ଲୁଟିନେଲ ମେଧାବୀ ଛାତ୍ରଙ୍କ ୫୦ କୋଟି!

ଲୁଟିନେଲ ମେଧାବୀ ଛାତ୍ରଙ୍କ ୫୦ କୋଟି!

Share :

ରାଜ୍ୟରେ ୨୦୧୦ରୁ ୨୦୧୫ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଠକାମୀ, ଚଞ୍ଚକତା କରାଯାଇ ହାରାହାରି ୫୦ କୋଟି ଟଙ୍କା ଲୁଟ‌୍‍ ହୋଇଛି। ଏହି ମହା ଘୋଟାଲାରେ ବ୍ୟାଙ୍କ, ସରକାରୀ ଟ୍ରେଜେରୀ, ପୋଲିସ‌୍‍, କ୍ରାଇମବ୍ରାଞ୍ଚ, ଉଚ୍ଚଶିକ୍ଷା ବିଭାଗର ଅଧିକାରୀ, କମ୍ପୁଟର ସଂସ୍ଥା ସମ୍ପୃକ୍ତ ଥିବାର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି।   ପ୍ରତିବର୍ଷ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ହାସଲ ପାଇଁ ମେଧାବୀ ଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ମେଧାବୃତ୍ତି ଦେଇ ଆସୁଛନ୍ତି। ରାଜ୍ୟରେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ବୃତ୍ତି ଦିଆଯାଇଥାଏ। ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନ‌୍‍ ଲାଇନ‌୍‍ରେ ଆବେଦନ କରିବାକୁ କୁହାଯାଇଥାଏ। ପିଲାମାନଙ୍କର ଆବେଦନକୁ ଯାଞ୍ଚ କରାଯାଇ ସରକାରୀ ନିୟମ ଆଧାରରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରାଯାଇ ଏହି ଅର୍ଥ ପ୍ରଦାନ କରାଯାଇଥାଏ। ପ୍ରଥମରୁ ଉକ୍ତ ଅର୍ଥ ଚେକ‌୍‍ ଆକାରରେ ପ୍ରଦାନ କରାଯାଉଥିଲା ବେଳେ ବର୍ତ୍ତମାନ ସିଧାସଳଖ ପିଲାମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଉଛି।   ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅର୍ନ୍ତଗତ ଦୁର୍ଗାପ୍ରସାଦ ଗ୍ରାମର ବିଭୂତି ଭୂଷଣ ଲେଙ୍କା ନାମକ ଜଣେ ବ୍ୟକ୍ତି ଉକ୍ତ ଅଞ୍ଚଳର କିଛି କଲେଜ ଛାତ୍ର ସୂର୍ଯ୍ୟ ପ୍ରସାଦ ସାହୁ, ସାଗର କୁମାର ଦେବତା ଏବଂ ମାନସ କୁମାର ସିଂହକୁ ଭେଟି ଛାତ୍ରବୃତ୍ତି କରାଇ ଦେବ କହି ଶିକ୍ଷାଗତ ଦସ୍ତାବିଜ‌୍‍ର ନକଲ ଏବଂ ବ୍ୟାଙ୍କ ପାସ୍‌ବୁକ‌୍‍ ଇତ୍ୟାଦି ନେଇଥିଲେ। ଏହାର କିଛି ଦିନ ପରେ ତା ୧୪.୧.୨୦୧୫ରେ ଉକ୍ତ ବ୍ୟକ୍ତି ଜଣକ ପୁଣି ଥରେ ଆସି ସେମାନଙ୍କ ନିକଟରୁ ଏ.ଟି.ଏମ‌୍‍. କାର୍ଡ ଏବଂ ପିନ‌୍‍ ନମ୍ୱର ନେଲେ। ୧୫.୧.୨୦୧୫ରେ ସେମାନଙ୍କ ମୋବାଇଲ‌୍‍କୁ ମେସେଜ‌୍‍ ଆସିଲା ଯେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦,୦୦୦.୦୦ ଲେଖାଏଁ ଟଙ୍କା ଡ଼ିପୋଜିଟ‌୍‍ ହୋଇଛି ଏବଂ କିଛି ସମୟ ପରେ ସମ୍ପୂର୍ଣ୍ଣ ୨୦,୦୦୦.୦୦ ଟଙ୍କା ଉଠାଣ ହୋଇଯାଇଥିବାର ମେସେଜ ବି ଆସିଲା। ସେହିଦିନ ସେହି ବିଭୂତି ସେମାନଙ୍କୁ ଜଣ ପିଛା ୫୦୦ ଟଙ୍କା ଲେଖାଏଁ ଦେଇ ଏଟିଏମ‌୍‍ କାର୍ଡ଼ ଫେରାଇ ଦେଇଥିଲା।   ଏଠାରେ ସୂଚନାଯୋଗ୍ୟ ଯେ, ଏହି ଛାତ୍ରମାନେ ମେଧାବୃତ୍ତି ପାଇଁ ଆବେଦନ କରିନଥିଲେ। ଛାତ୍ରମାନେ ଏହି ବିଷୟରେ ସେମାନଙ୍କର ଅଭିଭାବକମାନଙ୍କୁ ଜଣାଇଲା ପରେ ଜଣାପଡ଼ିଲା ଯେ, ଏହା ଏକ ବଡ଼ଧରଣର ଘୋଟାଲା ଏବଂ ଏ କ୍ଷେତ୍ରରେ ଏକ ବଡ଼ ଧରଣର ରାକେଟ କାମ କରୁଛି। ଏହା ପରେ ଉପରୋକ୍ତ ତିନିଜଣ ଛାତ୍ର ୨୮.୦୧.୨୦୧୫ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏହି ଘୋଟାଲା ସମ୍ପର୍କରେ ଅବଗତ କରାଇବା ସହ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହାପରେ କୌଣସି ତଦନ୍ତ ନ ହେବାରୁ ଛାତ୍ର ସୂର୍ଯ୍ୟ ପ୍ରସାଦ ସାହୁ ବେଗୁନିଆ ଥାନାରେ ଅଭିଯୋଗ କଲେ। କିନ୍ତୁ ବେଗୁନିଆ ଥାନା ଅଧିକାରୀ କୌଣସି ତଦନ୍ତ ନ କରି ଉପରୁ ଚାପ ପଡୁଥିବାରୁ ଏହି ତଦନ୍ତରୁ ଓହରିଗଲେ।   ଏହାପରେ ଜଣେ ଅଭିଭାବକ ତଥା ସୂଚନାଧିକାର କର୍ମୀ ରମେଶ ଚନ୍ଦ୍ର ରାଉତ ବିଧିବଦ୍ଧ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉକ୍ତ ଜାଲିଆତି ସମ୍ପର୍କରେ ତା ୬.୫.୧୫ରେ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଏହା ପରେ ଉକ୍ତ ଅଭିଯୋଗଗୁଡ଼ିକୁ ଆଧାର କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ତା ୧୮.୫.୧୫ରେ ମୁଖ୍ୟମନ୍ତ୍ରୀ ଏବଂ ତା ୩୧.୭.୧୫ରେ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଚିଠି ଲେଖି ଏହାର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ତା’ପରେ ୧୪.୭.୧୫ରିଖରେ ରମେଶଚନ୍ଦ୍ର ସାହୁଙ୍କର ଅଭିଯୋଗକୁ ଭିତ୍ତି କରି ଉଚ୍ଚଶିକ୍ଷା ବିଭାଗର ସଚିବ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଏହି ଦୁର୍ନୀତିର ତଦନ୍ତ କରିବାକୁ ଜଣାଇଥିଲେ। ସେହିପରି ୧୦.୩.୧୫ରେ ଅର୍ଥ ବିଭାଗ ଏହି ଘୋଟାଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଡ଼ି.ଜି.ଙ୍କୁ ମଧ୍ୟ ଜଣାଇଥିଲେ।   ଏସବୁ ଅଭିଯୋଗ ସତ୍ତ୍ୱେ ଉକ୍ତ ଘୋଟାଲାର ସରକାରୀସ୍ତରରେ ତଦନ୍ତ ହେଲା ନାହିଁ କି ଏଯାବତ‌୍‍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ।   ଏହା ପରେ ସୂଚନାଧିକାର କର୍ମୀ ତଥା ମୁଖ୍ୟ ଅଭିଯୋଗକାରୀ ରମେଶ ଚନ୍ଦ୍ର ସାହୁ ତା ୩.୨.୧୫ରିଖରେ ଉକ୍ତ ୩ ଜଣ ଛାତ୍ରଙ୍କର ଆକାଉଣ୍ଟ ନମ୍ୱର (ସୂର୍ଯ୍ୟ ପ୍ରସାଦ ସାହୁ, ଆକାଉଣ୍ଟ ନଂ-୨୭୭୪୦୦୧୫୦୦୦୦୧୨୪୧, ସାଗର କୁମାର ଦେବତା, ଆକାଉଣ୍ଟ ନଂ-୨୭୭୪୦୦୧୫୦୦୦୦୮୧୭୪, ମାନସ କୁମାର ସିଂ, ଆକାଉଣ୍ଟ ନଂ-୨୭୭୪୦୦୧୫୦୦୦୦୩୩୭) ଦର୍ଶାଇ ଉକ୍ତ ଆକାଉଣ୍ଟକୁ କିପରି ଅର୍ଥ ପଠାଗଲା, ସେ ସମ୍ପର୍କରେ ତଥ୍ୟ ପାଇବା ପାଇଁ ସୂଚନା ଅଧିକାର ଆଇନ ବଳରେ ଉଚ୍ଚଶିକ୍ଷା ବିଭାଗକୁ ତଥ୍ୟ ମାଗିଲେ। ତା ୨.୪.୧୫ରିଖରେ ଜନସୂଚନା ଅଧିକାରୀ ଦର୍ଶାଇଲେ ଯେ, ଉକ୍ତ ଆକାଉଣ୍ଟଗୁଡ଼ିକୁ କୌଣସି ଅର୍ଥ ପ୍ରଦାନ କରାଯାଇ ନାହିଁ। କିନ୍ତୁ ମେଧାବୃତ୍ତି ତାଲିକାରେ ଏହି ତିନିଜଣ ଛାତ୍ରଙ୍କ ନାମ ରହିଛି ଏବଂ ସେମାନଙ୍କ ନାମରେ ଥିବା ଅନ୍ୟ ତିନୋଟି ଭିନ୍ନ ଭିନ୍ନ ଆକାଉଣ୍ଟ ନମ୍ୱର ରହିଛି। ତେଣୁ ଆଗରୁ ସନ୍ଦେହ କରାଯାଉଥିବା   ଏହି ଘୋଟାଲା ଆହୁରି ରହସ୍ୟମୟ ହେବାରୁ ଶ୍ରୀ ସାହୁ ଭୁବନେଶ୍ୱରସ୍ଥିତ ଟ୍ରେଜେରୀ ନିର୍ଦ୍ଦେଶାଳୟରେ ଅଭିଯୋଗ କଲେ। ଉକ୍ତ ଆକାଉଣ୍ଟଗୁଡିକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ତାଳତୁମ୍ୱା ବ୍ରାଞ୍ଚର ହୋଇଥିବାରୁ ଟ୍ରେଜେରୀ ଅଫିସ‌୍‍ ତା ୧୦.୪.୧୫ରିଖରେ ଉକ୍ତ ବ୍ୟାଙ୍କର ମୁଖ୍ୟଶାଖାକୁ ଏହାର ତଦନ୍ତ ପାଇଁ ଜଣାଇଲେ। ଟ୍ରେଜେରୀ ଜଣାଇଲେ ଯେ, ଉପରୋକ୍ତ ଆକାଉଣ୍ଟଗୁଡ଼ିକୁ କୌଣସି ଅର୍ଥ ଟ୍ରାନ୍ସଫର୍‌ ହେବାର ସେଣ୍ଟ୍ରାଲ ଇଲେକ୍‌ଟ୍ରୋନିକ ପ୍ରସେସିଂ ସେଲ୍‌ରୁ ଜଣାପଡୁ ନାହିଁ। ତେଣୁ ଉପରୋକ୍ତ ତିନୋଟି ଆକାଉଣ୍ଟକୁ କିପରି ଅର୍ଥ ଗଲା ତାହା ରହସ୍ୟଜନକ।   