ସମ୍‌-ଏକ ଅସାଧୁ ମେଣ୍ଟର ଇତିବୃତ୍ତ

ସମ୍‌-ଏକ ଅସାଧୁ ମେଣ୍ଟର ଇତିବୃତ୍ତ

Share :

ଦେବେନ୍ଦ୍ର ପୃଷ୍ଟି   ସମ୍‌ ହସ୍ପିଟାଲ ମାଲିକଙ୍କ ସହ ବିଭିନ୍ନ ଦଳର ନେତା ଓ ଶାସନ କଳର ବାବୁମାନଙ୍କର ରହିଛି ଅସାଧୁ ଓ ଅପରାଧିକ ସଂପର୍କ। ଖାସ୍‌ ଏଇ ସଂପର୍କର ଭିତ୍ତିରେ ହସ୍ପିଟାଲ ଚାଲିଛି ବେଆଇନ। ଅକ୍ଟୋବର ୧୭ ତାରିଖ ମାନବିକ କୁପରିଚାଳନା ଯୋଗୁଁ ଏଯାଏଁ ୨୧ ଲୋକଙ୍କ ଜୀବନହାନୀ ହେବା ସତ୍ତ୍ବେ ହସ୍ପିଟାଲକୁ ବନ୍ଦ କରି ନାହାନ୍ତି ରାଜ୍ୟ ସରକାର। ଲାଇସେନ୍ସ ନଥାଇ ମଧ୍ୟ ହସ୍ପିଟାଲ ଚାଲିଛି। ଏହା ପୁଣି ବିଜ୍ଞାପନ ଆକାରରେ ପ୍ରଚାର କରିଛି ସମ୍‌ ହସ୍ପିଟାଲ।   ଏ ବହପର ବଳ କିଏ? କାରଣ କ’ଣ? କାହା ବଳରେ ସମ୍‌ ମାଲିକଙ୍କର ୨୧ ଖୁଣ୍‌ ମାଫ୍‌ କରୁଛନ୍ତି ରାଜ୍ୟ ସରକାର? କି ଅପରାଧିକ ସଂପର୍କ ବା କ୍ରିମିନାଲ ନେକ୍ସସ ଅଛି? ଏସବୁ ପ୍ରଶ୍ନ ପଚାରିବା ପାଇଁ ଏବେ ହିଁ ପ୍ରକୃଷ୍ଟ ସମୟ।   ୧. ମୃତ୍ୟୁର କୋଳାହଳ ଏବଂ କୁପରିଚାଳନା   ଅକ୍ଟୋବର ୧୭ ସନ୍ଧ୍ୟା ସାଢ଼େ ସାତଟା। ରାଜଧାନୀର ସମ୍‌ ହସ୍ପିଟାଲରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଲା। ନିଆଁ କମ, ଧୂଆଁ ବେଶି ବାହାରିଲା। ଦି’ଟା ୱାର୍ଡ଼ ପାଇଁ ପୂରା ହସ୍ପିଟାଲର ରୋଗୀଙ୍କୁ ବାହାର କରିଦିଆଗଲା। ଡାଏଲିସିସ ଓ ମେଡିସିନ ଆଇସିୟୁରେ ସ୍ପାର୍କିଂ ହେଇ ନିଆଁ ବାହାରୁଥିଲା। ହସ୍ପିଟାଲରେ ବିଦ୍ୟୁତ ବିଶେଷଜ୍ଞ ଥିଲେ ଏହାକୁ ତୁରନ୍ତ ଆୟତ୍ତ କରାଯାଇ ପାରିଥାନ୍ତା। ସର୍ଟ ସର୍କିଟ ଘଟିବା ଓ ତଜ୍ଜନିତ ବିପଦ ଆଡେଇଯିବା କଥା ବଡ଼ କଥା ନୁହେଁ କି ସେଥିପାଇଁ ବିଶ୍ବ ସ୍ତରୀୟ ବିଦ୍ୟୁତ ଯନ୍ତ୍ରୀଙ୍କର ଆବଶ୍ୟକତା ନାହିଁ।   ନିଆଁ ଲାଗିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୌଜନ୍ୟରୁ ଆତଙ୍କର ପ୍ରଚାର କରାଗଲା। ଜରୁରୀ ଘୋଷଣା ବ୍ୟବସ୍ଥା ଜରିଆରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟମାନଙ୍କୁ କୁହାଗଲା, ହସ୍ପିଟାଲରେ ନିଆଁ ଲାଗି ଯାଇଛି। ସମସ୍ତେ ହସ୍ପିଟାଲ ଛାଡ଼ି ପଳାନ୍ତୁ। ଏମିତି ବାରମ୍ବାର ଘୋଷଣା କରାଯିବାରୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଆତଙ୍କିତ ହେବା ସ୍ବାଭାବିକ। ଆଉ ସେଇ ସ୍ବାଭାବିକ ଆତଙ୍କ ଭିତରେ ଘଟିଲା ଅସ୍ବାଭାବିକ ଘଟଣା। ଯିଏ ଯେମିତି ପାରିଲା ରୋଗୀମାନଙ୍କୁ ବେଡ୍‌ରୁ ବୋହିନେବାରେ ଲାଗିଲେ। ଅଯୋଗ୍ୟ ଓ ଅନଭିଜ୍ଞ ସାଧାରଣ ଲୋକମାନେ ବି ମାନବିକତା ପ୍ରଦର୍ଶନ କରିବାକୁ ଯାଇଁ ରୋଗୀର ପରିସ୍ଥିତି ଭୁଲିଗଲେ।   ଏହି ହୋହାଲ୍ଲା ଭିତରେ କେହି ଜଣେ ହସ୍ପିଟାଲର ବିଦ୍ୟୁତ ସରବରାହ କାଟିଦେଲେ। ସେତେବେଳେ ଆଇସିୟୁ ଓ ଡାଏଲିସିସରେ ଥିବା ରୋଗୀମାନଙ୍କ ଦେହରେ ବିଭିନ୍ନ ଯନ୍ତ୍ର ଲାଗିଥିଲା। ତାହା ସବୁ ବିଦ୍ୟୁତ ଶକ୍ତିରେ ଚାଲିଥିଲା। ବିଦ୍ୟୁତ ସରବରାହ ବନ୍ଦ ହେବାରୁ ଯନ୍ତ୍ର ସବୁ ଅଚଳ ହୋଇଗଲା। ଯନ୍ତ୍ର ଅଚଳ ହେବାରୁ ରୋଗୀ ମରିଗଲେ। ଏହି ହତ୍ୟା ଦୋଷ ଲୁଚାଇବାକୁ ଗଣମାଧ୍ୟମ ଜରିଆରେ ଏହାକୁ ଏକ ‘ଭୟାବହ ଅଗ୍ନିକାଣ୍ଡ’ର ରୂପ ଦିଆଗଲା।   ପଚାରନ୍ତୁ ଡାକ୍ତର ଅକ୍ଷୟ ରାଉତଙ୍କୁ। ତାଙ୍କ ମନରେ ଏ ନେଇ ଅନେକ ପ୍ରଶ୍ନ। ହସ୍ପିଟାଲରେ ଯଦି ଅଗ୍ନିଶମ ବ୍ୟବସ୍ଥାର ସବୁ ଯନ୍ତ୍ର ଥାଆନ୍ତା କିନ୍ତୁ ତାକୁ ଚଳାଇ ଶିଖିଥିବା ଲୋକ ନଥାନ୍ତେ ତେବେ କ’ଣ ଲୋକେ ବଂଚିଥାନ୍ତେ? ଯନ୍ତ୍ର ଥାଉ ବା ନଥାଉ ଯଦି ସରକାରୀ ସାର୍ଟିଫିକେଟ ହସ୍ପିଟାଲର ସବୁ କାନ୍ଥରେ ଟଙ୍ଗା ଯାଇଥାନ୍ତା ତେବେ କ’ଣ ଲୋକେ ମରି ନଥାନ୍ତେ? ଯେଉଁ ଇଲେକ୍ଟ୍ରିସିଆନଙ୍କୁ ସସ୍‌ପେଣ୍ଡ କରାଯାଇଛି ଓ ଯେଉଁ ଚାରି ଜଣଙ୍କୁ ଗିରଫ କରାଯାଇଛି ସେମାନେ ହସ୍ପିଟାଲରେ ଚାକିରି କରି ନଥିଲେ କ’ଣ ଏ ମୃତ୍ୟୁକୁ ରୋକି ହୋଇଥାନ୍ତା?   ଡାକ୍ତର ରାଉତଙ୍କ ପ୍ରଶ୍ନରୁ ହିଁ ସମ୍‌ ଗଣହତ୍ୟାର ପ୍ରକୃତ କାରଣ ଜଣାପଡ଼େ। ବାସ୍ତବରେ ଭେଣ୍ଟିଲେଟର, ଅକ୍ସିଜେନ ଓ ଅନ୍ୟାନ୍ୟ ବ୍ୟବସ୍ଥାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବାରୁ ଏତେ ଲୋକ ଜୀବନ ହରାଇଲେ। ଏହି ଘଟଣାର ନିରପେକ୍ଷ ପୁଲିସ ତଦନ୍ତ ହୋଇଥିଲେ ତାହା ଗଣହତ୍ୟାର ରୂପ ନେଇଥାନ୍ତା। ସେହି ଦୋଷରେ ହୁଏତ ହସ୍ପିଟାଲ ମାଲିକଙ୍କୁ ଫାଶି ହୋଇଥାନ୍ତା। କିନ୍ତୁ ଏବେ ଆଉ ଏହା ହତ୍ୟାକାଣ୍ଡ ନୁହେଁ, ଦୁର୍ଘଟଣା।   