୧୬ ବର୍ଷରେ ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀ!

୧୬ ବର୍ଷରେ ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀ!

Share :

ରାଜ୍ୟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଛି। ମରାମତି ଅଭାବରୁ ଭାଙ୍ଗିରୁଜି ଗଲାଣି। ଉପକୂଳ ଜିଲ୍ଲାଗୁଡିକର ଅନେକ ବାତ୍ୟା ଆଶ୍ରୟସ୍ଥଳୀ ଲୋକ ରହିବା ଭଳି ସ୍ଥିତିରେ ନାହିଁ। ସାମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହୁଥିବା ବେଳେ ବାତ୍ୟ ଆଶ୍ରୟସ୍ଥଳୀଗୁଡିକର ଅବସ୍ଥା ପ୍ରତି ଆଖି ବୁଜି ଦେଇଥିବାର ଅଭିଯୋଗ ହୋଇଛି। ଏନେଇ ରାଜ୍ୟ ମାନବାଧିକାର କମିଶନ ଉଦବେଗ ପ୍ରକାଶ କରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଅବସ୍ଥା କାହିଁକି ଏଭଳି ହୋଇଛି ଓ ଏହାର ମରାମତି କାହିଁକି କରାଯାଇନାହିଁ, ତାହା ତଦନ୍ତ କରି ରିପୋର୍ଟ ଦେବାକୁ କମିଶନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ୱତନ୍ତ୍ର ରିଲିଫ‌୍‍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ଏନେଇ ଏକ ପିଟିସନ‌୍‍ ଦାୟର କରିଥିଲେ। ସେ ଦର୍ଶାଇଥିଲେ ଯେ, ୧୯୯୯ ମହାବାତ୍ୟା ପରେ ପରେ ରାଜ୍ୟରେ ୧୦,୦୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଖୋଲିଥିଲା। କିନ୍ତୁ ମରାମତି ଅଭାବରୁ ସେଗୁଡିକ ମଧ୍ୟରୁ ଅଧିକାଂଶ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏଭଳି ଅନେକ ବିପଦପୂର୍ଣ ଅବସ୍ଥାରେ ରହିଛି। ଏହି ସବୁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରଧାନମନ୍ତ୍ରୀ ରିଲିଫ‌୍‍ ପାଣ୍ଠି, ମୁଖ୍ୟମନ୍ତ୍ରୀ ରିଲିଫ‌୍‍ ପାଣ୍ଠି, ସାଂସଦ ପାଣ୍ଠି, ମହାରାଷ୍ଟ୍ର, କର୍ଣାଟକ, ଦିଲ୍ଲୀ ସରକାରଙ୍କ ସହାୟତାରେ ଖୋଲିଥିଲା। କେତେକ େସ୍ୱଚ୍ଛାସେବୀ ସଂସ୍ଥା, କମ୍ପାନୀ ଆଦି ମଧ୍ୟ ଏଥିରେ ସହଯୋଗ କରିଥିଲେ। ଓଡିଶା ରାଜ୍ୟ ବିପର୍ଯୟ ପ୍ରଶମନ ସଂସ୍ଥା ୧୩୫ଟି ଓ ଇଣ୍ଡିଆନ‌୍‍ ରେଡ‌୍‍କ୍ରସ‌୍‍ ସୋସାଇଟି ୬୫ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଖୋଲିଥିଲା।   ଅନେକ ବାତ୍ୟା ଆଶ୍ରୟସ୍ଥଳୀରେ ସ୍କୁଲ ମଧ୍ୟ ଚାଲିଛି। କିନ୍ତୁ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଦରକାର ହେଉଥିବା ସୁବିଧା ସୁଯୋଗ ସେଠାରେ ନାହିଁ। ଛାତମାନଙ୍କରୁ ପାଣି ଗଳୁଛି। କବାଟ ଓ ଝରକା ଭାଙ୍ଗିଗଲାଣି। ସେଠାରେ ଥିବା ବୈଦ୍ୟୁତିକ ଓ ଅନ୍ୟାନ୍ୟ ଉପକରଣ ଭାଙ୍ଗିରୁଜି ଗଲାଣି। ଅନେକ ବାତ୍ୟା ଆଶ୍ରୟସ୍ଥଳୀକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇନାହିଁ। ଏପରିସ୍ଥିତିରେ ବାତ୍ୟା ସମୟରେ ଏଗୁଡିକ ଲୋକଙ୍କ କାମରେ ଆସିପାରିବ ନାହିଁ ବୋଲି ଆବେଦନକାରୀ ଶ୍ରୀ ଅଖଣ୍ଡ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ‌୍‍ ବି.କେ.ମିଶ୍ର ଏହାର ଶୁଣାଣୀ କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଓ ସ୍ୱତନ୍ତ୍ର ରିଲିଫ‌୍‍ କମିଶନରଙ୍କୁ ନୋଟିସ‌୍‍ ଜାରି କରି ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share :