ଜାପାନିଜ‌୍‍ ଏନ୍ସେଫାଲାଇଟିସ‌୍‍ ଆତଙ୍କ

ଜାପାନିଜ‌୍‍ ଏନ୍ସେଫାଲାଇଟିସ‌୍‍ ଆତଙ୍କ

Share :

ଜାପାନିଜ‌୍‍ ଏନସେଫାଲାଇଟିସ‌୍‍ ଏକ ମସ୍ତିଷ୍କ ପ୍ରଦାହ ଜ୍ୱର। ଏହା ଏକ ପ୍ରକାର ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ଏହି ଭୂତାଣୁ ଘୁଷୁରି ତଥା କେତେକ ପାଣିପକ୍ଷୀଙ୍କ ଦେହରେ ବଢ଼ିଥାଏ। ଘୁଷୁରି ଆମ୍ପ୍ଲିଫାୟାର ଭାବରେ କାମ କରିଥାଏ। ଏବେ ଏହି ଭୂତାଣୁର ସଂକ୍ରମର ମାଲକାନାଗିରି ଜିଳ୍ଲାର ବିଭିନ୍ନ ଗାଁରେ ଦେଖାଯାଇଛି  ଏବଂ ଏଥିରେ କେବଳ ଶିଶୁମାନେ ଆକ୍ରାନ୍ତ ହେଉଛନ୍ତି। ଯଦିଓ ଜାପାନିଜ‌୍‍ ଏନ‌୍‍ସେଫାଲାଇଟିସ‌୍‍ ଅନ୍ୟମାନଙ୍କୁ ମଧ୍ୟ ହୋଇପାରେ। ଜେଇ ସଂକ୍ରମଣ ଦ୍ୱାରା ଜଟିଳତା ଦେଖାଦେଲେ ରୋଗୀର ଅବସ୍ଥା ଗୁରୁତର ହୋଇଥାଏ। ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା ସତ୍ତ୍ବେ ପ୍ରାୟ ୩୦ ପ୍ରତିଶତରୁ ଅଧିକ ରୋଗୀ ମୃତ୍ୟୁ ବରଣ କରିଥାନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା କହିଛନ୍ତି। ଜେଇ ଭୂତାଣୁ ବ୍ୟତୀତ ଅନ୍ୟାନ୍ୟ ଭୂତାଣୁ ଅଛନ୍ତି ଯିଏ ଏହିଭଳି ମସ୍ତିଷ୍କ ପ୍ରଦାହ ଜ୍ୱର କରିଥାନ୍ତି ଏବଂ ସଂକ୍ରମିତ ରୋଗୀ ମୃତ୍ୟୁବରଣ କରିଥାନ୍ତି।   ଶ୍ରୀମତୀ ଆହୁଜା କହିଛନ୍ତି ଯେ ମାଲକାନଗିରି ଜିଲ୍ଲ‌୍‍ାରେ ଦେଖା ଦେଇଥିବା ଜାପାନୀଜ‌୍‍ ଏନସେଫାଲାଇଟିସ‌୍‍ ରୋଗ ସଂପର୍କରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ସହ ସେ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସେଠାକୁ ଗସ୍ତକରି ଦୁଇଦିନ ଧରି ଅନୁଧ୍ୟାନ କରିଛନ୍ତି। ସଂକ୍ରମିତ ଅଂଚଳକୁ ଯିବା ସହିତ ବିଭିନ୍ନ ଡାକ୍ତରଖାନା ଯାଇ ଚିକିତ୍ସା ବ୍ୟବସ୍ଥା ଦେଖିଛନ୍ତି। ମାଲକାନାଗିରି ଯାଇ ଜିଲ୍ଳା ସଦର ମହକୁମା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ଲକ, ଲାଇନ ଡ଼ିପାର୍ଟମେଂଟ, ସିଏଚ‌୍‍ସି, ଗ୍ରାମପଂଚାୟତ ଓ ଗାଁ ସବୁ ବୁଲି ସମୀକ୍ଷା କରିଥିଲୁ। ସବୁଗାଁରେ ଘୁଷୁରି ଅଛନ୍ତି। ଏଠାରେ ଲୋକଙ୍କ ପାରଂପରିକ ଚଳଣୀ ଓ ଜୀବିକା ନିର୍ବାହରେ ଘୁଷୁରି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଘୂଷୁରିମାନେ ଜେଇ ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିଲେ ମଧ୍ୟ ସେମାନଙ୍କଠାରେ କୌଣସି ରୋଗ ଲକ୍ଷଣ ଦେଖାଯାଏ ନାହିଁ। ଘୂଷୁରି ଦେହରୁ ଏହି ଭୂତାଣୁ ମଶା ଦ୍ୱାରା ମଣିଷ ଦେହକୁ ସଂକ୍ରମିତ ହୋଇଥାଏ। ଏହି ମଶା ସନ୍ଧ୍ୟା ବେଳେ ମଣିଷକୁ କାମୁଡ଼ିଥାଏ। ମଣିଷଠାରୁ ମଣିଷ ଦେହକୁ ଭୂତାଣୁ ସଂକ୍ରମିତ ହୋଇନଥାଏ। ମଣିଷ ଦେହରେ ଭୂତାଣୁ ମରିଯାଏ। ଆମେ ଭେଟେରିନାରୀ ବିଭାଗ ମାଧ୍ୟମରେ ୨୧ଟି ଘୁଷୁରି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଇଲୁ। ୨୧ ଟି ନମୁନାରୁ ୧୪ଟିରେ ଜେଇ ବାହାରିଲା ଅଥାର୍ତ‌୍‍ ଏହା ୬୦ଞ୍ଝ ଯାହାକୁ ଆମେ କହିବା ଘୁଷୁରିମାନଙ୍କଠାରେ ଜେଇ ଭୂତାଣୁ ସଂକ୍ରମଣର ଯଥେଷ୍ଟ।   ଏଣୁ ଏକ ବଡ଼ କଥା ହେଲା ଘୁଷୁରିମାନଙ୍କ ଚଳପ୍ରଚଳକୁ ନିୟନ୍ତ୍ରଣ କରିବା। ସେମାନଙ୍କୁ ଜନ ବସତିଠାରୁ ଦୂରରେ ଅଲଗା କରି ରଖିବାକୁ ହେବ। ଏଥିପାଇଁ ଜିଲ୍ଳା ପ୍ରଶାସନ ନରେଗା ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଗାଁରୁ ଲୋକମାନେ ଦୈନିକ ମଜୁରୀ ପାଇ ଏହି କାମ କରୁଛନ୍ତି। ଘୁଷୁରି ବିକ୍ରି ବନ୍ଦ କରାଯାଇଛି।   କ୍ୟୁଲେକ୍ସ ମଶା ସନ୍ଧ୍ୟାବେଳେ କାମୁଡେ଼। ମଶା ନିୟନ୍ତଣ ଓ କାମୁଡ଼ା ବନ୍ଦ ପାଇଁ ନାନାବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ମଶାମାନଙ୍କୁ ମାରିବା ପାଇଁ ଧୂଆଁ ଛଡ଼ା ଯାଉଛି। ଧୂଆଁ ଛଡ଼ାଯିବା ପରେ ମଶା ସଂଖ୍ୟା ବହୁତ ହ୍ରାସ ପାଇଛି। ତା ଛଡ଼ା ମଶା ଲାର୍ଭା ମାରିବା ପାଇଁ ବାୟୋଲାଭିସାଇଡ଼‌୍‍ ବ୍ୟବହାର କରାଯାଉଛି। ଯେହେତୁ ସନ୍ଧ୍ୟାବେଳେ ମଶା କାମୁଡ଼ୁଛନ୍ତି, ଲୋକମାନେ କିପରି ମଶା କାମୁଡ଼ାରୁ ରକ୍ଷାପାଇପାରିବେ ସେ ସଂପର୍କରେ ସଚେତନ କରାଯାଉଛି। ଏହାଛଡ଼ା ଘର ଭିତରେ କୀଟନାଶକ ସଂିଚନ କାଯ୍ର୍ୟକୁ ତ୍ୱରାନ୍ୱିତ କରାଯାଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି।   