ଏହାକୁ ଦୁର୍ଘଟଣା ସାବ୍ୟସ୍ତ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତରଖାନାରେ ନିଆଁ ଲାଗିଗଲା ବୋଲି ପ୍ରଚାର କଲେ। ଦେଖିଲା ବେଳକୁ ନିଆଁରେ କିଛି ପୋଡ଼ି ନାହିଁ! କୌଣସି ଜଣେ ହେଲେ ରୋଗୀ ନିଆଁରେ ଜଳି ନାହିଁ। ଏମିତି କି ବେଡ୍‌ ଓ ଅନ୍ୟାନ୍ୟ ସଂରଜାମ ସବୁ ଅକ୍ଷତ ରହିଛି। ଏସବୁ ଅକ୍ଷତ ରହିଛି ବୋଲି ହିଁ ସମ୍‌ ହସ୍ପିଟାଲ ପରିଚାଳକ ଡାକ୍ତରଖାନା ସେବା ଦିନକ ଭିତରେ ସ୍ବାଭାବିକ ହେଲା ବୋଲି ସଗର୍ବେ ଘୋଷଣା କରିଛନ୍ତି। ଏସଂପର୍କରେ ଅକ୍ଟୋବର ୧୯ ତାରିଖରେ ତାଙ୍କ ନିଜ ପରିଚାଳନାଧୀନ ପ୍ରମେୟ ସମେତ ଅନ୍ୟ ବହୁ କାଗଜରେ ବିଜ୍ଞାପନ ପ୍ରକାଶ ପାଇଛି।   ଏହା ଯଦି ଏତେ ବଡ଼ ଦୁର୍ଘଟଣା ଥିଲା ତେବେ ଦିନକ ଭିତରେ କେମିତି ରୋଗୀ ସେବା ସ୍ବାଭାବିକ ହେଲା? ଯଦି କିଛି ହୋଇ ନଥିଲା ତେବେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ଟ୍ରାନ୍ସଫର କରାଯାଇଥିଲା କାହିଁକି? ଉଦ୍ଦେଶ୍ୟହୀନ ହତ୍ୟା ଦୋଷ ଲୁଚାଇବା ପାଇଁ?   ସେଦିନ ହସ୍ପିଟାଲ କର୍ମଚାରୀଙ୍କ ଭୁଲ୍‌ରୁ ଲୋକେ ମରିଯିବା ପରେ ସମ୍‌ ହସ୍ପିଟାଲର ସଂଯୁକ୍ତ ସଂସ୍ଥା ଆଇଟିଇଆର ଓ ଅନ୍ୟାନ୍ୟ ଶିକ୍ଷା ଦୋକାନର ଛାତ୍ରଛାତ୍ରୀମାନଙ୍କୁ କର୍ତ୍ତୃପକ୍ଷ ଡକାଇ ଆଣି ହସ୍ପିଟାଲ ଚାରିକଡ଼େ ଗହଳି କରାଇଲେ। ସେମାନଙ୍କୁ ରୋଗୀଙ୍କୁ ଉଦ୍ଧାର କରାଇବା କାର୍ଯ୍ୟରେ ଲଗାଇବା ବାହାନାରେ ମେଡିସିନ ଆସିୟୁ ଓ ଡାଏଲିସିସ ୱାର୍ଡ଼ରେ ଥିବା ଅଧିକାଂଶ ରୋଗୀଙ୍କ କାଗଜପତ୍ର ନେଇଗଲେ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଛି। ନିବୁଜ କୋଠାରୀରେ ଧୂଆଁ ଅବଶ୍ୟ କିଛି ଲୋକଙ୍କୁ ଅଣନିଶ୍ବାସୀ କରିଥିବ। କିନ୍ତୁ ଯେଉଁମାନେ ଅକ୍ଦିଜେନ ମୁଖା ପିନ୍ଧିଥିଲେ ସେମାନେ କେମିତି ଅଣନିଶ୍ବାସୀ ହେଲେ?   ୨. ଅପରାଧିକ ମେଣ୍ଟ   ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟର ପ୍ରମୁଖ ଦଳଗୁଡ଼ିକର ଅନୈତିକ ଅପରାଧିକ ସଂପର୍କ ରହିଛି।   ୨୦୧୫ ନଭେମ୍ବର ଶେଷ ସପ୍ତାହରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ଏହାର ସମସ୍ତ ଖର୍ଚ୍ଚ ଏହି ବିଶ୍ବବିଦ୍ୟାଳୟର ମାଲିକ ମନୋଜ ନାୟକ ବହନ କରିଥିଲେ ବୋଲି ରାଜନୀତିକ ମହଲରେ ସ୍ବାଭାବିକ ଭାବେ ଚର୍ଚ୍ଚା ହୋଇଥାଏ। ରାଜ୍ୟ ବିଜେପିର ବର୍ତ୍ତମାନର ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନ ଏବିଭିପିରୁ ହିଁ ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ବର୍ତ୍ତମାନର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ରାଜନୀତିକ ଜୀବନ ମଧ୍ୟ ଏବିଭିପିରୁ ଆରମ୍ଭ ହୋଇଛି।   ସମ୍‌ ହସ୍ପିଟାଲ ନିଆଁ ବିଷୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖବର ପାଇବା ପୂର୍ବରୁ ଦିଲ୍ଲୀରେ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଥିପାଇଁ ଉଦବେଗ ପ୍ରକାଶ କରିବା ପଛର କାହାଣୀ କ’ଣ ଏଇ ରାଜନୀତିକ ସଂପର୍କ ନୁହେଁ। ନହେଲେ ମାଲକାନଗିରିରେ ୫୮ ଶିଶୁ ଜାପାନିଜ ଏନ୍ସେଫାଲିଟିସିରେ ପ୍ରାଣ ହରାଇଥିଲେ ମଧ୍ୟ ଯେଉଁ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କ ହୃଦୟ ଆଦୌ ବିଚଳିତ ହୋଇନାହିଁ ସେମାନେ ସମ୍‌ ହସ୍ପିଟାଲରେ ୨୧ ଜଣଙ୍କ ଦୁର୍ଘଟଣା(!) ଜନିତ ମୃତ୍ୟୁକୁ ନେଇ ଏତେ ଉଦବିଗ୍ନ କାହିଁକି? ମାଲକାନଗିରି ଓ ଅନ୍ୟତମ ଶିଶୁ ମଡ଼କ ଅଂଚଳ ନଗଡ଼ା ଗସ୍ତ କରି ନଥିବା ନଡ୍ଡା ସମ୍‌ ହସ୍ପିଟାଲ ଘଟଣା ପାଇଁ କାହିଁକି ଦିନକ ଭିତରେ ଭୁବନେଶ୍ବର ପହଂଚିଗଲେ?   