ଏଠାରେ ସୂଚନାଯୋଗ୍ୟ ଯେ, ବ୍ୟାଙ୍କିଙ୍ଗ‌୍‍ ବ୍ୟବସ୍ଥା ଅନୁଯାୟୀ, ସିଇପିସିରୁ କେଉଁ କେଉଁ ବ୍ୟାଙ୍କର କେଉଁ ଆକାଉଣ୍ଟକୁ କେତେ ଟଙ୍କା ଦିଆଯିବ ତାହା ରିଜର୍ଭ ବ୍ୟାଙ୍କ ଅଧୀନରେ ଥିବା ରଜିଓନାଲ ଇଲେକ୍‌ଟ୍ରୋନିକ କ୍ଲିୟରାନ୍ସ ସିଷ୍ଟମକୁ ଜଣାଇ ଦିଆଯାଇଥାଏ। ଏହା ପରେ ରିଜର୍ଭ ବ୍ୟାଙ୍କ ଟଙ୍କା ପ୍ରଦାନ ପାଇଁ ବିଭିନ୍ନ ବ୍ୟାଙ୍କକୁ ପଠାଇଦିଏ। ଯଦି ଆକାଉଣ୍ଟଗୁଡ଼ିକରେ ଭୁଲ‌୍‍ ତ୍ରୁଟି ଥାଏ, ବା ମେଳ ଖାଉନଥାଏ, ତେବେ ଉକ୍ତ ଅର୍ଥ ପୁଣି ଏହି ସିଷ୍ଟମକୁ ଫେରିଆସେ।   ଯାହାହେଉ, ଟ୍ରେଜେରୀଠାରୁ ଚିଠି ପାଇଲା ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଭୁବନେଶ୍ୱର ତଦନ୍ତ କରି ତା ୧୧.୪.୧୫ରିଖରେ ଟ୍ରେଜେରୀ ନିଦ୍ଦେର୍ଶାଳୟକୁ ଜଣାଇଲେ ଯେ, ରିଜର୍ଭ ବ୍ୟାଙ୍କର ଇଲେକ୍‌ଟ୍ରୋନିକ ପ୍ରସେସିଂ ସିଷ୍ଟମରୁ ପ୍ରତିଦିନ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଆକାଉଣ୍ଟ ନମ୍ୱର ଭୁଲ‌୍‍ଭାଲ‌୍‍ ଆସୁଛି। ତେଣୁ ଆକାଉଣ୍ଟ ହୋଲଡର୍‌ଙ୍କ ନାମ ଏବଂ ଆକାଉଣ୍ଟ ନମ୍ୱର ସହିତ ଇସିଏସ ଫାଇଲ‌୍‍ରେ ଥିବା ଆକାଉଣ୍ଟ ସହିତ ମିଳାଇ ଭୁଲ‌୍‍ ଥିଲେ ଆବଶ୍ୟକ ସ୍ଥଳେ ସଂଶୋଧନ କରି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରାଯାଇଛି। ତେଣୁ ଉଚ୍ଚଶିକ୍ଷା ବିଭାଗରୁ ଉକ୍ତ ତିନିଜଣ ଛାତ୍ର ଏବଂ ସେମାନଙ୍କ ଆକାଉଣ୍ଟ (ସୂର୍ଯ୍ୟ ପ୍ରସାଦ ସାହୁ, ଆକାଉଣ୍ଟ ନଂ-୨୭୭୪୦୧୫୦୦୦୦୧୨୪୦, ସାଗର କୁମାର ଦେବତା, ଆକାଉଣ୍ଟ ନଂ-୨୭୭୪୦୧୫୦୦୦୦୮୧୭୦, ମାନସ କୁମାର ସିଂ, ଆକାଉଣ୍ଟ ନଂ-୨୭୭୪୦୧୫୦୦୦୦୩୩୩୦)କୁ ଦିଆଯାଇଥିବା ମେଧାବୃତ୍ତି ଅର୍ଥ ବ୍ୟାଙ୍କରେ ସେମାନଙ୍କ ନାମରେ ଥିବା ଆକାଉଣ୍ଟ ନମ୍ୱର ମେଳ ନଖାଇବାରୁ ବ୍ରାଞ୍ଚ ମ୍ୟାନେଜର ଆକାଉଣ୍ଟ ନମ୍ୱରକୁ ପରିବର୍ତ୍ତନ କରାଇ ଉକ୍ତ ଅର୍ଥକୁ ସେହି ତିନିଜଣ ଛାତ୍ରଙ୍କ ନାମରେ ଥିବା ଆକାଉଣ୍ଟ ନମ୍ୱର (ସୂର୍ଯ୍ୟ ପ୍ରସାଦ ସାହୁ, ଆକାଉଣ୍ଟ ନଂ-୨୭୭୪୦୦୧୫୦୦୦୦୧୨୪୧, ସାଗର କୁମାର ଦେବତା, ଆକାଉଣ୍ଟ ନଂ-୨୭୭୪୦୦୧୫୦୦୦୦୮୧୭୪, ମାନସ କୁମାର ସିଂ, ଆକାଉଣ୍ଟ ନଂ-୨୭୭୪୦୦୧୫୦୦୦୦୩୩୩୭) ରେ ଅର୍ଥ ପଇଠ କରିଦେଲେ।   ଏହିଭଳି ଭାବେ ବ୍ୟାଙ୍କ ଅଫିସରମାନଙ୍କର ପ୍ରଚ୍ଛନ୍ନ ସହାୟତା ଏବଂ ସମ୍ପୃକ୍ତିରେ ଏକ ରାକେଟ ଗୋଷ୍ଠୀ କୋଟି କୋଟି ଟଙ୍କା ମେଧାବୃତ୍ତି ଅର୍ଥ ହଡ଼ପ କରିଛନ୍ତି।   