ଏହି ରୋଗପାଇଁ କୋଣସି ଔଷଧ ନାହିଁ। ମାତ୍ର ରୋଗୀର ଲକ୍ଷଣିକ ଚିକିତ୍ସା ପାଇଁ ଜିଲ୍ଳା ହସ୍ପିଟାଲରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଅଛି। ଶିଶୁ ବିଭାଗରେ ଅଧିକ ଆଇସିୟୁ ବ୍ୟବସ୍ଥା କରାଯାଇଛି। ଏମ‌୍‍କେସିଜି ମେଡ଼ିକାଲ‌୍‍ କଲେଜରୁ ବିଶେଷଜ୍ଞ ଡ଼ାକ୍ତରୀ ଦଳକୁ ପଠାଯାଉଛି। ରାଜ୍ୟ ସ୍ତରରୁ ମଧ୍ୟ ଶିଶୁ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଛି। ସର୍ବେକ୍ଷଣ ଜାରି ରହିଛି ଗାଁ ଲୋକମାନେ ଦିଶାରୀ ପାଖକୁ ପିଲାଙ୍କୁ ନନେଇ କିପରି ଡ଼ାକ୍ତରଖାନାରେ ଶୀଘ୍ର ପହଂଚିବେ ସେ ବ୍ୟବସ୍ଥା କରାଯାଇଛି। ଯେହେତୁ ଏହି ରୋଗପାଇଁ କୌଣସି ଚିକିତ୍ସା ବ୍ୟବସ୍ଥା ନାହିଁ ଏଥିପାଇଁ କେବଳ ଟୀକାକରଣ ହିଁ ଏକମାତ୍ର ଉପାୟ। ଭାରତ ସରକାରଙ୍କ ତରଫରୁ ଜେଇ ଭାକ୍ସିନେସନ ଇମୁନାଇଜେସନ ଡ଼ିଭିଜନ ମାଧ୍ୟମରେ ଆସନ୍ତା ନଭେମ୍ୱର ମାସ ଆଡ଼କୁ ଉପଲବ୍ଧ କରାଇବେ ବୋଲି ଜଣାଇଛନ୍ତି। ଏଥିପାଇଁ ଆମେ ସେମାନଙ୍କ ସାଥିରେ ଯୋଗାଯୋଗ ଜାରି ରଖିଛୁ। ଜେଇ ସଂକ୍ରମଣ ସମୟରେ ଜେଇ ଭାକ୍ସିନ‌୍‍ ଦିଆଯାଏ ନାହିଁ ଏହା ଦ୍ୱାରା ଅଧିକ କ୍ଷତି ହୋଇଥାଏ। ତେଣୁ ସଂକ୍ରମଣ ଶାନ୍ତ ହୋଇଗଲା ପରେ ଭାକ୍ସିନେସନ ଆରମ୍ଭ କରାଯିବ ବୋଲି ଶ୍ରୀମତୀ ଆହୁଜା ସୂଚନା ଦେଇଛନ୍ତି।    ସେହିପରି ସଂକ୍ରମିତ ରୋଗୀମାନେ ଯେହେତୁ ଗୁରୁତର ଅବସ୍ଥାରେ ଥାନ୍ତି ତେଣୁ ଦୂରକୁ ଚିକିତ୍ସା ପାଇଁ ଆଣିବା ଆଦ୍ଭୋ ଉଚିତ‌୍‍ ନୁହେଁ। ବାଟରେ ଅଧିକ ଜଟିଳତା ଦେଖା ଦେବ। ତେଣୁ ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରେ ସବୁ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି।

Share :