ହିନ୍ଦୁ ଧର୍ମ ନେଇ ଭ୍ରାନ୍ତ ଧାରଣା ଦୂର ହେବ!

ହିନ୍ଦୁ ଧର୍ମ ନେଇ ଭ୍ରାନ୍ତ ଧାରଣା ଦୂର ହେବ!

Share :

  ହିନ୍ଦୁ ଧର୍ମରେ ସେବା, ମାନବୀୟ ଭାବନା ଓଦାନ ଆଦିର ପରମ୍ପରା ନାହିଁ ବୋଲି ଯେଉଁ ଭ୍ରାନ୍ତ ଧାରଣା ତିଆରି କରାଯାଇଛି ଯାହା ବାସ୍ତବିକତା ଠାରୁ ସମ୍ପୂର୍ଣ ଭିନ୍ନ। ଏହି ଭ୍ରାନ୍ତ ଧାରଣକୁ  ଦୂର କରିବା ପାଇଁ ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ ସଙ୍ଗଠନ, ବ୍ୟକ୍ତିବିଶେଷଙ୍କ ସେବା କାର୍ଯ୍ୟକୁ ପ୍ରଦର୍ଶନ କରିବା ନିମିତ ଏକ ମଂଚ ପ୍ରଦାନ କରିବାକୁ ଏକ ଚାରି ଦିବସୀୟ ହିନ୍ଦୁ ଆଧ୍ୟାତ୍ମ ଓ ସେବା ମେଳା ଆସନ୍ତା ଡିସେମ୍ବର ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜଧାନୀର ବରମୁଣ୍ଡା ପଡିଆ ଠାରେ ଅନୁଷ୍ଠିତ ହେବ। ବିଶିଷ୍ଟ ଚିକିତ୍ସକ ତଥା ସୁନାମଧନ୍ୟ ସ୍ତମ୍ଭ ଲେଖକ ଏସ. ଗୁରୁମୂର୍ତ୍ତି ଅକ୍ଟୋବର ୧୬ ତାରିଖ ରବିବାର ଦିନ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।   ଶ୍ରୀ ଗୁରୁମୂର୍ତ୍ତି କହିଛନ୍ତି ଯେ ହିନ୍ଦୁଧର୍ମ ହିଁ ଭାରତର ପରିଚୟ। ତେଣୁ ଯେତେବେଳେ ହିନ୍ଦୁ ଧର୍ମ ବିଷୟରେ ଖରାପରେ ଚିତ୍ରଣ କରାଯାଏ ସେତେବେଳେ ଭାରତର ଭାବମୂର୍ତ୍ତି ମଧ୍ୟ ଖରାପ ହୋଇଥାଏ। ପାଶ୍ଚାତ୍ୟ ଦେଶମାନଙ୍କରେ ହିନ୍ଦୁ ଧର୍ମ ବିଷୟରେ  ଏପରି ଧାରଣା ତିଆରି କରାଯାଇଛି ଯେ ହିନ୍ଦୁ ଧର୍ମରେ ସେବା ଓ ମାନବୀୟ ମୂଲ୍ୟବୋଧର ଘୋର ଅଭାବ ରହିଛି। ଏପରି ଏକ ଭୁଲ ଧାରଣାକୁ ଦୂର କରିବା ପାଇଁ ସେ ଚେନ୍ନାଇ ଠାରେ ୨୦୦୯ ମସିହାରେ ହିନ୍ଦୁ ଆଧ୍ୟାତ୍ମିକ ଏବଂ ସେବା ମେଳାର ଆୟୋଜନ ଆରମ୍ଭ କରିଥିଲେ। ତାମିଲନାଡୁରେ କାମ କରୁଥିବା ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ ଓ ବିଭିନ୍ନ ଜାତିର ସଂଗଠନଙ୍କ ଦ୍ୱାରା କରାଯାଉଥିବା ସେବା କାମକୁ ପ୍ରଦର୍ଶିତ କରାଇଥିଲେ। ସେ ଏଥିରେ ଶିକ୍ଷାବିତ, ସ୍କୁଲ ଛାତ୍ର-ଛାତ୍ରୀଙ୍କୁ ସାମିଲ କରିବା ସହ ସେମାନଙ୍କୁ ବନ, ବନ୍ୟଜୀବଙ୍କ ସୁରକ୍ଷା, ପାରିବାରିକ ତଥା ମାନବିକ ମୂଲ୍ୟବୋଧର ସୁରକ୍ଷା, ମହିଳା ମାନଙ୍କର ସମ୍ମାନ ଓ ସୁରକ୍ଷା ଓ ଦେଶ ରକ୍ଷା ଆଧାରିତ ଛଅଟି ବିଷୟକୁ ନେଇ  ଗୋ, ଗଙ୍ଗା, ମାତା- ପିତା- ଆଚାର୍ଯ୍ୟ, କନ୍ୟା ଓ ଭାରତମାତା ପୂଜନ ଆଦି କରାଇଥିଲେ। ଏହି ମେଳା ସଫଳତା ପରେ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏଭଳି ମେଳା ଆୟୋଜନ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱର ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଶ୍ରୀ ଗୁରୁମୂର୍ତ୍ତି ସୂଚନା ଦେଇଛନ୍ତି।   ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ମେଳା ସମ୍ପର୍କରେ ସୂଚନା ଦେଇ ନୈତିକ ଓ ସାଂସ୍କୃତିକ ପ୍ରଶିକ୍ଷଣାର୍ଥେ ପ୍ରଚେଷ୍ଟା ଫାଉଣ୍ଡେସନର ସଭାପତି ମୁରଲୀ ମନୋହର ଶର୍ମା କହିଛନ୍ତି ଯେ ଏହି ମେଳାରେ ୨୫୦ରୁ ୩୦୦ ଧାର୍ମିକ ଓ ସାମାଜିକ ସଂସ୍ଥା ମାନେ ଯୋଗ ଦେବେ। ଏହା ଦ୍ୱାରା ତାଙ୍କର କାମ ଲୋକ ଲୋଚନକୁ ଆସି ପାରିବ। ଏହି ମେଳାର ଛଅଟି ବିଷୟ ଉପରେ ସଚେତନତା ସୃଷ୍ଟି କରିବା ପାଇଁ  ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ, ମେଧା,ଚିତ୍ରାଂକନ, କ୍ରୀଡା, ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଗାନ ପ୍ରତିଯୋଗିତାମାନ ଆୟୋଜିତ ହେବ। ଏହା ପ୍ରଥମେ ସଂକୁଳସ୍ତରରେ ପରେ ଜୋନ ସ୍ତରରେ ତଥା ଶେଷରେ ଫାଇନାଲ ଅନୁଷ୍ଠିତ ହେବ। ମୋଟ ୪୦ ପ୍ରକାରର ପ୍ରତିଯୋଗିତା ଆୟୋଜିତ ହେବ। ସେହିପରି ମହାବିଦ୍ୟାଳୟ ସ୍ତରରେ ପାର୍ଲିଆମେଂଟମାନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।   ଶ୍ରୀ ଶର୍ମା କହିଛନ୍ତି ଯେ  ଏହି କାର୍ଯ୍ୟକ୍ରମ ପୂର୍ବରୁ ୫୦ ହଜାର ଛାତ୍ର ଛାତ୍ରୀମାନଙ୍କୁ ନେଇ ଲୋୟର ପିଏମଜି ଠାରେ ବନ୍ଦେ ମାତରମ ଗାୟନ କରାଯିବ। ସେହିପରି ମେଳା ସମୟରେ ପ୍ରତ୍ୟହ  ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜଗତର ସମ୍ମାନସ୍ପଦ ଲୋକମାନେ ଆଶୀର୍ବଚନ ପ୍ରଦାନ କରିବେ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ସଂସ୍ଥାର ସମ୍ପାଦକ ଅନୀଲ ଧର, ଉପାଧ୍ୟକ୍ଷ ଜୀତେନ୍ଦ୍ର ଗୁପ୍ତା ଓ ଫାଉଣ୍ଡେସନର ଅଖିଳ ଭାରତୀୟ କର୍ମକର୍ତ୍ତା ସଂଜୟ କୁମାର ପ୍ରମୁଖ  ଉପସ୍ଥିତ ଥିଲେ। 

Share :