକ ସାଧାରଣ ବୈଠକରେ ଏହି ବିବାଦୀୟ ଦେୟ ନୀଳାଚଳ ଦେବ ବୋଲି ନିଷ୍ପତ୍ତି ହୋଇଛି। ନୀଳାଚଳର ଉଦ୍ଧାର ଦାୟିତ୍ବ ନେଇଥିବା ଏମଏମଟିସି ନୀଳାଚଳ ଉପରେ ଏହି ୯୫୦ କୋଟି ଟଙ୍କାର ଭାର ଲଦିଲେ ତାହା କମ୍ପାନୀକୁ ସଂପୂର୍ଣ୍ଣ ଦେବାଳିଆ କରିବା ସହ ନୀଳାଚଳର ଅସ୍ତିତ୍ବ ଲୋପ କରିବାର ଆଶଙ୍କା ରହିଛି ବୋଲି ନୀଳାଚଳ ବିସ୍ଥାପିତ ସଂଘର ନେତାର ବାବୁଲି ପୂର୍ତ୍ତି ମତ ରଖିଛନ୍ତି।

Share :