ଠିକ ସେହିଭଳି ବିଜେଡି ସଂପର୍କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏଁ ନଗଡ଼ା କି ମାଲକାନଗିରି ଯାଇ ନାହାନ୍ତି। ସେସବୁ ଇଲାକାରେ ଚିକିତ୍ସା ଅବହେଳାରୁ ଜୀବନ ହରାଉଥିବା ଶିଶୁମାନେ ତାଙ୍କ ପାଇଁ ବୋଧେ ଜଙ୍ଗଲୀ ପଶୁ! ସେଥିପାଇଁ ତାଙ୍କ ପ୍ରତି ଏଯାଏଁ ଦରଦ ପ୍ରକାଶ କରି ନଥିଲେ ମଧ୍ୟ ସମ୍‌ ହସ୍ପିଟାଲର ରୋଗୀଙ୍କୁ ଦେଖିବା ପାଇଁ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ବୁଲିଛନ୍ତି। ବାମପନ୍ଥୀ ନେତା ନେତା ଡି. ରାଜା ଓ ଅନ୍ୟ ଦଳର ନେତାଙ୍କର ମଧ୍ୟ ଏଇ ଆଭିମୁଖ୍ୟ। ଗରୀବ ଓ ନିଷ୍ପେଷିତ ଲୋକମାନେ ଗାଁ ଗହଳରେ ବା ଜଙ୍ଗଲ ଭିତରେ ମଲେ ମରନ୍ତୁ, ରାଜଧାନୀରେ ଅଧିକ ଟଙ୍କା ଦେଇ ଲୋକେ ମରିବେ, ଏହା ଅସହ୍ୟ!   ଅନେକ ଟିଭି ଚାନେଲ ଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି ଯେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଧର୍ମପତ୍ନୀ ବନ୍ଦନା ଖୁଣ୍ଟିଆ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ବା ସୋଆ’ର ଏକ କଲେଜରେ ଅଧ୍ୟାପିକା ଅଛନ୍ତି। ଅତନୁ ଓ ସୋଆ ମୁଖ୍ୟ ମନୋଜ ନାୟକ ଗୋଟିଏ ଜିଲ୍ଲାର ଲୋକ। ସୋଆର ଆଇଟିଇଆର, ସମ୍‌ ହସ୍ପିଟାଲ, ପ୍ରମେୟ ଖବରକାଗଜ ଓ ନ୍ୟୁଜ୭ ଟିଭିରେ ଅତନୁ ଓ ତାଙ୍କ ପରି ବିଭିନ୍ନ ଦଳର କେତେକ ରାଜନେତାଙ୍କର କଳାଟଙ୍କା ଧଳା ହେବାକୁ ଲାଗିଛି ବୋଲି ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି।   ମନୋଜ ନାୟକଙ୍କର ଅତୀତ ବି ବଡ଼ ବିଚିତ୍ର। ସେ ହେଉଛନ୍ତି ବିଜୁ ଜନତା ଦଳର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ବର୍ଗତ ନଳିନୀ ମହାନ୍ତିଙ୍କର ସଂପର୍କୀୟ। ଏକଦା ସେ ସିଟ୍ ବ୍ଲକିଂ ଓ ସିଟ୍ ଫିକ୍ଦିଂ ଆଦି ଅପରାଧରେ ଅଭିଯୁକ୍ତ ହୋଇ ଫେରାର ଥିଲେ। ସେତେବେଳେ ପୁଲିସ ତାଙ୍କୁ ଗିରଫ କରିବାକୁ ଅନେକ ଖୋଜାଖୋଜି କରିଥିଲା। ଏହା କଂଗ୍ରେସ ଅମଳର କଥା। ମୁଖ୍ୟମନ୍ତ୍ରୀ ଥିଲେ ଜାନକୀବାବୁ। ଶୁଣାଯାଏ ମନୋଜବାବୁ ସଂପର୍କୀୟ ନଳିନୀ ମହାନ୍ତିଙ୍କ ଜରିଆରେ ଜାନକୀବାବୁଙ୍କୁ ମନେଇଥିଲେ ଓ ଖସି ଯାଇଥିଲେ।   ୩. ଓଡ଼ିଶା ସରକାର ଅନ୍ଧ   ସମ୍‌ ହସ୍ପିଟାଲର ରୋଗୀ ଚିକିତ୍ସା ପାଇଁ ଲାଇସେନ୍ସ ନାହିଁ। ଏହି ଲାଇସେନ୍ସ ସ୍ବାସ୍ଥ୍ୟ ବିଭାଗ ଦେଇଥାଏ। ଆଗରୁ ବେଆଇନ ଭାବେ ରାଜ୍ୟ ସରକାର ଏହି ଲାଇସେନ୍ସ ଦେଇଥିଲେ। ଏହାର ଅବଧି ୨୦୧୬ ଏପ୍ରିଲ ମାସରୁ ଶେଷ ହୋଇଗଲାଣି। ଏହା ସତ୍ତ୍ବେ ହସ୍ପିଟାଲ ଚାଲିଛି। ଏହା କ’ଣ ସ୍ବାସ୍ଥ୍ୟ ବିଭାଗ ଜାଣି ନାହିଁ? ନା ଜାଣି ଅଜଣା? ଏପ୍ରିଲରୁ ଅକ୍ଟୋବର ୮ ମାସ ହେଲା ରାଜଧାନୀ ଭୁବନେଶ୍ବରରେ ଏତେ ବଡ଼ ବେଆଇନ କାମ ଚାଲିଛି, ହଜାର ହଜାର ଲୋକଙ୍କ ଜୀବନ ସହିତ ଖେଳ ଖେଳା ଯାଉଛି, ଅଥଚ ସରକାର ତାହା ବନ୍ଦ କରିବାକୁ ଚିନ୍ତା ବି କରି ନାହାନ୍ତି। କାହିଁକି କି? କି ସଂପର୍କ?   ୨୦୧୨ ମସିହାରୁ ଏହାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନାହିଁ। ଏହା ନଥାଇ ମଧ୍ୟ ହସ୍ପିଟାଲକୁ ରୋଗୀ ଚିକିତ୍ସା ଅନୁମତି କେମିତି ଦେଲା ସ୍ବାସ୍ଥ୍ୟ ବିଭାଗ? ଅଗ୍ନିଶମ ସେବା ବିଭାଗ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଓ ସ୍ବାସ୍ଥ୍ୟ ବିଭାଗର ଏବେକାର ମନ୍ତ୍ରୀ ହେଉଛନ୍ତି ଅତନୁ। ତାଙ୍କ ପୂର୍ବରୁ କୁହାଳିଆ ଦାମବାବୁ ଏଇ ବିଭାଗର ମନ୍ତ୍ରୀ ଥିଲେ। ସେ ବି କିଛି ଜାଣି ନଥିଲେ!   ଅକ୍ଟୋବର ୧୭ ତାରିଖ ଘଟଣାରେ ୨୧ ଲୋକଙ୍କ ଜୀବନ ଗଲାଣି। ଘଟଣାର ଦିନକ ପରେ ସମ୍‌ କର୍ତ୍ତୃପକ୍ଷ ଗଣମାଧ୍ୟମରେ ବିଜ୍ଞାପନ ଦେଇଛନ୍ତି ହସ୍ପିଟାଲ ସେବା ସ୍ବାଭାବିକ। ଏହା ବି କ’ଣ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନଜରରେ ପଡ଼ି ନାହିଁ? ଲାଇସେନ୍ସ ନଥିବା ଗୋଟେ ହସ୍ପିଟାଲ ସର୍ବସାଧାରଣରେ ଏଭଳି ଘୋଷଣା କଲା କେମିତି? କାହା ସାହସରେ? ବିଜ୍ଞାପନରେ ପୁଣି ଲେଖାଯାଇଛି, ‘ସରକାରୀ ସୂତ୍ରରୁ’ ମୃତ୍ୟୁସଂଖ୍ୟା ୨୦। ତା’ମାନେ ସମ୍‌ କର୍ତ୍ତୃପକ୍ଷ ଏ ମୃତ୍ୟୁକୁ ଅସ୍ବୀକାର କରୁଛି କି? ତାଙ୍କ ନିଜ ସୂତ୍ର କ’ଣ କହୁଛି? କିଛି ହୋଇନି! ସବୁ ଠିକ ଚାଲିଛି?

Share :