ପୁଣି ଏହି ମେଧାବୃତ୍ତି ପାଇବା ପାଇଁ ଚିହ୍ନଟ ପ୍ରକ୍ରିୟା ଏବଂ ମେଧାଛାତ୍ରମାନଙ୍କୁ ଚିହ୍ନଟ ଏବଂ ମେଧାବୃତ୍ତି ପ୍ରଦାନ ବ୍ୟବସ୍ଥା ରାଜ୍ୟ ସରକାର ୨୦୧୦ ମସିହାରୁ ତିନୋଟି ପ୍ରମୁଖ ବେସରକାରୀ କମ୍ପାନୀ ଯଥା ସିଏସଏମ ଟେକ୍ନଲଲୋଜି, ଟିକ୍ୟୁଏମ ସର୍ଭିସେସ ଏବଂ ଡକେସିଏଲକୁ ଦାୟିତ୍ୱ ଦେଇଛନ୍ତି। ତେଣୁ ଏହି ମହାଘୋଟାଲା ଏହି କମ୍ପାନୀମାନଙ୍କ ମାଧ୍ୟମରେ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଅଧିକାରୀ, ବିଭିନ୍ନ ବ୍ୟାଙ୍କର ଅଧିକାରୀ ଏବଂ ଉକ୍ତ ତିନି କମ୍ପାନୀ ମିଶି ବିଭିନ୍ନ ଛାତ୍ରଙ୍କ ନାମରେ ଭୁଲ‌୍‍ ଆକାଉଣ୍ଟ ନମ୍ୱର ଦେଇ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି।   ଏଠାରେ ସୂଚନାଯୋଗ୍ୟ ଯେ, ସରକାରୀ ନିୟମ  ଅନୁଯାୟୀ, ଜଣେ ପୋଷ୍ଟ ଗ୍ରାଜୁଏଟ୍ ମେଧାବୀ ଛାତ୍ର ପାଇଁ ବର୍ଷକୁ ରାଜ୍ୟ ସରକାର ୧୦,୦୦୦ ଟଙ୍କାର ମେଧାବୃତ୍ତି ପ୍ରଦାନ ପାଇଁ ବ୍ୟବସ୍ଥା ରଖିଛନ୍ତି। କିନ୍ତୁ ଉପରୋକ୍ତ ତିନି ଜଣ ଛାତ୍ର ରଘୁନାଥ କଲେଜ, ଦେଉଳିର ଯୁକ୍ତ ୩ କଲେଜର ଛାତ୍ର ଅଟନ୍ତି। ତେଣୁ ଯୁକ୍ତ ୩ ଛାତ୍ରମାନଙ୍କୁ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଭାବେ ଦର୍ଶାଇ ଏହି କମ୍ପାନୀମାନେ ଏଜେଣ୍ଟମାନଙ୍କ ଦ୍ୱାରା ଉକ୍ତ ଅର୍ଥ ହରିଲୁଟ‌୍‍ କରିଛନ୍ତି। ଏହାଦ୍ୱାରା ପ୍ରକୃତ ମେଧାବୀ ଛାତ୍ରମାନେ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହୋଇଛନ୍ତି।   ଏ ସମ୍ପର୍କରେ ବାରମ୍ୱାର ଅଭିଯୋଗ ଏବଂ ପ୍ରମାଣ ଦାଖଲ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ନ କରି ବସିଛନ୍ତି। ଯାହାକି ଏହି ସମଗ୍ର ଘଟଣାକୁ ଆହୁରି ପ୍ରହେଳିକାମୟ କରିଦେଇଛି। ଏଥିରେ ରାଜ୍ୟ ସରକାରଙ୍କର ମନ୍ତ୍ରୀ ଓ ସଚିବ କିମ୍ବା ଶାସକ ବିଜୁ ଜନତା ଦଳର ବହୁ କୁଜିନେତା ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ତେଣୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଏହି ମହାଘୋଟାଲର ସିବିଆଇ ତଦନ୍ତ କରାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଇନ‌୍‍ଜୀବୀ ସୁଧୀର ମହାନ୍ତି, ସୂଚନାଧିକାର କର୍ମୀ ବିଶ୍ୱଜିତ‌୍‍ ମହାନ୍ତି ଏବଂ ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share :