ବନ୍ଦ ହୋଇନି ଖଣିଜ ଲୁଟ୍‌!

ବନ୍ଦ ହୋଇନି ଖଣିଜ ଲୁଟ୍‌!

Share :

  ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସରକାର ରାଜ୍ୟର ମୂଲ୍ୟବାନ ଖଣିଜ ସଂପଦର ହରିଲୁଟ୍‌ ରୋକିବାରେ ଏଯାଏଁ ସଫଳ ହୋଇ ନାହାନ୍ତି। ଏହି ହରିଲୁଟ୍‌ରେ ସରକାରୀ ଅଧିକାରୀ, ଦଳୀୟ ନେତା ଓ କର୍ମୀଙ୍କ ସମେତ ରାଜନୀତିକ ଚାନ୍ଦା ଦେଉଥିବା ଅସାଧୁ ବ୍ୟବସାୟୀମାନେ ସଂପୃକ୍ତ ଥିବାରୁ ବୋଧହୁଏ ସରକାର ଲୁଟେରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ସରକାରଙ୍କୁ ଏ ବିଷୟରେ ଚେତେଇ ଦିଆଗଲେ ବି ଲୁଟେରାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଉନି, ସେମାନଙ୍କୁ ଗିରଫ କରାଯାଉନି କି ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଉନି।   ସରକାରଙ୍କ ଆଖି ଆଗରେ କିପରି ଖଣିଜ ଲୁଟ୍‌ ଚାଲିଛି ତାହାର ଏକ ପ୍ରମାଣ ଏବେ କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ ରିପୋର୍ଟ ଜରିଆରେ ପଦାକୁ ଆସଛି। ସିଏଜିଙ୍କ ସମୀକ୍ଷାରୁ ଜଣାଯାଇଛି ଯେ ସରକାରଙ୍କ ପାଖରେ ଥିବା ରେକର୍ଡ ଅନୁସାରେ ଜଣେ ଖଣି ଲିଜଧାରୀ ୮୧୧ ଇ-ପାସ୍‌ ଜରିଆରେ ୭୨,୪୦୬ ଟନ୍‌ ଲୁହା ପଥର ପରିବହନ କରିଛନ୍ତି। ଏଥିପାଇଁ ୪ଟି ଗାଡ଼ି ବ୍ୟବହାର କରାଯାଇଛି। ସରକାରୀ ରେକର୍ଡ଼ରେ ଦରଜ ହୋଇଥିବା ତଥ୍ୟ ଅନୁସାରେ ଗାଡ଼ିଗୁଡ଼ିକର ନମ୍ବର ହେଲା ଓଡି-୦୯-ଏ-୧୨୪୨, ଓଡି-୦୯-ଏ-୧୨୪୩, ଓଡି-୦୯.ଏ-୧୨୪୪ ଏବଂ ଓଡି-୦୯-ଏ-୧୨୪୫। କିନ୍ତୁ ଆରଟିଓ ଅଫିସ ରେକର୍ଡ ଯାଞ୍ଚରୁ ଜଣାପଡ଼ିଛି ଯେ ଏହି ନମ୍ବରର ଗାଡ଼ିଗୁଡ଼ିକ ହେଉଛି ଦୁଇ ଚକିଆ। ଅର୍ଥାତ ନବୀନ ସରକାରଙ୍କ ତଥ୍ୟ ଅନୁସାରେ ଏହି ଚାରିଟି ଦୁଇ ଚକିଆ ଯାନରେ ୭୨ ହଜାର ଟନ୍‌ ଲୁହା ପଥର ପରିବହନ ହୋଇଛି!   ଏହା ଏ ସରକାରଙ୍କର କେମିତିକା ସ୍ବଚ୍ଛତା?   ଏସବୁ ଗାଡ଼ି ନମ୍ବର ସରକାର ଚଳାଇଥିବା ଏକୀକୃତ ଖଣି ଓ ଖଣିଜ ପଦାର୍ଥ ପରିଚାଳନା ପଦ୍ଧତି ବା ଇଣ୍ଟିଗ୍ରେଟେଡ ମାଇନ୍ସ ଆଣ୍ଡ ମିନେରାଲ ମ୍ୟାନେଜମେଣ୍ଟ ସିଷ୍ଟମରେ ଉଲ୍ଲେଖ ରହିଛି। ଖଣି ଦୁର୍ନୀତି ଧରା ପଡ଼ିବା ପରେ ରାଜ୍ୟ ସରକାର ଏହି ବ୍ୟବସ୍ଥା ପ୍ରଚଳନ କରି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏଣିକି ଆଉ କେହି ପରିବହନ ସମୟରେ ଖଣିଜ ପଦାର୍ଥ ଲୁଟ୍‌ କରିପାରିବେ ନାହିଁ। ତାହେଲେ ଦୁଇ ଚକିଆରେ ଚାରି ଚକିଆକୁ ବୁକେଇ ଯାଉଥିବା ଲୁହା ପଥର ପରିବହନ ହେଲା କେମିତି?   