ଗ୍ଲାମର୍ ଦୁନିଆର ମାୟାଜାଲ- ଦେହ ଓ ଦାହର ପରିଣତି

ଗ୍ଲାମର୍ ଦୁନିଆର ମାୟାଜାଲ- ଦେହ ଓ ଦାହର ପରିଣତି

Share :

  ନିଜର ପ୍ରଥମ ଚଳଚ୍ଚିତ୍ରରେ ସେ ପାଇଥିଲେ ଜାତୀୟ ପୁରସ୍କାର | ୨୦୦୨ ମସିହାରେ ନିର୍ମିତ ‘ମକ୍ଡ଼ି’ ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର | ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ | ୨୦୦୫ ମସିହାରେ ଆସିଥିଲା ସୁବାସ୍ ଘାଇଙ୍କ ‘ଇକ୍ବାଲ୍’ | ସେହି ଚିତ୍ରରେ ମଧ୍ୟ ସେ ଶିଶୁ କଳାକାର ଭୂମିକାରେ ଅଭିନୟ କରି ପ୍ରଶଂସା ଅର୍ଜନ କରିଥିଲେ | ଏହା ପରେ ଅନେକ ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ ତାମିଲ୍ ଫିଲ୍ମରେ ଅଭିନୟ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇଥିଲେ |  ଏକତା କପୁରଙ୍କ ‘କାହାନୀ ଘର୍ ଘର୍ କି’ରେ ମଧ୍ୟ ସେ ଅଭିନୟ କରି ଦର୍ଶକୀୟ ପ୍ରଶଂସା ଅର୍ଜନ କରିଥିଲେ | ଇତିମଧ୍ୟରେ ସେ ହୋଇଯାଇଛନ୍ତି ଜଣେ ପୂର୍ଣ୍ଣାବୟବ ଯୁବତୀ | ତାଙ୍କ ନାଁ ହେଉଛି ଶ୍ବେତା ବାସୁ ପ୍ରସାଦ | କଇ ଦିନ ତେଳ କିନ୍ତୁ ଅଭିନୟ ପାଇଁ ନୁହେଁ, ଦେହ ବ୍ୟବସାୟ ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ | ୨୦୧୫ ଅଗଷ୍ଟ ୩୧ ତାରିଖରେ ତାଙ୍କୁ ହାଇଦ୍ରାବାଦ ପୁଲିସ୍ ବନଜାରା ହିଲ୍ସରେ ଥିବା ପାର୍କ ହୟାଟ୍ଟ ହୋଟେଲରୁ ଦେହ ବ୍ୟବସାୟ ଚଳାଇଥିବା ଅଭିଯୋଗରେ ଗିରଫ କରିଥିଲା | ତାଙ୍କ ସହିତ ଥିବା ମୁମ୍ବାଇର କେତେ ଜଣ ଧନୀ ବ୍ୟବସାୟୀ ଓ ଜଣେ ଦଲାଲଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା | ଗିରଫ ହେବ ପରେ ଶ୍ବେତା ପୁଲିସ ନିକଟରେ ସତ କଥା ମାନି ଯାଇଥିଲେ | ତାଙ୍କ ସ୍ବୀକାରୋକ୍ତି ଅନୁସାରେ ସେ ରାତିକ ପାଇଁ ଲକ୍ଷେ ଟଙ୍କା ଦାବି କରନ୍ତି | ସେଥିରୁ ୧୫ ହଜାର ଟଙ୍କା ଦଲାଲ ବା ଭାଡ଼ୁଆ ନେଇଯାଏ | ଅର୍ଥାଭାବ ମେଣ୍ଟାଇବାକୁ ସେ ଏପରି କରିଥାନ୍ତି ବୋଲି କହିଥିଲେ ଶ୍ବେତା | ଏ ହେଉଛି ଗ୍ଲାମର୍ ଦୁନିଆର ଗୋଟିଏ ରୂପ | ଅନ୍ୟ ଗୋଟିଏ ରୂପ ଦେଖିବାକୁ ମିଳିଥିଲା ମୁମ୍ବାଇର ଭର୍ସୋଭାରେ | ସେଠାରେ ଏକ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ ୨୮ ବର୍ଷ ବୟସ୍କା ସୟମ ଖାନ୍ନା ଓରଫ ମୋନା ଖାନ୍ନା | ସେ ଜଣେ ମଡେଲ୍ ଓ ଦୁଇଟି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି | ତାଙ୍କର ଗୋଟିଏ ଫିଲ୍ମ ମୁକ୍ତିଲାଭ କରିସାରିଛି | ତାହାର ନାମ ହେଉଛି ‘ଦ ହଣ୍ଟେଡ୍ ହାଉସ୍’ | ଅନ୍ୟ ଏକ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ଥିଲା | ତାହାର ଟାଇଟ୍ଲ ହେଉଛି ‘ଦ ଲାଷ୍ଟ ହରର୍’ | ସେ ତାଙ୍କ ଆତ୍ମହତ୍ୟା  ନୋଟରେ ଲେଖିଥିଲେ ଅର୍ଥାଭାବ ଏବଂ ଆଉ ଅଭିନୟ ସୁଯୋଗ ନମିଳିବାରୁ ସେ ଆତ୍ମହତ୍ୟା କରୁଛନ୍ତି | ତାଙ୍କ ବୟ ଫ୍ରେଣ୍ଡଙ୍କ ସହିତ ମଧ୍ୟ ମୋନାଙ୍କର ସଂପର୍କ ଭଲ ନଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା | ବୟ ଫ୍ରେଣ୍ଡ ତାଙ୍କୁ ବିଭିନ୍ନ ଧନୀ ବ୍ୟବସାୟୀ ଓ ପ୍ରଭାବଶାଳୀ ଲୋକଙ୍କ ସହିତ ରାତି ବିତାଇବାକୁ ବାଧ୍ୟ କରୁଥିଲେ ବୋଲି ପୁଲିସ ସନ୍ଦେହ କରିଥିଲା | ଏ ହେଉଛି ଗ୍ଲାମର୍ ଦୁନିଆର ଆଉ ଏକ ରୂପ | ଏ ଦୁଇଟି ଯାକ ଘଟଣାରୁ ଆଧୁନିକ ସମାଜରେ ଗ୍ଲାମର ଦୁନିଆର ହାଲ୍ ହରକତ ବିଷୟରେ କିଞ୍ଚିତ୍ ଆଭାସ ମିଳୁଛି | ଏହି ଜଗତର ସୁନ୍ଦରୀ ଯୁବତୀମାନେ କିପରି ସହଜରେ ଦିଗଭ୍ରଷ୍ଟ ହୋଇଯାଉଛନ୍ତି, ଖ୍ୟାତି ଓ ସଂପତ୍ତି ଲୋଭରେ ଦେହ ଓ ଆତ୍ମାକୁ ବିକିବାକୁ ପଛାଉ ନାହାନ୍ତି, ଅନେକ କ୍ଷେତ୍ରରେ ଦେହ ଓ ଆତ୍ମାକୁ ଧ୍ବଂସ କରି ଦେଉଛନ୍ତି, ସେ ସଂପର୍କରେ ଏହି ଦୁଇଟି ଘଟଣା ଅନେକ କିଛି ଜଣାଇ ଦେଉଛି | ଥରେ ଏହି ଜଗତରେ ପାଦ ଥାପିଲା ପରେ ଯୁବତୀମାନେ କିପରି ଚିକମିକ କ୍ଚକ୍ ଦୁନିଆର ମୋହ ତୁଟାଇପାରୁ ନାହାନ୍ତି, ଆଉ ପୂର୍ବ ପରି ସାଧାରଣ ଜୀବନକୁ ଫେରିପାରୁ ନାହାନ୍ତି, ତାହା ହିଁ ପ୍ରମାଣିତ କରୁଛି ଏଇ ଦୁଇଟି ଦୁଃଖଦ ଘଟଣା | ସତରେ କ’ଣ ଶ୍ବେତାଙ୍କର ଚଳିବାକୁ ଅର୍ଥାଭାବ ଥିଲା ? ସତରେ କ’ଣ ଖାଇବାକୁ ଓ ପିନ୍ଧିବାକୁ ତାଙ୍କ ନିକଟରେ ଅନ୍ୟ କିଛି ସାଧନ ନଥିଲା ? ସେ ଚାହିଁଥିଲେ କ’ଣ ସାଧାରଣ ଘରର ଝିଅ ପରି ଚଳି ପାରି ନଥାନ୍ତେ ? ସେଥିପାଇଁ କେତେ ଟଙ୍କା ଦରକାର? ସେହି ଟଙ୍କା କ’ଣ ସେ ଅନ୍ୟ ଯେକୌଣସି କାମ କରି ଅର୍ଜନ କରିପାରି ନଥାନ୍ତେ ? ତାଙ୍କର ଖ୍ୟାତିକୁ ଦେଖି ମୁମ୍ବାଇର ଯେକୌଣସି ବଡ଼ କମ୍ପାନୀ ତାଙ୍କୁ ମାସିକ ସର୍ବନିମ୍ନ ୫୦-୬୦ ହଜାର ଟଙ୍କାରେ ଚାକିରି ଦେଇଥାନ୍ତେ | ସେଥିପାଇଁ ସେ ଚେଷ୍ଟା କରିଥିଲେ କି ? ତାଙ୍କ ଦେହ ବ୍ୟବସାୟ ତାଙ୍କର ଅଭାବ ନୁହେଁ ଲୋଭର ପରିପ୍ରକାଶ କରିଛି | ରାତିକୁ ଲକ୍ଷେ ଟଙ୍କା ନେଇ ଦେହ ଓ ମନକୁ ବିକିବାର ଆବଶ୍ୟକତା କେଉଁ ପରି ଅଭାବ ଓ ସଂକଟର ପରିଣତି ? ସାଧାରଣ ଜୀବନ ଜୀଇଁବା ପାଇଁ କ’ଣ ଏତେ ଟଙ୍କା ଦରକାର? ଅନ୍ୟପକ୍ଷରେ ମୋନା ଖାନ୍ନାଙ୍କ ଆତ୍ମହତ୍ୟା ଘଟଣା ମଧ୍ୟ ଝିଲମିଲ ଦୁନିଆର ଚକମକ ଜୀବନ ପଛରେ ରହିଥିବା ଲୋଭ ଓ ମୋହର ମାୟାଜାଲକୁ ପଦାରେ ପକାଇ ଦେଇଛି | ମୋନା ଜଣେ ଅଭିନେତ୍ରୀ ହୋଇ ବଂଚିବାକୁ ଚାହିଁଥିଲେ କ’ଣ କେବଳ ଫିଲ୍ମ ହେଉଛି ଏକମାତ୍ର ବାଟ ? ଥିଏଟର ଓ ଯାତ୍ରା କ’ଣ ଅଭିନୟ ପାଇଁ ମଞ୍ଚ ନୁହେଁ ? ରୋଜଗାର ପାଇଁ ମଡେଲିଂ ଓ ବଲିଉଡ଼୍ କ’ଣ ଏକମାତ୍ର ମାଧ୍ୟମ ? ମୁମ୍ବାଇରେ ରହିଲେ କ’ଣ ବୈକୁଣ୍ଠରେ ରହିଲା ପରି ଲାଗେ ? ଏହା କ’ଣ ସବୁ ସୁନ୍ଦରୀ ଯୁବତୀ ଓ ବଳିଷ୍ଠ ଯୁବକଙ୍କ ସ୍ବର୍ଗ ? ହଲିଉଡ଼୍ ଢାଞ୍ଚାରେ ଗଢ଼ି ଉଠିଥିବା ବଲିଉଡ଼୍ ଓ ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ଫିଲ୍ମ ଦୁନିଆର ଅବସ୍ଥା ପ୍ରାୟ ଠିକ୍ ଏହିପରି | ଏଥିରେ ମଜ୍ଜି ଯାଉଥିବା ଯୁବକ ଓ ଯୁବତୀମାନେ ଆଉ ସେଥିରୁ ଫେରିବାକୁ ଚାହୁଁ ନାହାନ୍ତି | ଥରେ ଗ୍ଲାମର ଦୁନିଆର ଚିକମିକ ଆଲୁଅ ଦେଖିଲା ପରେ, ସେକ୍ସ ଓ ରୋମାନ୍ସର ମରିଚୀକାର ମିଛ ମଜ୍ଜାରେ ନିଶାଗ୍ରସ୍ତ ହୋଇଗଲା ପରେ ଅନେକ ଝିଅ ଓ ପୁଅଙ୍କ ଶେଷ ପରିଣତି ଠିକ୍ ଏହିପରି ହେଉଛି | ଏ ଦୁନିଆରେ ଖୁବ୍ କମ୍ ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁ ଅଛନ୍ତି ଯେଉଁମାନେ ରାସ୍ତାରେ ଶୋଇ ଜୀବନ କଟାଇଥିଲେ ମଧ୍ୟ ସଂଘର୍ଷ କରି ପ୍ରତିଭାର ପରିଚୟ ଦେଇଛନ୍ତି ଓ ଶେଷରେ ଖ୍ୟାତି ଓ ସଂପତ୍ତିର ଅଧିକାରୀ ହୋଇଛନ୍ତି | ଆଜିକାଲିର କଳାକାରମାନେ କିନ୍ତୁ ଏମିତି ସଂଘର୍ଷ କରିବାକୁ ଚାହାନ୍ତି ନାହିଁ | ଯେମିତି ହେଲେ ସେମାନଙ୍କୁ ପ୍ରଚୁର ରୋଜଗାର କରିବାକୁ ପଡ଼ିବ | ସେହି ଅର୍ଥରେ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ହେବ | ସେଥିପାଇଁ ଦେହ ଯାଉ, ଆତ୍ମା ଯାଉ, ନୀତି ପୋଡ଼ୁ, ବିବେକ ପୋଡ଼ୁ, କିଛି ଯାଏଆସେ ନାହିଁ | ଯେଉଁମାନେ ଏହିପରି ସବୁକିଛି ଛାଡ଼ି କେବଳ ରୂପର ଖ୍ୟାତି ବିଛାଡ଼ିବାକୁ ଚାହାନ୍ତି ସେମାନଙ୍କୁ ଦେଖିବାକୁ ମିଳିପାରେ ଦେହର ଗୋପନ ବଜାରରେ, ନହେଲେ ନୈରାଶ୍ୟପୂର୍ଣ୍ଣ ଜୀବନର ଶେଷ ପାହାଚରେ ଠିଆ ହୋଇଥିବା ମରଣର ପାଦତଳେ |

Share :