ଏହି ଗୋଟିଏ ଜାଲିଆତିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ହୁଏତ ଖଣି ବିଭାଗର ଅଧିକାରୀମାନଙ୍କ ଜାଣତରେ ଖଣି ଲିଜଧାରୀଙ୍କୁ ଏଭଳି ଜାଲ୍ ଇ-ପାସ୍‌ ମଂଜୁର କରାଯାଇ ସେମାନଙ୍କର ଲୁଟ୍‌କୁ ନିୟମିତ କରାଯାଇଛି। ଏହା ୨୦୧୪-୧୫ ବର୍ଷର କଥା। ଖଣି ଦୁର୍ନୀତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଭିଜିଲାନ୍ସ ଓ କ୍ରାଇମ ବ୍ରାଞ୍ଚ ତଦନ୍ତ ୨୦୦୯ ମସିହାରୁ ଚାଲିଛି! ଏଥିରେ କିଏ କାହା ଅସାଧୁ ମେଣ୍ଟରେ ଅଛି ତାହା ସହଜରେ ଅନୁମେୟ।   କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ ସମୀକ୍ଷାରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ଖଣି ଦୁର୍ନୀତି ଧରା ପଡ଼ିବା ପୂର୍ବରୁ ଯେପରି ହଜାର ହଜାର ଟନ୍‌ର ଖଣିଜ ପରିବହନ ନେଇ କୌଣସି ସଠିକ ରେକର୍ଡ଼ ନଥିଲା ଏବେ ମଧ୍ୟ ସେହିପରି ଚାଲିଛି। ଇ-ପାସ୍‌ ବ୍ୟବସ୍ଥା ୨୦୧୧ ମସିହା ମାର୍ଚ୍ଚ ୧୦ ତାରିଖରୁ ଲାଗୁ ହୋଇଛି। ୨୦୧୫ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଖଣି ବିଭାଗ ୨୮ ଲିଜଧାରୀଙ୍କୁ ୪୩,୪୬୪ ଇ-ପରମିଟ୍‌ ଜାରି କରିଛି। କିନ୍ତୁ ଏହି ସମୟ ମଧ୍ୟରେ ଜାରି ହୋଇଥିବା ୨୪,୪୧୧ ଇ-ପରମିଟ୍‌ ସଂପର୍କୀତ କୌଣସି ଇ-ପାସ୍‌ ସରକାରଙ୍କ ରେକର୍ଡରେ ନାହିଁ। ଅର୍ଥାତ ଏସବୁ ଇ-ପରମିଟ୍‌ ଜରିଆରେ ଖଣିଜ ପଦାର୍ଥ ଚୋରା ଚାଲାଣ ହୋଇଛି, ଯାହାକୁ ସଂପୃକ୍ତ ଅଧିକାରୀମାନେ ଆଖିବୁଜି ଦେଇଛନ୍ତି।   ଏହିପରି ଭାବେ କେବଳ ୨୦୧୪-୧୫ ବର୍ଷରେ କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଖଣିଜ ପରିବହନ ବାବଦରେ ୯୧୮୦ କୋଟି ଟଙ୍କାର ଘୋଟାଲା ଧରିଛନ୍ତି। ଅଥଚ ବିଜୁ ଜନତା ଦଳର ନବୀନ ପଟ୍ଟନାୟକଙ୍କ ସରକାର ଏ ନେଇ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଲୁଟ୍‌ ସେହିପରି ଚାଲିଛି।

Share :